ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଏଥିରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ସାମିଲ ଅଛି। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପର୍ଯ୍ୟାରେ ଓଡ଼ିଶାର ମୋଟ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୭,୩୦୩ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୭୪୮ଟି ସହରାଞ୍ଚଳରେ ଓ ୬,୫୫୫ଟି ଗ୍ରାମାଞ୍ଚଳରେ ରହିଛି। ସେହିପରି ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୫୩ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ମତଦାନ କେନ୍ଦ୍ରରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ମୁତୟନ କରାଯାଇଛି। ଏହାସହ ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ତେବେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ସେହିପରି ୨୮ଟି ବିଧାନସଭା ଆସନ ପାଇଁ ମୋଟ ୨୪୩ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୨୧୪ ଜଣ ପୁରୁଷ ଏବଂ ୨୯ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ନବରଙ୍ଗପୁର ଲୋକସଭା ଆସନରୁ ୪ ଜଣ ପ୍ରାର୍ଥୀ ରହିଥିବାବେଳେ କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। ସେହିପରି ଝରିଗାଁ, ନବରଙ୍ଗପୁର ଓ ଡାବୁଗାଁ ବିଧାନସଭା ଆସନ ପାଇଁ ସର୍ବନିମ୍ନ ୩ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବାଧିକ ୧୭ ଜଣ ପ୍ରାର୍ଥୀ ରହିଛନ୍ତି। ଏହି ପର୍ଯ୍ୟାୟରେ ଅନେକ ହେଭିୱେଟ ନେତା ମଧ୍ୟ ନିର୍ବାଚନ ଲଢୁଛନ୍ତି।

Tags: #OdishaAssemblyElections2024 #Voting #Voters #Odisha #ECI #India

LEAVE A REPLY

Please enter your comment!
Please enter your name here