ମିନତି ମିଶ୍ର

ସାଇବର ଅପରାଧୀଙ୍କ ନୂଆ ଅସ୍ତ୍ର ପାଲଟିଛି ‘ଡିଜିଟାଲ ଆରେଷ୍ଟ’। ଏହା ମାଧ୍ୟମରେ ଲୋକଙ୍କୁ ଠକି ଲୁଟି ନେଉଛନ୍ତି କୋଟି କୋଟି ଟଙ୍କା। ଏହି ଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵରରେ। ଗୁରୁବାର ଦିନ ଜୟଦେବ ବିହାର ଅଞ୍ଚଳର ଜଣେ ମହିଳାଙ୍କୁ ‘ଡିଜିଟାଲ ଆରେଷ୍ଟ’ କରି ତାଙ୍କଠାରୁ ୨.୯୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ।

ସାଇବର ଅପରାଧୀମାନେ ନିଜକୁ ମୁମ୍ବାଇ ପୋଲିସର ପରିଚୟ ଦେଇ ମହିଳାଙ୍କ ନାଁରେ ଥିବା ସିମ୍ କାର୍ଡ ଅପରାଧିକ କାମରେ ବ୍ୟବହାର କରାଯାଉଥିବା ଦର୍ଶାଇ ଭୟଭୀତ କରାଇଥିଲେ। ପରେ ମହିଳାଙ୍କୁ ଭିଡିଓ କଲ କରି ତାଙ୍କୁ ‘ଡିଜିଟାଲ ଆରେଷ୍ଟ’ ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୬୮୦ କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ଜଡ଼ିତ ଥିବା ଦର୍ଶାଇ ଥିଲେ ସାଇବର ଠକ।  ୭୨ ଘଣ୍ଟାରୁ ଅଧିକ ସମୟ ଧରି ଭିଡିଓ କଲ ମାଧ୍ୟମରେ ମହିଳାଙ୍କୁ ଜଗିଥିଲେ। ଏହା ପରେ ମହିଳାଙ୍କ ବ୍ୟାଙ୍କ ଡିଟେଲ୍ସ ମାଗିବା ସହ ଟଙ୍କା ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମହିଳା ଜଣକ ସେମାନଙ୍କ କଥାରେ ୨.୯୮ ଲକ୍ଷ ଟଙ୍କା ପଠାଇଥିଲେ।

ପରେ ଅଫିସ କାମ ଅଛି କହି ମହିଳା ଜଣକ ଘଣ୍ଟାଏ ସମୟ ମାଗି ସେଠାରୁ ବାହାରକୁ ଆସିବାକୁ ସଫଳ ହୋଇଥିଲେ। ଏହା ପରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

ସାଇବର ଠକଙ୍କ ଟାର୍ଗେଟରେ ବଡ଼ବଡ଼ିଆ

ଓଡ଼ିଶା ବ୍ୟତୀତ ଭାରତର ବିଭିନ୍ନ ସ୍ଥାନରେ ଏବେ ବଢ଼ିଚାଲିଛି ସାଇବର ଠକେଇ। ଡିଜିଟାଲ ଆରେଷ୍ଟ ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଶୁକ୍ରବାର ଦିନ ନୋଏଡ଼ାରୁ ଆସିଛି ସମାନ ଅଭିଯୋଗ। ଜଣେ ଅବସର ପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ୪ ଦିନ ଧରି ‘ଡିଜିଟାଲ ଆରେଷ୍ଟ’ କରି ସାଇବର ଅପରାଧୀମାନେ ୧.୧୯ କୋଟି ଟଙ୍କା ଲୁଟି ନେଇଛନ୍ତି। ସାଇବର ଲୁଟେରାମାନେ ତାଙ୍କୁ ସିବିଆଇ ଅଫିସରଙ୍କ ପରିଚୟ ଦେଇ ୩୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ କରିଥିବା ନେଇ ଡରାଇଥିଲେ। ଏହା ପରେ ତାଙ୍କୁ ଡିଜିଟାଲ ଆରେଷ୍ଟ ହେବା ପାଇଁ ବାଧ୍ୟ କରିଥିଲେ।

କେବଳ ସେତିକି ନୁହେଁ ଗୁରୁବାର ଦିନ ଅହମ୍ମଦାବାଦରେ ଜଣେ ୨୭ ବର୍ଷୀୟ ଯୁବତୀ ସାଇବର ଅପରାଧୀଙ୍କ ଜାଲରେ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ନିଶା କାରବାର ମାମଲାରେ ଯୁବତୀ ଜଣଙ୍କ ସମ୍ପୃକ୍ତ ଥିବା ଦର୍ଶାଇ ତାଙ୍କୁ ଡିଜିଟାଲ ଆରେଷ୍ଟ ହେବା ପାଇଁ କୁହାଯାଇଥିଲା। ତା’ ପରେ ଯୁବତୀଙ୍କୁ ଭୟଭୀତ କରି ଟଙ୍କା ପଠାଇବାକୁ କୁହାଯାଇଥିଲା। ଯୁବତୀ ଜଣକ ୫ ଲକ୍ଷ ଟଙ୍କା ସାଇବର ଅପରାଧୀଙ୍କୁ ଅନଲାଇନ ମାଧ୍ୟମରେ ଟ୍ରାନ୍ସଫର କରିଥିଲେ।

ସେହିପରି ହାଇଦ୍ରାବାଦର ଜଣେ ବୟସ୍କ ମହିଳାଙ୍କୁ ଶୁକ୍ରବାର ଦିନ ଡିଜିଟାଲ ଆରେଷ୍ଟ କରି ୧୩.୯ ଲକ୍ଷ ଲୁଟି ନେଇଛନ୍ତି ସାଇବର ଅପରାଧୀ। ନିଜକୁ ପୋଲିସର ପରିଚୟ ଦେଇ ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରିବା ସହ ତାଙ୍କଠାରୁ ଟଙ୍କା ଲୁଟି ଥିଲେ।

’ଣ ଏହି ଡିଜିଟାଲ ଆରେଷ୍ଟ?

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଦୂରରେ ଥାଇ କେମିତି କରାଯାଏ ଆରେଷ୍ଟ। ସାଧାରଣତଃ ପୋଲିସ ଅପରାଧୀମାନଙ୍କୁ ଆରେଷ୍ଟ କରିଥାଏ। ତେବେ ଅନଲାଇନ ମାଧ୍ୟମରେ କାହାକୁ ଅଟକ ରଖିବାକୁ ‘ଡିଜିଟାଲ ଆରେଷ୍ଟ’ ବୋଲି କୁହାଯାଏ।

ସାଇବର ଅପରାଧୀମାନେ ପ୍ରଥମେ ଏକ ଅଜଣା ନମ୍ବରରୁ ଫୋନ ଟାର୍ଗେଟରେ ବ୍ୟକ୍ତିଙ୍କୁ କଲ୍ କରିଥାନ୍ତି। ସମ୍ପୃକ୍ତ ବ୍ୟକ୍ତି କଲ୍ ରିସିଭ୍ କରିବା ପରେ ନିଜକୁ ପୋଲିସ ବା ସିବିଆଇର ପରିଚୟ ଦେଇ କଥାବାର୍ତ୍ତା ଆରମ୍ଭ କରିଥାନ୍ତି। ଏହା ପରେ ବ୍ୟକ୍ତି ଜଣଙ୍କୁ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା କହି ଭୟଭୀତ କରାନ୍ତି। ଭଏସ କଲ୍ କାଟି ସାଙ୍ଗେ ସାଙ୍ଗେ ଟାର୍ଗେଟରେ ଥିବା ବ୍ୟକ୍ତିଙ୍କୁ ଭିଡିଓ କଲ୍ କରନ୍ତି। ଏହା ପରେ ମୋବାଇଲ ସ୍କ୍ରିନ ସାମ୍ନାରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହଲିବାକୁ ଦେଇ ନଥାନ୍ତି। ଭୟଭୀତ କରାଇ ସେମାନେ ଅନଲାଇନ ମାଧ୍ୟମରେ ଟଙ୍କା ଦେବାକୁ କହିଥାନ୍ତି।

‘ଡିଜିଟାଲ ଆରେଷ୍ଟ’ରୁ କେମିତି ବଞ୍ଚିବେ?

କୌଣସି ଅଜଣା ନମ୍ବରରୁ କଲ, ମେସେଜ ବା କୌଣସି ଲିଙ୍କ ଆସିଲେ ସାବଧାନ ରହିବା ଉଚିତ। ଅଜଣା ନମ୍ବରରୁ ଆସିଥିବା ଫୋନକଲରେ ଓଟିପି କିମ୍ବା ବ୍ୟାଙ୍କ ଡିଟେଲ୍ସ ବା ବ୍ୟକ୍ତିଗତ ତଥ୍ୟ ଦେବାରୁ ଦୂରେଇ ରହିବେ। ତଥ୍ୟ ପାଇଁ ସାଇବର ଅପରାଧୀମାନେ ନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ଟାର୍ଗେଟରେ ରହିଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ କରି ଟଙ୍କା ହଡପ କରିବାର ସମ୍ଭାବନା ରହିଛି।

ବେଳେବେଳେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କେ ବା ଦୁଇ ଟଙ୍କା କଟିଗଲେ, ଏହାକୁ ହାଲୁକା ଭାବେ ନନେଇ ସମ୍ପୃକ୍ତ ବ୍ୟାଙ୍କ ସହ ଯୋଗାଯୋଗ କରିବାର ଆବଶ୍ୟକତା ରହିଛି। ସଚେତନ ହେଲେ ଡିଜିଟାଲ ଆରେଷ୍ଟ ଭଳି ସାଇବର ଠକଙ୍କ କବଳରୁ ରକ୍ଷା ମିଳିପାରିବ।

ସାଇବର ଠକେଇର ଶିକାର ହେଉଥିବା ସନ୍ଦେହ ହେବା ମାତ୍ରେ ପୋଲିସର ସହାୟତା ନେବା ଆବଶ୍ୟକ ବୋଲି ଏକ୍ସପର୍ଟ କୁହନ୍ତି।

Tags: #DigitalArrest #CyberFraud #CyberCrime #Scam

LEAVE A REPLY

Please enter your comment!
Please enter your name here