ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ କଂଗ୍ରେସ ୱାର୍କିଂ କମିଟି ଗଠନ କରିଛନ୍ତି ସୋନିଆ ଗାନ୍ଧୀ। ତେବେ କମିଟିର ରୂପରେଖ ଆଉ ପରିବର୍ତ୍ତନକୁ ଦେଖିଲେ କେଉଁଠି ନା କେଉଁଠି ଚିଠି ଲେଖକଙ୍କ ବିରୋଧରେ ସୋନିଆ ଗାନ୍ଧୀ ପ୍ରତିଶୋଧ ନେଇଛନ୍ତି ବୋଲି ଦିଲ୍ଲୀରେ ଚର୍ଚ୍ଚା ହେଉଛି। ଯେଉଁ ନେତାମାନେ ଚିଠି ଲେଖା ଦଳର ନେତୃତ୍ୱ ନେଇଥିଲେ, ସେମାନଙ୍କ ମଧ୍ୟରୁ କାହାକୁ କମିଟିରୁ ବାହାର କରାଯାଇଛି ତ ଆଉ କାହାକୁ ନିଆଯାଇଥିଲେ ମଧ୍ୟ ତାଙ୍କୁ ଜଗିବା ପାଇଁ ବିରୋଧୀଙ୍କୁ ମଧ୍ୟ ୱାର୍କିଂ କମିଟିରେ ସ୍ଥାନ ଦିଆଯାଇଛି। ଆଉ କିଛି ଲୋକଙ୍କୁ କମିଟିରେ ସ୍ଥାନ ଦେଇ ମୁହଁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା। ୨୩ ଜଣ କଂଗ୍ରେସ ନେତା ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖିବାର ମାସକ ପରେ ଏ ୱାର୍କିଂ କମିଟି ବଦଳାଇ ଦେଇଛନ୍ତି  ସୋନିଆ।

ମନୋନୟନ ପ୍ରକ୍ରିୟାରେ କଂଗ୍ରେସ ୱାର୍କିଂ କମିଟିର ପରିବର୍ତ୍ତନ କରିଛନ୍ତି ସୋନିଆ। ଖାଲି ସେତିକି ନୁହେଁ, ବର୍ତ୍ତମାନ ଯେ ନିର୍ବାଚନ ପ୍ରକ୍ରିୟାରେ କମିଟି ଗଠନ ଗ୍ରହଣୀୟ ନୁହେଁ ବୋଲି ସୋନିଆ ପରୋକ୍ଷରେ ଜଣାଇଦେଇଛନ୍ତି। କମିଟିରେ ବିଭିନ୍ନ ପରିବର୍ତ୍ତନ କରି ବିଦ୍ରୋହୀଙ୍କୁ ଦବାଇବା ସହ ଆଉ କିଛି ଲୋକଙ୍କୁ ଉପହାର ଦେଇ ଚୁପ୍ କରାଇଛନ୍ତି ବୋଲି ଦିଲ୍ଲୀରେ ଚର୍ଚ୍ଚା ହେଉଛି। ବିଦ୍ରୋହୀଙ୍କ ମଧ୍ୟରୁ ମୁକୁଲ ୱାସନିକଙ୍କୁ କମିଟିରେ ସ୍ଥାନ ଦେଇଛନ୍ତି।  ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ପାଇଁ ଏକେ ଆଣ୍ଟୋନୀ, ଅହମ୍ମଦ ପଟେଲ ଓ ଅମ୍ବିକା ସୋନୀଙ୍କୁ ସ୍ଥାନ ଦେଇଛନ୍ତି ସୋନିଆ। ଏହା ଛଡ଼ା ରାହୁଲଙ୍କ ଘନିଷ୍ଟ ସହଯୋଗୀ କେସି ଭେନୁଗୋପାଳ ଓ ରଣଦୀପ ସିଂହ ସୁରେଜୱାଲାଙ୍କୁ ମଧ୍ୟ କମିଟିରେ ନିଆଯାଇଛି।

ରାହୁଲ ଫେରିବେରାସ୍ତା ସଫା

ରାହୁଲ ଗାନ୍ଧୀ ଯେ କୌଣସି ମୂହର୍ତ୍ତରେ ଦଳର ନେତୃତ୍ୱ ନେଇପାରନ୍ତି। କଂଗ୍ରେସ ୱାର୍କିଂ କମିଟିର ଏମିତି ପୁନର୍ବିନ୍ୟାସ କରାଯାଇଛି ଯେ, କଂଗ୍ରେସର ଏହି ଶୀର୍ଷ କମିଟିରୁ ରାହୁଲଙ୍କ ନେତୃତ୍ୱକୁ ନେଇ କୌଣସି ପ୍ରଶ୍ନ ଉଠିବ ନାହିଁ। ଶଶୀ ଥରୁର, ମନିଷ ତିୱାରୀ, ମିଳିନ୍ଦ ଦେଓରାଙ୍କ ଭଳି ନେତା ଯେଉଁମାନେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଦାବିର ନେତୃତ୍ୱ ନେଉଥିଲେ ସେମାନଙ୍କୁ ୱାର୍କିଂ କମିଟିରେ ସ୍ଥାନ ହିଁ ମିଳିନାହିଁ। କଂଗ୍ରେସ ୱାର୍କିଂ କମିଟିରେ ସ୍ଥାନ ପାଇଥିବା ୨୦ରୁ ଅଧିକ ନେତା ରାହୁଲଙ୍କ ପସନ୍ଦ। ବିଦ୍ରୋହୀ ଦଳ ଭିତରେ ଫାଟ ସୃଷ୍ଟି କରିବା ପାଇଁ କିଛି ଲୋକଙ୍କୁ କମିଟିରେ ସ୍ଥାନ ଦିଆଯାଇଛି, କିଛି ଲୋକଙ୍କୁ ପ୍ରମୋସନ ମିଳିଛି ଆଉ କିଛି ଲୋକଙ୍କୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି।

BGU

କାହାକୁ ଲାଭ, କାହାକୁ କ୍ଷତି

୩ ବର୍ଷରେ କଂଗ୍ରେସ ୱାର୍କିଂ କମିଟିରେ ୨ ଥର ପରିବର୍ତ୍ତନ ହୋଇଛି। ଗତ ଥର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତା ସମୟରେ ୨୦୧୮ରେ ପରିବର୍ତ୍ତନ ହୋଇଥିଲା। ୱାର୍କିଂ କମିଟିରେ ୩ ପ୍ରକାର ପ୍ରତିନିଧି ଅଛନ୍ତି।  କୋରଗ୍ରୁପ୍- ୨୩ ମେମ୍ବର, ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ-୨୬ ଓ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ-୯। କୋର କମିଟିରୁ ୫ଜଣଙ୍କୁ ବାହାର କରାଯାଇଥିବା ବେଳେ,୪ ଜଣଙ୍କୁ ସାମିଲ କରାଯାଇଛି। ସ୍ଥାୟୀ ଆମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରୁ ୬ ଜଣଙ୍କୁ ବାହାର କରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୩ ଜଣ କୋର କମିଟିରେ ସ୍ଥାନ ପାଇଛନ୍ତି। ୧୫ ଜଣ ନୂଆ ସଦସ୍ୟ ଏହି କମିଟିରେ ସ୍ଥାନ ପାଇଛନ୍ତି। ସିଡବ୍ଲୁସି କୋର ଗ୍ରୁପରେ ପି ଚିଦାମ୍ବରମ, ଜିତେନ୍ଦ୍ର ସିଂହ ଓ ରଣଦୀପ ସିଂ ସୁରେଜୱାଲା ସ୍ଥାନ ପାଇଛନ୍ତି। ଏମାନେ ପୁରୁଣା ସିଡବ୍ଲୁସିରେ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଥିଲେ। ଗୁଲାମ ନବୀ ଆଜାଦଙ୍କୁ ଚେକ୍ ଦେବା ପାଇଁ ବିହାରରୁ ତାରିକ ଅନୱାରଙ୍କୁ ସାମିଲ କରାଯାଇଛି। ସେ ୧୯୯୯ରେ କଂଗ୍ରେସ ଛାଡ଼ି ଶରଦ ପାୱାର ଓ ପିଏ ସାଙ୍ଗମାଙ୍କ ସହ ଏନସିପି ଗଠନ କରିଥିଲେ। ତେବେ ୨୦୧୮ରେ ସେ ପୁଣି କଂଗ୍ରେସକୁ ଫେରିଆସିଥିଲେ। କୋର ଗ୍ରୁପରେ ତାଙ୍କୁ ସାମିଲ କରାଯିବା ସହ କେରଳ ଦାୟିତ୍ୱ ଦିଆଯାଇ ଗୁଲାମ ନବୀ ଆଜାଦଙ୍କୁ ଚେକ୍ ଦେଇଛନ୍ତି ସୋନିଆ। ଏହା ସହ ତାଙ୍କୁ ରାଜ୍ୟସଭା କଂଗ୍ରେସ ଦଳ ମୁଖ୍ୟ ପଦବିରୁ ହଟାଇ ଜୟରାମ ରମେଶଙ୍କୁ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଆଜାଦଙ୍କୁ ହରିୟାଣା ଦାୟିତ୍ୱରୁ ମଧ୍ୟ ହଟାଇ ଦିଆଯାଇଛି। ତାଙ୍କୁ ୱାର୍କିଂ କମିଟିରେ ରଖାଯାଇଥିଲେ ମଧ୍ୟ, ତାଙ୍କୁ କ୍ଷମତାଶୂନ୍ୟ କରିବା ପାଇଁ ସୋନିଆ ଯୋଜନା କରିସାରିଛନ୍ତି। କଂଗ୍ରେସରେ ପ୍ରିୟଙ୍କା କଥା ଚାଲେ, ଏକଥା ବି ପ୍ରମାଣିତ କରିଛନ୍ତି ସୋନିଆ। ତାଙ୍କର ମଧ୍ୟ କିଛି ଘନିଷ୍ଠ ଲୋକଙ୍କୁ କୋର କମିଟିରେ ସ୍ଥାନ ଦେଇଛନ୍ତି।

motilal vora

ବଡ଼ ହାତୀ ଖସିଲେ

ମୋତିଲାଲ ଭୋରା, ଲୁଇଜିହୋଁ ଫାଲେରିଓ ଓ ତାମ୍ରଧ୍ୱଜ ସାହୁଙ୍କ ଭଳି ବଡ଼ ହସ୍ତିଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି ସୋନିଆ। ମୋତିଲାଲଙ୍କ ବୟସ ଅଧିକ୍ୟ ଯୋଗୁ ବାଦ ଦିଆଯାଇଛି। ତେବେ ତାମ୍ରଧ୍ୱଜ ସାହୁ ଯିଏ ରାହୁଲଙ୍କ ପାଖ ଲୋକ ଥିଲେ ତାଙ୍କୁ ହଟାଇଦିଆଯାଇଛି। ଅବଶ୍ୟ ଏଥିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଖୁସି ହୋଇଥିବେ। ସୁରଜେୱାଲା ସବୁଠାରୁ ଅଧିକ ଲାଭବାନ ହୋଇଛନ୍ତି ଏ ପରିବର୍ତ୍ତନରେ। ତାଙ୍କୁ କୋର କମିଟିରେ ପ୍ରମୋସନ ମିଳିଛି। କଂଗ୍ରେସ କମ୍ୟୁନିସକେସନ ଟିମର ଇନଚାର୍ଜ ପଦବି ଓ କର୍ଣ୍ଣାଟକର ପ୍ରଭାରୀ ଦାୟିତ୍ୱ ମଧ୍ୟ ଦେଇଛନ୍ତି ସୋନିଆ। ସେ ରାହୁଲଙ୍କ ସହ ସୋନିଆଙ୍କ ସହ ମଧ୍ୟ କାମ କରିବେ। ଏହା ଛଡ଼ା ହରିୟାଣା ପ୍ରଭାରୀ ଭାବେ ବିବେକ ବଂଶଲଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ସେ ଆଶ୍ୱସ୍ତ ହୋଇଛନ୍ତି। ଭୂପିନ୍ଦର ସିଂହ ହୁଡ଼ାଙ୍କଠାରୁ ସେ ବିରୋଧର ସମ୍ମୁଖୀନ ହେଉଥିବା ବେଳେ ତାଙ୍କର ଘନିଷ୍ଠ ବିବେକଙ୍କୁ ହରିୟାଣା ଦାୟିତ୍ୱ ମିଳିଥିବାରୁ ସେ ଅଧିକ ଲାଭବାନ ହେବେ।

Comment