ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପ୍ରାୟ ଦଶଟା ବେଳେ ଫୋନ ଆସିଲା ମାତୃଭୂମିର ରକ୍ଷା ପାଇଁ ସହିଦ ହୋଇଯାଇଛି ପୁଅ। ସେବେଠୁ ପୁଅକୁ ଥରୁଟିଏ ଦେଖିବା ପାଇଁ ଅନେଇ ରହିଛନ୍ତି ପରିବାର ଓ ଗାଁ ଲୋକେ। ଗଲଓ୍ୱାନ ହିଂସାରେ ଦେଶ ପାଇଁ ଜୀବନ ହାରିଛନ୍ତି ମଧ୍ୟପ୍ରଦେଶ ରେଓ୍ୱାର ବୀର ପୁତ୍ର ଦୀପକ ସିଂ। ଭାରତ-ଚୀନ ସୀମା ବିବାଦକୁ ନେଇ ଗତ ସୋମବାର ଲଦାଖର ଗଲଓ୍ୱାନ ଘାଟିରେ ହୋଇଥିବା ସଂଘର୍ଷରେ ସହିଦ ହୋଇଛନ୍ତି କୋଡ଼ିଏ ଜଣ ଭାରତୀୟ ଯବାନ। ସବୁଦିନ ପାଇଁ ନିଜ ନାମକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖିଦେଇ ସହିଦଙ୍କ ମଧ୍ୟରେ ସାମିଲ ହୋଇଯାଇଛନ୍ତି ଦୀପକ।
ମଧ୍ୟପ୍ରଦେଶ ରେଓ୍ୱା ଜିଲ୍ଲାର ଫରେଦା ଗାଁର ସୁପୁତ୍ର ଥିଲେ ଦୀପକ ସିଂ। ଗତ ବର୍ଷ ନଭେମ୍ବର ମାସ ତିରିଶ ତାରିଖରେ ଜୋଗନିହାଇ ଗାଁର ରେଖା ସିଂଙ୍କ ସହ ତାଙ୍କର ବିବାହ ହୋଇଥିଲା। ଛୁଟି ଶେଷ କରି ଏହି ବର୍ଷ ଫେବୃଆରି ୧୪ରେ ସେ ଡ୍ୟୁଟିରେ ଯୋଗ ଦେଇଥିଲେ। ହେଲେ କେହି ଜାଣି ନଥିଲେ ଏହା ଥିଲା ଦୀପକଙ୍କ ଶେଷ ଯାତ୍ରା। ଏହାପରେ ସେ ଫେରିବେ ସତ ହେଲେ ତ୍ରିରଙ୍ଗା ପତାକାରେ ଗୁଡ଼ାଇ ହୋଇ।
ଦୀପକଙ୍କ ବଡ଼ ଭାଇ ମଧ୍ୟ ଭାରତୀୟ ସେନାରେ ନିୟୋଜିତ। ଗତ ବାର ଦିନ ତଳେ ହିଁ ସେ ଦୀପକଙ୍କ ସହ କଥା ହୋଇଥିଲେ। ଲକଡାଉନ ଶେଷ ହେବାମାତ୍ରେ ସେ ଘରକୁ ବୁଲିବାକୁ ଯିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ସେ ନିଜ କଥା ରଖିଲେ, ଆଜି ସଂଧ୍ୟା ସୁଦ୍ଧା ତାଙ୍କ ପାର୍ଥିବ ଶରୀର ଘରକୁ ଆସିବ ଏବଂ ସେଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସହିଦ ଦୀପକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାରକୁ ଗୋଟିଏ କୋଟି ଟଙ୍କା, ଏକ ପକ୍କା ଘର ସହ ପରିବାରର ଜଣେ ସଦସ୍ୟଙ୍କୁ ଏକ ସରକରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି।
ଦୀପକଙ୍କ ସହିଦ ହେବାର ଖବର ପାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଭିନ୍ନ ରାଜନୈତିକ ଦଳର ଭିଡ଼ ଲାଗିଛି। ପରିବାର ଲୋକଙ୍କ ସହ ସମସ୍ତ ଗାଁଲୋକେ ଦୀପକଙ୍କୁ ଶେଷ ବିଦାୟ ଦେବାକୁ ଅନେଇ ବସିଛନ୍ତି। ପ୍ରୟାଗରାଜଠାରେ ଦୀପକଙ୍କୁ ୨୧ ରାଇଫଲର ସଲାମୀ ଦେବାପରେ ତାଙ୍କ ପାର୍ଥିବ ଶରୀରକୁ ରେଓ୍ୱା ପଠାଇଦିଆଯାଇଛି। ଆଜି ପ୍ରାୟ ୪ଟା ବେଳେ ନିଜ ଜନ୍ମଭୂମିରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ।