ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଜେଏନ୍‌ୟୁ ଆକ୍ରମଣକୁ ଗୋଟିଏ ଦିନ ପୂରିଥିବା ବେଳେ ପୋଲିସ ହାତ ଖାଲି। ମୁଖାପିନ୍ଧା ଯୁବକମାନେ କିଏ?

ଦିଲ୍ଲୀ ଜେଏନ୍‌ୟୁରେ ରବିବାର ରାତିରେ ପଶିଥିବା ମୁଖା ପିନ୍ଧା ଯୁବକମାନେ କିଏ? କାହିଁକି ଏମାନେ ଜେଏନ୍‌ୟୁରେ ଭଙ୍ଗରୁଜା ସହ ଆକ୍ରମଣ କଲେ? କ’ଣ ତାଙ୍କର ଉଦ୍ଦେଶ୍ୟ ଥିଲା? ଏହି ମୁଖାପିନ୍ଧା ଯୁବକଙ୍କ ପଛରେ ଆଉ କେଉଁମାନେ ଥିଲେ?

ଏସବୁ ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଙ୍କି ମାରୁଛି। ଆକ୍ରମଣର ଦୁଇ ଦିନ ବିତିଥିଲେ ମଧ୍ୟ ମୁଖାପିନ୍ଧା ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଜେଏନ୍‌ୟୁ ଆକ୍ରମଣକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇଛି। ବାମଦଳ ଏଥିପାଇଁ ଆର୍‌ଏସ୍‌ଏସ୍‌ ଉପରକୁ ଆଙ୍ଗୁଳି ଉଠାଇଥିବା ବେଳେ ଆର୍‌ଏସ୍‌ଏସ୍‌ ବାମଦଳ ଉପରକୁ କାଦୁଆ ଫିଙ୍ଗିଛି।

ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବି ବାଣ ମାରିଛନ୍ତି। ସେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। ଘଟଣାର ତଦନ୍ତ ପାଇଁ ଅମିତ ଶାହ ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୋମବାର ଦିନ ତମାମ ଜେଏନ୍‌ୟୁ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଲାଗି ରହିଥିଲା।

ରବିବାର ସନ୍ଧ୍ୟା ସମୟ। କିଛି ପିଲା ହଷ୍ଟେଲର ନିଜ ନିଜ ରୁମ୍‌ରେ ବସି ଖଟି କରୁଥିବା ବେଳେ ଆଉ କିଛି ପିଲା କ୍ୟାମ୍ପସ ପରିସରରେ ରହିଥିଲେ। ଏହି ସମୟରେ ଅଚାନକ ୪୦ରୁ ୫୦ ଯୁବକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ମାଡ଼ି ଆସିଥିଲେ। ସେମାନଙ୍କ ମୁହଁରେ କପଡ଼ା ଢଙ୍କା ହୋଇଥିବା ବେଳେ ହାତରେ ଲୁହା ରଡ୍‌ ଏବଂ ବାଡ଼ି ଧରିଥିଲେ।

କେହି କିଛି ବୁଝିବା ଆଗରୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଯିଏ ଏଥିରେ ବାଧା ଦେଲା ସେମାନେ ବି ବର୍ତ୍ତିଲେ ନାହିଁ। ୩୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଆହତ ହୋଇ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଥିଲେ।

ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷ୍‌ ମଧ୍ୟ ଏଥିରେ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା।

ସୋମବାର ସକାଳ ହେବା କ୍ଷଣୀ ଆକ୍ରମଣକୁ ନିନ୍ଦା କରି ଶହ ଶହ ଛାତ୍ରଛାତ୍ରୀ ଜେଏନ୍‌ୟୁ ପରିସରରେ ଜମା ହୋଇଥିଲେ। ମୁଖ୍ୟ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ୭୦୦ ପୋଲିସ କର୍ମୀଙ୍କୁ କ୍ୟାମ୍ପସରେ ମୁତୟନ କରାଯାଇଛି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ରିପୋର୍ଟ ତଲବ କରିଥିବା ବେଳେ କୁଳପତି ଏମ୍‌ ଜଗଦ୍ଦୀଶ କୁମାର ଶାନ୍ତି ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛନ୍ତି। ଏହି ହିଂସାକାଣ୍ଡର ଯାଞ୍ଚ କରିବା ପାଇଁ ଦିଲ୍ଲୀ ପୋଲିସ ଯୁଗ୍ମ କମିସନରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି।

ଏପଟେ ଜେଏନ୍‌ୟୁ ଆକ୍ରମଣକୁ ନିନ୍ଦା କରି ମୁମ୍ବାଇର ଗେଟ୍‌ ୱେ ଅଫ୍ ଇଣ୍ଡିଆ, କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ, ଅଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିଲେ।

ଜେଏନ୍‌ୟୁରେ ଫିସ୍‌’ ବୃଦ୍ଧିକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଥିଲା। ବର୍ଦ୍ଧିତ ଫିସ୍‌ କମାଇବା ଦାବିରେ ଛାତ୍ରଛାତ୍ରୀମାନେ ଗତ ଦୁଇ ମାସ ହେଲା ଆନ୍ଦୋଳନ ଚଳାଇଥିଲେ। ଏହାରି ଭିତରେ ଗଣ୍ଡଗୋଳ ଭୟଙ୍କର ରୂପ ଧାରଣ କରିଛି।

ଏବେ ପ୍ରଶ୍ନ ଉଠୁଛି ଜେଏନ୍‌ୟୁକୁ ଅଶାନ୍ତ କରିବା ପଛରେ କାହାର ହାତ ରହିଛି? ଜେଏନ୍‌ୟୁ କ୍ୟାମ୍ପସରେ ମୁଖାବିନ୍ଧା ଯୁବକ ପଶିଲା ବେଳେ ସୁରକ୍ଷା କର୍ମୀ ନଥିଲେ କି? ଦିଲ୍ଲୀର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ୪୦ରୁ ୫୦ ଜଣ ମୁଖାପିନ୍ଧା ଯୁବକ ପଶି ତାଣ୍ଡବ ରଚୁଥିବା ବେଳେ ପୋଲିସ କରୁଥିଲା କ’ଣ? ଗତ ଦୁଇ ମାସ ହେଲା ଫିସ୍‌ ବୃଦ୍ଧିକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ବିଶ୍ୱବିଦ୍ୟାଳୟ ପରିସରରେ କାହିଁକି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିଲ? ଆକ୍ରମଣକୁ ଗୋଟିଏ ଦିନ ବିତିଥିବା ବେଳେ ପୋଲିସ ମୁଖାପିନ୍ଧା ଯୁବକଙ୍କ ମୁଖା କାହିଁକି ଖୋଲିବାରେ ସମର୍ଥ ହୋଇନି? ଏସବୁ ପ୍ରଶ୍ନକୁ ନେଇ କ୍ୟାମ୍ପସ ଅଶାନ୍ତ ହେଉଥିବା ବେଳେ ରାଜନୀତି ମାହୋଲ ବି ସରଗରମ ରହିଛି।

LEAVE A REPLY

Please enter your comment!
Please enter your name here