ଓଡ଼ିଶାଲାଇଭ୍ ବ୍ୟୁରୋ
୧ ଜୁଲାଇ, ୨୦୧୭ରୁ ସାରା ଭାରତରେ ଲାଗୁହେବାକୁ ଯାଉଛି ‘ଜିଏସ୍ଟି’ ବା ‘ଗୁଡ଼ସ୍ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ୍’। ଏହାକୁ ଓଡ଼ିଆରେ ‘ବସ୍ତୁ ଓ ସେବା କର’ ବୋଲି କୁହାଯାଉଛି। ବର୍ତ୍ତମାନର ସ୍ଳୋଗାନ୍: ୧ ରାଷ୍ଟ୍ର ୧ କର ୧ ବଜାର। ଆସନ୍ତୁ ଏବେ ଜାଣିବା ଜିଏସ୍ଟିର ଜ୍ୟାମିତି:
ବସ୍ତୁ ଓ ସେବା କର ବା ଜିଏସ୍ଟି କ’ଣ?
ଏହା ହେଉଛି ବସ୍ତୁ ଓ ସେବା ଉପଯୋଗ ସଂକ୍ରାନ୍ତ ଏକ କର ଆଦାୟ ବ୍ୟବସ୍ଥା। ବସ୍ତୁ ବା ଦ୍ରବ୍ୟର ଉତ୍ପାଦନଠାରୁ ଆରମ୍ଭକରି ଚୂଡ଼ାନ୍ତ ଉପଯୋଗ ପର୍ଯ୍ୟନ୍ତ ସବୁ ସ୍ତରରେ କର ଲାଗୁକରିବା ଏହି ବ୍ୟବସ୍ଥାର ପ୍ରସ୍ତାବିତ ଲକ୍ଷ୍ୟ।
ଖାଉଟିଙ୍କ ଉପଯୋଗଠାରୁ ଆରମ୍ଭକରି ପୂର୍ବବର୍ତ୍ତୀ ସ୍ତର ଏପରିକି ଉତ୍ପାଦନ ପର୍ଯ୍ୟନ୍ତ ବକେୟା କର ପରିଶୋଧ ପ୍ରକ୍ରିୟା ଜାରି ରହିଥାଏ। ସଂକ୍ଷେପରେ କହିବାକୁ ଗଲେ ଉତ୍ପାଦିତ ସାମଗ୍ରୀରେ କେବଳ ମୂଲ୍ୟଯୁକ୍ତ କର ଲାଗୁ ହୋଇଥାଏ ଓ ସାମଗ୍ରୀର ସମ୍ପୂର୍ଣ୍ଣ କର ଭାର ହିଁ ଶେଷରେ ଖାଉଟିଙ୍କୁ ବହନ କରିବାକୁ ପଡ଼ିଥାଏ।
ଦେଶରେ ପ୍ରଚଳିତ କେଉଁ ଟିକସ ଜିଏସ୍ଟି ଅଧୀନରେ ରହିବାର ପ୍ରସ୍ତାବ ରହିଛି?
ସମ୍ପ୍ରତି କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇ ସଂଗୃହୀତ ହେଉଥିବା ଟିକସ ମଧ୍ୟରେ ରହିଛି:
- କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ
- ଔଷଧିୟ ଓ ଶୌଚାଳୟ ପ୍ରସ୍ତୁତି ସମ୍ପର୍କିତ ଉତ୍ପାଦ ଶୁଳ୍କ
- ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଉପରେ ଲାଗୁ ହେଉଥିବା ଅତିରିକ୍ତ ଉତ୍ପାଦ ଶୁଳ୍କ
- ବୟନ ଶିଳ୍ପ ଓ ଉତ୍ପାଦିତ ବସ୍ତ୍ର ଉପରେ ଲାଗୁ ହୋଇଥିବା ଅତିରିକ୍ତ ଉତ୍ପାଦ ଶୁଳ୍କ
- ଅତିରିକ୍ତ ବହିଃଶୁଳ୍କ
- ସ୍ୱତନ୍ତ୍ର ଅତିରିକ୍ତ ବହିଃଶୁଳ୍କ
- ସେବାକର
- ସାମଗ୍ରୀ ଓ ସେବା ଯୋଗାଣ ସଂକ୍ରାନ୍ତ କେନ୍ଦ୍ରୀୟ କର
ଜିଏସ୍ଟି ଅଧୀନକୁ ଆସୁଥିବା ରାଜ୍ୟଭିତ୍ତିକ ଟିକସ:
- ପ୍ରାଦେଶିକ ମୂଲ୍ୟଯୁକ୍ତ ଟିକସ୍ (ଭାଟ୍)
- କେନ୍ଦ୍ରୀୟ ବିକ୍ରିକର
- ସମସ୍ତ ପ୍ରକାର ପ୍ରବେଶ କର
- ଆମୋଦ ଓ ପ୍ରମୋଦ କର (ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଦ୍ୱାରା ଲାଗୁ ଟିକସକୁ ବାଦ୍ ଦିଆଯିବ)
- ବିଜ୍ଞାପନ ଉପରେ ଲାଗୁ ହୋଇଥିବା ଟିକସ
- କ୍ରୟ ବା ଖରିଦ ଟିକସ
- ଲଟେରୀ, ବାଦି (ବେଟିଂ) ବା ଜୁଆ ଖେଳ ଉପରେ ଥିବା ଟିକସ
- ସାମଗ୍ରୀ ଓ ସେବା ଯୋଗାଣ ସଂକ୍ରାନ୍ତ ପ୍ରାଦେଶିକ କର ଜିଏସ୍ଟି ଅଧୀନରେ କେନ୍ଦ୍ର, ରାଜ୍ୟ ସରକାର ତଥା ସ୍ୱାୟତ୍ତ ଶାସନ ସଂସ୍ଥା ଲାଗୁ ହେଉଥିବା ବିଭିନ୍ନ କର ଅନ୍ତର୍ଭୁକ୍ତ ହେବା ଲାଗି ଜିଏସ୍ଟି କାଉନ୍ସିଲ୍ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି
ଉପରୋକ୍ତ ଟିକସ ସମୂହ ଜିଏସ୍ଟିରେ ସାମିଲ୍ ଲାଗି କିଭଳି ନିୟମ ପ୍ରଣୟନ କରାଯାଇଛି?
ଜିଏସ୍ଟିରେ ଟିକସ ମିଶ୍ରଣର ସମ୍ଭାବନାକୁ ଚିହ୍ନଟ କରିବା ଲାଗି କେନ୍ଦ୍ର, ରାଜ୍ୟ ସରକାର ତଥା ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ପରୀକ୍ଷଣ କରିଛନ୍ତି।
- ସାମଗ୍ରୀ ଯୋଗାଣ ହେଉ ବା ସେବା ଯୋଗାଣ ପରୋକ୍ଷ ଟିକସ ଉପରେ ପ୍ରାଥମିକ ଭାବେ ଜିଏସ୍ଟିରେ ଅନ୍ତର୍ଭୁକ୍ତ ହେବ।
- ଜିଏସ୍ଟିରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଟିକସ ଦେଣ ନେଣ ପ୍ରକ୍ରିୟାର ଅଂଶ ବିଶେଷ ହେବ। ଏହି ପ୍ରକିୟାରେ ସାମଗ୍ରୀର ରପ୍ତାନି, ନିର୍ମାଣ ଓ ଉତ୍ପାଦନ ବା ସେବା ବ୍ୟବସ୍ଥା ଗୋଟିଏ ପଟେ ରହୁଥିବା ବେଳେ ସାମଗ୍ରୀ ଓ ସେବାର ଉପଯୋଗ ଅପରପାର୍ଶ୍ୱରେ ରହିବ।
- ଜିଏସ୍ଟିରେ ଟିକସ ମିଶ୍ରଣ ପ୍ରକ୍ରିୟା ଫଳରେ ଉଭୟ ଆଭ୍ୟନ୍ତରୀଣ ଓ ଅନ୍ତଃରାଜ୍ୟସ୍ତରରେ ଟିକସ ପରିଶୋଧ ଅବାଧରେ ଗତିଶୀଳ ହେବ। ଯେଉଁ ଟିକସଗୁଡ଼ିକ ନିର୍ଦ୍ଦିଷ୍ଟଭାବେ ସାମଗ୍ରୀ ଓ ସେବା ଯୋଗାଣ ସମ୍ପର୍କିତ ନୁହେଁ, ସେସବୁ ଜିଏସ୍ଟିରେ ଅନ୍ତର୍ଭୁକ୍ତ ହେବନାହିଁ।
- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜସ୍ୱର ଉତ୍ତମ ପରିଚାଳନା ପାଇଁ ପ୍ରୟାସ କରିବା ଆବଶ୍ୟକ।
କେଉଁ କେଉଁ ଦ୍ରବ୍ୟ ଜିଏସ୍ଟିର ବାହାରେ ରହିଛି?
ମାନବ ବ୍ୟବହାର ଉପଯୋଗୀ ଆଲକହଲ, ପେଟ୍ରୋଲିୟମ ବା ତୈଳଜାତ ସାମଗ୍ରୀ ଯଥା: ଅଶୋଧିତ ତୈଳ, ମୋଟର ସ୍ପିରିଟ୍ (ପେଟ୍ରୋଲ), ହାଇସ୍ପିଡ ଡିଜେଲ୍, ପ୍ରାକୃତିକ ବାଷ୍ପ ଏବଂ ବିମାନ ଟରବାଇନ୍ରେ ବ୍ୟବହୃତ ଇନ୍ଧନ ଏବଂ ବିଦ୍ୟୁତ୍ ଶକ୍ତି।
କେଉଁ ପ୍ରକାରର ଜିଏସ୍ଟି ପ୍ରଣୟନ କରିବାକୁ ପ୍ରସ୍ତାବ ରହିଛି?
ସାଧାରଣ ଟିକସ ପ୍ରଣୟନ ଭିତି ଅନୁଯାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକକାଳୀନ ଟିକସ ଲାଗୁ କରିପାରିବେ, ଯାହାକି ଦୁଇ ଅଂଶଯୁକ୍ତ ଜିଏସ୍ଟି ବ୍ୟବସ୍ଥା ଭାବେ ପରିଗଣିତ ହେବ। ରାଜ୍ୟ ମଧ୍ୟରେ ଆଭ୍ୟନ୍ତରୀଣ ସାମଗ୍ରୀ ଓ ସେବା ଯୋଗାଣ କ୍ଷେତ୍ରରେ କେନ୍ଦ୍ର ସରକାର ଯେଉଁ ଟିକସ ଲାଗୁ କରିବେ, ତାହା କେନ୍ଦ୍ରୀୟ ଜିଏସ୍ଟି ବା ସିଜିଏସ୍ଟି କୁହାଯିବ। ଏ କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ଟିକସ ଲାଗୁ କରିବେ ତାହା ପ୍ରାଦେଶିକ ଜିଏସ୍ଟି ବା ସିଜିଏସ୍ଟି କୁହାଯିବ। ଅନୁରୂପ ଭାବେ, ପ୍ରତି ଅନ୍ତଃରାଜ୍ୟ ସାମଗ୍ରୀ ଓ ସେବା ଯୋଗାଣକୁ କେନ୍ଦ୍ର ସରକାର ପରିଚାଳନା କରିବା ସଙ୍ଗେ ସଙ୍ଗେ ଏହା ଉପରେ ସମନ୍ୱିତ ଜିଏସ୍ଟି ବା ସିଜିଏସ୍ଟି ଲାଗୁ କରିପାରିବ।
ଦ୍ୱିଅଂଶୀ ବା ଦ୍ୱୈତ ଜିଏସ୍ଟି ବ୍ୟବସ୍ଥା କାହିଁକି ଆବଶ୍ୟକ?
ଭାରତ ଏକ ସଂଘୀୟ ରାଷ୍ଟ୍ର ଯେଉଁଠାରେ ଉପଯୁକ୍ତ ଆଇନ୍ ପ୍ରଣୟନ ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଲାଗୁ କରିବା ସହ ସଂଗ୍ରହ କରିବା ଲାଗି କ୍ଷମତାପ୍ରାପ୍ତ। ସମ୍ବିଧାନରେ ଉଲ୍ଲିଖିତ ଧାରା ଅନୁଯାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଜିତ କ୍ଷମତା ବଳରେ ସମ୍ବଳ ବୃଦ୍ଧି ଲାଗି ପୃଥକ୍ ଭାବେ ଦାୟିତ୍ୱ ତୁଲାଇବେ। ସଂଘୀୟ ଆର୍ଥିକ ବ୍ୟବସ୍ଥା ଲାଗି ସାମ୍ବିଧାନିକ ଆବଶ୍ୟକତା ଦୃଷ୍ଟିରୁ ଦ୍ୱିଅଂଶୀ ବା ଦୈତ ଜିଏସ୍ଟି ବ୍ୟବସ୍ଥା ପ୍ରଣୟନ କରାଯିବ।
ଜିଏସ୍ଟି ବ୍ୟବସ୍ଥାରେ କେଉଁ ସଂସ୍ଥା ଟିକସ ଲାଗୁ କରିବା ସହ ଏହାକୁ ପରିଚାଳିନା କରିବେ?
କେନ୍ଦ୍ର ଓ ରାଜ୍ୟ ସରକାର ଜିଏସ୍ଟି ବା ସିଜିଏସ୍ଟି ଅନୁଯାୟୀ ଟିକସ ଲାଗୁ ସହ ପରିଚାଳନା କରିବେ। ଏହାଛଡ଼ା ରାଜ୍ୟଗୁଡ଼ିକ ଏସ୍ଜିଏସ୍ଟି ଅନୁଯାୟୀ ଟିକସ ଲାଗୁ ସହ ପରିଚାଳନା କରିବେ।
ଆଇଜିଏସ୍ଟି କ’ଣ?
ଜିଏସ୍ଟି ବ୍ୟବସ୍ଥା ଅନୁଯାୟୀ ସମନ୍ୱିତ ଜିଏସ୍ଟି ବା ଆଇଜିଏସ୍ଟି ମାଧ୍ୟମରେ କେନ୍ଦ୍ର ସରକାର ଅନ୍ତଃରାଜ୍ୟ ସାମଗ୍ରୀ ଓ ସେବା ଯୋଗାଣ ଉପରେ କର ଲାଗୁ ସହ ଆଦାୟ କରି ପାରିବେ। ସମ୍ବିଧାନର ଧାରା ୨୬୯(କ) ଅନୁଯାୟୀ ଅନ୍ତଃରାଜ୍ୟ କାରବାର ତଥା ଯୋଗାଣ କ୍ଷେତ୍ରରେ ଜିଏସ୍ଟି ଜରିଆରେ ଟିକସ ଲାଗୁ ସହ ଆଦାୟ କରି ପାରିବେ। ଏଭଳି ଟିକସ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉଚିତ୍ ଢଙ୍ଗରେ ବିଭାଜିତ ହେବ। କାରଣ ଜିଏସ୍ଟି ପରିଷଦ ସୁପାରିଶ କ୍ରମେ ଏହି ଟିକସ କଣ୍ଟ୍ରୋଲ ପ୍ରକ୍ରିୟା ସଂସଦରେ ଆଇନ୍ ରୂପେ ସ୍ୱୀକୃତି ଲାଭ କରିଛି।
ଜିଏସ୍ଟି ଲାଗୁ କ୍ଷେତ୍ରରେ ମୂଲ୍ୟ ନିର୍ଦ୍ଧାରଣ କିଏ କରିବ?
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ନିଷ୍ପତି ଅନୁଯାୟୀ ଜିଏସ୍ଟି ଓ ଏସ୍ଜିଏସ୍ଟି ବ୍ୟବସ୍ଥାରେ ଟିକସ ଲାଗୁ ପାଇଁ ମୂଲ୍ୟ ନିର୍ଦ୍ଧାରିତ ହେବ। ଜିଏସ୍ଟି ପରିଷଦର ସୁପାରିଶ କ୍ରମେ ଟିକସ ହାର ପାଇଁ ବିଜ୍ଞପ୍ତି ଜାରି ହେବ।
ଜିଏସ୍ଟି ଲାଗୁ ହେଲେ ଦେଶରେ କିଭଳି ଭାବେ ହିତ ସାଧନ ହେବ?
ଅପ୍ରତ୍ୟକ୍ଷ କର ସଂସ୍କାର କ୍ଷେତ୍ରରେ ଜିଏସ୍ଟି ପ୍ରଚଳନ ଏକ ମହନୀୟ ପଦକ୍ଷେପ। ବହୁସଂଖ୍ୟକ କେନ୍ଦ୍ରୀୟ ଓ ରାଜ୍ୟ ଟିକସକୁ ଏକତ୍ରିକରଣ ସହ ପୂର୍ବବର୍ତ୍ତୀ ସ୍ତରରେ ଟିକସକୁ ଗ୍ରହଣ କରି ଏକକ ବ୍ୟବସ୍ଥାରେ ପରିଣତ ହେବା ଦ୍ୱାରା ଏଗୁଡିକର କୁପ୍ରଭାବ ଲୋପ ପାଇବା ସହ ଏକ ସାଧାରଣ ଜାତୀୟ ବିପଣନ ଲାଗୁ ପଥ ପରିଷ୍କାର କରିବ। ଜିଏସ୍ଟି ପ୍ରଚଳନ ଦ୍ୱାରା ଉପଭୋକ୍ତାମାନେ ବିଶେଷ ଉପକୃତ ହେବେ। ଏହି ବ୍ୟବସ୍ଥାରେ ସାମଗ୍ରୀକ ଟିକସ ବୋଝର ହ୍ରାସ ଘଟିବ। ଏପରିକି ଉପଭୋକ୍ତାଙ୍କୁ ସାମ୍ପ୍ରତିକ ଆକଳନ ଅନୁଯାୟୀ ୨୫ ରୁ ୩୦ ଶତାଂଶ ପର୍ଯ୍ୟନ୍ତ ଟିକସ ବୋଝରୁ ମୁକ୍ତି ମିଳିବା ସମ୍ଭାବନା ରହିଛି। ଜିଏସ୍ଟି ପ୍ରଚଳନ ଦ୍ୱାରା ଆଭ୍ୟନ୍ତରୀଣ ଓ ଆନ୍ତର୍ଜାତିକ ବଜାରରେ ଆମର ଉତ୍ପାଦିତ ସାମଗ୍ରୀ ପ୍ରତିଯୋଗିତା ଭିତିକ ହୋଇପାରିବ। ଅଧ୍ୟୟନରୁ ଜଣାପଡିଛି ଯେ ଏହା ଧିରେ ଧିରେ ଆର୍ଥିକ ଅଭିବୃଦ୍ଧିକୁ ପୋତ୍ସାହିତ କରିବ। ଟିକସ ଢାଞ୍ଚା ବିସ୍ତାରିତ ହେବା ଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକର ରାଜସ୍ୱ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ବାଣିଜ୍ୟ କାରବାର ବୃଦ୍ଧି ସହ ଟିକସ ବ୍ୟବସ୍ଥା ବିକଶିତ ହେବ।
(ସୌଜନ୍ୟ – କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ବୋର୍ଡ୍)