ମିନତି ମିଶ୍ର

ପ୍ରତି ୧୦ ବର୍ଷରେ ହେଉଥିବା ଜନଗଣନାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା। ଆସନ୍ତା ୨୦୨୫ ମସିହାରୁ ଭାରତରେ ଆରମ୍ଭ ହେବ ଜନଗଣନା ପ୍ରକ୍ରିୟା। ଏହି ପ୍ରକ୍ରିୟା ଆସନ୍ତା ୨୦୨୬ ଯାଏଁ ଚାଲିବ ବୋଲି ଜଣାପଡ଼ିଛି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଗଣନା ପ୍ରକ୍ରିୟାର ବିବରଣୀ ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ କରାଯାଇ ନାହିଁ।

ବଦଳିଯିବ ଜନଗଣନା ଚକ୍ର

ଦେଶରେ ପ୍ରତି ୧୦ ବର୍ଷରେ ଥରେ ଜନଗଣନା କରାଯିବାର ନିୟମ ରହିଛି। ଶେଷ ଜନଗଣନା ୨୦୧୧ ମସିହାରେ ହୋଇଥିଲା। ସେହି କ୍ରମରେ ୨୦୨୧ ମସିହାରେ ଜନଗଣନା ହେବା କଥା। କିନ୍ତୁ କରୋନା ମହାମାରୀ ପାଇଁ ଏହି ପ୍ରକ୍ରିୟାକୁ ବନ୍ଦ ରଖାଯାଇଥିଲା।

ନିର୍ଦ୍ଧାରିତ ସମୟର ୩ ବର୍ଷ ପରେ ଏହା କରାଯାଉଥିବାରୁ ଜନଗଣନାର ଚକ୍ର ବଦଳି ଯାଇଛି। ଅର୍ଥାତ ପୂର୍ବରୁ ୧୯୯୧, ୨୦୦୧, ୨୦୧୧ ମସିହା, ଏହି କ୍ରମରେ ଜନଗଣନା ହେଉଥିଲା। ଏବେ ୨୦୨୫ ମସିହାରେ ପରବର୍ତ୍ତୀ ଜନଗଣନା ହେବ। ସେହି କ୍ରମରେ ଏହାର ପରବର୍ତ୍ତୀ ଜନଗଣନା ୨୦୩୫ ମସିହାରେ କରାଯିବାର ସମ୍ଭାବନା ରହିଛି।

ଜନଗଣନା ପରେ ଲୋକସଭା ଆସନ ସୀମା ନିର୍ଦ୍ଧାରଣ

ଜନଗଣନା ପରେ ଲୋକସଭା ଆସନର ସୀମା ନିର୍ଦ୍ଧାରଣ କରାଯିବ। ୨୦୨୮ ମସିହା ସୁଦ୍ଧ ଏହି ପ୍ରକ୍ରିୟା ଶେଷ ହେବାର ସମ୍ଭାବନା ରହିଛି। କିଛି ବିରୋଧୀଙ୍କ ପକ୍ଷରୁ ଜାତିଗତ ଜନଗଣନା ପାଇଁ ମଧ୍ଯ ଦାବି କରାଯାଉଛି। ହେଲେ ସରକାର ଏ ନେଇ କୌଣସି ନିଷ୍ପତ୍ତି ନେଇ ନଥିବା ଜଣାପଡ଼ିଛି।

ଏ ପର୍ଯ୍ୟନ୍ତ ଜନଗଣନାରେ ଧର୍ମ ଏବଂ ବର୍ଗ ସମ୍ପର୍କରେ ପଚରା ଯାଉଥିଲା। ଏଥିସହିତ ସାଧାରଣ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗଣନା କରାଯାଉଥିଲା। ହେଲେ ଏଥର ଲୋକଙ୍କୁ କେଉଁ ସଂପ୍ରଦାୟର ଅନୁଗାମୀ ତାହା ମଧ୍ୟ ପଚରାଯିବ। ଯେପରି କର୍ଣ୍ଣାଟକରେ ଲିଙ୍ଗାୟତମାନେ ସାଧାରଣ ବର୍ଗ ହେଲେ ମଧ୍ୟ ସେମାନେ ପୃଥକ ସଂପ୍ରଦାୟର ବୋଲି ବିବେଚନା କରନ୍ତି। ଅନୁସୂଚିତ ଜତି ମଧ୍ୟରେ ବାଲ୍ମିକୀ, ରବିଦାସୀ ପରି ଭିନ୍ନ ସଂପ୍ରଦାୟ ମଧ୍ୟ ଅଛନ୍ତି। ଏଥର ଏ ସମ୍ପର୍କରେ ମଧ୍ୟ ପଚରା ଯାଇପାରେ। ତେଣୁ ଏଥର ଧର୍ମ, ବର୍ଗ ସହ ସଂପ୍ରଦାୟ ଆଧାରରେ ଜନଗଣନା କରିବା ପାଇଁ ବିରୋଧୀ କରୁଥିବା ଦାବିକୁ ସରକାର ବିଚାର କରୁଛନ୍ତି।

ଜନଗଣନା ପାଇଁ ଖୋଲିଲା ସ୍ୱତନ୍ତ୍ର ପାର୍ଟାଲ

ଜନଗଣନା ସହ ଜାତିଗତ ଜନଗଣନାକୁ ନେଇ ସରକାର ବର୍ତ୍ତମାନ ସୁଦ୍ଧା ଔପଚାରିକ ନିଷ୍ପତ୍ତି ନେଇ ନାହାନ୍ତି। ବିରୋଧୀ ଦଳ ଏହି ଜାତିଗତ ଜନଗଣନାକୁ ରାଜନୈତିକ ପ୍ରସଙ୍ଗ କରୁଥିବାରୁ ମୋଦୀ ସରକାର ଏହା ଉପରେ ବିଚାର କରିପାରନ୍ତି। ତେବେ ଦେଶରେ ପ୍ରଥମ ଥର ପାଇଁ ଜନଗଣନାର ତଥ୍ୟ ଡିଜିଟାଲ ଆଧାରରେ ଏକାଠି କରାଯିବ ଏବଂ ସଙ୍କଳିତ କରାଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ଏକ ବିଶେଷ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହି ପୋର୍ଟାଲରେ ଜାତିଗତ ଜନଗଣନା ଅଙ୍କ ପାଇଁ ପ୍ରାବଧାନ ରହିଛି।

Tags: #Census #Population #CentralGovt #India

LEAVE A REPLY

Please enter your comment!
Please enter your name here