ଓଡ଼ିଶାଲାଇଭ୍ ବ୍ୟୁରୋ
ମର୍ସିଡିଜ ବେଞ୍ଜ ଭଳି ଏକ ଦାମୀ କାର ଦୁର୍ଘଟଣାରେ ଶିଳ୍ପୋଦ୍ୟୋଗୀ ସାଇରସ ମିସ୍ତ୍ରୀଙ୍କର ମୃତ୍ୟୁ ହେବା ପରେ କାରରେ ରହିଥିବା ସିଟ୍ ବେଲ୍ଟ ଏବଂ ଏୟାରବ୍ୟାଗର ଭୂମିକା ଏବଂ ସୁରକ୍ଷାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।
ସିଟ୍ ବେଲ୍ଟ ପିନ୍ଧି ନଥିବାରୁ ସାଇରସ ମିସ୍ତ୍ରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଦାମୀ କାରଗୁଡ଼ିକରେ ରହିଥିବା ସେଫ୍ଟି ଫିଚର୍ସକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ଏକ ସର୍ଭେରୁ ଜଣାପଡ଼ିଛି ଭାରତରେ ୧୦ରୁ ୭ ଜଣ ଯାତ୍ରୀ କାର ପଛରେ ବସିବା ସମୟରେ ସିଟ ବେଲ୍ଟ ପିନ୍ଧନ୍ତି ନାହିଁ। ଏହି ସର୍ଭେରେ ୧୦,୦୦୦ରୁ ଅଧିକ ଲୋକଙ୍କୁ ସିଟ ବେଲ୍ଟ ପିନ୍ଧିବା ଉପରେ ପ୍ରଶ୍ନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ମାତ୍ର ୨୬ ପ୍ରତିଶତ ଲୋକ ପଛ ସିଟରେ ବସି ଯାତ୍ରା କରିବା ସମୟରେ ସିଟ୍ ବେଲ୍ଟ ପିନ୍ଧିଥାଆନ୍ତି ବୋଲି କହିଥିଲେ।
ଶିଳ୍ପୋଦ୍ୟୋଗୀ ସାଇରସ ମିସ୍ତ୍ରୀ ପିନ୍ଧି ନଥିଲେ ସିଟ ବେଲ୍ଟ
ରବିବାର ଦିନ ସଡ଼କ ଦୁର୍ଘଟଣାରେ ଶିଳ୍ପୋଦ୍ୟୋଗୀ ସାଇରସ ମିସ୍ତ୍ରୀଙ୍କର ଦେହାନ୍ତ ହୋଇଥିଲା। ସେ କାରର ପଛ ସିଟରେ ବସିଥିଲେ ଏବଂ ସିଟ୍ ବେଲ୍ଟ ପିନ୍ଧି ନଥିଲେ। ତାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେ ମଧ୍ୟ ସିଟ ବେଲ୍ଟ ପିନ୍ଧିନଥିଲେ। କିନ୍ତୁ କାର ଚଲାଉଥିବା ମହିଳା ଏବଂ ତାଙ୍କ ସ୍ଵାମୀ ଆଗ ସିଟରେ ବସିବା ସହ ସିଟ୍ ବେଲ୍ଟ ପିନ୍ଧି ଥିଲେ। ଉଭୟଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ଜୀବତ ଅଛନ୍ତି। ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଦାମୀ କାର ସହ ଅନ୍ୟାନ୍ୟ କାରଗୁଡ଼ିକରେ ରହିଥିବା ସେଫ୍ଟି ଫିଚର୍ସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସିଟ୍ ବେଲ୍ଟ ହେଉଛି ବେସିକ୍ ସେଫ୍ଟି ଫିଚର
ସିଟ୍ ବେଲ୍ଟ ହେଉଛି କାରର ସେଫ୍ଟି ଫିଚର୍ସ ମଧ୍ୟରୁ ଗୋଟିଏ। ଅନେକ ଦେଶରେ ଚାଳକ ସହିତ ଅନ୍ୟ ଯାତ୍ରୀମାନଙ୍କ ପାଇଁ ସିଟ ବେଲ୍ଟ ପରିଧାନ ବାଧ୍ୟତାମୂଳକ ରହିଛି। ଯେଉଁମାନେ ଏହାର ଖିଲାପ କରନ୍ତି ସେମାନଙ୍କ ପାଇଁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାର ବ୍ୟବସ୍ଥା ମଧ୍ୟ ରହିଛି। କାରରେ ରହିଥିବା ଏୟାରବ୍ୟାଗ ସିଟ୍ ବେଲ୍ଟ ହିସାବରେ ଡିଜାଇନ କରାଯାଇଛି। ଅର୍ଥାତ୍ ଯେଉଁମାନେ ସିଟ୍ ବେଲ୍ଟ ପିନ୍ଧି ଥାନ୍ତି, ଦୁର୍ଘଟଣା ସମୟରେ କେବଳ ସେହିମାନଙ୍କୁ ହିଁ ଏୟାରବ୍ୟାଗ ସୁରକ୍ଷା ପ୍ରଦାନ କରିଥାଏ।
ଯାତ୍ରା ସମୟରେ ସିଟ ବେଲ୍ଟର ଆବଶ୍ୟକତା
କାରରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ସିଟ୍ ବେଲ୍ଟ ପିନ୍ଧିବା ଜରୁରି। ଆଗ ସିଟ୍ ହେଉ କିମ୍ବା ପଛ ସିଟରେ ବସିଥିବା ଯାତ୍ରୀ, ସମସ୍ତଙ୍କୁ ଯାତ୍ରା ସମୟରେ ସିଟ ବେଲ୍ଟ ଲଗାଇବା ଆବଶ୍ୟକ। କାରଣ ଏହା ବହୁ ମାତ୍ରାରେ ଦୁର୍ଘଟଣା ସମୟରେ ସୁରକ୍ଷା ଦେଇଥାଏ। ସବୁଠାରୁ ବଡ଼ କଥା ହେଲା ସିଟ୍ ବେଲ୍ଟ ଏବଂ ଏୟାରବ୍ୟାଗ ଏକା ସାଙ୍ଗରେ ହିଁ କାମ କରିଥାଏ। ଭାରତରେ ଚାଲିଥିବା ଅଧିକାଂଶ କାରରେ ଦୁଇଟି ଏୟାରବ୍ୟାଗ ସହ ଆଗ ଓ ପଛ ସିଟରେ ବେଲ୍ଟ ବ୍ୟବସ୍ଥା ରହିଛି। ଦୁର୍ଘଟଣା ସମୟରେ ଉଭୟ ସିଟ୍ ବେଲ୍ଟ ଏବଂ ଏୟାରବ୍ୟାଗ ଜୀବନ ରକ୍ଷା କରିବାରେ ସହାୟକ ହୋଇଥାନ୍ତି। କାରର ଯେଉଁସ୍ଥାନରେ ଏୟାର ବ୍ୟାଗ ରହିଥାଏ ସେଠାରେ ଏସଆରଏସ (ସପ୍ଲିମେଣ୍ଟାରି ରିଷ୍ଟ୍ରେନିଂ ସିଷ୍ଟମ) ଲେଖା ହୋଇଥାଏ। ସିଟ୍ ବେଲ୍ଟ ପିନ୍ଧିଲେ ହିଁ ଏୟାର ବ୍ୟାଗ କାମ କରିଥାଏ।
କେମିତି କାମ କରିଥାଏ ସିଟ ବେଲ୍ଟ ଏବଂ ଏୟାରବ୍ୟାଗ?
ଏୟାରବ୍ୟାଗ ଅନେକ ସେନ୍ସର ଦ୍ଵାରା ନିୟନ୍ତ୍ରିତ ହୋଇଥାଏ। ଯେମିତିକି ଇମ୍ପାକ୍ଟ ସେନ୍ସର, ପ୍ରେସର ସେନ୍ସର ଏବଂ ବ୍ରେକ ପ୍ରେସର ସେନ୍ସର ଆଦି। ସିଟ ବେଲ୍ଟ ଏବଂ ଏୟାରବ୍ୟାଗ ମଧ୍ୟରେ କୌଣସି ବୈଦ୍ୟୁତିକ ସଂଯୋଗ ନଥିଲେ ମଧ୍ୟ ଦୁର୍ଘଟଣା ସମୟରେ ଏୟାରବ୍ୟାଗ ମୁଣ୍ଡ, ମୁହଁ ଏବଂ ଛାତିକୁ ସୁରକ୍ଷିତ ରଖିଥାଏ। ଏହା ସହିତ ସିଟ୍ ବେଲ୍ଟ ପିନ୍ଧିବା ଦ୍ଵାରା ଦୁର୍ଘଟଣା ଯେତେ ଜୋରଦାର ହେଲେ ମଧ୍ୟ ଏହା ଯାତ୍ରୀକୁ ସିଟରେ ସ୍ଥିର ରଖିବାରେ ସହାୟକ ହୋଇଥାଏ।
ପ୍ରତି କାରରେ ୬ଟି ଏୟାରବ୍ୟାଗ ରଖନ୍ତୁ କାର ନିର୍ମାଣକାରୀ କମ୍ପାନି: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ
କାରଗୁଡ଼ିକର ସୁରକ୍ଷା ଏବଂ ଏୟାରବ୍ୟାଗ ବ୍ୟବସ୍ଥା ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସେ କହିଛନ୍ତି କାର ନିର୍ମାଣକାରୀ କମ୍ପାନି କାରରେ ୬ଟି ଏୟାରବ୍ୟାଗ ରଖନ୍ତୁ। ସମାନ କମ୍ପାନିଗୁଡ଼ିକ ବିଦେଶକୁ ୬ଟି ଏୟାରବ୍ୟାଗ ଥିବା କାର୍ ଯୋଗାଉ ଥିବାବେଳେ ଭାରତକୁ ଯୋଗାଉଥିବା କାରଗୁଡ଼ିକରେ ମାତ୍ର ୪ଟି ଏୟାରବ୍ୟାଗ ରହୁଛି।
ପରିବହନ ମନ୍ତ୍ରୀ କହିଛନ୍ତି ଭାରତୀୟଙ୍କ ଜୀବନ ଶସ୍ତା ନୁହେଁ। କାର ନିର୍ମାଣକାରୀ କମ୍ପାନି ଭାରତକୁ ଯୋଗାଉଥିବା କାରରେ ୬ଟି ଏୟାରବ୍ୟାଗ ଖଞ୍ଜିବା ସହ ଗୋଟିଏ ଏୟାରବ୍ୟାଗର ମୂଲ୍ୟ ୯୦୦ ଟଙ୍କା ମଧ୍ୟରେ ରଖିବାକୁ କହିଛନ୍ତି। ଭାରତରେ ସବୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ନୀତିନ ଗଡ଼କରୀ।
ସୁରକ୍ଷିତ ଯାତ୍ରା ନିମନ୍ତେ କାର ଯାତ୍ରୀମାନେ ଆଗରେ ବସନ୍ତୁ କିମ୍ବା ପଛ ସିଟରେ ବସନ୍ତୁ ସେମାନେ ସିଟ୍ ବେଲ୍ଟ ପିନ୍ଧିବା ଆବଶ୍ୟକ। କାରଣ ଏହା ଦ୍ଵାରା ମୂଲ୍ୟବାନ ଜୀବନ ସୁରକ୍ଷିତ ରହିପାରିବ।
Tags: #CarSafety #SafetyFactor #Airbag #SeatBelt #RoadSafety