ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସମ୍ମିଳନୀ ‘ହେଲ୍ଥ ମେଡିକନ୍-୨୦୧୯’ ଉଦ୍ଘାଟିତ ହୋଇଛି। ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି (ଆଇପିଏସ୍) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ମିଳିତ ଉଦ୍ୟମରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ବିହାରର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।
ଭାରତୀୟ ଆୟୁର୍ବେଦ ଚିକିତ୍ସା ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ରହିଛି। ଏହି ସମ୍ମିଳନୀରେ ହେଉଥିବା ଆଲୋଚନାବଳୀର ନିର୍ଯ୍ୟାସକୁ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କଲେ ସେସବୁକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ ସରକାର ବିଚାର କରିବେ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ।
ଭୁବନେଶ୍ୱର ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, ଡାକ୍ତର ଚତୁର୍ଭୁଜ ଭୂୟାଁ, ଓୟୁଏଟି ଡିନ୍ ପ୍ରଫେସର ପି କେ ରାଉଳ, ଆଇପିଏସ୍ ରାଜ୍ୟ ଆବାହକ ଡାକ୍ତର ଅନନ୍ତ ଆଚାର୍ଯ୍ୟ ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।
ଏହି ଅବସରରେ ଯୋଗ ବିଶେଷଜ୍ଞ ଦମ୍ପତି ଡକ୍ଟର ଦିନେଶ ପ୍ରସାଦ ସ୍ୱାଇଁ ଏବଂ ପ୍ରତିଭା ଶ୍ରୀଙ୍କୁ ‘ଯୋଗରତ୍ନ’ ଉପାଧି ପ୍ରଦାନ କରାଯାଇଥିଲା। ଡାକ୍ତର ପ୍ରଶାନ୍ତ କୁମାର ରଥ ଏବଂ ଡାକ୍ତର ମନସ୍ୱିନୀ ଦେହୁରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।