ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ପ୍ରଚଳିତ ପାନ୍ କାର୍ଡର ରୂପରେଖ ବଦଳିବାକୁ ଯାଉଛି। ଏଣିକି ସବୁ ପାନ୍ କାର୍ଡରେ କ୍ୟୁଆର କୋଡ୍ ରହିବ। ଏନେଇ କେନ୍ଦ୍ର କ୍ୟାବିନେଟରେ ପାନ୍ ୨.୦ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିପାଇଁ ୧,୪୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏବେ ଲୋକେ ସେମାନଙ୍କ ପୁରୁଣା ପାନ୍ କାର୍ଡକୁ ମାଗଣାରେ ନୂଆ କାର୍ଡରେ ଅପଗ୍ରେଡ୍ କରିପାରିବେ। ପୂର୍ବରୁ ଥିବା ପାନ୍/ଟାନ୍ ୧.୦ ଇକୋସିଷ୍ଟମର ଏହା ଏକ ପରିମାର୍ଜିତ ଏବଂ ଉନ୍ନତ ରୂପ ବୋଲି କୁହାଯାଇପାରିବ।
“ପାନ୍ ୨.୦ ପ୍ରକଳ୍ପର ଲକ୍ଷ୍ୟ ହେଉଛି ସହଜରେ ଏବଂ ଶୀଘ୍ର ଲୋକଙ୍କ ପାଖରେ ସେବାକୁ ପହଞ୍ଚାଇବା ଏବଂ କାମର ଗୁରବତ୍ତା ରକ୍ଷା କରିବା। ଏଥିସହିତ କରଦାତାଙ୍କ ପାଇଁ ପଞ୍ଜୀକରଣ ସେବାକୁ ଡିଜିଟାଲ ଫର୍ମାଟକୁ ରୂପାନ୍ତରିତ କରିବା। ଆର୍ଥିକ କାରବାରର ବିଭିନ୍ନ ସେବାକୁ ଅଧିକ ସହଜ କରିବା ଲାଗି ଏହି ପରିବର୍ତ୍ତନ କରାଯାଉଛି”, କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ଦେଶରେ ପାଖାପାଖି ୭୮ କୋଟି ପାନ୍ କାର୍ଡ ଜାରି କରାଯାଇଛି। ଏଥିମଧ୍ୟରୁ ୯୮ ପ୍ରତିଶତ ପାନ୍ ବ୍ୟକ୍ତିଗତ ବ୍ୟବହାର ପାଇଁ ପ୍ରଦାନ ରାଯାଇଛି। ପାନ୍ କାର୍ଡରେ ୧୦ ଅଙ୍କ ବିଶିଷ୍ଟ ଏକ ଆଲଫା ନ୍ୟୁମେରିକ୍ ନମ୍ବର ରହିଥାଏ। ଆର୍ଥିକ କାରବାର କ୍ଷେତ୍ରରେ ଭାରତୀୟଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଜରୁରୀ ଡକ୍ୟୁମେଣ୍ଟ।
Tags: #PANCard #PAN2.0 #IncomeTax #FinancialTransaction #India