ଓଡ଼ିଶାଲାଇଭ୍‍ ବ୍ୟୁରୋ

‘ରୋମିଓ ଜୁଲିଏଟ୍‍’ – ଇଂରାଜୀ ସାହିତ୍ୟର ଶ୍ରେଷ୍ଠ ସାହିତ୍ୟିକ ୱିଲିଅମ୍‍ ସେକ୍ସପିଅର୍‌ଙ୍କ ବିଶ୍ୱପ୍ରସିଦ୍ଧ ଦୁଃଖଦ ପ୍ରେମକାହାଣୀ ବିଷୟରେ ପ୍ରତ୍ୟେକ ପ୍ରେମୀଯୁଗଳ ଅବଗତ। ହେଲେ ଏଥର ରଜରେ ଓଲିଉଡ୍‌ର ବିୟୁଟି କୁଇନ୍‍ ବର୍ଷା ପ୍ରିୟଦର୍ଶିନୀ ଓ ସଦ୍ୟ ବିବାହିତ ଅରିନ୍ଦମ୍‍ ଦର୍ଶକଙ୍କ ପାଇଁ ସାଜିଛନ୍ତି ଜୁଲିଏଟ୍‌ ଓ ରୋମିଓ। କିନ୍ତୁ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ।

ଏମ୍‍. ଆର୍‍. ମୁଭିଜ୍‍ ନିବେଦିତ ‘ରୋମିଓ ଜୁଲିଏଟ୍‌’ର ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ କୋରିଓଗ୍ରାଫର୍‌ ସୁଧାକର ବସନ୍ତ ଓ ପ୍ରଯୋଜନା କରିଛନ୍ତି ରମେଶ ବାରିକ। ଏହି ସିନେମାରେ ଦର୍ଶକଙ୍କୁ ମତୁଆଲା କରିବା ପାଇଁ ରହିଛି କମେଡି, ରୋମାନ୍‌ସ୍‌, ଟ୍ୱିଷ୍ଟ ଓ ମନଛୁଆଁ ସଙ୍ଗୀତ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ।

“ମୁଁ ଏଥିରେ ଏକ ସାଧାରଣ ଝିଅର ଚରିତ୍ରରେ ଅଭିନୟ କରିଛି ଯାହାର ନାଁ ହେଉଛି ଜୁଲିଏଟ୍‌। ଏହି ସିନେମାର ବିଷୟବସ୍ତୁ ମୋତେ ସବୁଠାରୁ ଭଲ ଲାଗିଲା। ମୋର ବିଶ୍ୱାସ ଏହାର ଷ୍ଟୋରି ହିଁ ଦର୍ଶକଙ୍କୁ ସିନେମାର ଶେଷ ଯାଏଁ ବାନ୍ଧି ରଖିବ”, କହିଛନ୍ତି ବର୍ଷା, ଯିଏ ଅନେକଗୁଡ଼ିଏ ହିଟ୍‌ ମୁଭିଜ୍‌ରେ ଅଭିନୟ କରିଛନ୍ତି।

ହାଇଦ୍ରାବାଦସ୍ଥିତ ରାମୋଜୀ ଫିଲ୍ମ ସିଟିରେ ଏହି ସିନେମାର ଗୀତ ସୁଟିଂ ଶେଷ ହୋ‍ଇଛି। ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ କଷ୍ଟ୍ୟୁମ୍‍ ପ୍ରତି ଏବେ ବିଶେଷ ଧ୍ୟାନ ଦିଆଯାଉଥିବା ବେଳେ ବର୍ଷା ମଧ୍ୟ ବିଭିନ୍ନ ପ୍ରକାରର ମଡର୍ଣ୍ଣ କଷ୍ଟ୍ୟୁମ୍‌ରେ ଏହି ଫିଲ୍ମରେ ନଜର ଆସିବେ।

ଅରିନ୍ଦମଙ୍କ ସହ କାମ କରିବା ସମ୍ପର୍କରେ ଓଡ଼ିଶାଲାଇଭ୍‌କୁ ସେ କହିଛନ୍ତି, “ଅରିନ୍ଦମ୍‍ ବହୁତ ଭଲ ଅଭିନେତା। ଆମ ଦୁଇଜଣଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ପୂର୍ବରୁ ବି ଭଲ ଲାଗିଛି। ଏଥର ବି ଦର୍ଶକ ନିଶ୍ଚିତ ପସନ୍ଦ କରିବେ।”

ପୂର୍ବରୁ ଦୁହିଁଙ୍କ ଅଭିନୀତ ସିନେମା ‘ପର୍ଶୁରାମ’ ଓ ‘ଏ ମନ ମାନେନା’ ହିଟ୍‌ ହୋ‍ଇଥିଲା। 

ସିନେମାରେ ଗୀତଗୁଡ଼ିକ ହୃଦୟସ୍ପର୍ଶୀ ହୋ‍ଇଛି ତଥା ଏହାର ଟାଇଟଲ୍‌ ଟ୍ରାକ୍‌ରେ ସୁଧାକର ବସନ୍ତଙ୍କ ନୃତ୍ୟ ସଂଯୋଜନା ବର୍ଷାଙ୍କର ପ୍ରିୟ ହୋ‍ଇଛି। ଏଥିରେ କଣ୍ଠଦାନ କରିଛନ୍ତି ଅନନ୍ୟା ଓ ହ୍ୟୁମନ୍‍ ସାଗର।

ରଜରେ ଅନୁଭବଙ୍କ ସିନେମା ‘ଅଭୟ’ ସାଙ୍ଗରେ ତାଙ୍କ ସିନେମାର କିଛି ପ୍ରତିଦ୍ୱନ୍ଦ୍ୱିତା ରହିବ ବୋଲି ପଚାରିବାରି ସେ କହିଲେ, “ମୁଁ ଚାହେଁ ସବୁ ସିନେମା ଲୋକଙ୍କୁ ଭଲ ଲାଗୁ। ହେଲେ ଆମ ସିନେମାର ସଫଳତା ପାଇଁ ମଧ୍ୟ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଉଛି।”

ଦଶହରା ସମୟରେ ରିଲିଜ୍‌ ହୋ‍ଇଥିବା ‘ଛାତି ତଳେ ଡିଙ୍ଗ୍‌ ଡଙ୍ଗ୍‍’ ସିନେମାରେ ବର୍ଷା ଗୋଟେ ମୋଟି ଝିଅର ଭୂମିକାରେ ଅଭିନୟ କରିଥିଲେ। ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଏହି ଗ୍ଲାମରସ୍‍ ହିରୋ‍ଇନ୍‍ ‘ରୋମିଓ ଜୁଲିଏଟ୍‍’କୁ ନେଇ ବିଶେଷ ଆଶାବାଦୀ ଅଛନ୍ତି।

LEAVE A REPLY

Please enter your comment!
Please enter your name here