ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ଓଡ଼ିଶାଲାଇଭ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଆର୍ଏମ୍ଆର୍ସି, ଭୁବନେଶ୍ୱରର ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି।
‘‘ଗତ କିଛିଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଉଛି। ପଜିଟିଭ୍ ସଂଖ୍ୟା ଯଦିଓ ବଢୁଛି, ହେଲେ ସଂକ୍ରମଣ ହାର କମି ଚାଲିଛି। ଟେଷ୍ଟିଂ ସଂଖ୍ୟା ବଢ଼ିବା, ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବା ଏବଂ ଜନସଧାରଣ ସତର୍କ ରହିବା ଫଳରେ ଏହି ହାର ହ୍ରାସ ପାଇଛି। ଯଦି ଏଭଳି ସ୍ଥିତି ଜାରି ରୁହେ ତାହାଲେ ଆଗାମୀ ଦିନରେ ସଂକ୍ରମଣ ହାର ଅଧିକ ହ୍ରାସ ପାଇବ’’ ଓଡ଼ିଶାଲାଇଭ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ଆର୍ଏମ୍ଆର୍ସି, ଭୁବନେଶ୍ୱରର ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି।
ଗତ ୫ ମାସରୁ ଅଧିକ ସମୟ ଧରି ଜନ ଜୀବନକୁ ବହୁ ମାତ୍ରାରେ ପ୍ରଭାବିତ କରି ରଖିଛି କରୋନା ମହାମାରୀ। ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଓଡ଼ିଶାରେ ଏବେ କରୋନା ପିକ୍ରେ ରହିଛି। ଗତ ଜୁନ ମାସରୁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଗତ କିଛିଦିନ ହେଲା ସଂକ୍ରମଣ ହାର କମୁଥିବାରୁ ଖୁବ୍ଶୀଘ୍ର ରାଜ୍ୟରେ କରୋନା ନିୟନ୍ତ୍ରଣକୁ ଆସିବ ବୋଲି ଡାକ୍ତର ପତି ବର୍ତ୍ତମାନର ସ୍ଥିତିକୁ ଦେଖି ଆକଳନ କରିଛନ୍ତି। ତେବେ ଏଥିପାଇଁ ଜନସାଧାରଣ, କୋଭିଡ୍ ଯୋଦ୍ଧା ଆଦି ସମସ୍ତଙ୍କର ସହଯୋଗ ଦରକାର ବୋଲି ସେ କହିଛନ୍ତି।
‘‘ମାର୍ଚ୍ଚ ମାସରେ ଓଡ଼ିଶାରେ କରୋନା ଭୂତାଣୁ ଠାବ ହେବା ପରେ ଆର୍ଏମ୍ଆର୍ସିରେ ପ୍ରଥମେ ନମୁନା ପରୀକ୍ଷା ଆରମ୍ଭ ହୋଇଥିଲା। ସେତେବେଳେ କମ୍ ନମୁନା ସଂଗ୍ରହ କରାଯାଉଥିଲା। କାରଣ କାହାର ଟେଷ୍ଟିଂ ହେବ ଏବଂ ନହେବ ସେଥିପାଇଁ ଆଇସିଏମ୍ଆର୍ର ଗାଇଡ୍ଲାଇନ୍ ରହିଥିଲା। ପରେ ଆକ୍ରାନ୍ତ ଅଧିକ ଚିହ୍ନଟ ହେବାରୁ ଭୁବନେଶ୍ୱର ଏମ୍ସ୍ ଏବଂ କଟକ ଏସ୍ସିବି ମେଡିକାଲଜ ଏବଂ ହସ୍ପିଟାଲରେ ପରୀକ୍ଷା ଆରମ୍ଭ ହୋଇଥିଲା’’, କହିଛନ୍ତି ଡାକ୍ତର ସଂଘମିତ୍ରା ପତି।
କରୋନା ନିୟନ୍ତ୍ରଣ କରିବା ପାଇଁ ୩ ଫର୍ମୁଲା – ଟ୍ରେସ୍, ଟ୍ରାକ୍ ଏବଂ ଟ୍ରିଟ୍
କରୋନା ମହାମାରୀକୁ ନିୟନ୍ତ୍ରଣରେ ରଖିବା ପାଇଁ ୩ଟି ପିଲର ବା ସୂତ୍ର ରହିଛ। ସେଗୁଡ଼ିକ ହେଲା ଟେଷ୍ଟିଂ, ଟ୍ରାକ୍ ଆଣ୍ଡ ଟ୍ରିଟ୍। ଟେଷ୍ଟିଂ ପର୍ଯ୍ୟାୟରେ ଲାବୋରେଟୋରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଟ୍ରାକିଂ ବା ଟ୍ରେସିଂରେ ଡିଜିଜ୍ ସର୍ଭିଲାନ୍ସ ପ୍ରୋଗ୍ରାମ ବା ଭୂତାଣକୁ ଠାବ କରିବାର ଅଭିଯାନ ଏବଂ ତୃତୀୟରେ ଟ୍ରିଟ୍ ପର୍ଯ୍ୟାୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ୱାସ୍ଥ୍ୟ ବ୍ୟବସ୍ଥା, ଡାକ୍ତର, ନର୍ସମାନଙ୍କ ଭୂମିକା ଏଥିରେ ଗୁରୁତ୍ୱପୂର୍ଣ୍ଣ ରହିଛି। କୋଭିଡ୍-୧୯କୁ ନିୟନ୍ତ୍ରଣ କରିବା ପାଇଁ ଟେଷ୍ଟିଂ, ଟ୍ରାକ୍ ଓ ଟ୍ରିଟ୍ ଭିତରେ ସମନ୍ୱୟ ରଖାଯିବା ନିହାତି ଦରକାର। ଏହି ପ୍ରକ୍ରିୟା ଦ୍ୱାରା କରୋନା ନିୟନ୍ତ୍ରଣ କରିବା ସମ୍ଭବ ହେବ।
ଓଡ଼ିଶାରେ ଟେଷ୍ଟିଂ ସଂଖ୍ୟା ବଢ଼ିଛି
‘‘ଓଡ଼ିଶାରେ ଏବେ ଟେଷ୍ଟିଂ ସଂଖ୍ୟା ବଢ଼ିଛି। ଆର୍ଟିପିସିଆର୍ ଟେଷ୍ଟିଂ, ଟ୍ରୁନାଟ୍ ଟେଷ୍ଟିଂ ସହିତ ଆଣ୍ଟିଜେନ୍ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଫଳରେ ସଂକ୍ରମିତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରୁଛି’’, ଓଡ଼ିଶାଲାଇଭ୍କୁ କହିଛନ୍ତି ଡାକ୍ତର ସଂଘମିତ୍ରା ପତି।
ଆଗରୁ କେବଳ ଆର୍ଟିପିସିଆର୍ ଟେଷ୍ଟିଂ ହେଉଥିଲା, ଯାହା ସମୟସାପେକ୍ଷ ଥିଲା। ଗୋଟିଏ ଟେଷ୍ଟ କରିବା ପାଇଁ ୬ରୁ ୯ ଘଣ୍ଟା ସମୟ ଲାଗୁଥିଲା। ଆର୍ଟିପିସିଆର ଲ୍ୟାବ ମଧ୍ୟ ସୀମିତ ଥିଲା। ଏବେ ଲାବୋରେଟୋରୀ ସଂଖ୍ୟା ବଢ଼ିଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକ ମଧ୍ୟ ଆର୍ଟିପିସିଆର୍ ଟେଷ୍ଟ ଆରମ୍ଭ କରିଥିବା ଡାକ୍ତର ପତି ସୂଚନା ଦେଇଛନ୍ତି।
‘‘କୋଭିଡ୍-୧୯ ପରୀକ୍ଷା ପାଇଁ ବାୟୋ ସେଫ୍ଟି ଲେଭଲ-୨ ଦରକାର। ରାଜ୍ୟ ସରକାର ଖୁବ୍ କମ୍ ସମୟ ଭିତରେ ସବୁ ମେଡିକାଲ କଲେଜର ଲାବୋରେଟୋରୀରେ ଏହାର ବ୍ୟବସ୍ଥା କରାଇଛନ୍ତି। ଏହା ଟେଷ୍ଟିଂରେ ଏକ ବଡ଼ ଭୂମିକା ନେଇଛି। ଅନ୍ୟପକ୍ଷରେ ଆର୍ଏମ୍ଆର୍ସିରେ ଟେଷ୍ଟିଂ କରିବାର ମାନ ବଢ଼ିଲାଣି। ରାଜ୍ୟ ଔଷଧ ନିଗମ ଓ ଆର୍ଏମ୍ଆର୍ସି ମିଳିତ ସହଯୋଗରେ ସବୁ ଲାବୋରେଟୋରୀ ଯେମିତି ଠିକ୍ ସମୟରେ କିଟ୍ ପାଇପାରିବେ ସେଥିପ୍ରତି ସଜାଗ ରହିଛି’’, ଏହା କହିଛନ୍ତି ଡାକ୍ତର ସଂଘମିତ୍ରା ପତି।
‘ସ୍ପିଡ୍, ନମ୍ବର, ରିଚ୍’ ଉପରେ ଗୁରୁତ୍ୱ
ରାପିଡ୍ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେବା ପରେ ଏବେ ଅଧିକରୁ ଅଧିକ ପରୀକ୍ଷା କରାଯାଇପାରୁଛି। ତେବେ ସ୍ପିଡ୍, ନମ୍ବର ଏବଂ ରିଚ୍ ଉପରେ ଅଧିକ ଫୋକସ୍ ଦିଆଯାଉଛି। କେତେ ଶୀଘ୍ର ଲୋକଙ୍କୁ ପରୀକ୍ଷା କରାଯାଇପାରିବ, କେତେ ଅଧିକରୁ ଅଧିକ ଲୋକଙ୍କ ନମୁନା ଟେଷ୍ଟ କରାଯିବ ଏବଂ ଗାଁ ଗହଳି, ହସ୍ପିଟାଲ ଆଦି ସ୍ଥାନରେ ଟେଷ୍ଟିଂକୁ କିପରି ବ୍ୟାପକ କରାଯିବ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଆଇସିଏମ୍ଆର୍ର ଗାଇଡଲାଇନ ଅନୁସାରେ ହିଁ ରାପିଡ୍ ଆଣ୍ଟିଜେନ ଟେଷ୍ଟ କରାଯାଉଛି।
ସଂଘମିତ୍ରା ପତି କହିଛନ୍ତି ଯେ, ‘‘ଟ୍ରୁନାଟ୍ ମେସିନକୁ ଯକ୍ଷ୍ମା ପରୀକ୍ଷଣ ବା ଟି ବି ଡାଇଗ୍ନୋସିସ ପାଇଁ ବ୍ୟବହାର କରାଯାଉଥିଲା। ଏବେ ଏହାକୁ କୋଭିଡ୍ ପରୀକ୍ଷଣ ପାଇଁ ବ୍ୟବହାର କରାଯାଉଛି। ଯେଉଁଠି ଟ୍ରୁନାଟ୍ ମେସିନ ନଥିଲା ସେଠି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ମେସିନ ଦିଆଯାଇଛି।’’
ସେରୋଲୋଜିକାଲ ସର୍ଭେ ଉପରେ ଗୁରୁତ୍ୱ
କରୋନା ନିୟନ୍ତ୍ରଣରେ ସତର୍କତାର ସହ ଆଗେଇ ଚାଲିବା ପାଇଁ ସେରୋଲୋଜିକାଲ ଟେଷ୍ଟର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେତେ ପଜିଟିଭ କେସ୍ ଆସୁଛି, ପଜିଟିଭ କେସ୍ କମୁଛି କି ନାହିଁ, ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି କେତେ ବଢ଼ିଲାଣି, ଆଣ୍ଟିବଡି କେତେ ଉନ୍ନତ ହେଲାଣି ତାହା ଏହି ସର୍ଭେରୁ ଜଣାପଡ଼ିବ।
ଏଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇସାରିଛି। ପୁରୀ ରଥଯାତ୍ରା ବେଳେ ପ୍ରଥମେ ସେରୋ ସର୍ଭେ ଆରମ୍ଭ ହୋଇଥିଲା।
ଏହାପରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବ୍ରହ୍ମପୁରରେ ସର୍ଭେ କରାଯାଇଥିଲା। ଏବେ ବଡ଼ମ୍ବା ନରସିଂହପୁରରେ ଚାଲିଛି। ଏହାପରେ କଟକ ସହରାଞ୍ଚଳ, ଗଜପତି ଏବଂ ଧୀରେଧୀରେ ଅନ୍ୟ ସ୍ଥାନରେ କରାଯିବ। କରୋନା ଯୋଦ୍ଧା ଓ ଜନସାଧାରଣଙ୍କ ସମର୍ଥନ ଯୋଗୁଁ ଏହି ସର୍ଭେ ସଫଳତାର ସହ ହେଉଛି ବୋଲି ଡାକ୍ତର ପତି କହିଛନ୍ତି।
‘‘ସେରୋ ସର୍ଭେ ଗୋଟିଏ ଥରରେ ସରେନାହିଁ। ଆଜି ଗୋଟିଏ ପର୍ଯ୍ୟାୟ ହେଲେ, ଏହାର ୪ ସପ୍ତାହ ପରେ ପୁଣି ଲୋକଙ୍କ ଭିତରେ ପ୍ରତିରୋଧକ ଶକ୍ତି କେତେ ବଢ଼ିଛି, ତାହା ଦେଖାଯାଏ। ସେହି ଅନୁସାରେ ଯୋଜନା ହୁଏ। ଆଗାମୀ ଦିନରେ ଟେଷ୍ଟିଂ କରିବା, ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ବ୍ୟବହାର କରିବା ସହ ସେରୋଲୋଜିକାଲ ସର୍ଭେ ଚାଲୁ ରଖିଲେ ମହାମାରୀକୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରଖାଯାଇପାରିବ’’, ଓଡ଼ିଶାଲାଇଭ୍କୁ କହିଛନ୍ତି ସଂଘମିତ୍ରା ପତି।
ସେ ଆହୁରି କହିଛନ୍ତି ଯେ, ଲୋକେ ସଚେତନ ହେଲେ ଏବଂ ଟ୍ରେସିଂ ବଢ଼ିଲେ ହିଁ ପଜିଟିଭିଟି ଅନୁପାତ କମିବ। ନିରନ୍ତର ସେରୋଲୋଜିକାଲ ଟେଷ୍ଟ କଲେ ଆଣ୍ଟିବଡି ସ୍ଥିତି କିପରି ରହିଛି ତାହା ଜାଣିହେବ। ଗାଁମାନଙ୍କରେ ସଂକ୍ରମଣର ବୃଦ୍ଧି ହାର କମୁଛି। ଏହାର ଅର୍ଥ ଆକ୍ଟିଭ କେସ୍ ସ୍ଥିର ରହିଛି। ତେଣୁ ଏହାକୁ ଆହୁରି କମାଯିବା ଦରକାର। ସରକାରଙ୍କ କୋଭିଡ୍ ଗାଇଡଲାଇନ ଲୋକେ ଠିକ୍ଠାକ୍ ପାଳନ କଲେ ହିଁ ସ୍ଥିତି ସ୍ୱାଭାବିକ ରହିବ।
(ସାକ୍ଷାତକାର: ସତ୍ୟବ୍ରତ ପାଢ଼ୀ)