ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ
ଆସନ୍ତା ଜୁଲାଇ ୧୭ ତାରିଖରେ ଭୋର ସମୟରେ ଏକ ଆଂଶିକ ଚନ୍ଦ୍ର ଗ୍ରହଣ ସଂଘଟିତ ହେବ। ସେଦିନ ଆକାଶ ମେଘମୁକ୍ତ ରହିଲେ ମଧ୍ୟ ରାତି ପରେ ଅର୍ଥାତ ଜୁଲାଇ ୧୭ ତାରିଖ ଭୋର ୧ ଟା ୩୧ ରୁ ୪ ଟା ୨୯ ଯାଏଁ ଏହି ଆଂଶିକ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିହେବ। ସବୁଠାରୁ ଅଧିକ ଚନ୍ଦ୍ରଗ୍ରହଣ (ପ୍ରାୟ ୬୫%) ରାତି ୩ଟାରେ ଦେଖାଯିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭଳି ଏହି ସମୟରେ ରକ୍ତ ବର୍ଣ୍ଣର ଚନ୍ଦ୍ର ଦେଖାଯିବ ନାହିଁ। କିନ୍ତୁ ଚନ୍ଦ୍ରକୁ ପ୍ରାୟ ୬୫% ଘୋଡାଇଦେଇଥିବା ଏକ କଳାରଙ୍ଗର ଛାଇ ସ୍ପଷ୍ଟ ରୂପେ ଦେଖିହେବ।
ଏହି ଆଂଶିକ ଚନ୍ଦ୍ର ଗ୍ରହଣ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା ଦକ୍ଷିଣ ଆମେରିକା ଆଦି ମହାଦେଶର ଅନେକ ଅଞ୍ଚଳ ସହ ଭାରତ ତଥା ଓଡିଶାର ସମସ୍ତ ସ୍ଥାନରେ ଏହା ଦୃଶ୍ୟମାନ ହେବ। ଆଂଶିକ ଗ୍ରହଣ ଆରମ୍ଭ ହେବ ଜୁଲାଇ ୧୭ ତାରିଖ ଭୋର ୧୨ଟା ୧୩ ମିନିଟ ସମୟରେ। ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ, କିନ୍ତୁ ଏହି ଦୃଶ୍ୟକୁ ଖାଲି ଅଖିରେ ଦେଖିହେବ ନାହିଁ। ଚନ୍ଦ୍ର, ଭୋର ୧ ଟା ୩୧ ରୁ ୪ ଟା ୨୯ ସମୟ ପୃଥିବୀର ଛାୟାରେ ରହିବ ଓ ସେହି ସମୟରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟକୁ ଖାଲି ଅଖିରେ ଦେଖିହେବ।
ଚନ୍ଦ୍ର ପୃଥିବୀ ଚାରିପଟେ ଓ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରୁଛି। ଏହିଭଳି ବୁଲୁବୁଲୁ ଏହି ତିନୋଟି ପିଣ୍ଡ ବେଳେବେଳେ ଏକ ସରଳ ରେଖାରେ ରହିଥାନ୍ତି ଓ ସେ ସମୟରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଘଟିଥାଏ। ସୂର୍ଯ୍ୟ ପରାଗ ସମୟରେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ମଝିରେ ଏକ ସରଳରେଖାରେ ରହିଥାନ୍ତି ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ। ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ। ସୂର୍ଯ୍ୟ ପରାଗ କେବଳ ଅମାବାସ୍ୟା ଦିନ ଓ ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣମୀ ତିଥିରେ ହିଁ ପଡିଥାଏ। ଗୋଟିଏ ଇଂରାଜୀ ବର୍ଷରେ ୧୩ଟି ଅମାବାସ୍ୟା ଓ ୧୩ଟି ପୂର୍ଣ୍ଣମୀ ପଡ଼ିଥାଏ। ହେଲେ ସବୁ ଅମାବାସ୍ୟା ବା ପୂର୍ଣ୍ଣମୀରେ ସୂର୍ଯ୍ୟ ପରାଗ ବା ଚନ୍ଦ୍ର ଗ୍ରହଣ ହୁଏ ନାହିଁ।
ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ। କିନ୍ତୁ ପୃଥିବୀର ଦୁଇପ୍ରକାରର ଛାଇ ରହିଛି। ପ୍ରଥମଟି ଉପଛାୟା: ଏକ ଫିକା କଳା ଛାଇ ଯାହା ଖାଲି ଆଖିରେ ଦେଖିବା କଷ୍ଟ। ଦ୍ଵିତୀୟଟି ଛାୟା – ଯାହା ଏକ ଗାଢା କଳା ରଙ୍ଗର ଛାଇ ଓ ଖାଲି ଆଖିରେ ପରିଷ୍କାର ଦେଖି ହୁଏ। ଉପଛାୟାଟି ବଡ଼ ଓ ଅଧିକ ଅଞ୍ଚଳରେ ପଡୁଥିଲାବେଳେ ଛାୟାଟି ଛୋଟ ତ୍ରିଭୁଜ ବା ଶଙ୍କୁ ଆକାରର।
ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ ଓ ଏଥିରୁ ପୂରା ବାହାରି ଗଲେ ଗ୍ରହଣ ଶେଷ ହୋଇଥାଏ। କିନ୍ତୁ ଚନ୍ଦ୍ର ଛାୟା ଭିତରେ ଥିବା ସମୟରେ ହିଁ କେବଳ ଖାଲି ଆଖିରେ ଗ୍ରହଣ ଦେଖିହୁଏ। ଚନ୍ଦ୍ର ଗ୍ରହଣ ଦୁଇ ପ୍ରକାରର ଆଂଶିକ ଓ ସଂପୂର୍ଣ୍ଣ। ସଂପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ପୂର୍ବରୁ ଓ ପରେ ଆମେ ଆଂଶିକ ଗ୍ରହଣ ଦେଖିଥାଉ।
ଗ୍ରହଣ ଓ ପରାଗ ଆଦି ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେନାହିଁ। ଆସନ୍ତୁ ସମସ୍ତେ ଏହି ସୁନ୍ଦର ଦୃଶ୍ୟଗୁଡ଼ିକୁ ଉପଭୋଗ କରିବା ସହ ଏହାପଛରେ ରହିଥିବା କାରଣଗୁଡ଼ିକ ଜାଣିବା।
ଚଳିତ ଚନ୍ଦ୍ର ଗ୍ରହଣଟି ମଧ୍ୟ ରାତି ବେଳେ ଦେଖାଯାଉଥିବାରୁ ଓ ଆକାଶ ମେଘାଚ୍ଛନ୍ନ ରହିବାର ସମ୍ଭାବନା ଥିବାରୁ ପଠାଣି ସାମନ୍ତ ପ୍ଲାନେଟାରିୟମ, ଭୁବନେଶ୍ଵର ତଥା ଡ ଏ ପି ଜେ ଅବଦୁଲ କଲାମ ପ୍ଲାନେଟାରିୟମ, ବୁର୍ଲା ତରଫରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି ଯେ ନିଜ ଘରେ ରହି ଏହି ସୁନ୍ଦର ଦୃଶ୍ୟଗୁଡିକୁ ଉପଭୋଗ କରନ୍ତୁ।
(ଲେଖକ ହେଉଛନ୍ତି ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ)