ଓଡ଼ିଶାଲାଇଭ୍ ବ୍ୟୁରୋ
ଅଶାନ୍ତ ହୋଇପଡ଼ିଛି ଦକ୍ଷିଣ କୋରିଆରେ ରାଜନୈତିକ ସ୍ଥିତି। ରାଷ୍ଟ୍ରପତି ୟୁନ ସୁକ ୟୋଲ ମଙ୍ଗଳବାର ବିଳମ୍ବିତ ରାତିରେ ଦେଶରେ ଏମର୍ଜେନ୍ସି ବା ମାର୍ଶଲ ଲ’ ଲାଗୁ କରିଥିଲେ। ତେବେ ସଂସଦରେ ଜୋରଦାର ବିରୋଧ ପରେ ଏମର୍ଜେନ୍ସିକୁ ହଟାଇବାକୁ ପଡ଼ିଛି।
ମାର୍ଶଲ ଲ’ ଲାଗିବା ପରେ ସଂସଦ ଭବନକୁ ପଶିଆସିଥିବା ଅନେକ ନେତାଙ୍କୁ ଗିରଫ କରିବା ସହ ରାଜରାସ୍ତାକୁ ଦକ୍ଷିଣ କୋରିଆର ସେନା ନିଜ କବ୍ଜାକୁ ନେଇ ଯାଇଥିଲେ। ରାଜଧାନୀ ସିଓଲରେ ଯୁଦ୍ଧ ପରି ସ୍ଥିତି ଦେଖିବାକୁ ମିଳିଥିଲା। ଉତ୍ତର କୋରିଆର କମ୍ୟୁନିଷ୍ଟ ଶକ୍ତି କବଳରୁ ଦେଶକୁ ରକ୍ଷା କରିବା ପାଇଁ ଏମର୍ଜେନ୍ସି ଲାଗୁ ହୋଇଥିବା ରାଷ୍ଟ୍ରପତି କହିଥିଲେ।
ତେବେ ଜରୁରକାଳୀନ ପରିସ୍ଥିତି ଲାଗୁ ହେବାର ମାତ୍ର ୬ ଘଣ୍ଟା ପରେ ବୁଧବାର ଭୋର ୪ଟା ୩୦ ସମୟରେ ଏହାକୁ ହଟାଇ ଦିଆଯାଇଥିଲା। ଦେଶବାସୀଙ୍କୁ ସମ୍ବୋଧନ କରି ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ-ୟୋଲ ମଙ୍ଗଳବାର ବିଳମ୍ବିତ ରାତିରେ ମାର୍ଶଲ ଲ’କୁ ହଟାଯାଇଥିବା ଘୋଷଣା କରିଥିଲେ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଶାସକ ଓ ବିରୋଧୀ ଦଳର ୩୦୦ରୁ ୧୯୦ ସାଂସଦ ଏହି ମାର୍ଶାଲ ଲ’ ବିରୋଧରେ ମତଦାନ କରିଥିଲେ। ଯାହାଫଳରେ ରାଷ୍ଟ୍ରପତି ଏହାକୁ ହଟାଇବାକୁ ବାଧ୍ୟ ହୋଇଥିଲେ।
କାହିଁକି ଲାଗୁ ହୋଇଥିଲା ଏମର୍ଜେନ୍ସି
ସଂସଦରେ ଆସନ୍ତା ବର୍ଷ ପାଇଁ ବଜେଟକୁ ନେଇ ପିପୁଲ୍ସ ପାୱାର ପାର୍ଟି ଓ ବିରୋଧୀ ଡେମୋକ୍ରାଟିକ ପାର୍ଟି ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ବିରୋଧୀ ସାଂସଦମାନେ ଗୋଟିଏ ସଂସଦୀୟ କମିଟି ଜରିଆାରେ ନିଜ ଇଚ୍ଛାରେ ବଜେଟ ପ୍ରସ୍ତୁତ କରିଥିଲେ। ସେମାନେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବଜେଟକୁ ଗ୍ରହଣ କରି ନଥିଲେ। ଏହାକୁ ନେଇ ବିବାଦ ହେବା ପରେ ଏମର୍ଜେନ୍ସି ଲାଗୁ କରାଯାଇଥିଲା।
ରାଷ୍ଟ୍ରପତି ୟୁନ ସୁକ-ୟୋଲ କହିଥିଲେ, “ଦକ୍ଷିଣ କୋରିଆ ପ୍ରତି ଉତ୍ତର କୋରିଆର କମ୍ୟୁନିଷ୍ଟ ଶକ୍ତିପଟୁ ବିପଦର ଆଶଙ୍କା ଥିଲା। ତେଣୁ ଦେଶକୁ ବଞ୍ଚାଇବା ପାଇଁ ତଥା ବିରୋଧୀ ଶକ୍ତିକୁ ଜବାବ ଦେବା ପାଇଁ ଜରୁରକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଦେଶର ସ୍ୱତନ୍ତ୍ରତା ତଥା ସାମ୍ବିଧାନିକ ବ୍ୟବସ୍ଥାର ରକ୍ଷା ପାଇଁ ଏପରି ପଦକ୍ଷେପ ନେବାର ଆବଶ୍ୟକା ଥିଲା।”
ଅନ୍ୟପକ୍ଷେ ବିରୋଧୀ ନେତା ରାଷ୍ଟ୍ରପତି ୟୋଲଙ୍କ ଦ୍ୱାରା ଘୋଷିତ ମାର୍ଶଲ ଲ’କୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ଏହା ଲୋକତାନ୍ତ୍ରିକ ପ୍ରକ୍ରିୟା ଦୁର୍ବଳ କରିଦେବ ବୋଲି ବିରୋଧ କହି ଏହାକୁ ହଟାଇବାକୁ ଅଡ଼ି ବସିଥିଲେ। ଶାସକ ଦଳ ସାଂସଦ ମଧ୍ୟ ମାର୍ଲାଲ ଲ’କୁ ବିରୋଧ କରିଥିଲେ। ଫଳରେ ୬ ଘଣ୍ଟା ଏମର୍ଜେନ୍ସି ଲାଗୁ ହେବା ପରେ ଏହାକୁ ହଟାଇବା ନେଇ ଘୋଷଣା କରାଯାଇଥିଲା।
ରାଷ୍ଟ୍ରପତି ୟୋଲଙ୍କ ଲୋକପ୍ରିୟତା ଧୀରେଧୀରେ କମିବାକୁ ଲାଗିଛି। ତେଣୁ ସେ ଉତ୍ତର କୋରିଆ ଶାସନମୁଖ୍ୟ କିମ ଜୋଙ୍ଗଙ୍କ ନାଁର ଭୟ ଦେଖାଇ ଶାସନ କ୍ଷମତା ନିଜ ହାତମୁଠାରେ ରଖିବାକୁ ଚାହୁଁଛନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି।
ଏହାପୂର୍ବରୁ ୧୯୮୦ ମସିହାରେ ଦକ୍ଷିଣ କୋରିଆର ଛାତ୍ର ଏବଂ ଶ୍ରମିକ ସଂଘଗୁଡ଼ିକ ଦେଶବ୍ୟାପୀ ବିଦ୍ରୋହ ଘୋଷଣା କରାଯାଇଥିଲା। ଏହି ସମୟରେ ରାଷ୍ଟ୍ରପତି ଦେଶରେ ଜରୁରକାଳୀନ ପରିସ୍ଥିତି ଲାଗୁ କରିଥିଲେ।
Tags: #SouthKorea #Emergency #MartialLaw #PoliticalInstability