ଜଗନ୍ନାଥ ପ୍ରସାଦ ଦାସ
ଅନେକ ସମୟରେ ଖବରକାଗଜ ବା ଟେଲିଭିଜନରେ ପ୍ରସାରିତ କିଛି ଫଟୋ ଓ ଭିଡିଓ କାଳକ୍ରମେ ‘ଆଇକନ୍’ ବା ପ୍ରତିମାର ମର୍ଯ୍ୟାଦା ପାଇଥାନ୍ତି। ପୃଥିବୀର ମିଡିଆ ଇତିହାସରେ ଏ ଭଳି କେତୋଟି ଆଇକନିକ ଚିତ୍ରର ଉଦାହରଣ ହେଲା:
– ଜୁନ ୧୯୬୩ରେ ସାଇଗନ୍ର ରାସ୍ତା ଉପରେ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କର ନିଜକୁ ନିଆଁରେ ଜାଳି ଦେଉଥିବାର ଦୃଶ୍ୟ।
– ଜୁନ ୧୯୮୯ରେ ବେଜିଂର ଟିଆନାନ୍ମେନ୍ ସ୍କୋୟାର୍ରେ ଜଣେ ସାଧାରଣ ଲୋକ ଧାଡ଼ିବାନ୍ଧି ଆସୁଥିବା ସାମରିକ ଟ୍ୟାଙ୍କମାନଙ୍କ ଗତିରୋଧ କରିଦେଉଥିବାର ଭିଡିଓ।
-ମାର୍ଚ୍ଚ ୧୯୯୩ରେ ସୁଦାନରେ ଗୋଟିଏ କଂକାଳସାର ଶିଶୁ ଓ ଅନତି ଦୂରରେ ତା’ର ମରିବାକୁ ଅପେକ୍ଷା କରି ରହିଥିବା ଶାଗୁଣାର ଚିତ୍ର। ଇତ୍ୟାଦି।
ତା’ ସହିତ ଯୋଡ଼ି ଦିଆଯାଇପାରେ ନିକଟରେ ଘଟିଥିବା ଓଡ଼ିଶାର ଏକ ପ୍ରତିମା- ନିଜ ସ୍ତ୍ରୀଙ୍କର ଶବକୁ କାନ୍ଧରେ ବୋହି ଧରିଥିବା ଦାନ ମାଝିଙ୍କର ପଦଯାତ୍ରା। ୨୦୧୬ ଅଗଷ୍ଟ ୨୪ ତାରିଖ ସକାଳ ଗୋଟାଏ ବେଳେ କଳାହାଣ୍ଡିର ଭବାନୀପାଟଣା ହସପିଟାଲରେ ଦାନ ମାଝିଙ୍କର ସ୍ତ୍ରୀଙ୍କର ମୃତ୍ୟୁ ହେଲା। ଦାନଙ୍କର ସ୍ତ୍ରୀ ଚାହୁଁଥିଲେ ମୃତ୍ୟୁ ପରେ ତାଙ୍କର ସତ୍କାର ହେବ ନିଜ ଗାଁରେ। ଶବକୁ ଗାଡ଼ିରେ ନେବା ପାଇଁ ଦାନଙ୍କ ପାଖରେ ପଇସା ନଥିଲା ଏବଂ ତାଙ୍କୁ କେହି ସାହାଯ୍ୟ କରିବାକୁ ଆସିଲେ ନାହିଁ। ତେଣୁ ସେ ସକାଳ ପାଞ୍ଚଟା ବେଳେ ସ୍ତ୍ରୀଙ୍କର ଶବକୁ କାନ୍ଧରେ ଧରି ଚାଲିବାକୁ ଆରମ୍ଭ କଲେ। ତାଙ୍କ ସହିତ ତାଙ୍କ ପାଦରେ ପାଦ ଦେଇ ଚାଲୁଥିଲା ଶୋକରେ ଜଡ଼ ହୋଇଯାଇଥିବା ତାଙ୍କର ବାର ବର୍ଷର ଝିଅ। ଦଶ କିଲୋମିଟର ଚାଲିବା ପରେ ସେମାନେ ଶଗଡ଼ା ଚେକ୍ ପୋଷ୍ଟ ପାଖରେ ପହଞ୍ଚିଲେ। ଏତେବେଳେ କେହି ସେମାନଙ୍କୁ ଦେଖି ପାଖର ସମ୍ବାଦଦାତାଙ୍କୁ ଖବର ଦେଲା ଏବଂ ସେଠାରେ କ୍ୟାମେରାମ୍ୟାନ ଆସି ପହଞ୍ଚିଗଲେ।
ବହୁଳ ପ୍ରଚାରିତ ଓ ପ୍ରସାରିତ ସ୍ଥିର ଓ ଚଳଚ୍ଚିତ୍ରରେ ଆମେ ଦେଖୁବାକୁ ପାଉ ଯେ ଦାନ ମାଝି ତଳୁ ସ୍ତ୍ରୀଙ୍କର ଶବ ଉଠାଇ ଚାଲିଛନ୍ତି (ଯାହା ବୋଧହୁଏ ଫଟୋଗ୍ରାଫରଙ୍କ ନିର୍ଦ୍ଦେଶରେ ହୋଇଥିଲା)। ଏବଂ ତାଙ୍କ ପାଖରେ ଚାଲୁଛି ହାତରେ ଥଳି (ଯେଉଁଥିରେ ବୋଧହୁଏ ଅଛି ତାଙ୍କର ସବୁ ସମ୍ପତ୍ତି) ଧରି ଛୋଟ ଝିଅଟି। ରାସ୍ତା ପାଖରେ ଧାଡ଼ି ହୋଇ ଏ ଦୃଶ୍ୟ ଦେଖୁଛନ୍ତି କିଛି ଦେଖଣାହାରି।
ଏ ଚିତ୍ର ଦେଖିଲେ ଦାନ ମାଝି ଜଣା ପଡ଼ନ୍ତି ଜଣେ ସ୍ୱାଭିମାନୀ, ଦୃଢ଼ ସଂକଳ୍ପ, ପ୍ରତିଜ୍ଞାବଦ୍ଧ, ନିଜ ଉପରେ ଆସ୍ଥା ରଖିଥିବା ଓ ବିପଦରେ ବିଚଳିତ ହେଉ ନଥିବା ଯୋଦ୍ଧା ଏବଂ ତାଙ୍କର ଝିଅ ନିଜର ଅପ୍ରମିତ ଦୁଃଖ ଓ ଯନ୍ତ୍ରଣା ସତ୍ତ୍ୱେ ସାଥି ଦେଉଥିବା ସାହସୀ ଅବଲମ୍ବ। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କୁ ଦେଖିଲେ ବୋଧ ହୁଏ ସେମାନେ ହେଉଛନ୍ତି ସ୍ପୃହାହୀନ, ଖେଳ ଦେଖିବାକୁ ଆସିଥିବା କୌତୂହଳୀ ଦର୍ଶକ ମାତ୍ର।
ଖବର ଓ ସୋସିଆଲ ମିଡିଆରେ ଏହି ଆଇକନିକ ଛବିଟି ପ୍ରଚାରିତ ହେବାରେ ହଠାତ୍ ସମସ୍ତେ ଚଳଚଞ୍ଚଳ ହୋଇଉଠିଲେ। ସାରା ଓଡ଼ିଶାରେ, ଓଡ଼ିଶା ବାହାରେ ଏବଂ ବିଦେଶରେ ଏହି ଚିତ୍ର ବହୁଳ ପ୍ରସାରିତ ହେଲା। ନିଦରୁ ଉଠି ସରକାର କୈଫିୟତ ମାଗିଲେ କାହିଁକି ମହାପ୍ରୟାଣ ଯୋଜନାରେ ଶବ ପରିବହନ ପାଇଁ ଗାଡ଼ି ଯୋଗାଇ ଦିଆହେଲା ନାହିଁ। ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ପାଖରୁ ରିପୋର୍ଟ ମାଗିଲେ। ଖବରକାଗଜର ବର୍ଣ୍ଣନା ଅନୁସାରେ ଜିଲ୍ଲା କର୍ତ୍ତୃପକ୍ଷ ଲୋକ ପଠାଇ ସ୍ତ୍ରୀଙ୍କର ଶୁଦ୍ଧିକର୍ମରେ ବ୍ୟସ୍ତ ଥିବା ଦାନ ମାଝିଙ୍କୁ ଧରି ଆଣି ସାଦା କାଗଜରେ ତାଙ୍କର ଦସ୍ତଖତ ନେଇନେଲେ। ବିରୋଧୀ ଦଳ ନେତାମାନେ ଦାନ ମାଝିଙ୍କ ମେଲଘରା ଗାଁରେ ପହଞ୍ଚିଗଲେ ଏବଂ ଦାନ ପାଲଟି ଗଲେ ରାଜନୀତି ପଶାପାଲିର ଦାନ।
ତା’ ପରେ ଚାଲିଲା ସାହାଯ୍ୟର ଲୋକ ଦେଖାଣିଆ ସୁଅ। ସରକାର ଦାନଙ୍କୁ କ୍ଷତିପୂରଣ ଦେଲେ। ବିଭିନ୍ନ ସଂସ୍ଥା ସାହାଯ୍ୟ ପାଇଁ ଟଙ୍କା ପଠାଇଲେ। ଶିକ୍ଷାନୁଷ୍ଠାନ ଦାନଙ୍କ ପିଲାମାନଙ୍କର ପଢ଼ାଶୁଣାର ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଲେ। ଏ ସବୁ ସାହାଯ୍ୟ ମୂଳରେ ସ୍ୱାର୍ଥ ଥିଲା ନିଜକୁ ବିଜ୍ଞପିତ କରିବା। ବାହରେନ୍ର ପ୍ରଧାନମନ୍ତ୍ରୀ ନ’ ଲକ୍ଷ ଟଙ୍କାର ସାହାଯ୍ୟ ଦେଲେ। କିନ୍ତୁ ଯେଉଁ ଟଙ୍କା ସିଧା ସଳଖ ଦାନ ମାଝିଙ୍କ ପାଖକୁ ପଠାଇ ଦିଆଯାଇ ପାରିଥାନ୍ତା, ସେ ଚେକ୍ଟି ଆଣିବା ପାଇଁ ଦାନ ଦିଲ୍ଲୀକୁ ଟଣା ହେଲେ, ଚେକ୍ଟିକୁ ହାତରେ ଧରିଥିବା ଫଟୋ ଉଠାଯାଇପାରିବ ବୋଲି।
ଘଟଣାର ତିନିମାସ ପରେ ମଧ୍ୟ ଦାନମାଝି ଖବରରୁ ବିସ୍ମୃତ ହୋଇ ନାହାନ୍ତି। ତାଙ୍କ ଉପରେ କବିତା ଲେଖା ହେଉଛି ଏବଂ ଅନ୍ତତଃ ଗୋଟିଏ ନାଟକ ମଞ୍ଚସ୍ଥ ହୋଇଛି। (ଗୋଟିଏ କବିତାର ଦାର୍ଶନିକ ପଂକ୍ତି : ପ୍ରତ୍ୟେକକୁ କାନ୍ଧରେ ଶବର ଭାର ନେବାକୁ ପଡ଼େ, ନିଜ ଶବର ମଧ୍ୟ, ଏବଂ ନିରନ୍ତର ଯିବାକୁ ପଡ଼େ ଅହପଞ୍ଚ ଦିଗନ୍ତର ଲକ୍ଷ୍ୟ ସ୍ଥଳକୁ)। ସଭା ସମିତିରେ ବିପକ୍ଷ ଦଳର ନେତାମାନେ ନିଶ୍ଚୟ ଏ ପ୍ରସଙ୍ଗ ଉଠାଉଛନ୍ତି। ଦାନ ମାଝିଙ୍କ ଫଟୋ ଓ ଭିଡିଓ ଏ ପର୍ଯ୍ୟନ୍ତ ଜନମାନସକୁ ଆଚ୍ଛନ୍ନ କରିରଖିଛି।
ଏ ସବୁ ଭିତରେ ଆଉ ଗୋଟିଏ ମର୍ମନ୍ତୁଦ ଘଟଣା ଘଟିଲା ଯାହା ସମସ୍ତଙ୍କୁ ବୋଧହୁଏ ସମାନ ମାତ୍ରାରେ ବ୍ୟଥିତ କରିଥାନ୍ତା, କିନ୍ତୁ ତା’ ଲୋକ ଲୋଚନକୁ ଆସି ପାରିଲା ନାହିଁ। ଦାନ ମାଝି ଘଟଣାର ମାସକ ଭିତରେ ସେହି କଳାହାଣ୍ଡିର ଡୋକ୍ରିପଡ଼ା ଗାଁରେ ବିଧବା କନକ ଦାଶଙ୍କର ମୃତ୍ୟୁ ହେଲା। ତାଙ୍କର ଶବସତ୍କାର ପାଇଁ ଗାଁର କେହି ନ ବାହାରିବାରୁ ଶେଷରେ ଶବକୁ ଖଟିଆରେ ଶୁଆଇ ତାଙ୍କର ଚାରିଝିଅ ଶ୍ମଶାନକୁ ନେଲେ। କାଠ କିଣିବା ପାଇଁ ସେମାନଙ୍କ ପାଖରେ ପଇସା ନଥିଲା, ତେଣୁ ସେମାନେ ଶେଷକୁ ନିଜର ଚାଳି ଘରର ଛାତ ଭାଙ୍ଗି ସେହି କାଠରେ ଜୁଇ ଜଳାଇଲେ।
ଏହି ଘଟଣାର ଚିତ୍ର ଓ ଭିଡ଼ିଓ ୟୁଟ୍ୟୁବ୍ରେ ଉପଲବ୍ଧ, କିନ୍ତୁ ଏହା ଓଡ଼ିଆ କାଗଜରେ ବିଶେଷ ଭାବରେ ପ୍ରସାରିତ ବା ଆଲୋଚିତ ହେଲା ନାହିଁ। ତା’ର କାରଣ ବୋଧହୁଏ ଦାନ ମାଝିଙ୍କ ଖବରକୁ ଜୀବିତ ରଖିବା ପାଇଁ ଅନ୍ୟ ଖବରକୁ ପ୍ରଶ୍ରୟ ଦିଆଗଲା ନାହିଁ। ଆଉ ଗୋଟିଏ ବିଶେଷ କାରଣ ହେଲା ଯେ ଏହାକୁ କୌଣସି ଖବରକାଗଜ ସମ୍ବାଦଦାତା ବା ଟେଲିଭିଜନ ଲିପିବଦ୍ଧ କରି ନ ଥିଲେ। ସୋସାଲ ମିଡିଆରେ ଚାରିଜଣ ଝିଅ କାନ୍ଧରେ ଖଟିଆକୁ ବୋହୁଥିବାର ଓ ଉଜୁଡ଼ା ଛାତର ଯେଉଁ ଚିତ୍ର ଦେଖିବାକୁ ମିଳେ ସେଇଟି କାହାର ସେଲ୍ଫୋନ୍ରେ ନିଆଯାଇଥିଲା; ଫଟୋ ଓ ଭିଡ଼ିଓଟି ସେଥିପାଇଁ ନିମ୍ନମାନର ଥିଲା ଓ ସେଥିପାଇଁ ବୋଧହୁଏ ଖବରକାଗଜ ପୃଷ୍ଠା ଓ ଟେଲିଭିଜନ ପର୍ଦାର ଅଯୋଗ୍ୟ ମନେ କରାଗଲା। ସେ ଯାହା ହେଉ ଏହି କରୁଣ କାହାଣୀଟି ମୋଟାମୋଟି ଅଜଣା ରହିଗଲା।
ସରକାର ଏ ଘଟଣାରେ କାହାର କୈଫିୟତ ମାଗିଛନ୍ତି କି ନା ଜଣା ନାହିଁ। ଭବାନୀପାଟଣାରୁ ପ୍ରକାଶିତ ଗୋଟିଏ କାଗଜ ଅନୁସାରେ ଘଟଣାର ଦୁଇ ମାସ ପରେ ମଧ୍ୟ ସେ ଅଞ୍ଚଳର ବିଧାୟକ ସେଠାକୁ ଯାଇ ନଥିଲେ, ଯଦିଓ ବିଧାୟକଙ୍କ ନିର୍ବାଚନ ବେଳର ପ୍ରଚାରପତ୍ର ସେ ଘର ବାହାରେ ସେ ପର୍ଯ୍ୟନ୍ତ ଲାଗି ରହିଥିଲା।
ଏ ପ୍ରସଙ୍ଗରେ ଗୋଟିଏ ପ୍ରଶ୍ନ ଉଠେ, ସବୁ ଦାୟିତ୍ୱ କ’ଣ ସରକାରଙ୍କର ନା ନାଗରିକ ଓ ସମାଜର ଅଂଶ ଭାବରେ ଆମର ମଧ୍ୟ କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ଅଛି। ଆମର ପଡ଼ୋଶୀର ବିପଦ ଆପଦ ବେଳେ ଆମେ କଣ ବାହାରେ ଠିଆ ହୋଇ ସେ ଦୃଶ୍ୟକୁ ଦେଖୁଥିବା ଓ ଦୁର୍ଦ୍ଦିନର ଟୁରିଷ୍ଟ ଭଳି କେବଳ ତା’ର ଫଟୋ ଉଠାଉଥିବା? ଏକ ସମୟରେ ଆମ ସମାଜରେ ଶବସତ୍କାରକୁ ଏକ ପୁଣ୍ୟ କାମ ବୋଲି ବିଚାର କରା ହେଉଥିଲା ଏବଂ ସହର ଓ ଗାଁମାନଙ୍କରେ ଯୁବକମାନେ ସଂଘ ସମିତି କରି ଏ ଦାୟିତ୍ୱ ନେଉଥିଲେ। ବର୍ତ୍ତମାନ ଓଡ଼ିଶାରେ ସେ ପରଂପରା ଆଉ ନାହିଁ। ଗତ ମହାବାତ୍ୟା ସମୟରେ ସ୍ଥାନୀୟ ଲୋକମାନେ ଶବ ନ ଉଠାଇବାରୁ ଓଡ଼ିଶା ବାହାରୁ ଆନନ୍ଦମାର୍ଗୀମାନେ ଆସି ଏ ଦାୟିତ୍ୱ ହାତକୁ ନେଇଥିଲେ। ଏବଂ ସରକାର ମହାରାଷ୍ଟ୍ରରୁ ମୁର୍ଦାଫରାଶ ମଗାଇଥିଲେ। ବର୍ତ୍ତମାନ ସରକାର ଏକ ହରିଶ୍ଚନ୍ଦ୍ର ମହାପ୍ରୟାଣ ଯୋଜନା ମଧ୍ୟ କରିଛନ୍ତି ଯାହା ଫଳରେ ଲୋକେ ଭାବୁଛନ୍ତି ଏ ବିଷୟରେ ସେମାନଙ୍କର ଆଉ କୌଣସି ଦାୟିତ୍ୱ ନାହିଁ।
ଏ ଭଳି ପରିସ୍ଥିତିମାନଙ୍କରେ ଦର୍ଶକର କର୍ତ୍ତବ୍ୟ କଣ ସେ ବିଷୟରେ ବିଭିନ୍ନ ସମୟରେ ଆଲୋଚନା ହୋଇଛି। ପ୍ରଥମରେ ଯେଉଁ କେତୋଟି ଆଇକନିକ ଚିତ୍ର ବିଷୟରେ କୁହାଯାଇଛି ତା’ର ଫଟୋଗ୍ରାଫରଙ୍କୁ ଏ ବିଷୟରେ ପ୍ରଶ୍ନ କରାଯାଇଥିଲା। ସାଇଗନ ଚିତ୍ରର ଫଟୋଗ୍ରାଫର ମାଲକମ୍ ବ୍ରାଉନ କହିଥିଲେ ଯେ ସେ ଏହି ଆତ୍ମହତ୍ୟାକୁ ବନ୍ଦ କରିପାରି ନଥାନ୍ତେ କାରଣ ସେହି ବୌଦ୍ଧ ସନ୍ନ୍ୟାସୀଙ୍କୁ ଦୁଇ ଶହ ଶ୍ରମଣ ଘେରି ରହିଥିଲେ। ସେ କିନ୍ତୁ ମାନିଥିଲେ ଯେ ଏହି ଆତ୍ମହତ୍ୟା ପାଇଁ ସେ କିଛି ପରିମାଣରେ ଦାୟୀ କାରଣ ସେମାନେ ଯଦି ଦେଖିଥାନ୍ତେ ଯେ କୌଣସି ଖବରକାଗଜବାଲା ଘଟଣାର ଫଟୋ ନେଇ ବାହାର ପୃଥିବୀକୁ ଜଣାଇବାକୁ ସେଠାରେ ଉପସ୍ଥିତ ନାହାନ୍ତି, ତେବେ ବୌଦ୍ଧ ସନ୍ନ୍ୟାସୀ ବୋଧହୁଏ ଆତ୍ମହତ୍ୟାର ପଦକ୍ଷେପ ନେଇ ନଥାନ୍ତେ।
ସୁଦାନରେ ଫଟୋ ନେଇଥିବା କେଭିନ କାର୍ଟର ଜଣାଇଥିଲେ ଯେ ସେ ମୃତପ୍ରାୟ ଶିଶୁଟିର ଦଶ ମିଟର ଦୂରରେ ଥିଲେ। ସେ ସେଠାକୁ ଯାଇଥିଲେ ଦୁର୍ଭିକ୍ଷଗ୍ରସ୍ତ ଲୋକଙ୍କ ପାଇଁ ସାହାଯ୍ୟ ନେଇ ଆସିଥିବା ଜାତିସଂଘର ହେଲିକପ୍ଟରରେ ଯାହା ତିରିଶ ମିନିଟରେ ଫେରିଯିବାର ଥିଲା। ଏଇ ସମୟ ଭିତରେ ସେ କେବଳ ଶାଗୁଣାଟିକୁ ଘଉଡ଼ାଇ ଦେବାରେ ସମର୍ଥ ହୋଇଥିଲେ। ଏ ଘଟଣାର ବର୍ଷକ ପରେ ମାତ୍ର ୩୩ ବର୍ଷ ବୟସରେ କେଭିନ ଆତ୍ମହତ୍ୟା କଲେ। ସୁଇସାଇଡ ନୋଟ୍ରେ ସେ ଲେଖିଥିଲେ, ହତ୍ୟା ଶବ କ୍ରୋଧ ଓ ଯନ୍ତ୍ରଣାର ସ୍ମୃତି… କ୍ଷୁଧାର୍ତ୍ତ କ୍ଷତ ବିକ୍ଷତ ଶିଶୁ ମତେ ବ୍ୟସ୍ତ ବିବ୍ରତ କରିଦେଉଛନ୍ତି।
ଦାନମାଝିଙ୍କ ଘଟଣାରେ ଦେଖଣାହାରି ସମ୍ବାଦଦାତା ଫଟୋଗ୍ରାଫରଙ୍କୁ ଏ ଭଳି ପ୍ରଶ୍ନ କରା ହୋଇଥିଲା କି ନାହିଁ ଏବଂ ସେମାନଙ୍କ ପାଖରୁ କି ଉତ୍ତର ମିଳିଥିଲା ଜଣାନାହିଁ। ଏଠାରେ ଚିନ୍ତା କରିବାର କଥା ଏ ଭଳି ପରିସ୍ଥିତିରେ ଅନ୍ୟମାନେ କଣ କରିପାରନ୍ତି। ଦାନ ମାଝିଙ୍କ ଭଳି ଘଟଣାରେ ଯୁବକମାନେ ନିଜର କାନ୍ଧ ଲଗାଇ ପାରିଥାନ୍ତେ। ଲୋକଙ୍କ ପାଖରୁ ପଇସା ସଂଗ୍ରହ କରି ଗାଡ଼ିର ବ୍ୟବସ୍ଥା କରାଯାଇପାରିଥାନ୍ତା। ମିଡ଼ିଆକୁ ଖବର ଦେବା ଅପେକ୍ଷା ଏହା ହିଁ ହୋଇଥାନ୍ତା ଅଧିକ ମାନବିକ କାମ।
ଆମମାନଙ୍କ ସମାଜରୁ ଆସ୍ତେ ଆସ୍ତେ ମାନବିକତା କମିଯାଉଛି। ଟେଲିଭିଜନରେ ଆସୁଥିବା ଦୁଃଖଦ ଦୃଶ୍ୟ ଦେଖି ଆମେ ଜଡ଼ ହୋଇଯାଇଛୁ ଓ ଦୁଃଖ ଦୁର୍ଦ୍ଦଶାକୁ ଆମେ ସ୍ପେକ୍ଟାଟର ସ୍ପୋର୍ଟ ବା ଦର୍ଶନୀୟ ଖେଳକୁଦ ଭଳି ଗ୍ରହଣ କରୁଛୁ। ନଈବଢ଼ିରେ ଭାସି ଆସୁଥିବା ଶବ, ଜଳିଯାଉଥିବା ଘର, ଦୁର୍ଘଟଣାରେ ଛଟପଟ ହେଉଥିବା ଲୋକ- ଏମାନେ ଯେପରି ଆମର ଆମୋଦର ବସ୍ତୁ ଓ ଫଟୋ ଉଠାଇବାର ବିଷୟ।
ଅନ୍ୟାୟ ଅବିଚାର ଓ ଅନ୍ୟର ଦୁର୍ଦ୍ଦଶାରେ ନିଷ୍କ୍ରିୟ ରହିବା ଭଳି ଚୁପ୍ ରହିବା ମଧ୍ୟ ଏକ ଅକ୍ଷମଣୀୟ ଅପରାଧ। ଦ୍ରୌପଦୀଙ୍କ ବସ୍ତ୍ରହରଣ ବେଳେ ରାଜସଭାରେ ବରିଷ୍ଠ ସଭାସଦମାନେ ଚୁପ୍ ରହିଲେ। ଯୀଶୁଖ୍ରୀଷ୍ଟଙ୍କ ବିଚାର ବେଳେ କେହି ପ୍ରତିବାଦ କଲେ ନାହଁ। ହିଟଲରଙ୍କ ଇହୁଦୀ ସଂହାରକୁ ଖ୍ରୀଷ୍ଟିଆନମାନେ ମାନିନେଲେ। ଏ ସବୁ ମଧ୍ୟ ପାପରେ ଗଣା- ଚୁପ ରହିବାର ପାପ।
ମହାଭାରତରେ ଋଷି କଶ୍ୟପ କହିଥିଲେ, ସଜ୍ଜନମାନେ ଯେତେବେଳେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାନ୍ତି ନାହିଁ, ସେମାନେ ଧର୍ମକୁ ଅପମାନ କରନ୍ତି ଏବଂ ଏଥିପାଇଁ ସେମାନେ ଦଣ୍ଡନୀୟ। କୌଣସି ଅପରାଧରେ ଦୋଷୀ ଯେତିକି ଦଣ୍ଡ ପାଇବ, ତା’ର ଏକ ଚତୁର୍ଥାଂଶ ପାଇବ ତା’ର ସହକର୍ମୀ ଓ ଆଉ ଏକ ଚତୁର୍ଥାଂଶ ଏ ବିଷୟରେ ମୌନ ରହିଥିବା ଲୋକ।
ହିଟଲରଙ୍କ କନ୍ସେଣ୍ଟ୍ରେଶନ କ୍ୟାମ୍ପରୁ ଜୀବନ ନେଇ ବାହାରିଥିବା ଲେଖକ ଓ ପରବର୍ତ୍ତୀ ସମୟରେ ନୋବେଲ ବିଜେତା ଏଲି ଓ୍ୱିଜେଲ ନିଜର ଦୁଃଖଦ ଅଭିଜ୍ଞତାକୁ ମନେ ପକାଇ କହିଥିଲେ, ଆମକୁ ସବୁବେଳେ ପକ୍ଷ ନେବାକୁ ପଡ଼ିବ। ନିଷ୍ପକ୍ଷ ରହିଲେ ଅତ୍ୟାଚାରୀକୁ ହିଁ ସାହାଯ୍ୟ କରାହୁଏ, କେବେ ହେଲେ ଅତ୍ୟାଚାରିତକୁ ନୁହେଁ।
ଭଲ ଲୋକ ଯେତେବେଳେ ମୁହଁ ଖୋଲନ୍ତି ନାହିଁ ତାହା ଦୁରାଚାରୀକୁ ତା’ର ମନ୍ଦ କାମରେ ସାହାଯ୍ୟ କରେ ଓ ସଫଳତା ଦିଏ। ଚୁପ୍ ରହିବାର ଅନ୍ତିମ ପରିଣତି ବିଷୟରେ ନିମ୍ନଲିଖିତ ଲେଖାଟି ଲେଖିଥିଲେ ହିଟଲରଙ୍କୁ ବିରୋଧ କରୁଥିବା ଖ୍ରୀଷ୍ଟିଆନ୍ ଧର୍ମଗୁରୁ ମାର୍ଟିନ ନିମୋଲର୍ :
ପ୍ରଥମେ ସେମାନେ କମ୍ୟୁନିଷ୍ଟଙ୍କୁ ଧରିବାକୁ ଆସିଲେ,
କିନ୍ତୁ ମୁଁ ପ୍ରତିବାଦ କଲିନାହିଁ, କାରଣ ମୁଁ କମ୍ୟୁନିଷ୍ଟ ନ ଥିଲି।
ତା’ ପରେ ସେମାନେ କ୍ୟାଥୋଲିକଙ୍କୁ ଧରିବାକୁ ଆସିଲେ,
କିନ୍ତୁ ମୁଁ ପ୍ରତିବାଦ କଲି ନାହିଁ, କାରଣ ମୁଁ ପ୍ରଟେଷ୍ଟାଣ୍ଟ ଥିଲି।
ତା’ ପରେ ସେମାନେ ଇହୁଦୀଙ୍କୁ ଧରିବାକୁ ଆସିଲେ,
କିନ୍ତୁ ମୁଁ ପ୍ରତିବାଦ କଲି ନାହିଁ, କାରଣ ମୁଁ ଇହୁଦୀ ନଥିଲି।
ତା’ ପରେ ସେମାନେ ମତେ ଧରିବାକୁ ଆସିଲେ
ଏବଂ ସେତେବେଳକୁ ପ୍ରତିବାଦ କରିବାକୁ ଆଉ କେହି ନଥିଲେ।
ଏହା ଆମକୁ ପ୍ରେରଣା ଓ ସାହସ ଦେଉ ଚୁପ ଓ ନିଷ୍କ୍ରିୟ ନ ରହି ଦୁରାଚାର ଓ ଦୁର୍ଦ୍ଦଶା ସମୟରେ ହାତ ଉଠାଇବା ପାଇଁ ଓ ହାତ ବଢ଼ାଇବା ପାଇଁ।
(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ‘ଆମ ଭାଷା, ଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ‘ଓଡ଼ିଶାଲାଇଭ୍’କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)