ଓଡିଶାଲାଇଭ୍ ବ୍ୟୁରୋ
ଦୁର୍ଗା ପୂଜାକୁ ନେଇ ଭୁବନେଶ୍ୱରରେ ଉତ୍ସବର ମାହୋଲ। ଆଉ ଏହାକୁ ଅଧିକ ରଙ୍ଗିନ କରିଛି ‘କିନ୍ନର’ମାନଙ୍କ ନିଆରା ‘ନବରାତ୍ରି’ ପୂଜା। ୭ ଦିନ ହେଲା ମା’ ନବଦୁର୍ଗାଙ୍କୁ ଆରାଧନା କରିବା ସହ ମହାନବମୀରେ ‘ଦାଣ୍ଡିଆ’ ତାଳରେ ଝୁମିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି କିନ୍ନର।
କିନ୍ନରମାନେ କୌଣସି କାମକୁ ନୁହନ୍ତି। ଏମାନେ କେବଳ ଟ୍ରେନ୍, ବସ୍ ଷ୍ଟପ୍ ଆଦି ସ୍ଥାନରେ ଲୋକଙ୍କୁ ଜୁଲୁମ୍ କରିବା ଛଡ଼ା ଆଉ କିଛି ଜାଣନ୍ତି ନାହିଁ। ଏମିତି କିଛି ଧାରଣା ଆମ ସମାଜର ଅନେକ ଲୋକଙ୍କ ମନରେ ବସା ବାନ୍ଧି ରହିଛି। ହେଲେ ଲୋକଙ୍କ ଭାବନାକୁ ଭୁଲ୍ ପ୍ରମାଣିତ କରିଛନ୍ତି କିନ୍ନର। ସାଧାରଣ ଲୋକଙ୍କ ଭଳି ଏମାନେ ବି ଭକ୍ତି ଭାବନା ପ୍ରଦର୍ଶନ କରନ୍ତି, ମନ୍ଦିର ଯାଆନ୍ତି ଏବଂ ଓଷା ବ୍ରତ କରନ୍ତି। କିନ୍ନରମାନଙ୍କ ପକ୍ଷରୁ ଭୁବନେଶ୍ୱରରେ ଆୟୋଜନ କରାଯାଇଥିବା ‘ନବରାତ୍ରି’ ପୂଜା ହେଉଛି ଏହାର ନମୁନା।
ପାର୍ବଣରେ ମା’ ଦୁର୍ଗାଙ୍କ ଆଗମନକୁ ନେଇ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଆଉ ଏହି ଉତ୍ସବରେ କିନ୍ନରମାନେ ମଧ୍ୟ ନିଜକୁ ସାମିଲ୍ କରିଛନ୍ତି। ‘ନବରାତ୍ରି’ ପୂଜା ଆୟୋଜନ କରି ନିଷ୍ଠାର ସହ ବ୍ରତ ରଖି କିନ୍ନରମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
୨୨ ତାରିଖରୁ କିନ୍ନରମାନେ ନବରତ୍ରି ପୂଜା ଆରମ୍ଭ କରିଛନ୍ତି। ବିନ୍ଦୁସାଗରରୁ କଳସରେ ପାଣି ଆଣି ପଳାଶପଲ୍ଲିସ୍ଥିତ କିନ୍ନର ମୀରା ପରିଡ଼ାଙ୍କ ଘରେ ଘଟ ସ୍ଥାପନ କରି ନିଷ୍ଠାର ସହ ମା’ ନବଦୁର୍ଗାଙ୍କ ଆରଧନା କରୁଛନ୍ତି। କଳସ ଶୋଭାଯାତ୍ରାରେ ୨୧ ଜଣ କିନ୍ନର ସାମିଲ୍ ହୋଇଥିଲେ। ରୀତିନୀତି ଅନୁଯାୟୀ ପ୍ରତିଦିନ ପୂଜା, ପାଠ କରାଯାଉଛି। ନୂଆ ଶାଢ଼ୀ ପିନ୍ଧି କିନ୍ନରମାନେ ପୂଜା ବେଳେ ଉପସ୍ଥିତ ରହୁଛନ୍ତି।
୬ ବର୍ଷ ଧରି କିନ୍ନରମାନେ ଏହି ପୂଜାକୁ ନିଆରା ଢଙ୍ଗରେ ପାଳନ କରି ଆସୁଛନ୍ତି। ଚଳିତବର୍ଷ ସାଢ଼େ ୬ ଫୁଟର ମୂର୍ତ୍ତି ଆଣି ଆରାଧନା କରୁଛନ୍ତି।
ଏ ସମ୍ପର୍କରେ ମୀରା ପରିଡ଼ା କୁହନ୍ତି, “୬ ବର୍ଷ ହେଲା ଆମେ ନବରାତ୍ରି ପୂଜା ନିଷ୍ଠାର ସହ ପାଳନକରି ଆସୁଛୁ। ପୂର୍ବରୁ ଆମେ ପୀଠରେ ଏହି ପୂଜା କରୁଥିବା ବେଳେ ଏବେ ଘରେ ମା’ଙ୍କୁ ବିରାଜମାନ କରି ପୂଜା କରୁଛୁ। ପ୍ରତିଦିନ ସକାଳୁ ମା’ଙ୍କ ମଙ୍ଗଳ ଆଳତି କରାଯାଉଥିବା ବେଳେ ବାଳ ଭୋଗ ସମେତ ଅନ୍ନ, ଡାଲ୍ମା, ଖେଚୁଡ଼ି ପ୍ରତିଦିନ ଭୋଗ ଲାଗି କରାଯାଉଛି।”
ଚଳିତବର୍ଷ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି କିନ୍ନରମାନଙ୍କ ତରଫରୁ। ମହାଅଷ୍ଟମୀ ତିଥିରେ ପ୍ରାୟ ୨ ହଜାର ଲୋକଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଛି।
ଚଳିତବର୍ଷ କିନ୍ନରମାନଙ୍କ ‘ନବରାତ୍ରି’ ପୂଜାର ଆକର୍ଷଣ ହେଉଛି ‘ଦାଣ୍ଡିଆ ନୃତ୍ୟ’। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହାନବମୀ ତିଥିରେ କିନ୍ନରମାନେ ପ୍ରଥମ ଥର ପାଇଁ ‘ଦାଣ୍ଡିଆ’ ତାଳରେ ଝୁମିବେ ବୋଲି ଜଣାପଡ଼ିଛି। କିଛି ବଛାବଛା ସେଲିବ୍ରିଟି ମଧ୍ୟ ଦାଣ୍ଡିଆ କାର୍ଯ୍ୟକ୍ରମରେ ସାମିଲ୍ ହେବେ। ମା’ଙ୍କ ଭସାଣିକୁ ବି ବଡ଼ ଜାକଜମକରେ କରିବାକୁ କିନ୍ନରମାନେ ପ୍ରସ୍ତୁତି ଚଳାଇଛନ୍ତି।