ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଶୁଟିଏ ଜନ୍ମ ହେଲେ ପରିବାରରେ ଖୁସିର ଲହରୀ ଖେଳିଯାଏ। ତେବେ ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠି ପିଲା ଜନ୍ମ ହେବା ପରେ ଅନେକ ଅଜବ ରୀତିନୀତି ପାଳନ କରାଯାଏ। ଏପରି ପ୍ରଥା ବିକଶିତ ଦେଶରେ ମଧ୍ୟ ପ୍ରଚଳିତ। ଅଜବ ଲାଗିଲେ ମଧ୍ୟ ଏଗୁଡ଼ିକ ନବଜାତ ଶିଶୁକୁ ସମସ୍ତ ପ୍ରକାର ବିପଦରୁ ରକ୍ଷା କରିଥାଏ ବୋଲି ବିଶ୍ଵାସ ରହିଛି। ତେବେ ଆସନ୍ତୁ ଜାଣିବା ସେମିତି କିଛି ଦେଶ ବିଷୟରେ..

୩୦ ଦିନ ଯାଏଁ ପରିବାରଠୁ ଅଲଗା ରୁହନ୍ତି ମା’

ଚୀନରେ ପିଲା ଜନ୍ମ ହେବା ପରେ ମା’ଙ୍କୁ ପୂରା ୩୦ ଦିନ ପର୍ଯ୍ୟନ୍ତ ପରିବାରଠୁ ଅଲଗା ରହିବାକୁ ପଡ଼େ। ଏହି ୩୦ ଦିନରେ ପିଲା ଜନ୍ମ କରିଥିବା ମା’ ଘରୁ ବାହାରନ୍ତି ନାହିଁ କିମ୍ବା କଞ୍ଚା ଫଳ ଖାଇ ପାରନ୍ତିନାହିଁ। କେବଳ ସେତିକି ନୁହେଁ, ୩୦ ଦିନ ଯାଏଁ ମା’ଙ୍କୁ ଗାଧୋଇବା ପାଇଁ ବାରଣ କରାଯାଇଥାଏ। ଚାଇନିଜ୍ ଭାଷାରେ ଏହାକୁ Zuo yuezi କୁହାଯାଏ। ଚୀନରେ ଏହି ପ୍ରଥା ପାଖାପାଖି ୨ହଜାର ବର୍ଷ ପୁରୁଣା।୩ ମାସ ଯାଏଁ ଭୂଇଁକୁ ଛୁଇଁବା ମନା

ଇଣ୍ଡୋନେସିଆର ବାଲି ଦ୍ଵୀପରେ ମଧ୍ୟ ପିଲା ଜନ୍ମ ହେବା ପରେ ଏକ ଅଜବ ପ୍ରଥା ପାଳିତ ହୁଏ। ଏହି ପ୍ରଥା ଅନୁଯାୟୀ, ନବଜାତ ଶିଶୁକୁ ପ୍ରଥମ ୩ ମାସ ପର୍ଯ୍ୟନ୍ତ ଭୂମି ଛୁଇଁବାକୁ ଦିଆଯାଏନାହିଁ। କୌଣସି ପ୍ରକାରେ ଶିଶୁ ଯେମିତି ଭୂଇଁ ସଂସ୍ପର୍ଶରେ ନ ଆସିବ ସେଥିପ୍ରତି ସମସ୍ତେ ସଜାଗ ରୁହନ୍ତି।

ଏପରି ସ୍ଥିତିରେ ମା’ ପିଲାଟିକୁ ସବୁବେଳେ ନିଜ କୋଳରେ କିମ୍ବା ଖଟ ଉପରେ ରଖନ୍ତି। ଏହି ରୀତିନୀତିକୁ ନେଇ ବିଶ୍ଵାସ ରହିଛି ଯେ, ଶିଶୁକୁ ଭୂମିରୁ ଦୂରରେ ରଖିବା ଦ୍ଵାରା ସେ ଅନ୍ୟ ଜଗତ ସହିତ ଯୋଗାଯୋଗରେ ରହିଥାଏ।

ଗର୍ଭନାଳ ପାଇଁ ଶୋକ କରାଯାଏ

ନାଇଜେରିଆ ଓ ଘାନାରେ ପିଲା ଜନ୍ମ ହେବା ପରେ ଏକ ନିହାତି ଅଜବ ପ୍ରଥା ପାଳନ କରାଯାଏ। ଏଠାରେ ପିଲା ଜନ୍ମ ହେବା ପରେ ମା’ର ଗର୍ଭନାଳ ପାଇଁ ଶୋକ କରାଯାଏ। ଆଫ୍ରିକୀୟ ଦେଶଗୁଡ଼ିକରେ ପ୍ଲାସେଣ୍ଟା ବା ଗର୍ଭନାଳକୁ ଜନ୍ମିତ ଶିଶୁର ଯାଆଁଳା ଭାଇ କିମ୍ବା ଭଉଣୀ ଭାବେ ଗଣାଯାଏ ଏବଂ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ତାହାକୁ ପୋତି ଦିଆଯାଏ। ଗର୍ଭନାଳର ଏହି ସମାଧି ପ୍ରକ୍ରିୟା ଏକ ଗଛ ତଳେ ହୋଇଥାଏ।ଶିଶୁର ନାଭି ନାଡ଼କୁ ସାଇତି ରଖାଯାଏ

ଜାପାନରେ ଶିଶୁର ନାଭି ନାଡ଼କୁ ବହୁତ ଗୁରୁତ୍ଵ ଦିଆଯାଏ। ଏଠାରେ ବିଶ୍ଵାସ କରାଯାଏ ଯେ, ନାଭି ନାଡ଼ ହେଉଛି ମା’ ସହ ଜଡ଼ିତ ହେବାର ପ୍ରତୀକ। ତେଣୁ ଏହାକୁ ସମ୍ମାନ ଦେବା ଉଚିତ। ଏହି କାରଣରୁ ଶିଶୁଟିଏ ଜନ୍ମ ହେବା ପରେ ତାର ନାଭି ନାଡ଼କୁ କାଟି ଫିଙ୍ଗିବା ପରିବର୍ତ୍ତେ ଲାଖ ବାକ୍ସରେ ସାଇତି ରଖାଯାଏ। ଜାପାନୀ ଭାଷାରେ ଏହାକୁ ହେସୋ-ନୋ-ଓ(heso-no-o) ଅର୍ଥାତ୍ ପେଟର ଲାଞ୍ଜ ବୋଲି କୁହାଯାଏ।

Comment