ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଡିସେମ୍ବର ୧୯ ରୁ ୨୦ ଯାଏଁ ଅନୁଷ୍ଠିତ ହେବ ସର୍‌ଗିଫୁଲ ମହୋତ୍ସବ ୨୦୧୮।

ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ସର୍‌ଗିଫୁଲ ମହୋତ୍ସବ ୨୦୧୮। ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଏହା ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ଡିସେମ୍ବର ୧୯ ରୁ ଆରମ୍ଭ ହୋଇ ଡିସେମ୍ବର ୨୧ ଯାଏଁ ୩ ଦିନ ଧରି ଚାଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏହି ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ପ୍ରତିବର୍ଷ ସର୍‌ଗିଫୁଲ ମହୋତ୍ସବ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଏହି ଉତ୍ସବ ନବମ ଥର ପାଇଁ ଆୟୋଜିତ ହୋଇଛି। ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟମାନଙ୍କରୁ ୯୪୫ ଛାତ୍ରଛାତ୍ରୀ ଓ ୧୪୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବକୁ ଉଦ୍‌ଘାଟନ କରି ପିଲାମାନଙ୍କୁ ପାଠ ପଢ଼ି ସୁନାମ ଅର୍ଜନ କରିବାପାଇଁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଆଦିବାସୀ ପଡ଼ିଆଠାରେ ଜନଜାତି ଲୋକଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟର ବିକ୍ରୟ ଉଦ୍ଦେଶ୍ୟରେ ଏକ ସ୍ଥାୟୀ ହାଟ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ କର୍ମଶାଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଜ୍ଞାନମେଳା ତଥା ପ୍ରତିଯୋଗିତା ୩ଦିନ ଧରି ଆୟୋଜିତ ହେବ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ମେୟର ଅନନ୍ତ ନାରାୟଣ ଜେନା, ବିଭାଗୀୟ ସଚିବ ଆର୍‌ ରଘୁପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ।

Comment