ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଙ୍ଗବତୀ… ରଙ୍ଗବତୀ… ଢୋଲ ଓ ନିଶାନର ତାଳେ ତାଳେ ଏହି ଗୀତରେ ପୁଣି ଥରେ ଝୁମିବେ ଦର୍ଶକ। ଏସୀୟ ଦୌଡ଼କୁଦର ଉଦ୍‌ଘାଟନୀ ଉତ୍ସବରେ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ପରିବେଷିତ ହେବ ଓଡ଼ିଶାର ଏହି ଲୋକପ୍ରିୟ ସମ୍ବଲପୁରୀ ଗୀତ।

ବଲିଉଡର ଖ୍ୟାତନାମା ସଙ୍ଗୀତଜ୍ଞ ତ୍ରୟ ଶଙ୍କର-ଏହସାନ-ଲୟ, ଅନ୍ୟାନ୍ୟ ହିନ୍ଦୀଗୀତ ମଧ୍ୟରେ ଓଡ଼ିଆ ମାଟିର ପ୍ରତୀକ ସ୍ୱରୂପ ଏହି ଗୀତକୁ ପରିବେଷଣ କରିବାକୁ ରାଜି ହୋଇଛନ୍ତି। ଏହି ଗୀତର ମୌଳିକ ଗାୟକ ଜିତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲ, ସଙ୍ଗୀତକାର ପ୍ରଭୁଦତ୍ତ ପ୍ରଧାନ ଓ ଗୀତିକାର ମିତ୍ରଭାନୁ ଗଇଁତିଆ ଏହି ଗୀତକୁ ପରିବେଷଣ କରିବାକୁ ସ୍ୱୀକୃତି ମଧ୍ୟ ପ୍ରଦାନ କରିଛନ୍ତି।

‘‘ଏହି ଗୀତକୁ ଏସୀୟ ଦୌଡ଼କୁଦର ଉଦ୍‌ଘାଟନୀ ଉତ୍ସବରେ ପରିବେଷଣ କରିବାରେ ମୋର କୌଣସି ଆପତ୍ତି ନାହିଁ। ରଙ୍ଗବତୀ… ଗୀତ ଖାଲି ମୋର ନୁହେଁ, ଏହା ଓଡ଼ିଶାବାସୀଙ୍କ ଗୀତ, ଓଡ଼ିଆ ମାଟିର ପ୍ରତୀକ। ଶଙ୍କର ମହାଦେବନ ଜଣେ ଉଚ୍ଚକୋଟୀର ଗାୟକ। ସେ ନିଶ୍ଚିତ ଭାବେ ଗୀତକୁ ସଠିକ୍ ଭାବ ଓ ଶୈଳୀରେ ଉପସ୍ଥାପନ କରିବେ। ସେମାନେ ଚାହିଁଲେ ଉପଲବ୍ଧ ଅନୁଯାୟୀ ବାଦ୍ୟଯନ୍ତ୍ର ବ୍ୟବହାର କରିପାରିବେ। ହେଲେ, ଶବ୍ଦର ଉଚ୍ଚାରଣ ତଥା ଗୀତର ଲୟ ଓ ସୁରରେ କୌଣସି ବଦଳି ନ କରଯାଉ। ତାହା ହିଁ ମୋର ଅନୁରୋଧ’’, ଓଡ଼ିଶାଲାଇଭ୍ ସହ କଥା ହେବା ବେଳେ କହିଛନ୍ତି ଜିତେନ୍ଦ୍ରିୟ ହରିପାଲ।

ରଙ୍ଗବତୀ ଗୀତ ୭୦ ଦଶକରେ ସମ୍ବଲପୁର ଆକାଶବାଣୀରେ ପ୍ରଥମ ଥର ପାଇଁ ପ୍ରସାରିତ ହୋଇଥିଲା। ଗତ ୪ ଦଶନ୍ଧି ଧରି ଏହି ଗୀତ ଓଡ଼ିଆ ପର୍ବପର୍ବାଣୀ ତଥା ଖୁସି ମଉଜ ସମୟରେ ଲୋକଙ୍କର ପ୍ରଥମ ପସନ୍ଦ ହୋଇଛି। ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ତଥା ଭାରତ ବାହାରେ ରହୁଥିବା ଓଡ଼ିଆଙ୍କ ପାଇଁ ମଧ୍ୟ ଏହା କୌଣସି ଆନନ୍ଦଉତ୍ସବ ପାଳନ ସମୟର ପ୍ରଥମ ପସନ୍ଦ ରହିଆସିଛି।

ଗତ କିଛି ବର୍ଷ ମଧ୍ୟରେ ରଙ୍ଗବତୀ ଗୀତର ପରିବେଷଣ ଶୈଳୀ ତଥା ଏହାର ପ୍ରାଥମିକ ଗାୟକଙ୍କଠାରୁ ସ୍ୱୀକୃତି ନ ଦେବା ବିଷୟରେ ଅନେକ ବିବାଦ ଉପୁଜିଥିଲା। କୋକ୍ ଷ୍ଟୁଡିଓରେ ଓଡ଼ିଆ ଗାୟିକା ସୋନା ମାହାପାତ୍ରଙ୍କର ରଙ୍ଗବତୀ ସହ ଅନ୍ୟାନ୍ୟ ଗୀତକୁ ମିଶ୍ରଣ କରି ଉପସ୍ଥାପନ କରିବା, ସିନେନିର୍ମାତା ନୀଳମାଧବ ପଣ୍ଡା ତାଙ୍କ ସିନେମା ‘କୌନ ଜିତ୍‌ବେ ପାନି ମେଁ’ରେ ଏହି ଗୀତକୁ ବ୍ୟବହାର କରିବା ତଥା ପ୍ରଜ୍ଞା ପାତ୍ର ଏହାକୁ ନେଇ ଏକ ମ୍ୟୁଜିକ୍ ଉିଡିଓ କରିବା ନେଇ ବହୁତ ଚର୍ଚ୍ଚା ହୋଇଥିଲା। ଏହାଦ୍ୱାରା ରଙ୍ଗବତୀ ଗୀତ ପୁଣିଥରେ ଯୁବଗୋଷ୍ଠୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ହେଲେ, ଜିତେନ୍ଦ୍ର ହିରପାଲଙ୍କଠାରୁ କୌଣସି ସ୍ୱୀକୃତି ନିଆ ନଯିବା ନେଇ ସେ ଅଭିମାନ ବ୍ୟକ୍ତ କରିଥିଲେ।

ଏଥର କିନ୍ତୁ, ଏସିଆନ୍ ଆଥଲେଟିକ୍‌ର ଉଦ୍‌ଘାଟନୀ ଉତ୍ସବରେ ଏହି ଗୀତ ପରିବେଷଣ ପାଇଁ ସରକାରୀ ସ୍ତରରେ ଅନୁମତି ପ୍ରାପ୍ତି ହୋଇଛି।

‘‘ଏହି ଅନ୍ତର୍ଜାତୀୟ ଖେଳକୁଦ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବାରୁ ଆମେ ଚାହିଁଲୁ ଓଡ଼ିଆ ଗୀତଟିଏ ଉଦ୍‌ଘାଟନୀ ଉତ୍ସବରେ ପରିବେଷିତ ହେଉ। ସେଥିପାଇଁ ରଙ୍ଗବତୀ ଗୀତକୁ ଶ୍ରେଷ୍ଠ ବୋଲି ଚୟନ କରାଗଲା ଏବଂ ଶଙ୍କର ମହାଦେବନଙ୍କୁ ଅନ୍ୟାନ୍ୟ ହିନ୍ଦୀ ଗୀତ ମଧ୍ୟରେ ଏହି ଗୀତ ଗାଇବା ପାଇଁ ଅନୁରୋଧ କରାଗଲା। ତେବେ ଏହି ଗୀତର ମାନ୍ୟତା ରକ୍ଷା କରିବା ପାଇଁ ଏହାର ଶୈଳୀ ବା ସୁରରେ କୌଣସି ପରିବର୍ତ୍ତନ ନ କରିବା ପାଇଁ ଉପଯୁକ୍ତ ପ୍ରସ୍ତୁତି କରାଯାଇଛି’’, କହିଛନ୍ତି ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ।

LEAVE A REPLY

Please enter your comment!
Please enter your name here