ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।
ଓଡ଼ିଆ ଓ ଓଡ଼ିଶା (୪୪)
“ମ” ଧ୍ଵନି ଜନ୍ତୁର ମୂଳ ଜନ୍ମଗତ ଧ୍ଵନି ବୋଲି ଜଣା ପଡୁଥିଲେ ହେଁ “ମ” ର ଜନ୍ତୁ ସହ ସମ୍ପର୍କର ବୈଜ୍ଞାନିକ ତର୍ଜମା ଏବେ ମଧ୍ୟ ଅସଂପୂର୍ଣ୍ଣ। ଜନ୍ମ ସମୟରେ ଏ ଗବେଷଣା କରିବା ନୀତି ସମ୍ମତ ନୁହେଁ, କେବଳ ଗାଣିତିକ ଉପାୟରେ ନିର୍ଣ୍ଣୟ କରାଯାଇପାରେ। ଏ କଥା ମଧ୍ୟ ସତ୍ୟ ଯେ “ମା’ “ଶବ୍ଦ ପୃଥିବୀର ସର୍ବତ୍ରଜନ୍ମଦାତ୍ରୀ “ମା’ “କୁ ହିଁ ବୁଝାଇଥାଏ। ମୂଳ “ମ” ଧ୍ଵନି ଏବଂ ଭାଷାର “ମା” ଶବ୍ଦର ଉଦ୍ଭାବନ ପୁରୁଣା ତନ୍ତ୍ରବିଦ୍ୟାରେ ଅନୁଶୀଳନ କରାଯାଇପାରେ, ଆମ ଅବଗତରେ ନାହିଁ।
ସ୍ଵକୀୟ ସ୍ଵରରେ “ମ” ଶବ୍ଦ ମଣିଷର ନିଜର ପରିଚୟ। ଏ’ ପରିଚୟର ଧ୍ଵନି ସବୁ ମଣିଷଙ୍କଠାରେ ଅଲଗା ହୋଇଥିଲେ ହେଁ, ଅକ୍ଷର ଗୋଟିଏ ବୋଲି ବୈୟାକରଣିକମାନେ ମତ ଦିଅନ୍ତି। ସ୍ଵରକୁ ନ କାଟିଲେ ଅକ୍ଷର ଦେଖିହୁଏ ନାହିଁ। ତେବେ ଏ ଅକ୍ଷର ବର୍ତ୍ତମାନ ସମସ୍ତଙ୍କ ପାଇଁ ସମାନ ହୋଇଥିବାରୁ ତାକୁ ପଛରେ “ସର୍ବନାମ” ବୋଲି କୁହାଗଲା। ଓଡ଼ିଆ ଭାଷାରେଏହା ବର୍ତ୍ତମାନ “ମୁଁ” ଭାବରେ ପ୍ରଚଳିତ। ଏହି “ଉ” କାରରେ ଆତ୍ମପ୍ରତ୍ୟୟ ଅଛି। ଅନୁନାସିକ ଏଥିରେ ସ୍ଵରର ଦ୍ୟୋତକ, ଅକ୍ଷରରେ ମସ୍ତିଷ୍କର ଧ୍ଵନି।
“ମା”ଶବ୍ଦ ପ୍ରଥମ ବସ୍ତୁବାଚକ ଶବ୍ଦହେଲେ “ମୁଁ” ହେଲା ପ୍ରଥମ ପରିଚୟ ଶବ୍ଦ। ଭାଷାର ଏ’ ପରିଚୟ ସାର୍ବଜନୀନ| ଏହା ହେଲା ବସ୍ତୁ ଚେତନାର ପ୍ରଥମଅସ୍ତିତ୍ଵ। ନିଜ ଚେତନା ପରେ ଅନ୍ୟର ଅବଲମ୍ବନ ହେଲା “ତୁ”। ଏମାନେ ହେଲେ ପାଣି, ପବନ, ନିଆଁ, ଖାଦ୍ୟ ଓ ସ୍ପର୍ଶ। ଏ’ସବୁର ଆଧାର ମା’ ପ୍ରଥମରୁ ନିଜେ। ଯିଏ ପରେ ଜନ୍ମ ହେଲା, ସେ ହେଲା “ତୁ”। ଆଉ ଶିଶୁ ହେଲା “ମୁଁ”। “ତୁ”ହେଲା ଭାଷାର ଦ୍ଵିତୀୟ ସର୍ବନାମ।
“ମୁଁ” ବସ୍ତୁର ଚେତନା ପ୍ରକାଶ କରୁଥିଲେ ହେଁ “ମୁଁ”ର ବସ୍ତୁଜ୍ଞାନ ନାହିଁ। “ମୁଁ” କିଛି କରେ ନାହିଁ, “ବସ୍ତୁ” କରେ । “ମୁଁ” ସେ’ କାର୍ଯ୍ୟ କୁନି ଜେକଲା ବୋଲି ପ୍ରକାଶ କରେ। “ମୁଁ” ର ଉତ୍ପତ୍ତି ହେଲା ନୈସର୍ଗିକ। ତେଣୁ “ମୁଁ” ହେଲା ଅନ୍ତରର ଇଚ୍ଛା। ଇଚ୍ଛାର ଅଧିଷ୍ଠାତା ହେଲେ ହୃଦଗତ ଈଶ୍ଵର, ମଣିଷର ଅନ୍ତର୍ନିହିତ ଚେତନା ଶକ୍ତି। ଶରୀର ହେଲା ବସ୍ତୁ। ବସ୍ତୁର ଗୁଣ ଅଛି । ସେ ଗୁଣକୁ “ମୁଁ” ଆବୋରି ନିଏ, କିନ୍ତୁ ସ୍ଵଭାବତଃ ଅଲଗା ଥାଏ । ବସ୍ତୁ କ୍ଷୟରେ “ମୁଁ” କ୍ଷୟ ହୁଏ ନାହିଁ, ବସ୍ତୁର ଯାହା ରୂପ ହେଲେ ହେଁ ତାର ପ୍ରକାଶ ହେଲା “ମୁଁ”।
ଇଆଡେ “ତୁ” ର ଭାବକୁ “ମୁଁ” ନିର୍ଣ୍ଣୟ କରେ ଏବଂ ତା’କୁ ଗୁଣ ଦିଏ। ଏ’ ହେଲା ସମ୍ପର୍କ ଭାବ। ଏହି ଭାବରେ “ତୁ” ର ସ୍ଥାନ ନିରୂପଣ ହୁଏ। “ତୁ” ର ଅନ୍ୟ ପ୍ରତିଶବ୍ଦ ହେଲେ “ତୁମେ” ଓ “ଆପଣ”। ଏ ସବୁ “ମୁଁ” ଠାରୁ ଦୂରତ୍ଵ ଅନୁସାରେ। ଯିଏ ସାଙ୍ଗରେ ସବୁବେଳେ ରହିଲା, ସେ’ ହେଲା “ତୁ”, ଯାହାର ସାନ୍ନିଧ୍ୟ ଉପରେ “ମୁଁ” ର ଆୟତ୍ତ ନାହିଁ ସେ’ ହେଲା “ତୁମେ”, ଯାହାର ସାନ୍ନିଧ୍ୟ କୁ ଆଶା କରି ସମ୍ମାନ ଦିଆଯାଏ, ତା’ହେଲା“ଆପଣ”। ଏ ସମସ୍ତେ “ମୁଁ” ଠାରୁ ଅଲଗା। ଓଡ଼ିଆରେ “ମୁଁ” ହେଲା ପ୍ରଥମ ପୁରୁଷ, “ତୁ”,“ତୁମେ” ଓ “ଆପଣ” ହେଲେ ଦ୍ଵିତୀୟ ପୁରୁଷ। ସଂସ୍କୃତରେ “ଆପଣ” ହେଲା ତୃତୀୟ ପୁରୁଷ।
ଏହି ତୃତୀୟ ପୁରୁଷ ହେଲା “ମୁଁ” ଆଉ “ତୁ”ର ପରିଧିର ବାହାରେ। ଏହାର ଅକ୍ଷର ଉଚ୍ଚାରଣ ହେଲା “ସ”। “ସେ”, “ସିଏ” ଇତ୍ୟାଦିର ପ୍ରଚଳନ ଅଛି। “ମୁଁ” ଓ “ତୁ” ଗୋଟିଏ ବାଟରେ ଯାନ୍ତି, “ସ” ଅଲଗା ବାଟରେ ଯାଏ। ଯାହାର ଅବଲମ୍ବନରେ “ମୁଁ” ଚଳେ, ସେ’ ହେଲା “ତୁ”। ଯାହାକୁ“ମୁଁ”ଖୋଜେ, ତା’ହେଲା“ସେ”।
“ତା’’ ବା “ତାହା” ହେଲା “ସେ” ର ଅନ୍ୟ ରୂପ। ଯାହାକୁ ଆମେ “ସେ” ବୋଲି ବୁଝୁଛୁ, ତା’କୁ ହିଁ “ତାହା” କୁହାଗଲା। “ଯାହାକୁ”ହେଲା ଆଉ ଗୋଟିଏ ସର୍ବନାମ। ଏହାପଛରେ ବସ୍ତୁ ନଥାଇ ପାରେ, ବସ୍ତୁର ଅବସ୍ଥା ଥାଇ ପାରେ। ଏଗୁଡିକୁ ବୋଲି ସଂକ୍ଷେପରେ ଯାହା କୁହାଯାଇପାରେ। “ଏ’ ଗୁଡିକୁ କହିଲୁ” – ଏହି ବାକ୍ୟରେ “ଏ’ଗୁଡିକୁ” ହେଲା ଏଠାରେ ଥିବା ବାକ୍ୟରେ ବୁଝାଯାଉଥିବା ଅର୍ଥଗୁଡ଼ିକ। ଏଠାରେ କୌଣସି ନିର୍ଦ୍ଦିଷ୍ଟ ବସ୍ତୁକୁ ବୁଝାଉନାହିଁ। ଯେକୌଣସି ସ୍ଥାନରେ “ମୁଁ” ର ଉପସ୍ଥିତି ଅଛି, ତା’ ହେଲା “ଏଠାରେ” – ଅର୍ଥ “ଏହି ସ୍ଥାନରେ”। “କିଏ” ଓ “କଣ” ହେଲା ଆଉ ଦୁଇଟି ସର୍ବନାମ। ଏ’ ହେଲା ପ୍ରଶ୍ନବାଚୀ, ବସ୍ତୁଖୋଜା। ଧର୍ମଗ୍ରନ୍ଥରେ “ମୁଁ” କିଏ ବୋଲି ମଧ୍ୟ ପଚରାଯାଏ। “ମୁଁ” ଓ “ଈଶ୍ଵର” ଭିନ୍ନ ନା ଅଭିନ୍ନତା’ ଖୋଜିବାକୁ ହୁଏ।
ବସ୍ତୁର ଅନିର୍ଦ୍ଦିଷ୍ଟତା ହେଲା “ସର୍ବନାମ”। “ସର୍ବନାମ” ପଛରେ କିଛିବସ୍ତୁ, ଗୁଣବାଭାବ ଅଛି। କିନ୍ତୁ ତାହା ସ୍ଥାନିକ, କେବଳ କଥା ପ୍ରକାଶ ପାଇଁ। “ସର୍ବନାମ” ହେଲା ଲୌକିକ, ଏ’ହେଲା କେବଳ ଏକ ସଂକେତ। କିନ୍ତୁ ଭାଷା ଓ କଥା ପାଇଁ, ବିଶ୍ଵରେ ଭାବ ପ୍ରକାଶ ପାଇଁ “ସର୍ବନାମ” ନିହାତି ଆବଶ୍ୟକ। “ତୁ” କୁ ଛାଡି ଦେଲେ “ମୁଁ” ଅନ୍ୟର ଆଶ୍ରା ଖୋଜିବା ହେଲା ଭାରତୀୟ ଦର୍ଶନ।