ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହୁଅନ୍ତୁ କି ନାରୀ, ବିଚାର ସମସ୍ତଙ୍କ ପାଇଁ ସମାନ। ଯିଏ ଦୋଷ କରେ ସିଏ ଦଣ୍ଡ ପାଏ। ପ୍ରେମିକକୁ ହତ୍ୟା କରିବା ଦୋଷରେ ପ୍ରେମିକାକୁ ଫାଶୀଦଣ୍ଡ ଦେଇଛନ୍ତି କେରଳ କୋର୍ଟ।
ଶାରୋନ ରାଜ ହତ୍ୟା ମାମଲାରେ ଐତିହାସିକ ରାୟ ପ୍ରଦାନ କରିଛନ୍ତି କେରଳ କୋର୍ଟ। ପ୍ରେମିକକୁ ଘରକୁ ଡାକି ବିଷ ଦେଇ ମାରିବା ଦୋଷରେ ଗ୍ରୀଷ୍ମାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି।
୨୦୨୨ ମସିହାରେ କେରଳ ଥିରୁଅନନ୍ତପୁରମ ଜିଲ୍ଲା ପାରାସାଲାର ୨୩ ବର୍ଷୀୟ ଯୁବକ ଶ୍ୟାରୋନ ରାଜଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟ ୨୪ ବର୍ଷୀୟା ଗ୍ରୀଷ୍ମାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ଏହାକୁ ‘ଏକ ବିରଳରୁ ବିରଳତମ’ ଅପରାଧ ମାମଲା ବୋଲି ଅଭିହିତ କରି ରାୟ ପ୍ରଦାନ କରିଛନ୍ତି।
ହତ୍ୟା ଷଡ଼ଯନ୍ତ୍ର ଏବଂ ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଥିବାରୁ ଗ୍ରୀଷ୍ମାଙ୍କ ମାମୁ ନିର୍ମଳ କୁମାରଙ୍କୁ ମଧ୍ୟ ଅଦାଲତ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ତେବେ ପ୍ରମାଣ ଅଭାବରୁ ଗ୍ରୀଷ୍ମାଙ୍କ ମାଙ୍କୁ ଅଦାଲତ ଦୋଷମୁକ୍ତ କରିଛନ୍ତି।
କ’ଣ ଥିଲା ପୂରା ଘଟଣା?
ଶାରୋନ ରାଜଙ୍କ ସହ ଗ୍ରୀଷ୍ମାଙ୍କର ପ୍ରେମ ସମ୍ପର୍କ ଦୀର୍ଘଦିନ ଧରି ରହିଆସିଥିଲା। ତେବେ ଏହାରି ମଧ୍ୟରେ ଗ୍ରୀଷ୍ମାଙ୍କର ବିବାହ ଅନ୍ୟତ୍ର ଠିକ୍ କରିଦେଇଥିଲେ ପରିବାର ଲୋକ। ଶାରୋନଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିଲେ ଗ୍ରୀଷ୍ମା। ଗତ ୨୦୨୨ ଅକ୍ଟୋବର ୧୪ ତାରିଖରେ ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ଥିବା ଘରକୁ ଆସିବା ପାଇଁ ଶାରୋନଙ୍କୁ ଡାକିଥିଲେ ଗ୍ରୀଷ୍ମା।
ଶାରୋନ ପହଞ୍ଚିବା ପରେ ଗ୍ରୀଷ୍ମା ତାଙ୍କ ସବୁ ସମ୍ପର୍କ କାଟିଦେବାକୁ ପାଇଁ କହିଥିଲେ। କିନ୍ତୁ ଶାରୋନ ଏଥିରେ ରାଜି ହୋଇନଥିଲେ। ଉଭୟଙ୍କ ମଧ୍ୟ ଦୀର୍ଘ ସମୟ ଧରି ଯୁକ୍ତି ତର୍କ ହୋଇଥିଲା। ତେବେ ଶାରୋନ ନିଜ ଘରକୁ ଫେରିବା ପୂର୍ବରୁ ଗ୍ରୀଷ୍ମା ତାଙ୍କୁ ବିଷ ମିଶା ଆୟୁର୍ବେଦିକ ପାନୀୟ ପିଇବାକୁ ଦେଇଥିଲେ। ପରେ ଶାରୋନ ନିଜ ଘରକୁ ଚାଲି ଯାଇଥିଲେ। ୨୦୨୨ ଅକ୍ଟୋବର ୨୫ ତାରିଖରେ ଶାରୋନ ରାଜ ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ବିଭିନ୍ନ ପରୀକ୍ଷା କରାଯିବା ପରେ ଶାରୋନଙ୍କର ଏକାଧିକ ଅଙ୍ଗ ଅଚଳ ହୋଇଯାଇଥିବା ଜଣାପଡ଼ିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଶାରୋନଙ୍କର ମୃତ୍ୟୁ ହୋଇଥିଲା। ପରେ ଅନ୍ୟତ୍ର ଗ୍ରୀଷ୍ମାଙ୍କର ବିବାହ କରାଇ ଦେଇଥିଲେ ପରିବାର ଲୋକ।
ମୃତ ଶାରୋନଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବିଷକ୍ରିୟା ଯୋଗୁଁ ଶାରୋନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଲା।
ଜିଲ୍ଲା ସେସନ୍ସ କୋର୍ଟ କହିଛନ୍ତି, “ଗ୍ରୀଷ୍ମାଙ୍କ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ତାଙ୍କୁ ଭଲ ପାଉଥିବା ବ୍ୟକ୍ତିଙ୍କ ସହ ବିଶ୍ୱାସଘାତକତା କରିଛନ୍ତି।”
Tags: #SharonnRajMurderCase #Greeshma #KeralaCourt #Judgement #DeathSentence #India