ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରରେ ପୁଣି ଜୀବନ ନେଇଛି ବିଷାକ୍ତ ମଦ। ଗତ ଦୁଇ ଦିନରେ ବିଷାକ୍ତ ମଦ ପିଇ ବିହାରରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।

ବିହାରର ସିୱାନ ଓ ସାରଣ ଜିଲ୍ଲାରେ ବିଷାକ୍ତ ମଦ ଜନିତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ସିୱାନରେ ୧୬ ଜଣ ଓ ସାରଣ ଜିଲ୍ଲାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅକ୍ଟୋବର ୧୫ ତାରିଖରେ ସିୱାନ ଜିଲ୍ଲାରେ ପ୍ରଥମ ଘଟଣା ସାମ୍ନାକୁ ଆସିଥିଲା। ଏହି ମାମଲା ପରେ ସମ୍ପୃକ୍ତ ଅଞ୍ଚଳକୁ ଏକ ଡାକ୍ତରୀ ଟିମ୍ ପଠାଯାଇଥିଲା।

ସିୱାନର ଏକ ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି ଯେ, “ପୀଡ଼ିତମାନେ ମଙ୍ଗଳବାର ରାତିରେ ବିଷାକ୍ତ ମଦ ପିଇଥିଲେ। ଏହାପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ବାଟରେ ମୃତ୍ୟୁ ହୋଇଥିଲା।”

ଅନ୍ୟପଟେ ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ସ୍ଥାନୀୟ ପୋଲିସ ଷ୍ଟେସନର ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯିବ ବୋଲି ସିୱାନର ଜିଲ୍ଲାପାଳ କହିଛନ୍ତି।

Tags: #HoochTragedy #AlcoholPoisoning #Deaths #Siwan #Bihar

LEAVE A REPLY

Please enter your comment!
Please enter your name here