
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଏ ସୋନୁ ତୋର ମୋ ଉପରେ ଭରସା ନାଇଁ ନ କାଇଁ… ଦୁର୍ଗା ପୂଜା ଉପଲକ୍ଷେ ରିଲିଜ୍ ହେବାକୁ ଥିବା ‘ବାବୁଲା ବାରବୁଲା’ ସିନେମାର ଏହି ଗୀତ ଇଣ୍ଟରନେଟ୍ରେ ଧମାଲ ମଚାଇଛି।
ମୂଳ ମରାଠୀ ଗୀତ ‘ସୋନୁ ତୁଝେ ମଝ୍ୟାବାର ବରୋସା ନାହିଁ କେ’ ଦ୍ୱାରା ଅନୁପ୍ରାଣିତ ହୋଇ ଓଡ଼ିଆ ସିନେଇଣ୍ଡଷ୍ଟ୍ରିର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି ଗୀତକୁ ସ୍ୱର ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଇଣ୍ଟରନେଟ୍ରେ ଏହି ମରାଠୀ ଗୀତର ଅନେକ ସଂସ୍କରଣ ଦେଖିବାକୁ ମିଳିଥିଲେ ମଧ୍ୟ ଏହାକୁ ସ୍ୱର ଦେଇ ଗୀତର ରୂପ ଦେଇ କେହି ଦେଇ ନଥିଲେ।
ସିନେମାର ମୁଖ୍ୟ ଚରିତ୍ର ଅନୁଭବଙ୍କ ସହ ଆଲୋଚନା କରି ସମ୍ବଲପୁରୀ ଢଙ୍ଗରେ ଗୀତକୁ ବୋଲାଯାଇ ସିନେମାରେ ସ୍ଥାନ ଦିଆଗଲା ବୋଲି ଏହି ସଙ୍ଗୀତ ନିର୍ଦ୍ଦେଶକ କହିଛନ୍ତି। ଏଯାବତ୍ ଏହି ସଙ୍ଗୀତ ନିର୍ଦ୍ଦେଶକ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସିନେମା ପାଇଁ ସଙ୍ଗୀତ ସଂଯୋଜନା କରିସାରିଛନ୍ତି। ଗୀତକୁ ସ୍ୱର ଦେବାର ପ୍ରତିଭା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିଲା ବେଳରୁ ହିଁ ବିକଶିତ ହୋଇଥିଲା। କ୍ୟାରିୟରର ପ୍ରାରମ୍ଭରେ ସେ ଅପେରାର ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲେ।
ଅନୁଭବ ଓ ବର୍ଷାଙ୍କ ଅଭିନୀତ ସିନେମା ‘ସମଥିଙ୍ଗ୍ ସମଥିଙ୍ଗ’ର ସଫଳତାରେ ପ୍ରେମ୍ ଆନନ୍ଦଙ୍କ ସଙ୍ଗୀତର ଅବଦାନକୁ ଏଡାଇଦେଇ ହେବ ନାହିଁ। ଏହି ସିନେମାର ଛଅଟି ଯାକ ଗୀତ ସୁପରହିଟ୍ ହୋଇଥିଲା ଏବଂ ତାହା ଦେଇଥିଲା ତାଙ୍କୁ ଅଶେଷ ସଫଳତା। ତାଙ୍କ ସିନେମାଗୁଡ଼ିକ ମଧ୍ୟରେ ‘ଚାନ୍ଦ ନା ତୁମେ ତାରା’, ପ୍ରେମ କେବେ ମରେନା’ ଓ ‘ମିଷ୍ଟର ବ୍ୟାଚେଲର’ ଅନ୍ୟତମ।
ଗତବର୍ଷ ରିଲିଜ୍ ହୋଇଥିବା ସୁପରହିଟ୍ ସିନେମା ‘ଅଗସ୍ତ୍ୟ’, ‘ବେବି’, ହେଉ ଅଥବା ଏଥର ରଜରେ ରିଲିଜ୍ ହୋଇଥିବା ‘ଅଭୟ’ ଅନୁଭବ ଓ ପ୍ରେମ୍ ଆନନ୍ଦଙ୍କ ମ୍ୟୁଜିକାଲ୍ ଯୋଡ଼ି ଦର୍ଶକଙ୍କ ମନୋରଞ୍ଜନ କରିବାରେ ବେଶ୍ ସଫଳ ହୋଇଛି।
କେବଳ ସେତିକି ନୁହେଁ, ନୂଆ ନୂଆ ଗାୟକ/ଗାୟିକାଙ୍କୁ ପ୍ରଚ୍ଛଦପଟ୍ଟ ଗୀତ ଗାଇବାକୁ ସେ ସୁଯୋଗ ମଧ୍ୟ ଦେଇଛନ୍ତି।
“ଦୁଃଖ, ପ୍ରେମ, ବିରହ ଅଥବା ଆଇଟମ୍ ନମ୍ବର ଗୀତ ହେଉ, ସବୁଥିରେ ମୁଁ କିଛି ନୂତନତ୍ୱ ଆଣିବାକୁ ଚେଷ୍ଟା କରେ। ସେଥିପାଇଁ ମୋ ଗୀତଗୁଡ଼ିକ ଦର୍ଶକଙ୍କ ଦ୍ୱାରା ଆଦୃତି ଲାଭ କରିଛି”, କହନ୍ତି ପ୍ରେମ ଆନନ୍ଦ। ଯେଉଁ ନୂଆ ପିଲା ମୋ ପାଖକୁ ଗୀତ ଗାଇବାର ଅଭିପ୍ରାୟ ନେଇ ଆସନ୍ତି, ସେମାନଙ୍କ ମଧ୍ୟରେ ସଙ୍ଗୀତ ପ୍ରତି ନିଷ୍ଠା, ଗୀତର ଭାବକୁ ବୁଝିବାର ଧୀଶକ୍ତି ସମ୍ବନ୍ଧରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥା’ନ୍ତି।
ଆସନ୍ତା ପୂଜାରେ ତାଙ୍କର ଦୁଇଟି ସିନେମା ‘କାବୁଲା ବାରବୁଲା’ ଓ ‘ଶିବା-ନଟ୍ ଆଉଟ୍’ ରିଲିଜ୍ ହେବାର ଯୋଜନା ଅଛି।