ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସ୍ତ୍ରୀର ଦ୍ୱିତୀୟ ବିବାହକୁ ସହି ପାରିଲାନି ସ୍ୱାମୀ
  • ସ୍ୱାମୀ ସାଜିଲା ବଇରି
  • କୋର୍ଟ ପରିସରରେ ସ୍ତ୍ରୀକୁ ଗୋଡ଼ା ଗୋଡ଼ାଇ ହାଣିଲା ସ୍ୱାମୀ
  • ପ୍ରେମ ବିବାହ କରିଥିଲେ ରମେଶ-ସଙ୍ଗୀତା

ସମ୍ବଲପୁର ଫ୍ୟାମିଲିକୋର୍ଟ ପରିସରରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ପ୍ରେମିକାରୁ ସାତ ଜନ୍ମର ସାଥୀ ପାଲଟିଥିବା ସଙ୍ଗୀତା ଚୌଧୁରୀକୁ ତାଙ୍କ ସ୍ୱାମୀ ରମେଶ କୁମ୍ଭାର ଖଣ୍ଡାରେ ହାଣିଛନ୍ତି। ଫଳରେ ଛଟପଟ ହୋଇ ସଙ୍ଗୀତା ଆର ପାରିକୁ ଚାଲି ଯାଇଛନ୍ତି।

ସଙ୍ଗୀତାଙ୍କୁ ପ୍ରେମ ବିବାହ କରିଥିଲେ ରମେଶ। ସଙ୍ଗୀତାଙ୍କ ଘର ଲୋକ ଏହି ବିବାହକୁ ବିରୋଧ କରିଥିଲେ ବି ଅଟକି ନଥିଲା ଏହି ପବିତ୍ର ବନ୍ଧନ। ହୋମନିଆଁକୁ ସାକ୍ଷୀ ରଖି ରମେଶଙ୍କ ହାତ ଧରିଥିଲେ ସଙ୍ଗୀତା। ହସଖୁସିରେ ତାଙ୍କ ଦାମ୍ପତ୍ୟ ଜୀବନ ଚାଲିଥିଲା। ହେଲେ ହଠାତ୍ କୌଣସି ଗୋଟିଏ କାରଣ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗିଥିଲା ଝଗଡ଼ା। ଏହି ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା। ପ୍ରେମ କରି ବାହା ହୋଇଥିବା ସଙ୍ଗୀତା ଶେଷରେ ରମେଶକୁ ଛାଡ଼ି ବାପ ଘରକୁ ଚାଲି ଆସିଲା।

ରମେଶ ଏବଂ ସଙ୍ଗୀତାଙ୍କ ଭିତରେ ଥିବା ମନୋମାଳିନ୍ୟ ଦୂର କରିବା ପାଇଁ ଉଭୟ ପକ୍ଷର ଲୋକେ ଉଦ୍ୟମ କରିଥିଲେ। ହେଲେ ସମସ୍ୟା ସମାଧାନ ହୋଇ ନଥିଲା। ବିବାଦ ସମାଧାନ ହେଉ ବୋଲି ଝିଅ ପକ୍ଷର ଲୋକେ ଚାହୁଁ ନଥିଲେ। ଏହି ସୁଯୋଗରେ ସଙ୍ଗୀତାର ବାପା, ଭାଇ ବିହାରର ଜଣେ ଯୁବକଙ୍କ ସହ ସଙ୍ଗୀତାଙ୍କର ଦ୍ୱିତୀୟ ବାହାଘର କରିଥିଲେ। ହେଲେ ଏହାକୁ ଗ୍ରହଣ କରିପାରି ନଥିଲେ ରମେଶ। ସ୍ତ୍ରୀ ସଙ୍ଗୀତାଙ୍କୁ ପାଇବା ପାଇଁ ପାଗଳ ହୋଇଯାଇଥିଲେ।

ସଙ୍ଗୀତାଙ୍କୁ ପାଇବା ପାଇଁ ରମେଶ ସମ୍ବଲପୁର ଫ୍ୟାମିଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାମଲା ଫ୍ୟାମିଲ କୋର୍ଟରେ ଚାଲିଥିଲା। କୋର୍ଟରେ ପକ୍ଷ ରଖିବା ପାଇଁ ଆଜି ଥିଲା ତାରିଖ। ଏଥିପାଇଁ ସଙ୍ଗୀତା ତାଙ୍କ ବାପା, ମାଆ, ଝିଆରୀଙ୍କ ସହ ଆସିଥିଲେ କୋର୍ଟକୁ। କୋର୍ଟ ପରିସରରେ ସଙ୍ଗୀତାଙ୍କୁ ବସାଇ ଆଇନଜୀବୀଙ୍କ ସହ କଥା ହେବାକୁ ଯାଇଥିଲେ ସଙ୍ଗୀତାଙ୍କ ବାପା। ଏହି ସମୟରେ ରମେଶ ଖଣ୍ଡା ଧରି କୋର୍ଟ ପରିସରକୁ ଆସି ସଙ୍ଗୀତାଙ୍କୁ ଆକ୍ରମଣ କରିଥିଲେ।

ସଙ୍ଗୀତା ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ। ହେଲେ ରମେଶ ଖଣ୍ଡ ଧରି ସଙ୍ଗୀତାଙ୍କ ପଛରେ ଗୋଡ଼ାଇଥିଲେ। ଆଉ ବାରମ୍ବାର ଚୋଟ ପକାଇଥିଲେ। ଏଥିରେ ଗୁରୁତର ହୋଇଯାଇଥିଲେ ସଙ୍ଗୀତା। କୋର୍ଟ ପରିସରରେ ଆଇନ୍‌ଜୀବୀ ଏବଂ ସାଧାରଣ ଲୋକ ରମେଶକୁ କାବୁ କରି ନେଇଥିଲେ। ସମ୍ବଲପୁର ସଦର ମେଡିକାଲରେ ସଙ୍ଗୀତାଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସଙ୍ଗୀତାଙ୍କର ମୃତ୍ୟୁ ଘଟିଛି।

ପୋଲିସ କୋର୍ଟରେ ପହଞ୍ଚି ରମେଶକୁ ଅଟକ ରଖି ପଚରା ଉଚରା ଚଳାଇଛି।

LEAVE A REPLY

Please enter your comment!
Please enter your name here