ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ନାଁ ବଦଳାଇବାକୁ ଦାବି କଲେ ବିଜେପି ନେତା ସି ଟି ରବି। ଏହି ବିଶ୍ୱବିଦ୍ୟାଳୟର ନାଁ ବଦଳାଇ ଏହାକୁ ସ୍ୱାମୀ ବିବେକାନନ୍ଦଙ୍କ ନାଁ’ରେ ନାମିତ କରିବାକୁ ବିଜେପିର ଏହି ନେତା ଦାବି କରିଛନ୍ତି। ଯାହାକୁ ଅନ୍ୟ ବିଜେପି ନେତାମାନେ ମଧ୍ୟ ସମର୍ଥନ କରିଛନ୍ତି।

ସି ଟି ରବି କର୍ଣ୍ଣାଟକର ଜଣେ ଆଗଧାଡ଼ିର ବିଜେପି ନେତା ଭାବେ ବେଶ ପରିଚିତ। ସେ ବର୍ତ୍ତମାନ ଦଳ ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି। ଗତ ୧୬ ତାରିଖରେ ସେ ଜେଏନୟୁର ନାଁ ବଦଳାଇବାକୁ ନେଇ ଏକ ଟୁଇଟ୍ କରିଥିଲେ।

ଟୁଇଟରେ ସେ ଲେଖିଥିଲେ ଯେ, ସ୍ୱାମୀ ବିବେକାନନ୍ଦ ଭାରତର ବିଚାରଧାରାକୁ ନେଇ ସବୁବେଳେ ଠିଆ ହୋଇଥିଲେ। ତାଙ୍କର ଦର୍ଶନ ଓ ମୂଲ୍ୟବୋଧ ଭାରତର ଶକ୍ତିକୁ ସୂଚିତ କରିଥାଏ। ତେଣୁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ନାଁ ସ୍ୱମୀ ବିବେକାନନ୍ଦ ବିଶ୍ୱବିଦ୍ୟାଳୟକୁ ପରିବର୍ତ୍ତନ କରାଯିବା ଉଚିତ୍ ବୋଲି ସେ ଲେଖିଥିଲେ।

ସି ଟି ରବିଙ୍କ ଏହି ଦାବିକୁ ଅନ୍ୟ ବିଜେପି ନେତାମାନେ ମଧ୍ୟ ସମର୍ଥନ କରିଛନ୍ତି। ଦିଲ୍ଲୀ ବିଜେପି ମୁଖପାତ୍ର ତେଜନ୍ଦର ବଗ୍ଗା କହିଛନ୍ତ ଯେ, ଗତ ୭୦ ବର୍ଷ ଧରି ବିଶ୍ୱବିଦ୍ୟାଳୟ, ଷ୍ଟାଡିୟନ, ବିମାନବନ୍ଦର, ସଡ଼କ ପଥ ଗୋଟିଏ ପରିବାରର ନାଁ ଅନୁସାରେ ରଖାଯାଉଛି। ଆମକୁ ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଦେବା ମଧ୍ୟ ଉଚିତ୍, ଯେଉଁମାନେ ରାଷ୍ଟ୍ରନିର୍ମାଣରେ ପ୍ରମୁଖ ଭୂମିକା ନିଭେଇଥିଲେ। ଏହି ଅନୁସାରେ ଜେଏନୟୁର ନାଁ ସ୍ୱାମୀ ବିବେକାନନ୍ଦ ବିଶ୍ୱବିଦ୍ୟାଳୟ ରଖାଯିବା ଉଚିତ୍ ବୋଲି ସେ କହିଛନ୍ତି। କେବଳ ଜେଏନୟୁ ନୁହେଁ ଦେଶର ସବୁ ବିଶ୍ୱବିଦ୍ୟାଳୟ, ବିମାନବନ୍ଦର, ଷ୍ଟାଡିୟମ ସ୍ୱାଧୀନତା ସଂଗ୍ରାମୀଙ୍କ ନାଁରେ ହେବା ଉଚିତ୍ ବୋଲି ସେ କହିଛନ୍ତି।ସେହିପରି ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି,“ସ୍ୱାମୀ ବିବେକାନନ୍ଦଙ୍କୁ କାହା ସହ ତୁଳନା କରାଯାଇପାରିବ ନାହିଁ। ତାଙ୍କ ନାଁରେ ଗୋଟିଏ ବିଶ୍ୱବିଦ୍ୟାଳୟ ନାମିତ ହେଲେ ଏହାଠାରୁ ଗର୍ବର ବିଷୟ ଆଉ କିଛି ହେବ ନାହିଁ। ଯଦି ଜେଏନୟୁର ନାଁ ବଦଳାଇ ଏହାକୁ ସ୍ୱାମୀଜୀଙ୍କ ନାଁରେ ରଖାଯାଏ, ତେବେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।”

୧୯୬୯ ମସିହାରେ ଦିଲ୍ଲୀରେ ନିର୍ମାଣ ହୋଇଥିବା ଏହି ବିଶ୍ୱବିଦ୍ୟାଳୟର ନାଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନାଁରେ ନାମିତ କରାଯାଇଛି। ଏହି ବିଶ୍ୱବିଦ୍ୟାଳୟକୁ ବାମପନ୍ଥୀ ଛାତ୍ରନେତାଙ୍କ ଏକ ଗଡ଼ ବୋଲି ମଧ୍ୟ କୁହାଯାଏ। ତେଣୁ ଏଠାରେ ଦକ୍ଷିଣପନ୍ଥୀ ଚିନ୍ତାଧାରକୁ ଆଗକୁ ନେବାକୁ ଅନେକ ଦିନରୁ ପ୍ରୟାସ ହୋଇ ଆସୁଛି।କିଛି ବର୍ଷ ତଳେ ଏହି ବିଶ୍ୱବିଦ୍ୟାଳୟର ନାଁ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ରଖାଯିବାକୁ ମଧ୍ୟ ଦାବି କରାଯାଇଥିଲା। ଏବେ ବିଜେପି ନେତା ସି ଟି ରବି ଏହାର ନାଁ ସ୍ୱାମୀ ବିବେକାନନ୍ଦଙ୍କ ନାଁରେ ରଖିବାକୁ ଦାବି କରିଛନ୍ତି।

୨୦୧୪ରେ ମୋଦୀ ସରକାର ଆସିବା ପରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ, ସହର, ରେଳ ଷ୍ଟେସନ ଓ ବିମାନବନ୍ଦରର ନାଁ ବଦଳାଇବାକୁ ନେଇ ଦାବି ହେଇଆସୁଛି। ଏହାକୁ ନେଇ ଅନେକ ବିବାଦ ମଧ୍ୟ ଜନ୍ମନେଇଛି। କିଛି ବର୍ଷ ତଳେ ଉତ୍ତରପ୍ରଦେଶରେ ଆଲ୍ଲାହାବାଦ ସହରର ନାଁ ପରିବର୍ତ୍ତନ କରି ଏହାକୁ ପ୍ରୟାଗରାଜ କରିଥିଲେ। ଯାହାକୁ ନେଇ ଅନେକ ବିବାଦ ଦେଖିବାକୁ ମିଳିଥିଲା।

Comment