ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ୫୦ ହଜାର ଟଙ୍କା ଏବଂ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଜାମିନ ଦେଇଛନ୍ତି। ମହାରଥୀ ସାକ୍ଷୀମାନଙ୍କୁ ଧମକାଇ ପାରିବେନି ବୋଲି କୋର୍ଟ ଜାମିନ ପ୍ରଦାନ ବେଳେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୋଲିସଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ କୋର୍ଟ କହିଛନ୍ତି।

ଗତ ୨୨ ତାରିଖରେ ମହାରଥୀଙ୍କୁ ପିପିଲି ଥାନା ପୋଲିସ ଗିରଫ କରିଥିଲା। ୨୧ ତାରିଖ ବିଳମ୍ବିତ ରାତିରେ ହୁଙ୍କେଇପୁରସ୍ଥିତ ମହାରଥୀଙ୍କ ଫାର୍ମ ହାଉସରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଚଢ଼ାଉ କରିଥିଲା। ତେବେ ସ୍କ୍ୱାଡ୍ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ଉପରେ ମହାରଥୀଙ୍କ ଉପସ୍ଥିତିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା।

ଏନେଇ ପିପିଲି ଥାନାରେ ଏତଲା ହେବା ପରେ ପୋଲିସ ମହାରଥୀଙ୍କୁ ଗିରଫ କରିଥିଲା। ଗିରଫ ପରେ ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ହେଲେ ଜାମିନ ଆବେଦନ ଉପରେ ଶୁଣାଣି ହୋଇପାରି ନଥିଲା। ୨୪ ତାରିଖକୁ ଘୁଞ୍ଚିଥିଲା ଜାମିନ ଶୁଣାଣି।

କୋର୍ଟରେ ଇଞ୍ଜରି ରିପୋର୍ଟ ଦାଖଲ ହୋଇପାରି ନଥିବାରୁ ୨୭ ତାରିଖକୁ ଘୁଞ୍ଚିଥିଲା ଶୁଣାଣି। ଏପଟେ ମହାରଥୀଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here