ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।
ଓଡ଼ିଆ ଓ ଓଡ଼ିଶା (୨୭)
“କଥା ଭାବନାକୁ ରୂପ ଦିଏ”- ଏ ବାକ୍ୟଟି ବହୁତ ସରଳ ହେଲେ ମଧ୍ୟ ଏହାର ବିଜ୍ଞାନ ଏ’ ପର୍ଯ୍ୟନ୍ତ ଆମକୁ ଜଣାନାହିଁ। ଭାବନାକୁ ରୂପ ଦେବା ଲାଗି ପ୍ରଥମେ ଆମକୁ ଭାବନାକୁ ଦେଖିବାକୁ ହେବ। ଏ’ “ଦେଖା”ରୁ ନିଜର ବୁଦ୍ଧି ଜରିଆରେ ବାକ୍ୟ ଯୋଜନା କରିବାକୁ ହେବ। ତା’ପରେ ବାକ୍ୟକୁ କଣ୍ଠ ମାଧ୍ୟମରେ ପ୍ରକାଶ କରିବାକୁ ହେବ। ଭାବନା କେଉଁଠୁ ଆସିଲା, ତାର ସୂତ୍ର ଆମକୁ ଜଣାନଥିଲା ଫଳରେ ସେହି ସୂତ୍ରକୁ “ପରା” ବୋଲି କୁହାଗଲା। “ପରା”ର ଭାବନାକୁ ଦେଖିପାରିବାର ଅବସ୍ଥାକୁ “ପଶ୍ୟନ୍ତୀ” ବୋଲି କୁହାଗଲା। ଦେଖାହେଲା ପରେ ବୌଦ୍ଧିକ ବାକ୍ୟ ଯୋଜନାକୁ “ମଧ୍ୟମା” ନାଁ ଦିଆହେଲା। ଏ’ ନାମକରଣ ସବୁ ବେଦର। କିନ୍ତୁ ଏହି ପ୍ରକାର ଚାରି ଭାଗର କଥା ବିଜ୍ଞାନ ବେଦ ଆଗରୁ ତିଆରି ହୋଇଛି ବୋଲି ଅନୁମାନ ହୁଏ। କିଏ ବୈଜ୍ଞାନିକ ତା’ ଆମେ ଜାଣିନାହୁଁ।
ଭାବନାକୁ “ଦେଖି” ବାକ୍ୟ ଯୋଡିବା ଅର୍ଥ ନୁହେଁ ଯେ ଆମେ ସେ ବାକ୍ୟକୁ କହିପାରିବା। ତେଣୁ ଭାବନାକୁ ଖଣ୍ଡ ଖଣ୍ଡ କରି ଆମେ କିପରି କହିପାରିବା, କେତେ ପରିମାଣରେ କହିପାରିବା, କେତେ ବଖାଣି କରି କହିବା – ଏ’ ସବୁ ମଧ୍ୟ ମନୁଷ୍ୟରେ ମସ୍ତିଷ୍କ ଭିତରେ ତିଆରିହୁଏ।
ମସ୍ତିଷ୍କ ଭିତରକୁ ଯାଇ ଏ’ ସବୁ ସନ୍ଧାନ କରିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ, ତେଣୁ ଆମକୁ କଥାଶୁଣି କରି ମସ୍ତିଷ୍କ ଭିତରର କ୍ରିୟାଗୁଡ଼ିକୁ ଅନୁମାନ କରିବାକୁ ହେବ। ଏହି କ୍ରିୟାର ସଂଗଠନର ମୌଳିକ ଅଙ୍ଗମାନଙ୍କୁ ଅମେ “ବର୍ଣ୍ଣ” ବୋଲି କହୁ।
ଆଗରୁ କୁହାଯାଇଅଛି ଯେ ବେଦର ଧ୍ଵନିକୁ ବିଶ୍ଳେଷଣ କରି ବର୍ଣ୍ଣ ଚିହ୍ନଟ କରାଯାଇଅଛି। ମୋଟା ମୋଟି ଚଉଷଠିଟି ବର୍ଣ୍ଣର ଚିହ୍ନଟ ହୋଇଅଛି। ଗୋଟିଏ ବର୍ଣ୍ଣର ଅନ୍ୟ ବର୍ଣ୍ଣଠାରୁ ଧ୍ଵନିଗତ ଭିନ୍ନତା ହିଁ ଏ’ ବିଭାଗର ଭେଦ। କିନ୍ତୁ ଏ’ଧ୍ଵନି ଗତ ଭିନ୍ନତା ସାଙ୍ଗରେ ବର୍ଣ୍ଣର ସୃଷ୍ଟିରେ ଭିନ୍ନତା ଅଛି ବୋଲି ବୈଜ୍ଞାନିକ ବିଶ୍ଳେଷଣ ପରେ ହେଲା। ଏ’ ଉଭୟଙ୍କର ସମୟ କାଳ ଆମକୁ ଅଜ୍ଞାତ।
ପ୍ରଧାନତଃ ପ୍ରତ୍ୟେକ ବର୍ଣ୍ଣର ଅପର ବର୍ଣ୍ଣଠାରୁ ଧ୍ଵନି ଓ ଉତ୍ପତ୍ତିରେ ଭିନ୍ନତା ବର୍ଣ୍ଣ ବିଜ୍ଞାନର ବୈଶିଷ୍ଟ୍ୟ। ଅର୍ଥାତ୍ “ଭାବନା”କୁ “କଥା”ରେ ପରିଣତ କରିବାକୁ ମନୁଷ୍ୟ ଶରୀରରେ ଚଉଷଠିଟି ଧ୍ଵନିଗତ ଉପାଦାନ ଅଛି। ପ୍ରତ୍ୟେକ ଉପାଦାନ ଅନ୍ୟଠାରୁ ଅଲଗା।
ଏତେ ଗୁଡିଏ ଧ୍ଵନିଗତ ଉପାଦାନ ସୃଷ୍ଟିର ଅନ୍ୟ କୌଣସି ପ୍ରାଣୀ ପାଖରେ ନାହିଁ। ସୃଷ୍ଟିର ସମସ୍ତ କାହାଣୀକୁ ମନୁଷ୍ୟ ଏହି ଚଉଷଠିଟି ବର୍ଣ୍ଣ ଜରିଆରେ ବର୍ଣ୍ଣନା କରିପାରେ ବୋଲି ସିଦ୍ଧାନ୍ତ ହେଲା।
ଏ’ ଚଉଷଠିଟି ବର୍ଣ୍ଣ ପ୍ରତ୍ୟେକେ ଗୋଟିଏ ଗୋଟିଏ ଶକ୍ତି ବୋଲି ଆମ ଓଡିଆ ଶାସ୍ତ୍ରକାରମାନେ ନିର୍ଦ୍ଧାରଣ କଲେ।
ପ୍ରତ୍ୟେକ ଶକ୍ତିର ମାପ ଅଛି, ରୂପଅଛି, ଏବଂ ତତ୍ତ୍ଵ ଅଛି। ତେବେ ଏ’ତତ୍ତ୍ଵମାନେ କ’ଣ? ଯଦିସୃଷ୍ଟିର ସମସ୍ତ ପ୍ରକ୍ରିୟା ଏହି ଚଉଷଠି ଶକ୍ତି ମାଧ୍ୟମରେ ପ୍ରକାଶ କରାଯାଇପାରେ, ତା’ ହେଲେ ଏ’ ପ୍ରତ୍ୟେକଟି ସୃଷ୍ଟିର ଗୋଟିଏ ଗୋଟିଏ ଅବସ୍ଥାର ସ୍ୱତନ୍ତ୍ର କାହାଣୀ। ସୃଷ୍ଟିକୁ ବୁଝିବାକୁ ହେଲେ ଏହି ଶକ୍ତିମାନଙ୍କର ସାଧନା ଆବଶ୍ୟକ। ଏହି ପ୍ରକାର ବିବେଚନାରୁ ଓଡ଼ିଶା ଅଞ୍ଚଳରେ ତନ୍ତ୍ର ଦର୍ଶନର ପରୀକ୍ଷା ଚାଲିଲା।
ଅନ୍ୟପକ୍ଷରେ ବର୍ଣ୍ଣ ପରିଚୟ ମାଧ୍ୟମରେ ବୈଦିକ ପଦ୍ଧତିରୁ ମନ୍ତ୍ର ଶାସ୍ତ୍ର ନିର୍ମାଣ କରାହେଲା। ପ୍ରତ୍ୟେକ ବର୍ଣ୍ଣର ଉଚ୍ଚାରଣ ବିଧି ସ୍ୱତନ୍ତ୍ର ଏବଂ ବର୍ଣ୍ଣମାନଙ୍କର ପୂର୍ଣ୍ଣ ପ୍ରକାଶରେ ଶରୀର ଭିତରେ ବାୟୁ ଚଳାଚଳର ସଂପୂର୍ଣ୍ଣ ସୁରକ୍ଷା କରାଯାଇପାରେ। ଯେହେତୁ ଶରୀରର ସମସ୍ତ ଅସୁସ୍ଥତା ନିଃଶ୍ଵାସ ପ୍ରଶ୍ଵାସର ବିଶୃଙ୍ଖଳା ଯୋଗୁଁ ଉପୁଜିଥାଏ, ଆମେ ଉଚ୍ଚାରଣ ଶୁଦ୍ଧିରୁ ଶରୀରର ରୋଗ ନିରାକରଣ କରିପାରିବା ବୋଲି ମତ ହେଲା। ଉଚ୍ଚାରଣରେ ପୂର୍ଣ୍ଣ ମନୋ ନିବେଶ କଲେ ମଣିଷର ମନ ଅନ୍ତର୍ମୁଖୀ ହୋଇପାରେ ଏବଂ ଏହି ପ୍ରକାର ଅନ୍ତଃକରଣର ଶୁଦ୍ଧତା ଫଳରେ ମଣିଷମନର ଦ୍ଵେଷ ଓ ବୈଷମ୍ୟ ଦୂର ହୋଇପାରେ ବୋଲି ମନ୍ତ୍ର ଶାସ୍ତ୍ର ସିଦ୍ଧାନ୍ତ ଦେଲା।