ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଟିଆଇ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଓଡ଼ିଶା କୌଶଳ ବିକାଶ ନିଗମ ଯେଉଁ ରଥ ଉପରେ ପ୍ରଚାର କରିଥିଲେ ତାହା ବି ଭଲ ଫଳ ଦେଇଛି। ଏହି ରଥ ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରାୟ ୬୨ ହଜାର କିମି ବୁଲିଥିଲା। ୨ ଲକ୍ଷ ୨୫ ହଜାର ଯୁବକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲା।
ଓଡ଼ିଶାରେ ଇଂଜିନିୟରିଂ ପାଠ ପ୍ରତି ଆଗ୍ରହ ଦିନକୁ ଦିନ କମୁଛି। ଇଂଜିନିୟରିଂ କଲେଜ ଗୁଡ଼ିକରେ ସିଟ୍ ଖାଲି ପଡୁଥିବା ବେଳେ ଆଇଟିଆଇ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଦାବି କରାଯାଇଛି ଯେ ଆଇଟିଆଇ ଗୁଡ଼ିକରେ କ୍ରମାଗତ ଭାବେ ନାମ ଲେଖା ବୃଦ୍ଧି ପାଇଛି।
ଗତବର୍ଷ ଏହା ୬୪ ପ୍ରତିଶତ ଥିବା ବେଳେ ଏବର୍ଷ ଏହା ୮୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ଆଗ୍ରହ ବୃଦ୍ଧିର ଦୁଇଟି କାରଣ ରହିଥିବା କୁହାଯାଉଛି। ପ୍ରଥମ କାରଣ ଆଇଟିଆଇ ଗୁଡ଼ିକରେ ପଢ଼ାପଢ଼ିରେ ଗୁଣାତ୍ମକ ପରିବର୍ତ୍ତନ ଓ ଦ୍ୱିତୀୟ କାରଣଟି ହେଉଛି ଝିଅମାନଙ୍କ ନାମ ଲେଖା ଉପରେ ଗୁରୁତ୍ୱ ପ୍ରଦାନ।
ଗୋଟିଏ ବର୍ଷ ଧରି ଝିଅମାନଙ୍କୁ ଆଇଟିଆଇରେ ନାମ ଲେଖାଇବା ପାଇଁ ଉତ୍ସାହିତ କରାଯାଇଥିଲା। ଫଳରେ ସେମାନେ ଆଇଟିଆଇରେ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଛାତ୍ରୀଙ୍କ ସଂଖ୍ୟା ବିଗତ ବର୍ଷ ତୁଳନାରେ ପ୍ରାୟ ୫ ପ୍ରତିଶତ ବଢ଼ିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଓଡ଼ିଶାରେ ବର୍ତ୍ତମାନ ୪୯ଟି କାର୍ଯ୍ୟକ୍ଷମ ଆଇଟିଆଇ ରହିଛି। ଆଉ ୨୨ଟି ନୂଆ ଆଇଆଇଟି ପ୍ରତିଷ୍ଠା ପାଇଁ ଜୋରସରରେ କାମ ଚାଲିଛି ବୋଲି ସେ କହିଛନ୍ତି।
ଖାଲି ସେତିକି ନୁହେଁ, ୫ଟି ଆଇଟିଆଇ ବ୍ରହ୍ମପୁର, କଟକ, ରାଉରକେଲା, ହୀରାକୁଦ ଓ ତାକତପୁର ଦେଶର ଟପ୍ ୨୦ ଆଇଟିଆଇ ଭିତରେ ରହିଛି। ଆଇଟିଆଇ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଓଡ଼ିଶା କୌଶଳ ବିକାଶ ନିଗମ ଯେଉଁ ରଥ ଉପରେ ପ୍ରଚାର କରିଥିଲେ ତାହା ବି ଭଲ ଫଳ ଦେଇଛି। ଏହି ରଥ ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରାୟ ୬୨ ହଜାର କିମି ବୁଲିଥିଲା। ୨ ଲକ୍ଷ ୨୫ ହଜାର ଯୁବକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲା।
କୌଶଳ ବିକାଶ ପ୍ରାଧିକରଣର ଜଣେ ଅଧିକାରୀ କହିଛନ୍ତି, ୨୦୧୪ରୁ ୨୦୧୯ ଏହି ୫ ବର୍ଷ ମଧ୍ୟରେ ରାଜ୍ୟର ୧୧ ଲକ୍ଷ ଯୁବକଙ୍କୁ ତାଲିମ ଦେବା ଓ କୌଶଳ ଶିଖାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଅଧିନରେ ଯୁବକମାନଙ୍କୁ ବିଭିନ୍ନ ପ୍ରକାର କୌଶଳ ଶିଖାଯିବ। ଏହି ୧୧ ଲକ୍ଷ ଟାର୍ଗେଟ ଭିତରୁ ଡିସେମ୍ବର ୨୦୧୭ ସୁଦ୍ଧା ୮ ଲକ୍ଷ ୫୦ ହଜାର ଯୁବକ କୌଣସି ନା କୌଣସି କୌଶଳ ସମ୍ପର୍କରେ ଜାଣି ପାରିଛନ୍ତି।
ଅଧିକାଂଶ ଯୁବକ ଇଲେକ୍ଟ୍ରି କାମ, ପୋଷାକ ତିଆରି, ଗୃହ ନିର୍ମାଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଔଷଧ ଓ ନର୍ସିଂ, ପ୍ଲାଷ୍ଟିକ ପ୍ରୋସେସିଂ, ଏୟାରକନଡିସନିଂ ଓ ରେଫ୍ରିଜିରେସନ୍ ଆଦିରେ ତାଲିମ ପାଇଛନ୍ତି।