ଭାସ୍କର ପରିଚ୍ଛା

ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ କଥା ବହୁ ବରିଷ୍ଠ ଓ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସେ। ସେମାନଙ୍କ ମଧ୍ୟରୁ କେବଳ ଶ୍ୟାମାମଣୀ ଦେବୀ ହିଁ ଏବେ ଜୀବିତ ଅଛନ୍ତି। ତେବେ ଯେଉଁ ତିନି ଜଣ ମହିଳାଙ୍କ ବିଷୟ ଏଠାରେ କୁହାଯାଉଛି ସେମାନେ ହେଉଛନ୍ତି ବୀଣାପାଣି ମିଶ୍ର, ଭୁବନେଶ୍ଵରୀ ମିଶ୍ର ଓ ଇନ୍ଦ୍ରାଣୀ ମିଶ୍ର। ଏହି ତିନି ମହିୟସୀ ମହିଳାଙ୍କ ମଧ୍ୟରୁ ବୀଣାପାଣି ମିଶ୍ର ଥିଲେ ଅନ୍ୟ ମାନଙ୍କ ତୁଳନାରେ ବୟସରେ ବଡ଼। ଗୋଟିଏ ସମୟରେ ଏହି ତିନି ଜଣ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗାୟନ ପାଇଁ ବେଶ୍ ଲୋକପ୍ରିୟ ଥିଲେ।

ବୀଣାପାଣି ମିଶ୍ର

ଆସାମର ପୂର୍ବତନ ରାଜ୍ୟପାଳ ଲୋକନାଥ ମିଶ୍ରଙ୍କ ସହଧର୍ମିଣୀ ବୀଣାପାଣି ମିଶ୍ର ଉଭୟ ହିନ୍ଦୁସ୍ତାନୀ ଓ ଓଡ଼ିଶୀ ଗାୟନରେ ନିଜକୁ ପ୍ରତିଷ୍ଠା କରି ପାରିଥିଲେ। ତାଙ୍କର ଅନେକ ଗୀତ ଦୂରଦର୍ଶନ ଓ ଆକାଶବାଣୀର ଅଭିଲେଖାଗାରରେ ଗଚ୍ଛିତ ଅଛି। ବିଦୁଷୀ ବୀଣାପାଣି ମିଶ୍ର ଲଘୁ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ, ଭଜନ, ଠୁମ୍ରି ଓ ଝୁଲା ଆଦିରେ ନିଜର ପରିଚୟ ସୃଷ୍ଟି କରିଯାଇଛନ୍ତି।

ଦିଲ୍ଲୀ ଦୂରଦର୍ଶନର ନାଦ ଲହରୀ କାର୍ଯକ୍ରମରେ ସେ ଜଣେ ନିୟମିତ କଳାକାର ଥିଲେ। ୧୯୮୨ରେ ସେ କଣ୍ଠ ସଙ୍ଗୀତ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

ଇନ୍ଦ୍ରାଣୀ ମିଶ୍ର 

ବାରିପଦାରେ ଜନ୍ମିତ ଇନ୍ଦ୍ରାଣୀ ମିଶ୍ର ପିଲାଟି ଦିନରୁ ସଂଗୀତ ପ୍ରତି ଆକର୍ଷିତ ହୋଇଥିଲେ। ସେ ମାତ୍ର ୫ ବର୍ଷ ବୟସରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ। ପିତା ସୁରେଶ ଚନ୍ଦ୍ର ମିଶ୍ରଙ୍କର ଚାକିରିରେ ବଦଳି କାରଣରୁ, ତାଙ୍କ ପିଲାଦିନ ବାରିପଦା, ଭୁବନେଶ୍ୱର ଓ କଲିକତା ଆଦି ସ୍ଥାନରେ କଟିଥିଲା।

ପଣ୍ଡିତ କାଶୀନାଥ ପୂଜାପଣ୍ଡାଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ ଇନ୍ଦ୍ରାଣୀ ମିଶ୍ର। ପଣ୍ଡିତ ଜେ.ଭି.ଏସ୍. ରାଓ, ମାମିନୀ ଗାଙ୍ଗୁଲି ଆଦି ଗୁରୁଙ୍କଠାରୁ ମଧ୍ୟ ସେ ସଂଗୀତ ଶିକ୍ଷା ଲାଭ କରିଥିଲେ। ସଂଗୀତ ଶିକ୍ଷା ସହ ସମତାଳରେ, ଇନ୍ଦ୍ରାଣୀ ମିଶ୍ର କଲିକତାରୁ ସ୍ନାତକ ଓ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।

୧୯୭୧ ମସିହାରେ ଆକାଶବାଣୀ ତରଫରୁ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି, ଇନ୍ଦ୍ରାଣୀ ମିଶ୍ର ଲୋକଲୋଚନକୁ ଆସିଥିଲେ। ସେହି ବର୍ଷ ତାଙ୍କୁ ଆକାଶବାଣୀ କଟକର ସ୍ୱୀକୃତି ପ୍ରାପ୍ତ କଳାକାରର ମାନ୍ୟତା ମଧ୍ୟ ହାସଲ ହୋଇଥିଲା।

୧୯୭୨ ମସିହାରୁ ସେ ଆକାଶବାଣୀ କଟକରେ ଜଣେ ନିୟମିତ କଣ୍ଠଶିଳ୍ପୀ ଭାବରେ ସଂଗୀତ ପରିବେଷଣ କରି ଆସିଥିଲେ। ଆକାଶବାଣୀ ଓ ଦୂରଦର୍ଶନ ବ୍ୟତିତ ସେ ଓଡ଼ିଆ କଥାଚିତ୍ର ଓ ଟେଲିଫିଲ୍ମରେ ମଧ୍ୟ ପ୍ରଚ୍ଛଦପଟ ଗାୟିକା ଭାବରେ କାମ କରିଛନ୍ତି।

ଇନ୍ଦ୍ରାଣୀ ମିଶ୍ର ଓଡ଼ିଶୀ ସଙ୍ଗୀତର ବିଭିନ୍ନ ପର୍ଯ୍ୟାୟ ଯଥା ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଭଜନ, ଜଣାଣ, ଗୀତଗୋବିନ୍ଦ ଓ ହିନ୍ଦୁସ୍ଥାନୀ ସଂଗୀତ, ଗଜଲ, ସୁଗମ ସଙ୍ଗୀତ, ଲୋକସଙ୍ଗୀତ, ଆଧୁନିକ, ନଜରୁଲ ଗୀତ ଆଦି ସଂଗୀତ ପରିବେଷଣ କରି ଆସି କରି ଆସିଥିଲେ। ଶିକ୍ଷାଦାନକୁ ଇନ୍ଦ୍ରାଣୀ ବୃତ୍ତି ଭାବରେ ଗ୍ରହଣ କରିଥିଲେ।

୧୯୮୧ ମସିହାରୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଇଂରାଜୀ ବିଭାଗରେ ଅଧ୍ୟାପିକା ରୂପେ କାର୍ଯ୍ୟ କରି ଇନ୍ଦ୍ରାଣୀ ମିଶ୍ର ଅବସର ଗ୍ରହଣ କରିଥିଲେ। ଭାରତର ବହୁସ୍ଥାନ ତଥା ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡ ଆଦି ଦେଶରେ ସେ ସଂଗୀତ ପରିବେଷଣ କରିସାରିଥିବା, ସ୍ଵର୍ଗତା ମିଶ୍ର ବହୁ ଯଶ ସମ୍ମାନ ଓ ପୁରସ୍କାର ଲାଭ କରିଥିଲେ।

ଭୁବନେଶ୍ଵରୀ ମିଶ୍ର 

ଭୁବନେଶ୍ୱରୀ ମିଶ୍ର ପୁରୀଠାରେ ଜନ୍ମଗ୍ରହଣ କରିଥିଲେ। ବହୁତ କମ ବୟସରୁ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ପୁରୀସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ସେ ବହୁ ବର୍ଷ ସଙ୍ଗୀତ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଉଭୟ ଶାସ୍ତ୍ରୀୟ ଓ ପ୍ରଚ୍ଛଦପଟ୍ଟ ସଙ୍ଗୀତ ଗାନକରୁଥିଲେ। ତେବେ ସେ ଅଧିକତଃ ଓଡ଼ିଆ ଚଳଚ୍ଚିତ୍ର ସହିତ ଅଧିକ ଜଡ଼ିତ ଥିଲେ।।

୧୯୭୬ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କୃଷ୍ଣ ସୁଦାମାରୁ ବିଧିବଦ୍ଧ ଭାବେ ସିନେମାରେ କଣ୍ଠଦାନ ଆରମ୍ଭ କରିଥିଲେ ଭୁବନେଶ୍ୱରୀ ମିଶ୍ର। ବାସୁଦେବ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରର ଗୀତ “ଟିକି ମୋର ନାଆଟି” ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା। ତାଙ୍କଦ୍ୱାରା ବୋଲା କିଛି ଜଣାଶୁଣା ଗୀତ ହେଲା “ଇଟିକିଲି ମିଟିକିଲି”, “ଜହ୍ନର ସିନ୍ଦୂର ଗାର”, “ତୁମେ ମୋର ପ୍ରଭୁ”, “ପୀରତି କିଏ କରିଛି”, “ଜଗତର ନାଥ ଜଗନ୍ନାଥ”, “ଦୟାମୟୀ ମହାମାୟୀ ମା’ ମଙ୍ଗଳା” ଆଦି। 

ଭୁବନେଶ୍ଵରୀ  ମିଶ୍ର ଆକାଶବାଣୀ କଟକର ଜଣେ “ଏ ଗ୍ରେଡ୍” କଣ୍ଠଶିଳ୍ପୀ ଥିଲେ। ସତୁରି ଦଶକରେ ଆକାଶବାଣୀରେ ସେ ଏକକ ଭାବରେ ତଥା ଚିତ୍ତ ଜେନା ଓ ପ୍ରଣବ ପଟ୍ଟନାୟକଙ୍କ ସହ ଡୁଏଟ୍ ସଙ୍ଗୀତ ଗାଇଛନ୍ତି। ୨୦୦୫-୦୬ରେ ସୁଗମ ସଙ୍ଗୀତ ପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #OdissiSastriyaSangeet #ClassicalSong #BinapaniMishra #IndraniMishra #BhubaneswariMishra #Singers #Odisha

Comment