ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ୍‌ ଅଭିଯୋଗରେ ଗିରଫ ହେଲେ ଓଡ଼ିଆ ଯୁବକ ହବିବୁର ରହମାନ। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସୀ (ଏନ୍‌ଆଇଏ) ହବିବୁରକୁ ଗିରଫ କରିଛି। ତାଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ।

ଲସ୍କର-ଇ-ତୋଇବା ଆତଙ୍କବାଦୀ ସଙ୍ଗଠନର ସେଖ୍ ଅବଦୁଲ ନଇମ୍‌ଙ୍କ ସହ ହବିବୁରର ଲିଙ୍କ୍ ଥିବା ଅଭିଯୋଗରେ ଗିରଫ ହୋଇଛି। ସାଉଦ ଆରବରୁ ହବିବୁର ଫେରୁଥିବା ବେଳେ ନୂଆଦିଲ୍ଲୀ ଏୟାରପୋର୍ଟରୁ ଏନଆଇଏ ଟିମ୍ କାବୁ କରି ନେଇଥିଲେ।

୨୦୦୭ରେ ସେଖ୍ ଅବଦୁଲ୍ ନଇମ୍ ଓରଫ୍ ନୋମି ଗିରଫ ହୋଇଥିଲା। ଦୁଇ ପାକିସ୍ତାନ ଏବଂ ଜଣେ କାଶ୍ମୀରର ଆତଙ୍କବାଦୀଙ୍କୁ ଭାରତ ଆସିବାରେ ସହଯୋଗ କରି ସେ ଗିରଫ ହୋଇଥିଲା। ୨୦୧୪ରେ କୋଲକାତାରୁ ମହାରାଷ୍ଟ୍ରର ଏକ କୋର୍ଟରେ ହାଜର କରିବା ପାଇଁ ନୋମିକୁ ଆଣିବା ବେଳେ ସେ ଫେରାର ହୋଇଯାଇଥିଲା।

ଭାରତରେ ଲସ୍କର-ଇ-ତୋଇବାର ସଙ୍ଗଠନକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ଏବଂ ଆତଙ୍କବାଦୀ ନୋମିକୁ ଆଶ୍ରୟ ଦେବା ଓ ପୋଲିସ ଆଖିରୁ ଲୁଚାଇବାରେ ସହଯୋଗ କରୁଥିଲା ହବିବୁର୍। ୨୦୧୭ରେ ପୁଣିଥରେ ଆତଙ୍କବାଦୀ ନୋମି ଗିରଫ ହୋଇଥିଲା। ନୋମି ସମେତ ହବିବୁର୍ ନାଁରେ ଏନଆଇଏ ଚାର୍ଜସିଟ୍ ଦାଖଲ କରିଥିଲା। ହବିବୁର୍‌କୁ ଗିରଫ କରିବା ପାଇଁ ୱାରେଣ୍ଟ ମଧ୍ୟ ଜାରୀ କରାଯାଇଥିଲା।

ସାଉଦ ଆରବରୁ ହବିବୁର୍ ଭାରତ ଆସୁଥିବା ଏନଆଇଏ ଜାଣିବାକୁ ପାଇଥିଲା। ଫଳରେ ତାକୁ ଧରିବା ପାଇଁ ଏନଆଇଏ ଟିମ୍ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜାଲ ବିଛାଇଥିଲେ। ହବିବୁର୍‌କୁ ଆଜି ପଟିଆଲ ହାଉସ କୋର୍ଟରେ ହାଜର କରାଯିବ।

LEAVE A REPLY

Please enter your comment!
Please enter your name here