ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଏଭଳି ଏକ ଗାଁ ରହିଛି ଯାହାକୁ ଦେଶର ସବୁଠୁ ସ୍ୱଚ୍ଛ ଗାଁ ବୋଲି କୁହାଯାଏ। ସେହି ଗାଁର କିଛି ରୋଚକ କଥା ବିଷୟରେ ଜାଣନ୍ତୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ବର୍ଷ ପୂର୍ବେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ଏହି ମିଶନ ମାଧ୍ୟମରେ ଦେଶକୁ ପରିଷ୍କାର କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ଅଭିଯାନ ଚଳାଇଥିଲେ। କିନ୍ତୁ ସେତେବେଳେ ମଧ୍ୟ ଦେଶରେ ଏପରି ଏକ ଗାଁ ଥିଲା ଯେଉଁଠାରେ ଏହି ଅଭିଯାନର କୌଣସି ଆବଶ୍ୟକତା ନଥିଲା। ସ୍ୱଚ୍ଛତା ଦୃଷ୍ଟିରୁ ଏହି ଗାଁ ବିଶ୍ଵସ୍ତରରେ ଏକ ଉଦାହରଣ ପାଲଟିଛି।ଏହି ଗାଁକୁ ଏସିଆର ସବୁଠୁ ସ୍ୱଚ୍ଛ ଗାଁର ଆଖ୍ୟା ମିଳିଛି। ଗାଁର ନାଁ ହେଉଛି ମଲିନୋଙ୍ଗ। ଏହା ମେଘାଳୟର ପୂର୍ବ ଖାସି ପାହାଡରେ ରହିଛି। ଏହି ଗାଁର ସୌନ୍ଦର୍ଯ୍ୟକୁ ଇଶ୍ୱରଙ୍କ ଅବଦାନ ବୋଲି କୁହାଯାଇପାରେ। ଏହି ଗାଁର ଅନ୍ୟତମ ଆକର୍ଷଣ ହେଉଛି ବ୍ରିଜ। ଏଠାକାର ବ୍ରିଜଗୁଡ଼ିକ ପଥର କିମ୍ବା କଂକ୍ରିଟରେ ନିର୍ମାଣ ନକରାଯାଇ ଗଛର ଚେରରେ ପ୍ରସ୍ତୁତ କରାଯାଇଥାଏ। ଆଉ ଏହି ବ୍ରିଜକୁ ବ୍ୟବହାର କରନ୍ତି ଗ୍ରାମବାସୀ।ମଲିନୋଙ୍ଗ ଗାଁର ଲୋକମାନେ ପ୍ଲାଷ୍ଟିକ ବ୍ୟବହାରଠାରୁ ବହୁ ଦୂରରେ। ଗାଁର କୌଣସି ବି ବ୍ୟକ୍ତି ପ୍ଲାଷ୍ଟିକ ନିର୍ମିତ ସାମଗ୍ରୀ ବ୍ୟବହାର କରିନଥାନ୍ତି। ବାଉଁଶରେ ତିଆରି ଡଷ୍ଟବିନଠାରୁ ଆରମ୍ଭ କରି ଘର ତିଆରି ଉପକରଣ ଏବଂ ଘର ମଧ୍ୟ ବାଉଁସରେ ପ୍ରସ୍ତୁତ କରିଥାନ୍ତି। ଏମିତିକି ବଜାରକୁ ଗଲେ ସାଙ୍ଗରେ କପଡ଼ା ବ୍ୟାଗ ନେଇ ଯାଇଥାନ୍ତି।ଏହି ଗାଁର ଲୋକମାନେ ଗାଁ ପରିବେଶକୁ ସୁନ୍ଦର ରଖିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଫୁଲ ଗଛ ଲଗାଇଥାନ୍ତି। ସବୁବେଳେ ପରିଷ୍କାର ରଖନ୍ତି। ଆବର୍ଜନାକୁ ଏଣେ ତେଣେ ନପକାଇ ଗୋଟିଏ ଗାତ କରି ତା’ ଭିତରେ ପକାଇଥାନ୍ତି ଏବଂ ଶେଷରେ ସେହି ଆବର୍ଜନାକୁ ସାର ଭାବରେ ବ୍ୟବହାର କରିଥାନ୍ତି। ଏହି ସ୍ୱଚ୍ଛ ଗାଁକୁ ଦେଖିବା ପାଇଁ ଆଜିବି ଅନେକ ଲୋକ ସେଠାକୁ ଯାଆନ୍ତି।

LEAVE A REPLY

Please enter your comment!
Please enter your name here