ଭାସ୍କର ପରିଛା

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର (ସୋଆ) ପ୍ଲେସ୍‌ମେଣ୍ଟ ଅଫିସର୍ ରାଜ କୁମାର ହୋତା ଗିରଫ ହୋଇ ଜେଲ୍‍ ଯିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ପିଲାମାନଙ୍କୁ ଚାକିରି ଦିଆଯିବ କହି ରୀତିମତ ଠକିବା ଏକ ଧାରାରେ ପଡ଼ିଯାଇଛି। ବହୁ ବର୍ଷ ଧରି ହୁଏତ ଏହା ଚାଲିଥିଲା, କିନ୍ତୁ ଏବେ ପିଲାମାନେ ଆନ୍ଦୋଳନକୁ ଡେଇଁବା ଯୋଗୁଁ ଏହି ଘଟଣା ସାମ୍ନାକୁ ଆସିଲା। ବାସ୍ତବ କ୍ଷେତ୍ରରେ,ଏହି ଧରଣର ଘଟଣା କେବଳ ସୋଆରେ ସୀମିତ ନୁହେଁ; ଊଣା ଅଧିକ ବିଭିନ୍ନ ବଡ଼ବଡ଼ ଘରୋଇ ଶିକ୍ଷା ଅନୁଷ୍ଠାନରେ ଚାଲୁଥିବାର ବାରମ୍ବାର ଅଭିଯୋଗ ହୋ‍ଇଆସୁଛି।

ସୋଆ ଘଟଣାଟି ଟିକିଏ ଅଧିକ ଗମ୍ଭୀର କାରଣ ଆଗରୁ ବି ଏହିଭଳି ଜାଲ୍‍ ନିଯୁକ୍ତିପତ୍ର ପିଲାମାନଙ୍କୁ ଦିଆଯାଇଥିଲା। ସେମାନେ ଯେତେବେଳେ କମ୍ପାନି କାର୍ଯ୍ୟାଳୟରେ ପହଞ୍ଚନ୍ତି ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

ସୋଆ ଠକେଇ ମାମଲାରୁ ଯେଉଁ ତଥ୍ୟ ଓ କେଳେଙ୍କରି ପଦାକୁ ଆସିଛି ତାହା ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଥିବା ସମସ୍ତ ଅସଙ୍ଗତିକୁ ପଦାରେ ପକାଇଛି। ଯେଉଁ ବିଶ୍ୱବିଦ୍ୟାଳୟ ଏବେ ରାଜ୍ୟର ୧ ନମ୍ବର ବୋଲି ରାଙ୍କ୍‌ ପାଇଥିଲା, ସେଠି ଏହି ଘୋଟାଲା ଘଟିବା ଲୋମ ଟାଙ୍କୁରିବା ଭଳି ଅବସ୍ଥା ସୃଷ୍ଟି କରିଛି। ଯେଉଁ ବାପା ମା’ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ଇଂଜିନିୟରିଂ ଓ ମେଡିକାଲ ବା ବିଭିନ୍ନ ପେସାଦାର ଶିକ୍ଷା ପାଇଁ ବଡ଼ ବଡ଼ କଲେଜରେ ଭର୍ତ୍ତି କରୁଛନ୍ତି ସେମାନଙ୍କ ମଧ୍ୟରେ ଏହା କିଭଳି ହତାଶ ଅବସ୍ଥା ସୃଷ୍ଟି କରୁଥିବ ତାହା ସହଜରେ ଅନୁମାନ କରାଯାଇପାରିବ।

ଓଡ଼ିଶାରେ ବୈଷୟିକ ଶିକ୍ଷା ଠିକ୍ ଚାଲି ନାହିଁ ଏହା ପ୍ରଥମେ ଜଣା ପଡ଼ିଥିଲା ୧୯୯୦ ମସିହାରେ, ଯେଉଁ ସମୟରେ ଛତୁ ଫୁଟିବା ଭଳି ଇଂଜିନିୟରିଂ କଲେଜ ଖୋଲିବାକୁ ଲାଗିଲା। ଘଟଣାବଶତଃ, ସୋଆ ବିଶ୍ଵ ବିଦ୍ୟାଳୟର ପ୍ରତିଷ୍ଠାତା ଓ ଆଇଟିଇଆର କଲେଜର ମାଲିକ କିଛି ବର୍ଷ ତଳେ ସିଟ୍ ବ୍ଲକ ମାମଲାରେ ଫସିଥିଲେ।

ବର୍ତ୍ତମାନର ପ୍ଲେସ୍‌ମେଣ୍ଟ ଘଟଣାରେ ଆମର କିଛି ଦୋଷ ନାହିଁ ଓ ଆଇଟିଇଆର ନିଜେ ଠକି ହୋଇଯାଇଛି ବୋଲି ସଫେଇ ଦେବା ସହ ଆମେ ଷଡଯନ୍ତ୍ର ରଚନାକାରୀ ନୋହୁଁ ବୋଲି ସୋଆର ପ୍ରମୁଖ ଅଧିକାରୀମାନେ କହୁଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହେଉଛି ଯେ ଚାକିରି ଯୋଗାଣକାରୀ ସଂସ୍ଥାର ନାମ ପ୍ରକାଶ କରିବାକୁ ସୋଆ ମନା କରିଦେଇଛି। ସମଗ୍ର କେଳେଙ୍କାରିରେ ଜଣେ ଡିନଙ୍କୁ ବଳି ପକାଇବା ମଧ୍ୟ ଆଶ୍ଚର୍ଯ୍ୟର ବିଷୟ।

ଗିରଫ ହୋଇଥିବା ଡିନ୍‍ ରାଜ କୁମାର ହୋତା କହୁଛନ୍ତି ଯେ ପ୍ରଥମ ଥର ପାଇଁ ସୋଆରେ ଏଭଳି ଏକ ଠକେଇ ହୋଇଛି। ତାଙ୍କ କଥାରେ ପାଳି ଧରିଛନ୍ତି ଆଇଟିଇଆରର କୁଳପତି ପ୍ରଫେସର ଅମିତ ବାନାର୍ଜୀ। ତେବେ ୨୦୧୫ରେ ଯେଉଁମାନେ ପାସ କରିଥିଲେ ସେମାନଙ୍କର ବି ଅଭିଯୋଗ ଯେ ତାଙ୍କ ପ୍ରତି ମଧ୍ୟ ଏଭଳି ଅବିଚାର ହୋଇଛି। ସତ କହିବାକୁ ଗଲେ ଆଇଟିଇଆର କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ହିଁ ୪୦୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବାଜିରେ ଲାଗିଛି ଏକଥା ଏକ ପ୍ରକାର ସ୍ପଷ୍ଟ ହୋ‍ଇଯାଇଛି।

ତେବେ ଏହି ପ୍ଲେସ୍‌ମେଣ୍ଟ ମାମଲାରେ କେବଳ ସୋଆକୁ ଦୋଷ ଦେଇ ହେବ ନାହିଁ। ଓଡ଼ିଶାରେ ଥିବା ନାମୀଦାମୀ ଇଂଜିନିୟରିଂ କଲେଜର ଅବସ୍ଥା ଆହୁରି ଗୁରୁତର। ସୋଆ ତ କିଛି ନହେଲେ ତା’ର ପ୍ରତିଷ୍ଠାକୁ ତଳେ ପକାଇବାକୁ ଦେଇ ନାହିଁ। ଅନ୍ୟ ବହୁ ସଂଖ୍ୟକ କଲେଜ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ଦେବା ନାଁରେ ରୀତିମତ ଶୋଷଣ କରିଆସିଛନ୍ତି। ଏହିସବୁ କଲେଜର ପ୍ଲେସ୍‌ମେଣ୍ଟ ପ୍ରତିଶ୍ରୁତି ଡାହା ମିଛ ଏବଂ ପିଲାମାନେ ଚାକିରି ପାଇବା ସହିତ ଏମାନଙ୍କର କୌଣସି ସଂପର୍କ ନଥାଏ।

ଦଶ ବର୍ଷ ତଳେ ରାଜ୍ୟରେ ଇଂଜିନିୟରିଂ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ଯେତେ କଲେଜ ଖୋଲିଲା ସେ ସବୁର ଗୁଣାତ୍ମକ ମାନ ଅତ୍ୟନ୍ତ ଦୁଃଖଦ। ମାନ ଉନ୍ନତ କରିବା ପାଇଁ କେଉଁଠି ଚେଷ୍ଟା ବି ନଥିଲା। ଆବଶ୍ୟକ ଭିତ୍ତିଭୂମି କଥା ନ କହିଲେ ଭଲ।

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜର ସମସ୍ତ ସମ୍ବଳ ଶେଷ କରିବା ପରେ ଇଂଜିନିୟରିଂ ପଢ଼ିଥିବା ଛାତ୍ର ଛାତ୍ରୀ ଆଜି ଦାଣ୍ଡ ରାସ୍ତାରେ। ନା ସେମାନଙ୍କ ଡିଗ୍ରୀର କିଛି ମୂଲ୍ୟ ଅଛି ନା ସାର୍ଟିଫିକେଟର। ଆଇଟିଇଆର ଚାକିରି ଠକେଇ ଘଟଣାରେ ଶିକାର ହୋଇଥିବା ଜଣେ ଯୁବକ ଟିଭିରେ କହୁଥିଲେ ଯେ ଚାକିରି ନପାଇ ହତାଶ ହେବା ପରେ ସେ ଏବେ ଖାଦ୍ୟ ସାମଗ୍ରୀର ଡେଲିଭରି ବୟ ଭାବେ କାମ କରି ନିଜର ଗୁଜରାଣ ମେଣ୍ଟ।ଉଛନ୍ତି। ରାଜ୍ୟର ଏକ ନମ୍ବର ବିଶ୍ୱବିଦ୍ୟାଳୟର ଯଦି ଏଭଳି ସ୍ଥିତି, ଅନ୍ୟ କଥା କଣ କୁହାଯିବ?

ଗୋଟିଏ ଦଶନ୍ଧି ପୂର୍ବରୁ ଇଂଜିନିୟରିଂ କଲେଜଗୁଡ଼ିକରେ ଯେଉଁ ଭିଡ଼ ପରିଲକ୍ଷିତ ହେଉଥିଲା ଆଉ ତାହା ଆଜି ନାହିଁ। ଅଧିକାଂଶ କଲେଜରେ ୫୦ ପ୍ରତିଶତ ସିଟ୍ ବି ପୂରଣ ହେଉନଥିବାରୁ ବିଗତ କିଛି ବର୍ଷ ଧରି ବହୁ ଶିକ୍ଷାନୁଷ୍ଠାନ ବନ୍ଦ ହୋଇସାରିଲାଣି।

ଇଂଜିନିୟରିଂ ଏବଂ ବିଭିନ୍ନ ଶିକ୍ଷାରେ ଏବର ଯେଉଁ ଅଧୋଗତି ଦେଖାଯାଇଛି ତାହାକୁ ରୋକିବା ପାଇଁ ସରକାର, କଲେଜ ଓ ଅଭିଭାବକ ମହଲରେ ଚିନ୍ତା ପ୍ରକଟ ହେବା ଦରକାର। ଗୁଣ ନ ଥିଲେ ସେ ପାଠର କୌଣସି ଅର୍ଥ ନାହିଁ ଏହା ପିଲା ବି ବୁଝିବା ଆବଶ୍ୟକ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶାଲାଇଭ୍‍ର ପରାମର୍ଶଦାତା ସମ୍ପାଦକ)

1 COMMENT

Comment