ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋଗଲ ସମ୍ରାଟ ଔରଙ୍ଗଜେବ ଏବଂ ତାଙ୍କ ବଂଶଧରମାନକୁ ନେଇ ନିଜର ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅଯୋଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଔରଙ୍ଗଜେବଙ୍କ ବଂଶଧରମାନେ ଏବେ କୋଲକାତା ନିକଟରେ ରିକ୍ସା ଚାଳକ ଭାବେ ରହୁଛନ୍ତି।
ଆଦିତ୍ୟନାଥ ଏହି ପରିସ୍ଥିତିକୁ ଇତିହାସର ‘ଦିବ୍ୟ ନ୍ୟାୟ’ ସହ ଯୋଡ଼ିଛନ୍ତି। ସେ କହିଛନ୍ତି, “କିଛି ଲୋକ ମୋତେ କହିଥିଲେ ଔରଙ୍ଗଜେବଙ୍କ ବଂଶଧରମାନେ କୋଲକାତା ନିକଟରେ ରହୁଛନ୍ତି ଏବଂ ରିକ୍ସା ଚାଳକ ଭାବରେ ନିଜର ଜୀବିକା ନିର୍ବାହ କରୁଛନ୍ତି। ଯଦି ଔରଙ୍ଗଜେବ ଦେବତ୍ୱକୁ ଅବମାନନା ନକରି ମନ୍ଦିର ଓ ଧାର୍ମିକ ସ୍ଥଳଗୁଡ଼ିକ ବିରୋଧରେ ବିନାଶକାରୀ କାର୍ଯ୍ୟରେ ଲିପ୍ତ ନଥାନ୍ତେ, ତା’ହେଲେ ହୁଏତ ତାଙ୍କ ବଂଶଧରମାନେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ନଥାନ୍ତେ।”
ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନ ଭଳି ପଡ଼ୋଶୀ ଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସମାଲୋଚନା କରିଛନ୍ତି। ସନାତନ ଧର୍ମର ସୁରକ୍ଷା ଏବଂ ଏହାର ମୂଲ୍ୟବୋଧକୁ ବଜାୟ ରଖିବାକୁ ସେ ହିନ୍ଦୁ ସମ୍ପ୍ରଦାୟକୁ ଏହି ଅବସରରେ ଅନୁରୋଧ କରିଥିଲେ।
ଆଦିତ୍ୟନାଥ କହିଛନ୍ତି, ‘‘ଆମ ମୁନିଋଷିମାନେ ହଜାର ହଜାର ବର୍ଷ ପୂର୍ବେ ‘ବସୁଧୈବ କୁଟୁମ୍ବକମ୍’ର ପରିକଳ୍ପନା କରିଥିଲେ। ସନାତନ ଧର୍ମ ହେଉଛି ଏକମାତ୍ର ଧର୍ମ ଯିଏ ସଙ୍କଟ ସମୟରେ ସମସ୍ତ ସମ୍ପ୍ରଦାୟ ଓ ଧର୍ମକୁ ଆଶ୍ରୟ ଦେଇଛି। କିନ୍ତୁ ଏହା ବଦଳରେ ହିନ୍ଦୁମାନଙ୍କ ପ୍ରତି ସମାନ ବ୍ୟବହାର କରାଯାଇଛି କି? ବାଂଲାଦେଶ ଏବଂ ଏହା ପୂର୍ବରୁ ପାକିସ୍ତାନ ଓ ଆଫଗାନିସ୍ତାନରେ ଯାହା ଘଟିଥିଲା, ତାହା ହିନ୍ଦୁମାନେ ସମ୍ମୁଖୀନ ହେଉଥିବା ଆହ୍ୱାନର ପ୍ରମାଣ।’’
ଆଦିତ୍ୟନାଥ କାଶୀ ବିଶ୍ୱନାଥ ଧାମ, ଅଯୋଧ୍ୟା, ସମ୍ଭାଲ (କଳ୍କୀ ଅବତାର ସହ ଜଡ଼ିତ) ଏବଂ ଭୋଜପୁର ଭଳି ପ୍ରମୁଖ ସ୍ଥାନ ବିଷୟରେ ଉଲ୍ଲେଖ କରି ହିନ୍ଦୁ ମନ୍ଦିରଗୁଡ଼ିକର ଐତିହାସିକ ଧ୍ୱଂସ ଉପରେ ଆଲୋକପାତ କରିଥିଲେ। ଶତାବ୍ଦୀ ଧରି ହିନ୍ଦୁ ମନ୍ଦିରଗୁଡ଼ିକୁ ବାରମ୍ବାର ଟାର୍ଗେଟ କରାଯାଉଛି ବୋଲି ସେ କହିଛନ୍ତି।
ଏହି ମନ୍ତବ୍ୟକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସମାଲୋଚକମାନେ ମୁଖ୍ୟମନ୍ତ୍ରୀ ଐତିହାସିକ ଶତ୍ରୁତା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଔରଙ୍ଗଜେବଙ୍କ ପରମ୍ପରାକୁ ନେଇ ଐତିହାସିକମାନେ ବିଭାଜିତ ଅଛନ୍ତି। କେହି କେହି ତାଙ୍କ ପ୍ରଶାସନିକ ଦକ୍ଷତାକୁ ସ୍ୱୀକାର କରୁଥିବା ବେଳେ ଆଉ କେହି ତାଙ୍କ ଧାର୍ମିକ ନୀତି ଓ ମନ୍ଦିର ଭାଙ୍ଗିବାକୁ ନିନ୍ଦା କରିଛନ୍ତି।
ସପ୍ତଦଶ ଶତାବ୍ଦୀରେ ଭାରତକୁ ଶାସନ କରିଥିବା ଔରଙ୍ଗଜେବ ଭାରତୀୟ ଇତିହାସରେ ଏକ ଧ୍ରୁବୀକରଣ ବ୍ୟକ୍ତିତ୍ୱ ହୋଇ ରହିଛନ୍ତି। ତାଙ୍କ ଶାସନକାଳରେ ଉଭୟ ସାମରିକ ବିଜୟ ଏବଂ ଅଣ-ଇସଲାମିକ ସମ୍ପ୍ରଦାୟ ପ୍ରତି ତାଙ୍କର ବ୍ୟବହାରକୁ ନେଇ ବିବାଦ ରହିଛି।
ଐତିହାସିକ ବ୍ୟକ୍ତିତ୍ୱ ଏବଂ ସେମାନଙ୍କ ପରମ୍ପରାକୁ ନେଇ ବଢୁଥିବା ରାଜନୈତିକ ବୟାନ ମଧ୍ୟରେ ଆଦିତ୍ୟନାଥଙ୍କ ଏହି ମନ୍ତବ୍ୟ ଆସିଛି। ଏହି ବିବୃତ୍ତି ଭାରତର ଅତୀତର ଐତିହାସିକ ଉତ୍ତରଦାୟିତ୍ୱ ଏବଂ ସମସାମୟିକ ବ୍ୟାଖ୍ୟା ବିଷୟରେ ଆଲୋଚନା ସୃଷ୍ଟି କରିଛି।
Tags: #YogiAdityanath #Aurangzeb #DescendantsofAurangzeb #RickshawPuller #Politics