ଓଡ଼ିଶାଲାଇଭ୍ ବ୍ୟୁରୋ
- ପୋଷ୍ଟରକୁ ନେଇ ପ୍ରଶ୍ନ ଉଠାଇଥିଲେ ଦୂତୀ
- ଥାନାକୁ ନେଲେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି
- ମହିଳା କମିସନ ଅଫିସରେ ବି ଅଭିଯୋଗ
- ଫିଲ୍ମ ବ୍ୟାନ୍ କରିବାକୁ ଦାବି
- ସେନସର୍ ବୋର୍ଡ ଉପରେ ଆଙ୍ଗୁଳି ଉଠାଇଲେ ଲିଙ୍କନ
ବିବାଦରେ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟର। ଏହି ବିବାଦୀୟ ପୋଷ୍ଟରକୁ ସାମ୍ନାକୁ ଆଣିଥିଲେ ଦୌଡ଼ ରାଣୀ ଦୂତୀ ଚାନ୍ଦ। ଏବେ ଏହି ମାମଲାକୁ ଥାନାକୁ ନେଇଛନ୍ତି ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି। ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତା ପପୁ ପମ୍ ପମ୍ଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଲିଙ୍କନ। ଫିଲ୍ମକୁ ବ୍ୟାନ୍ କରିବାକୁ ମଧ୍ୟ ଦାବି କରିଛନ୍ତି ଲିଙ୍କନ।
ସିଦ୍ଧାର୍ଥ ମ୍ୟୁଜିକ୍ର ୨୭ତମ ଚଳଚ୍ଚିତ୍ର ହେଉଛି ‘ମିଷ୍ଟର କହ୍ନେୟା’। ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଛନ୍ତି ପପୁ ପମ୍ ପମ୍। ଗଣେଶ ପୂଜାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା। ହେଲେ ରିଲିଜ ହେଉ ହେଉ ପୋଷ୍ଟରଟି ବିବାଦଘେରକୁ ଆସିଛି।
ଏହି ପୋଷ୍ଟରରେ ୭ ଜଣ ନାରୀଙ୍କ ବେକରେ ରସି ଲଗାଯାଇଛି। ଏହି ରସିକୁ ପପୁ ହାତରେ ଧରିଛନ୍ତି। ଏହା ହିଁ ପୋଷ୍ଟରକୁ ଅଧିକ ବିବାଦୀୟ କରିଛି।
ଏହି ବିବାଦୀୟ ପୋଷ୍ଟରକୁ ପ୍ରଥମେ ନିଜ ଫେସ୍ବୁକରେ ପୋଷ୍ଟ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଦୌଡ଼ ରାଣୀ ଦୂତି।
ଦୂତୀ ନିଜ ଫେସବୁକ୍ରେ ଲେଖିଥିଲେ, ‘‘ମୁଁ ଏ ପୋଷ୍ଟରକୁ ବିରୋଧ କରୁଛି। ନାରୀମାନଙ୍କୁ ଏ କି ସମ୍ମାନ? ନାରୀମାନେ କ’ଣ ପୁରୁଷଙ୍କ ପାଇଁ କୁକୁର?’’
ଏହି ପୋଷ୍ଟର ହଟାଇବାକୁ ଦାବି କରିଥିଲେ ଦୂତୀ। ଦୂତିଙ୍କ ଏହି ପ୍ରତିକୟିୟା ପରେ ସାମାଜିକ କର୍ମୀ ଲିଙ୍କନ ସୁବିଦ୍ଧି ଭୁବନେଶ୍ୱର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ସିଧା ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅଭିନେତା ପପୁ ପମ୍ ପମ୍ଙ୍କ ବିରୋଧରେ ଅଭିଯୋଗ କରିଥିଲେ।
ଖାଲି ସେତିକି ନୁହେଁ, ମହିଳା କମିସନଙ୍କ ଅଫିସ୍ରେ ମଧ୍ୟ ଲିଙ୍କନ ଅଭିଯୋଗ କରିଛନ୍ତି।
‘‘ନାରୀଙ୍କୁ ଉପଭୋଗ୍ୟ ବସ୍ତୁ ଭାବେ ଏହି ଫିଲ୍ମରେ ଚିତ୍ରଣ କରାଯାଇଥିବା ପୋଷ୍ଟରରୁ ଜଣାପଡୁଛି। ନାରୀମାନଙ୍କ ପ୍ରତି ଏହା ଅସମ୍ମାନ। ପ୍ରଯୋଜନା ସଂସ୍ଥା ଏଭଳି ଫିଲ୍ମ ତିଆରି କରି କି ବାର୍ତ୍ତା ଦେବାକୁ ଚାହୁଁଛି? କାଷ୍ଟିଂକାଉଚ୍ ଅଭିଯୋଗରେ ବିବାଦୀୟ ହୋଇଥିବା ପପୁ ପମ୍ ପମ୍ ପୁଣି ଥରେ ନାରୀମାନଙ୍କୁ ଅସମ୍ମାନିତ କରିଛନ୍ତି’’, ଓଡ଼ିଶାଲାଇଭ୍କୁ କହିଛନ୍ତି ଲିଙ୍କନ ସୁବୁଦ୍ଧି।
ଲିଙ୍କନ ଆହୁରି କହିଛନ୍ତି, ‘‘ସେନସର୍ ବୋର୍ଡ ଏଭଳି ଫିଲ୍ମ ତିଆରି କରିବାକୁ କିପରି ଅନୁମତି ଦେଉଛି? ପ୍ରଯୋଜକ, ନିର୍ଦ୍ଦେଶକ ଏହି ଫିଲ୍ମ ପୋଷ୍ଟର ତିଆରି କରିବାରେ ଯେତିକି ଦାୟୀ ତାଠୁ ଅଧିକ ଦାୟୀ ହେଉଛନ୍ତି ପପୁ। କାରଣ ପପୁ ପୋଷ୍ଟରରେ ପୋଜ୍ ଦେଇଛନ୍ତି। କେବଳ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଏଭଳି ପୋଷ୍ଟର ତିଆରି କରାଯାଉଛି।’’
ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ସୀତାରାମ ଅଗ୍ରୱାଲ ଏବଂ ନମିତା ଅଗ୍ରୱାଲ। ନିର୍ଦ୍ଦେଶକ ଅଛନ୍ତି ରମେଶ ରାଉତ। ଫିଲ୍ମଟି ପରଦାକୁ ଆସିବା ପୂର୍ବରୁ ପୋଷ୍ଟରଟି ବିବାଦୀୟ ହୋଇପଡ଼ିଛି।