ଓଡ଼ିଶାଲାଇଭ୍‌‍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ଏକ ନଦୀ ବନ୍ଦର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ପ୍ରକଳ୍ପ ପାଇଁ ଦୁଇଟି ପ୍ରମୁଖ କମ୍ପାନି ଆଗ୍ରହୀ ଥିବା ସୂଚନା ମିଳିଛି। ସାପୁରଜୀ ପାଲୋନଜୀ ଏବଂ ଏସ୍ସାର୍ ପୋର୍ଟସ ଏହି ନଦୀ ବନ୍ଦର ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କୁ ସାହାଯ୍ୟ କରିବା ସକାଶେ ମନ ବଳାଇଥିବା କଥା କହିଛନ୍ତି ଜଣେ ଅଧିକାରୀ।

କିଛି ବର୍ଷ ଧରି ଓଡ଼ିଶାରେ ଏକ ନଦୀ ବନ୍ଦର ପାଇଁ ଚର୍ଚ୍ଚା ହେବା ପରେ ଏ ନେଇ ଏବେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର  ପ୍ରଥମ  ନଦୀ ବନ୍ଦର ପାଇଁ ୨୧୧୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଅନୁରୋଧପତ୍ର ଫଇସଲା ପରେ ପ୍ରିବିଡ୍ ଆଲୋଚନା ଇତିମଧ୍ୟରେ ଶେଷ ହୋଇଛି।

ମହାନଦୀ କୂଳରେ ଅବସ୍ଥିତ ଏକ ସ୍ଥାନ ଏଥିପାଇଁ ଚୟନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ୍‌‍ ଅନ୍ତର୍ଗତ ଆଖଡାସାଳି ଗାଁରେ ଏହି ବନ୍ଦର ନିର୍ମାଣ ହେବ। ଘରୋଇ-ସରକାରୀ ସହଯୋଗ ବା ପିପି‍ପି ଜରିଆରେ ଏହା ନିର୍ମିତ ହେବ। ବାର୍ଷିକ ୪୪ ନିୟୁତ ଟନ୍‌‌ ମାଲ ଏଠାରୁ ଉତ୍ତୋଳନ ହେବ ବୋଲି ଜଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ପଣ୍ୟ କାରବାର ୧୮ ନିୟୁତ ଟନରେ ସୀମିତ ରହିବ।

ସରକାରଙ୍କ ପକ୍ଷରୁ ନଦୀ ବନ୍ଦର ପାଇଁ ଲିଜ୍ ସୂତ୍ରରେ ଜମି ଯୋଗାଇ ଦିଆଯିବ। ତିଆରି, ପରିଚାଳନା, ଅଂଶଗ୍ରହଣ ଓ ହସ୍ତାନ୍ତର (ବୋଲ୍ଟ) ଭିତ୍ତିରେ ଏହି ବନ୍ଦର ନିର୍ମାଣ କରାଯିବ। ବନ୍ଦର ନିର୍ମାଣ, ପରିବହନ, ରକ୍ଷଣାବେକ୍ଷଣ ଆଦି ବିଭିନ୍ନ ପ୍ରକାର କାମ ପାଇଁ କମ୍ପାନିକୁ ଦାୟିତ୍ୱ ଦିଆଯିବ।

୬୦୦ କୋଟି ଟଙ୍କାର ସମ୍ପତ୍ତି ଥିବା ସଂସ୍ଥାକୁ ହିଁ ଏଥିପାଇଁ ଚୟନ କରାଯିବ। ଏକାଧିକ କମ୍ପାନି ମିଶି ମଧ୍ୟ ଏଥିରେ ଭାଗ ନେଇପାରିବେ ବୋଲି ସ୍ଥିର ହୋଇଛି।

ଗୁଜରାଟର ତପ୍ତି ନଦୀ ବନ୍ଦର ଢାଞ୍ଚାରେ ମହାନଦୀ ବନ୍ଦର ତିଆରି ହେବ। କୋଲକାତାର ୱପ୍‌କୋସ୍ ନାମକ ଏକ ସଂସ୍ଥା ପ୍ରସ୍ତାବିତ ପ୍ରକଳ୍ପର ବୈଷୟିକ-ଆର୍ଥିକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିଛି।

LEAVE A REPLY

Please enter your comment!
Please enter your name here