ଭାସ୍କର  ପରିଛା

ଏହାକୁ କୁହାଯାଉଛି ଐତିହାସିକ, ଅସାଧାରଣ ଓ ଏଭଳି ଆହୁରି ଅନେକ ବିଶେଷଣ ପଦର ସଂଯୋଜନା।

ଜୁଲାଇ ପହିଲାରୁ ଭାରତର ଟିକସ ସଂସ୍କାର ଏକ ନୂଆ ଜୀବନ ପାଇଛି। ଅପ୍ରତ୍ୟକ୍ଷ କର କ୍ଷେତ୍ରରେ ଏବେ ଯେଉଁ ସଂସ୍କାର ଆସିଛି, ତାହା ନିଶ୍ଚିତ ଭାବରେ ସୁଦୂରପ୍ରସାରୀ ଏବଂ ଏହାର ଫଳ ମିଳିବ ନିଶ୍ଚିତ। ଜିଏସଟି ଗୋଟିଏ ମାଡ଼ରେ ଦେଶରେ ଯେତେ ସବୁ କର ଥିଲା ତାହାକୁ ଲୋପ କରିପାରିଛି – କେନ୍ଦ୍ର କର, ରାଜ୍ୟ କର, ସ୍ଥାନୀୟ କର ଏଭଳି ବହୁ କର।

ଦ୍ରବ୍ୟ ଓ ସେବା କର ପ୍ରଚଳନ ହେବା ଫଳରେ ବର୍ତ୍ତମାନ ଦେଶ ଗୋଟିଏ କର ବ୍ୟବସ୍ଥାର ଅଧୀନକୁ ଆସିଛି। ଏହାଦ୍ୱାରା ଦେଶ ଏକୀକୃତ ଟିକସ ବ୍ୟବସ୍ଥାର ଅଂଶ ହୋଇଛି। ଏହାଫଳରେ ଏଣିକି ବ୍ୟବସାୟ କରିବା ସହଜ ହେବା ସହିତ  ଟିକସ ଆଦାୟ ମଧ୍ୟ ସରଳ ହେବ।

ଖାଲି ସେତିକି ନୁହେଁ, ଏହି ଜିଏସଟି ବିଦେଶରୁ ପୁଞ୍ଜି ଆଣିବା ପାଇଁ ସହଜସାଧ୍ୟ ହେବ। ସବୁଠାରୁ ବଡ଼ କଥା ହେଉଛି ଏହା କର ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବ।

ବହୁ ବର୍ଷ ଧରି ଏହି କର ସଂସ୍କାର ଉଦ୍ୟମ  ଚାଲିଆସିଥିବାବେଳେ ନରେନ୍ଦ୍ର ମୋଦି ସରକାର ଏହାକୁ କାର୍ଯ୍ୟକାରୀ କରିପାରିଛନ୍ତି। ବଡ଼ କଥା ହେଉଛି ଏଥିପାଇଁ ମିଳିଥିବା ରାଜନୀତିକ ସମର୍ଥନ। ଦଳ ମତ ନିର୍ବିଶେଷରେ ସବୁ ଦଳ ପକ୍ଷରୁ ଏହାକୁ ସମର୍ଥନ ମିଳିଛି। ଜିଏସଟି ଏବେ ଏକ ଦୈନନ୍ଦିନ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି।

ତେବେ ରାଜ୍ୟ ସରକାରମାନେ କିଭଳି ଏଥିରେ ସଫଳ ହେବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ବିଶେଷକରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ସାହାଯ୍ୟ ଓ ସହଯୋଗ ଆସିବା ଦରକାର।

ବର୍ତ୍ତମାନ ଦେଶରେ ବହୁ ସଂଖ୍ୟକ କର ରହିଛି ଓ ଏହାର ପରିଣାମ ମଧ୍ୟ ଭିନ୍ନ ଭିନ୍ନ ଭିନ୍ନ। ୦ ପ୍ରତିଶତରୁ ୨୮ ପ୍ରତିଶତ ପର୍ଯ୍ୟନ୍ତ ହାରରେ ଟିକସ ଆଦାୟ କରାଯାଉଥିବା ବେଳେ କିଛି ଦ୍ରବ୍ୟ ଉପରେ ସେସ୍‌ ବି ଆଦାୟ କରାଯାଉଛି। ଏହାଦ୍ୱାରା ଲବି ଓ ଦୁର୍ନୀତି ବଢୁଛି।

ଜିଏସଟି ଲାଗୁ ହେବା ପରେ ଗୋଟିଏ ଅସୁବିଧା ହୋଇଛି ଯେ କେହି ଏହି ନୂଆ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ନୁହଁନ୍ତି। ନା ଶିଳ୍ପ ସଂସ୍ଥା ନା ବ୍ୟବସାୟୀ। ତା’ଛଡ଼ା ଜିଏସଟିର ଆଇନଗତ ଦିଗ ଉପରେ କାହାର  ବିଶେଷ କିଛି ଧାରଣା ନାହିଁ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ସ୍ପଷ୍ଟତା ନାହିଁ।

ଜିଏସଟି ନେଟୱାର୍କରେ ପ୍ରତିଦିନ କୋଟି କୋଟି ବିଲ୍‌ ବାହାରିବ। କିନ୍ତୁ ଏଥି‍ପାଇଁ ଯେଉଁ ସଫ୍ଟଓୟାର ଦରକାର ତାହା ମହଜୁଦ ନାହିଁ। ଢେର ଆଗରୁ ସଫ୍ଟଓୟାର ପ୍ରସ୍ତୁତି ଚୂଡାନ୍ତ ହେବାର ଥିଲା ଓ ଏହାର ପରୀକ୍ଷା ନିରୀକ୍ଷା ବି ଆବଶ୍ୟକ ଥିଲା।

କେଉଁ ବୃତ୍ତିଧାରୀମାନେ ଏଥିରେ ଯୋଗ ଦେବେ ଓ ବ୍ୟବସାୟ ପ୍ରତିଷ୍ଠାନମାନେ ନିଜ ନିଜର ପ୍ରଥମ ବିଲ କେମିତି ବାହାର କରିବେ ସେନେଇ ଅନେକ ଲୋକ ଏଯାଏଁ ଅଜ୍ଞ। ଏଣୁ ଆଗାମୀ ଦିନରେ ଏହି ନୂଆ କର ବ୍ୟବସ୍ଥା ଅନେକ ଆବାହନର ସମ୍ମୁଖୀନ ହେବ।

ନୂଆ କର ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ସ୍ଲାବ୍ ରହିଛି ଓ କିଏ କ’ଣ ଦର ନେଉଛି ତାହା ଜଣାପଡୁନାହିଁ। ଜିଏସଟି ପାଇଁ ବଡ଼ ଚାଲେଞ୍ଜ ହେଉଛି ଅଣଆନୁଷ୍ଠାନିକ ବ୍ୟବସାୟ ବା କିରାଣ। ଦୋକାନ। ବିମୁଦ୍ରିକରଣ ପରେ ଦେଶର ଅର୍ଥନୀତିରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହା ସହିତ ଟିକସ ପ୍ରଣାଳିରେ ବ୍ୟାପକ ପରିବର୍ତ୍ତନ ସମସ୍ତଙ୍କ ପାଇଁ ହୋଇଛି ଚାଲେଞ୍ଜ।

ପାର୍ଲାମେଣ୍ଟର ମଧ୍ୟରାତ୍ର ଅଧିବେଶନରେ ଦ୍ରବ୍ୟ ଓ ସେବା କରର ପ୍ରଚଳନ ଐତିହାସିକ ହୋଇପାରିବ ଯଦି ଏହାର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ରହିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶାଲାଇଭର ପରାମର୍ଶଦାତା ସମ୍ପାଦକ)

LEAVE A REPLY

Please enter your comment!
Please enter your name here