ଜଗନ୍ନାଥ ପ୍ରସାଦ ଦାସ
ନିକଟରେ ବବ୍ ଡିଲାନ୍ଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିବା ପରେ ଯେତେ ବାଦ ବିସମ୍ବାଦ ଉପୁଜିଛି, ଆଗରୁ କୌଣସି ଲେଖକଙ୍କ ପାଇଁ ଏପରି ହୋଇ ନଥିଲା। କିଛି ଲୋକ ଏହି ଚୟନକୁ ସମର୍ଥନ କରୁଥିବା ବେଳେ ଅନେକ ଲୋକ ଏହାକୁ ନାପସନ୍ଦ କରିଛନ୍ତି। ରସ୍କିନ ବଣ୍ଡ୍ଙ୍କ ମତରେ ଡିଲାନଙ୍କୁ ନୋବେଲ ଦେବା ଯଥାର୍ଥ ନୁହେଁ ଏବଂ ଏହା ଦ୍ୱାରା ଆଗରୁ ଏହି ପୁରସ୍କାର ପାଇଥିବା ବିଶିଷ୍ଟ ଲେଖକମାନଙ୍କୁ ଅପମାନିତ କରାଯାଇଛି।
ଏ କଥା ନୁହେଁ ଯେ ଡିଲାନ ତାଙ୍କର ଲିରିକ ବା ଗୀତି କବିତା ପାଇଁ ପ୍ରଥମ ଥର ସାହିତ୍ୟିକ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଏମ୍.ଏ. କବିତା ବିଭାଗରେ ୨୦୧୧ ମସିହାରୁ ଡିଲାନଙ୍କର ଗୀତି ’ବ୍ଲୋଇନ୍ ଇନ୍ ଦ ଓ୍ୱିଣ୍ଡ’ ପଢ଼ାଯାଉଛି। କଲିକତାର ଯାଦବପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସଂଗୀତ ବିଭାଗରେ ଡିଲାନଙ୍କୁ ପଢ଼ୁଥିଲେ ଏବଂ ଆସନ୍ତା ଜାନୁଆରି ମାସରୁ ଇଂରେଜୀ ବିଭାଗରେ ମଧ୍ୟ ତାଙ୍କୁ ପଢ଼ିବେ।
ଡିଲାନଙ୍କୁ ଏ ବର୍ଷ ନୋବେଲ ମିଳିବାରେ କିନ୍ତୁ ଆଶ୍ଟର୍ଯ୍ୟ ହେବାର କିଛି ନାହିଁ କାରଣ ଅନେକ ବର୍ଷ ଧରି ଏ ବିଷୟରେ ଆଲୋଚନା ହେଉଥିଲା। ୧୯୯୯ରେ ବ୍ରିଟେନ୍ର ଜାତୀୟ କବିତା ଦିବସରେ ଚାରିଜଣ କବିଙ୍କୁ ପ୍ରଶ୍ନ ଦିଆଯାଇଥିଲା, ବବ୍ ଡିଲାନ କ’ଣ ପ୍ରକୃତରେ ଜନ୍ କୀଟ୍ସ୍ଙ୍କର ପ୍ରତିଦ୍ୱନ୍ଦ୍ୱୀ ? ସେତେବେଳର ପୋଏଟ୍ ଲରିଏଟ୍ ଆଣ୍ଡ୍ରୁ ମୋଶନ ଏହି କୀଟ୍ସ୍ ବନାମ ଡିଲାନ ବିତର୍କରେ ମଧ୍ୟସ୍ଥ ହୋଇ କହିଥିଲେ, ‘‘ଉଭୟ କବି ବୁଦ୍ଧିଦୀପ୍ତ ଓ ବିଶେଷ କଥା କହିଛନ୍ତି, ଏବଂ ମହତ୍ତ୍ୱରେ କେହି କାହାଠାରୁ ଊଣା ନୁହନ୍ତି।’’ ଏହି ଅବସରରେ କବିତା ଓ ଗୀତର ବିଭେଦକୁ ଭାଙ୍ଗି ଉଭୟକୁ ନେଇ ଗୋଟିଏ ସଂକଳନ ପ୍ରକାଶ ପାଇଥିଲା। ୨୦୦୧ରେ ଆଉ ଜଣେ ଲେଖକ ରାପ୍ ଗାୟକ ଏମିନେମ୍ଙ୍କୁ କବି ବ୍ରାଉନିଙ୍ଗ୍ଙ୍କ ସହିତ ତୁଳନା କରିଥିଲେ।
ଅନେକ ବର୍ଷ ଧରି ନୋବେଲ ପାଇଁ ଡିଲାନ୍ଙ୍କ ନାଁ ବିଚାରକୁ ଆସୁଥିଲା। ୨୦୦୪ ମସିହାରେ ଗୋଟିଏ ଖବରକାଗଜ ସମ୍ବାଦର ଶିରୋନାମା ଥିଲା : ନୋବେଲ୍ ଡିଲାନ ? (ଟାଇମ୍ସ ଅଫ୍ ଇଣ୍ଡିଆ ୭ ଅକ୍ଟୋବର୨୦୦୪)। ୨୦୦୮ରେ ଡିଲାନଙ୍କୁ ଆମେରିକାର ମହତ୍ତ୍ୱପୂର୍ଣ୍ଣ ପୁଲିତ୍ଜର୍ ପୁରସ୍କାର ମିଳିଲା, ଯାହାର ପ୍ରଶସ୍ତି ପତ୍ରରେ ତାଙ୍କର ଗୀତି କବିତାର ଅସାଧାରଣ କାବ୍ୟିକ ଶକ୍ତିର ଉଲ୍ଲେଖ ଥିଲା।
ଡିଲାନଙ୍କୁ ସାହିତ୍ୟିକ ଆସନରେ ବସାଇବାର ଶ୍ରେୟ ଯିବ ପ୍ରଫେସର କ୍ରିଷ୍ଟୋଫର ରିକ୍ସ୍ଙ୍କୁ ଯେ ଇଂରାଜୀ ସାହିତ୍ୟର ଜଣେ ବିଶିଷ୍ଟ ବିଦ୍ୱାନ ଓ ଏକଦା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କବିତା ଅଧ୍ୟାପକ ଥିଲେ। ଚାଳିଶ ବର୍ଷ ଧରି ଡିଲାନଙ୍କ ସଂଗୀତ ଶୁଣିବା ପରେ ଓ ତାଙ୍କ ବିଷୟରେ ଏକାଧିକ ଲେଖା ଲେଖିବା ପରେ ପ୍ରଫେସର ରିକ୍ସ୍ ୨୦୦୪ରେ ପ୍ରକାଶ କଲେ ଡିଲାନ୍’ସ୍ ଭିଜନ ଅଫ୍ ସିନ୍। ଏହି ପାଞ୍ଚଶହ ପୃଷ୍ଠାର ବହିରେ ସେ ଡିଲାନଙ୍କ ଗୀତିକବିତାକୁ ବାଇବଲ୍ର ଭାବାବେଗର ପରିପ୍ରେକ୍ଷୀରେ ଆଲୋଚନା କରିଥିଲେ ଏବଂ ତାଙ୍କର ଲେଖାକୁ ଶେକ୍ସପିଅର୍, ଡନ୍, କୀଟ୍ସ୍ ଇତ୍ୟାଦିଙ୍କ ରଚନା ସହିତ ତୁଳନା କରିଥିଲେ। ତାଙ୍କର ବିଶେଷ ତୁଳନାତ୍ମକ ଲେଖା ଥିଲା କୀଟ୍ସ୍ଙ୍କର ଓଡ୍ ଟୁ ଏ ନାଇଟିଙ୍ଗେଲ ଓ ଡିଲାନଙ୍କର ନଟ୍ ଡାର୍କ୍ ୟେଟ୍। ରିକ୍ସ୍ଙ୍କର ଲକ୍ଷ୍ୟ ଥିଲା ଡିଲାନ୍ଙ୍କୁ କବିମାନଙ୍କ ଭିତରେ ସ୍ଥାନ ଦେବା, ଏବଂ ଏ ବର୍ଷ ତାଙ୍କର ଉଦ୍ୟମକୁ ସଫଳତା ମିଳିଲା।
ଡିଲାନ୍ଙ୍କ ନୋବେଲ ନେଇ ବାଦବିବାଦର ମୂଳ ପ୍ରଶ୍ନଟି ହେଲା, ଗୀତ(ଲିରିକ୍, ଗୀତି, ଗୀତି କବିତା, ବାଂଲାରେ ଗାନ୍) କଣ କବିତା ଭଳି ସାହିତ୍ୟର ଏକ ବିଭାଗ ? ଗୋଟିଏ ପକ୍ଷର ଯୁକ୍ତି ହେଲା ଯେ ଗୀତକୁ ସଂଗୀତରୁ ଅଲଗା ରଖାଯାଇ ପାରେ ନା; ସୁର ବିନା ଏହାକୁ କଳ୍ପନା କରାଯାଇପାରିବ ନାହିଁ। କବିତା ଲେଖାଯାଏ ପଢ଼ିବା ପାଇଁ, ଗୀତ ଗାଇବା ପାଇଁ। ଅନେକ ସମୟରେ ସିନେମା ଗୀତରେ ସଂଗୀତ ନିର୍ଦ୍ଦେଶକ ପ୍ରଥମେ ସୁର ଦିଅନ୍ତି ଓ ଗୀତିକାର ଏହି ସୁରକୁ ନେଇ ଶବ୍ଦ ବସାଇ ଗୀତ ଲେଖନ୍ତି। ଏହା ବିଶେଷ ଭାବେ ଲକ୍ଷ୍ୟ କରାଯାଇପାରିବ ଯେତେବେଳେ ବିଦେଶୀ ଗୀତର ଅନୁକରଣରେ ହିନ୍ଦୀ ସିନେମାର ଗୀତ ତିଆରି ହୁଏ। ତେଣୁ ଗୀତ ଓ କବିତାକୁ ତୁଳନା କରିବା ସମ୍ଭବ ନୁହେଁ ଯେପରି ଉପନ୍ୟାସ ଓ ଫିଲ୍ମକୁ ତୁଳନା କରିବା ସମ୍ଭବ ନୁହେଁ।
ଅନ୍ୟ ପକ୍ଷରୁ କୁହାଯାଏ ଯେ ଗୀତକୁ ଗାଇବା ସହିତ ପଢ଼ା ମଧ୍ୟ ଯାଇପାରିବ, କବିତା ଭଳି। ପାଠକ ଗୀତରୁ ସଂଗୀତକୁ କାଟି ଦେଇ କାଗଜ ପୃଷ୍ଠାରେ ତା’ର ଶବ୍ଦମାନଙ୍କୁ ସ୍ୱାଧୀନ ଭାବରେ ପଢ଼ିପାରେ। ନାଟକ ଅଭିନୀତ ହେବା ପାଇଁ ଲେଖା ହୋଇଥିଲେ ମଧ୍ୟ ତା’ର ମଂଚାୟନ-ବିହୀନ ପାଠକୁ ଅଲଗା ପଢ଼ାଯାଇଥାଏ ଏବଂ ଏହି ଲିଖିତ ନାଟକ ସାହିତ୍ୟର ଶ୍ରେଣୀଭୁକ୍ତ। ଏପରି ମଧ୍ୟ କୁହାଯାଇଛି ଯେ ଶେକ୍ସପିଅରଙ୍କ ସମୟରେ ତାଙ୍କର ନାଟକ ମଞ୍ଚସ୍ଥ ହେଲାବେଳେ ତା’ର ଏକ ସଂକ୍ଷିପ୍ତ ରୂପ ଅଭିନୀତ ହେଉଥିଲା, ପୂର୍ଣ୍ଣପାଠଟି ବହି ଆକାରରେ ପ୍ରକାଶିତ ହେଉଥିଲା ପାଠକଙ୍କ ପାଇଁ। ତେଣୁ କଳା ହିସାବରେ ଲିଖିତ ଗୀତ କୌଣସି ଭାବରେ କବିତାଠାରୁ ନ୍ୟୂନ ନୁହେଁ। ଗଦ୍ୟ ଓ ପଦ୍ୟରେ ଯଦି କବିତା ରହିପାରେ, ଗୀତରେ କବିତା ରହିବା ସ୍ୱାଭାବିକ। ଡିଲାନଙ୍କ ଗାଇବା ନ ଶୁଣି ଥିଲେ ବି ଜଣେ ତାଙ୍କର ଗୀତକୁ ପଢ଼ି ଉପଭୋଗ କରିପାରିବ।
ସାହିତ୍ୟ ଆଲୋଚନାରେ ଗୀତ ଓ କବିତାର ଦ୍ୱନ୍ଦ୍ୱ ଅନେକ ପୁରୁଣା। ଗତ ଶତାବ୍ଦୀର ପ୍ରଥମ ସମୟରେ ରବୀନ୍ଦ୍ରନାଥଙ୍କର ଗୀତାଂଜଳି ବିଷୟରେ ଏ ପ୍ରଶ୍ନ ଉଠିଥିଲା। ସେ ଏହି ସଂକଳନ(ଇଂରେଜୀ ଗୀତାଂଜଳି ନୁହେଁ)ର ଗୀତମାନ ଲେଖିଥିଲେ ତାଙ୍କର ଖେୟା ଓ ବଳାକା କବିତା ସଂକଳନ ଦୁଇଟିର ମଧ୍ୟବର୍ତ୍ତୀ ସମୟ ଭିତରେ। କୁହାଯାଏ ଯେ ଏହି ଆଠ ବର୍ଷର ସମୟ ଖଣ୍ଡରେ ସେ କବିତାରୁ ଛୁଟି ନେଇ ଗାନ୍ର ଜଗତକୁ ଚାଲିଯାଇଥିଲେ। ରବୀନ୍ଦ୍ରନାଥ ନିଜେ ଲେଖିଛନ୍ତି ଯେ ଗୀତାଂଜଳିର ଲେଖାମାନ ସାହିତ୍ୟରେ ଗଣ୍ୟ ହେବାର ଯୋଗ୍ୟ ନୁହଁନ୍ତି, କାରଣ ଏଗୁଡ଼ିକ କେବଳ ମୋର ନିଜର ମନର କଥା, ନିଜର ପ୍ରୟୋଜନରେ ଲେଖା।
ଏଥିରୁ ଜଣାପଡ଼ିବ ଯେ ରବୀନ୍ଦ୍ରନାଥ ଏହି ଗୀତଗୁଡ଼ିକୁ ସାହିତ୍ୟର ଆଖ୍ୟା ଦେବାକୁ ଚାହୁଁ ନ ଥିଲେ, ଅର୍ଥାତ୍ ତାଙ୍କ ମତରେ ଏ ଗୁଡ଼ିକ କବିତା ନୁହନ୍ତି। ଗୀତାଂଜଳିର ଭୂମିକାରେ ମଧ୍ୟ ଏ ଭଳି ଲେଖା ଥିଲା ; ‘‘ଅଳ୍ପ ସମୟ ବ୍ୟବଧାନରେ ଯେଉଁ ସମସ୍ତ ଗାନ ପରେ ପରେ ରଚିତ ହୋଇଛି ସେମାନଙ୍କର ପରସ୍ପର ଭିତରେ ଗୋଟିଏ ଭାବର ଐକ୍ୟ ଥିବା ସମ୍ଭବପର ମନେ କରି ସେହି ସକଳକୁ ଏହି ପୁସ୍ତକରେ ଏକତ୍ର ବାହାର କରାଗଲା।’’ ଏଥିରୁ ମନେ ହେବ ଯେ ଗୀତାଂଜଳି ‘ଗାନେର ବହି’, କବିତା ସଂକଳନ ନୁହେଁ।
ଏ ବିଷୟରେ ଦୀର୍ଘ ଆଲୋଚନା କରି ବଙ୍ଗାଳୀ କବି-ସମାଲୋଚକ ଶଂଖ ଘୋଷ ଲେଖିଛନ୍ତି : ଗାନ ଏଠାରେ କବିତାର ଅନ୍ୟ ଏକ ନାଁ।… ଏଥିରେ କବି ଆସି ପହଞ୍ଚିଛନ୍ତି ବାଂଲା କବିତାର ବିରଳତମ ଗୋଟିଏ ମୁହୂର୍ତ୍ତରେ ଯେଉଁଠାରେ ସନାତନ ଗୀତି ସାହିତ୍ୟ ଓ ଅଧୁନାତନ କାବ୍ୟ ସାହିତ୍ୟ ଗୋଟିଏ ବିନ୍ଦୁରେ ଆସି ମିଶିଛନ୍ତି, ଐତିହ ଯେଉଁଠାରେ ପ୍ରାଣ ପାଇ ଜାଗି ଉଠିଛି ନବୀନ ଗୋଟିଏ ଆଧୁନିକତାରେ।… ଗୀତାଂଜଳିରେ ଗାନ ଓ କବିତାର ବିଭେଦ ଲୁପ୍ତ ହୋଇ ତା’ ହୋଇଛି ଭିନ୍ନ ଦୁଇ ଶିଳ୍ପ ରୂପ ନୁହେଁ, ସାମଂଜସ୍ୟମୟ ସୁଷମାମୟ ଅଚ୍ଛିନ୍ନ ଏକ ଅବୟବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାରା ପୃଥିବୀରେ ଗୀତ ହିଁ ଥିଲା ସାହିତ୍ୟର ଉତ୍ସ। ବେଦର ସ୍ତୋତ୍ର, ଯାହାକୁ ଆବୃତ୍ତି କରା ହେଉଥିଲା, ଆମର ପ୍ରଥମ କବିତା। ଓଡ଼ିଆ ସାହିତ୍ୟରେ ଊନବିଂଶ ଶତାବ୍ଦୀର ଯଦୁମଣି ଓ ଗୋପାଳକୃଷ୍ଣଙ୍କ ପର୍ଯ୍ୟନ୍ତ କବିତା ଲେଖାଯାଉଥିଲା ଗାଇବା ପାଇଁ। ବାଂଲାରେ ନଜରୁଲଙ୍କ ପର୍ଯ୍ୟନ୍ତ ବହୁ କବି ସୁର ଜଗତରେ ଥିଲେ। ଉର୍ଦ୍ଦୁ ଗଜଲ ଲୋକପ୍ରିୟ ଗାୟକ ଓ ଫିଲ୍ମ ମାଧ୍ୟମରେ ଗୀତ ଓ କବିତାର ବିଭେଦକୁ ଭାଙ୍ଗିଦେଲା।
ଇଂରେଜୀ ଶିକ୍ଷା ସହିତ ଓଡ଼ିଆ କବିତାରେ ଯେଉଁ ନୂଆ ଶୈଳୀ ଆସିଲା ସେହି ସମୟରୁ ଗୀତ ଓ କବିତାର ବିଭେଦ ହେଲା। ଆସ୍ତେ ଆସ୍ତେ କିଛି ଲେଖକ କବି ଓ ଅନ୍ୟ ଲେଖକ ଗୀତିକାର ଭାବରେ ଗଣା ହେଲେ। ବିଶେଷରେ ଆକାଶବାଣୀରୁ ଓଡ଼ିଆ ପ୍ରସାରଣ ହେବା ପରେ ସଂଗୀତ କାର୍ଯ୍ୟକ୍ରମ ପାଇଁ ଗୀତ ଆବଶ୍ୟକ ହେଲା ଏବଂ କେତେକ କବିଙ୍କୁ ଗୀତିକାରର ସ୍ୱତନ୍ତ୍ର ସ୍ୱୀକୃତି ମିଳିଲା। ଏହିପରି ଭାବରେ ଆମର ସାହିତ୍ୟ ସମାଲୋଚକମାନେ ମଧ୍ୟ ଆଉ ଗୀତକୁ ଆଲୋଚନା ପରିସରକୁ ଆଣିଲେ ନାହିଁ। ଏହାର ଗୋଟିଏ ଉଦାହରଣ ନିମ୍ନମତେ।
ଆମର କବି ଜୀବନାନନ୍ଦ ପାଣି ୧୯୫୦ ଦଶକରେ ଅନ୍ୟ କବିମାନଙ୍କ ଭଳି ଗଦ୍ୟ କବିତା ଲେଖୁଥିଲେ। ପରେ ଗାୟକ ରାଧାକୃଷ୍ଣ ଭଂଜଙ୍କ ଅନୁରୋଧରେ ସେ କବିତା ଛାଡ଼ି ଗୀତ ଲେଖିବା ଆରମ୍ଭ କଲେ ଓ ଆକାଶବାଣୀର ସ୍ୱୀକୃତ ଗୀତିକାର ହୋଇଗଲେ। ଯେତେବେଳେ ଗୀତ ଲେଖୁଥିବାରୁ ତାଙ୍କୁ କେହି କବିରେ ଗଣିଲେ ନାହିଁ, ସେ ପୁଣି କବିତା ଲେଖିବା ଆରମ୍ଭ କଲେ। ୧୯୯୭ରେ ପ୍ରକାଶିତ ସେ ଗାଁ’ର କିଆଫୁଲ ବହିର ମୁଖବନ୍ଧରେ ସେ ଏ ବିଷୟରେ ଏଭଳି ଲେଖିଛନ୍ତି :
‘‘ମୋ ମନ ଭିତରେ ଗୋଟିଏ ଜମାଟ ବନ୍ଧା ପ୍ରଶ୍ନ ଚିହ୍ନ ଏବେ ବି ମୌନ ହୋଇ ଝୁଲୁଛି ଏବଂ ସେ ପ୍ରଶ୍ନ ହେଲା : ମୁଁ ଯେଉଁ ଗେୟ-କବିତା(ଜାଣିଶୁଣି ଗୀତିକବିତା ନ କହି ଗେୟ କବିତା କହୁଛି) ସବୁ ରଚନା କରିଛି ସେ କଣ କବିତା ନୁହେଁ? ମୁଁ ଯଦି ଗଦ୍ୟ କବିତା ନ ଲେଖି କେବଳ ଗେୟ କବିତା ଲେଖିଥାନ୍ତି ତା’ ହେଲେ ତ ମୁଁ କବି ବୋଲି ପରିଗଣିତ ହୋଇ ନଥାନ୍ତି। ଯଦି ଗେୟ କବିତା କବିତା ନୁହେଁ ତେବେ ରବୀନ୍ଦ୍ର ନାଥ ଠାକୁରଙ୍କର ଗୀତାଂଜଳି କେମିତି ନୋବେଲ ପୁରସ୍କାର ପାଇଲା ? ଆଶା କରୁଛି, ମରିଯିବା ପୂର୍ବରୁ ଓଡ଼ିଶାର ସୁଧୀ ସମାଜ ପାଖରୁ ଏ ପ୍ରଶ୍ନର ଉତ୍ତର ମୁଁ ପାଇବି।’’
ପରବର୍ଷ ତାଙ୍କର ମୃତ୍ୟୁ ହେଲା ସୁଧୀ ସମାଜରୁ କୌଣସି ଉତ୍ତର ପାଇବା ପୂର୍ବରୁ। ଏ ବର୍ଷର ସାହିତ୍ୟରେ ନୋବେଲ ବୋଧହୁଏ ତାଙ୍କର ଅସମାହିତ ପ୍ରଶ୍ନର ଏକ ଉପଯୁକ୍ତ ଉତ୍ତର।
ଏଥର ଡିଲାନଙ୍କୁ ପୃଥିବୀର କବିଗୋଷ୍ଠୀକୁ ସସମ୍ମାନ ଆମନ୍ତ୍ରଣ କରାଯାଉ
(ଡିସେମ୍ବର ୨୦୧୬ରେ ହୋଇଥିବା ନୋବେଲ ପୁରସ୍କାର ଉତ୍ସବରେ ଡିଲାନ ତାଙ୍କର ବକ୍ତବ୍ୟ ଶେଷରେ ଏପରି କହିଛନ୍ତି : ମୋ ଗୀତ କଣ ସାହିତ୍ୟ, ଏ ପ୍ରଶ୍ନ ନିଜକୁ ପଚାରିବା ପାଇଁ ମୁଁ ସମୟ ପାଇ ନଥିଲି। ମୁଁ ସ୍ୱିଡିଶ ଏକାଡେମିକୁ ଧନ୍ୟବାଦ ଦେଉଛି ଯେ ସେମାନେ ଏ କଥା ବିଚାର କରିବାକୁ ସମୟ ଦେଇଛନ୍ତି ଏବଂ ଶେଷରେ ଏହାର ଏପରି ଏକ ଚମତ୍କାର ଉତ୍ତର ରଖିଛନ୍ତି।)
(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ‘ଆମ ଭାଷା, ଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ‘ଓଡ଼ିଶାଲାଇଭ୍’କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)