ଓଡ଼ିଶାଲାଇଭ୍ ବ୍ୟୁରୋ

ଇରାନରେ ସରିଆ ଆଇନ ଅନ୍ତର୍ଗତ ମହିଳାଙ୍କ ପାଇଁ ଲାଗୁ କରାଯାଇଥିବା ଡ୍ରେସ କୋଡକୁ ନେଇ ଅନେକ ଦିନରୁ ଅସନ୍ତୋଷ ଲାଗି ରହିଛି। ଦେଶରେ ମହିଳାଙ୍କୁ ହିଜାବ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ମହିଳାମାନେ ଏହା ବିରୋଧରେ ସ୍ୱର ଉଠାଇ ଆସୁଛନ୍ତି। ନିକଟରେ ଇରାନର ଜଣେ ଛାତ୍ରୀ ରାସ୍ତାରେ ନିଜର ପୋଷାକ ଖୋଲି ହିଜାବକୁ ବିରୋଧ କରୁଥିବାର ଦେଖିବାକୁ ମିଳିଛି। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଇରାନର ତେହେରାନ ସ୍ଥିତ ଇସଲାମିକ୍ ଆଜାଦ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ରୀ ହିଜାବକୁ ନେଇ ନିଜର ଅଭିନବ ବିରୋଧ ପ୍ରଦର୍ଶନ କରିଥିଲେ। ଛାତ୍ରୀ ଜଣକ ୟୁନିଭର୍ସିଟି ବାହାରେ କେଶ ମୁକୁଳା କରି କେବଳ ଅନ୍ତର୍ବସ୍ତ୍ର ପିନ୍ଧି ବୁଲୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଅନେକ ଛାତ୍ରଛାତ୍ରୀ, ସିକ୍ୟୁରିଟି ଗାର୍ଡ ସେଠାରେ ଥିଲେ ମଧ୍ୟ ସେ କାହାକୁ ଖାତିର କରିନାହାନ୍ତି।

କିଛି ସମୟ ପରେ ଛାତ୍ରୀ ଜଣଙ୍କ ସିକ୍ୟୁରିଟି ଗାର୍ଡଙ୍କୁ କିଛି କହୁଥିବା ଓ ପରେ ବେପରୁଆ ଢଙ୍ଗରେ ସେଠାରେ ଏପାଖ ସେପାଖ ବୁଲୁଥିବା ଦେଖିବାକୁ ମିଳିଛି। ଇରାନର ସରିଆ ଆଇନ ଅନୁସାରେ ହୋଇଥିବା ଇସଲାମିକ ଡ୍ରେସ କୋଡକୁ ସେ ଖୋଲାଖୋଲି ବିରୋଧ କରିଛନ୍ତି। ଶେଷରେ ଇରାନର ପୋଲିସ ତାଙ୍କୁ ଗିରଫ କରିଥିଲା।

ତେବେ ବିଶ୍ଵବିଦ୍ୟାଳୟର ପ୍ରବକ୍ତା ଅମୀର ମହଜୋବ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, “ଉକ୍ତ ଛାତ୍ରୀଙ୍କୁ ଏବେ ପୋଲିସ ହିରାସତରେ ରଖାଯାଇଛି। ସେ ଗୁରୁତର ମାନସିକ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।”

ଅନ୍ୟପଟେ ଛାତ୍ରୀ ଜଣଙ୍କୁ ତାଙ୍କର ପୋଷାକ ପାଇଁ କିଛି ଦିନ ପୂର୍ବେ ଇରାନର ମୋରଲିଟି ପୋଲିସ ଅସଦାଚରଣ କରିଥିବା ସୋସିଆଲ ମିଡିଆ ୟୁଜର୍ସମାନେ ଦାବି କରିଛନ୍ତି। ଏହାପରେ ସେ ହିଜାବ ପିନ୍ଧିବାକୁ ବିରୋଧ କରି ଏପରି କରିଥିବା କୁହାଯାଉଛି। ଇରାନର ସରିଆ ଆଇନ ବିରୋଧରେ ଏଭଳି ପ୍ରଦର୍ଶନ ପାଇଁ ଉକ୍ତ ଛାତ୍ରୀଙ୍କୁ ଅନେକ ମହଲରୁ ପ୍ରଶଂସା ମିଳୁଛି।

ଇରାନରେ ୮୦ ଦଶକରୁ ସରିଆ ଆଇନ ଲାଗୁ ରହିଛି। ଏଥିରେ ମହିଳାଙ୍କୁ ହିଜାବ ପିନ୍ଧିବା ସହ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼ାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ନେଇ ଦେଶରେ ମହିଳାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଛି। ପୂର୍ବେ ଅନେକ ଥର ମହିଳାମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରି ରାସ୍ତାକୁ ଓହ୍ଲାଇଥିବା ନଜିର ରହିଛି। ଦିନକୁ ଦିନ ଏପରି ବିରୋଧୀର ସଂଖ୍ୟା ବଢ଼ିବାରେ ଲାଗିଛି।

୨୦୨୨ରେ ହିଜାବ ନିୟମକୁ ଉଲ୍ଲଘଂନ କରିଥିବା ଜଣେ ମହିଳାଙ୍କୁ ଜେଲରେ ରଖାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିବା ପରେ ଦେଶବ୍ୟାପୀ ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଇରାନର ସରକାର ଏବଂ ସୁରକ୍ଷାକର୍ମୀ ହିଂସାପୂର୍ଣ୍ଣ ଉପାୟରେ ଏହି ବିଦ୍ରୋହକୁ ଦମନ କରିଥିଲେ, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା। 

Tags: #HijabProtest #Irangirl #ShariaLaw #DressCode #Women #Iran

LEAVE A REPLY

Please enter your comment!
Please enter your name here