ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାଟଣାରୁ ଯଶୋବନ୍ତ ପାଢ଼ୀ): ଡାକ୍ତରଙ୍କୁ ଭଗବାନ ବୋଲି କୁହାଯାଏ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ମାତ୍ର ୧୩ ମିନିଟରେ ୧୩ଟି ରେଳ ଷ୍ଟେସନ ଅତିକ୍ରମ କରି ଜଣେ ରୋଗୀର ଜୀବନ ବଞ୍ଚାଇଛନ୍ତି ହାଇଦ୍ରାବାଦର ଡାକ୍ତରୀ ଦଳ।
ହାଇଦ୍ରାବାଦର ଏଲବି ନଗରସ୍ଥିତ କାମିନେନି ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀଙ୍କୁ ଡାକ୍ତର ବ୍ରେନ ଡେଡ ଘୋଷଣା କରିଥିଲେ। ଏହା ପରେ ତାଙ୍କ ଫୁସଫୁସ ଓ ହୃଦୟକୁ ଲକଡ଼ି କା ପୁଲ ନିକଟସ୍ଥ ଗ୍ଲେନିଗଲ୍ସ ଗ୍ଲୋବାଲ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ ପାଇଁ ମେଟ୍ରୋ ଟ୍ରେନର ସହାୟତା ନେଇଥିଲେ ଡାକ୍ତରୀ ଦଳ।
ହାଇଦ୍ରାବାଦ ମେଟ୍ରୋ ରେଳ କର୍ତ୍ତୃପକ୍ଷ, ଏଲଆଣ୍ଡଟି କର୍ତ୍ତୃପକ୍ଷ, ଡାକ୍ତରୀ ଟିମ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏହା ଫୁସଫୁସ ଓ ହୃଦୟ ସ୍ଥାନାନ୍ତର ପ୍ରକ୍ରିୟା ସହଜ ହୋଇପାରିଥିଲା। ହାଇଦ୍ରାବାଦ ମେଟ୍ରୋ ରେଳ ଏକ ଡେଡିକେଟେଡ ଗ୍ରୀନ କରିଡର କରି ମାତ୍ର ୧୩ ମିନିଟ ସମୟ ମଧ୍ୟରେ ୧୩ କିଲୋ ମିଟର ମଧ୍ୟରେ ଥିବା ୧୩ଟି ଷ୍ଟେସନ ଅତିକ୍ରମ କରି ଗ୍ଲେନିଗଲ୍ସ ଗ୍ଲୋବାଲ ହସ୍ପିଟାଲରେ ପହଞ୍ଚି ଥିଲେ।
ସେଠାରେ ଚିକିତ୍ସାଧୀନ ଜଣେ ରୋଗୀଙ୍କଠାରେ ଫୁସଫୁସ ଓ ହୃଦୟ ପ୍ରତିରୋପଣ କରାଯାଇଥିଲା। ଜଣେ ମଣିଷ ଯୋଗୁଁ ଅନ୍ୟ ଜଣଙ୍କ ଜୀବନ ବଞ୍ଚି ପାରିଲା ବୋଲି ହାଇଦ୍ରାବାଦ ଡାକ୍ତରୀ ଦଳ କହିଛନ୍ତି।
Tags: #HeartTransplant #BrainDead #Hydrabad #MedicalTeam #India