ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନଥିଲା ପକ୍ଷୀ ମାରି ପେଟ ପୋଷୁଥିଲେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡ଼ି ଗ୍ରାମର ଅଧିକାଂଶ ଲୋକେ। ହେଲେ ଏବେ ଛବି ବଦଳିଯାଇଛି। ଯେଉଁ ଲୋକମାନେ ଦିିନେ ଚଢେଇ ମାରୁଥିଲେ ଏବେ ସେମାନେ ଚଢେଇ ଜଗି ପରିବାର ପ୍ରତିପୋଷଣ କରୁଛନ୍ତି ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ଏହା କେବଳ ସମ୍ଭବ ହୋଇଛି କିଛି ପରିବେଶବିତ୍, ବୁଦ୍ଧିଜୀବୀ ଏବଂ ଇଣ୍ଡିଆନ୍ ଗ୍ରାମୀଣ ସର୍ଭିସ ନାମକ ଏକ ସଂସ୍ଥା ପାଇଁ। ୨୦୦୯-୧୦ ପରେ ମଙ୍ଗଳାଯୋଡ଼ିର ଭୌଗୋଳିକ ନକ୍ସା ବଦଳି ଯାଇଥିବାରୁ ଏହା ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ମଙ୍ଗଳାଯୋଡ଼ି ଗ୍ରାମରେ ପାଖାପାଖି ୮୫୦ ପରିବାର ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ମତ୍ସ୍ୟଜୀବୀ। ଆଉ ବାକି ୪୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି। ମତ୍ସ୍ୟଜୀବୀମାନେ ପ୍ରତିଦିନ ଚିଲିକାରୁ ମାଛ, କଙ୍କଡ଼ା ଧରି ଜୀବିକା ନିର୍ବାହ କରିବା ସହ ବିଭିନ୍ନ ପ୍ରଜାତିର ଚଢେଇ ମାରୁଥିଲେ।

୧୯୯୫-୯୬ ମସିହା ପୂର୍ବରୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଚଢ଼େଇ ମଙ୍ଗଳାଯୋଡ଼ିକୁ ଆସୁଥିଲେ। ମାତ୍ର ଶିକାରୀଙ୍କ ପ୍ରାଦୁର୍ଭାବ ଯୋଗୁଁ ଚଢ଼େଇ ସଂଖ୍ୟା ହ୍ରାସ ପାଇ ଚାଲିଲା। ଏଥିରେ ପରିବେଶବିତ୍, ବୁଦ୍ଧିଜୀବୀ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡ଼ିଏ) ଚିନ୍ତା ପ୍ରକଟ କରି ପକ୍ଷୀ ଶିକାର ବନ୍ଦ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ସିଡ଼ିଏର ସିଇଓ ଡକ୍ଟର ଅଜିତ୍ କୁମାର ପଟ୍ଟନାୟକ ଏବଂ ପରିବେଶବିତ୍ ନନ୍ଦ କିଶୋର ଭୂଜବଳଙ୍କ ଉଦ୍ୟମରେ ଚଢେଇ ଶିକାର ବନ୍ଦ ହୋଇଥିଲା। ଫଳରେ ୨୦୦୫-୦୬ରେ ମଙ୍ଗଳାଯୋଡ଼ିରେ ଚଢେ଼ଇ ସଂଖ୍ୟା ବୃଦ୍ଧି ପାଇଲା।

୨୦୦୯-୧୦ରେ ଇଣ୍ଡିଆନ୍ ଗ୍ରାମୀଣ ସର୍ଭିସ ଏଠାରେ ପହଞ୍ଚିଥିଲେ ଏବଂ ଆରବିଏସ୍ ଫାଉଣ୍ଡେସନ ଇଣ୍ଡିଆର ସହଯୋଗରେ ଗ୍ରାମବାସୀଙ୍କୁ ରୋଜଗାରର ପନ୍ଥା ଦେଖାଇଥିଲେ। ଫଳରେ ଏଠାରେ ଏକ ଇକୋ ଟୁରିଜିମ୍ କ୍ୟାମ୍ପସ୍ ତିଆରି କରାଗଲା। ପର୍ଯ୍ୟଟକଙ୍କ ପାଇଁ ରହିବା, ଖାଇବା ସହ ବୋଟିଂ ସୁବିଧା କରାଗଲା। ଏହାଦ୍ୱାରା ସ୍ଥାନୀୟ ଲୋକେ ସିଧାସଳଖ ରୋଜଗାର ପାଇଲେ। ଯେଉଁମାନେ ପକ୍ଷୀ ଶିକାର କରୁଥିଲେ ସେମାନେ ଗାଇଡ୍, ବୋଟ ମ୍ୟାନ୍, ହସ୍ପିଟାଲିଟି, ରୋଷେଇ ଆଦି କାର୍ଯ୍ୟରେ ନିୟୋଜିତ ହେଲେ। ଆଉ କେତେକ ଲୋକେ ଦୋକାନ କରି ଗୁଜୁରାଣ ମେଣ୍ଟାଇଲେ।

ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରୁ ଲୋକେ ଦି ପଇସା ଭଲଭାବେ ରୋଜଗାର କଲେ। ଏବେ ଏହି ଗାଁର ଅର୍ଥିକ ଅବସ୍ଥା ସୁଧୁରୁଛି। ପକ୍ଷୀ ଶିକାର ଅପବାଦରୁ ମୁକୁଳି ଏବେ ମଙ୍ଗଳାଯୋଡ଼ି ପକ୍ଷୀ ସୁରକ୍ଷା ଗ୍ରାମର ଆଖ୍ୟା ପାଇଛି।

ମଙ୍ଗଳାଯୋଡ଼ିକୁ ପକ୍ଷୀ କାହିଁକି ଆସନ୍ତି ?

ଭଳିକି ଭଳି ଦେଶୀ, ବିଦେଶୀ ପକ୍ଷୀ ଦେଖିବା ପାଇଁ ଶୀତଦିନେ ପର୍ଯ୍ୟଟକମାନେ ଚିଲିକାକୁ ଛୁଟି ଆସନ୍ତି। ଚିଲିକା ନିକଟରେ ମଙ୍ଗଳାଯୋଡ଼ି ପଡୁଥିବାରୁ ଏଠାରେ ମଧ୍ୟ ବିଭିନ୍ନ ପ୍ରଜାତିର ପକ୍ଷୀ ଆସୁଛନ୍ତି। ତେବେ ପର୍ଯ୍ୟଟକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ, ଚିଲିକା ଛାଡ଼ି ପକ୍ଷୀମାନେ ମଙ୍ଗଳାଯୋଡ଼ି କାହିଁକି ଆସନ୍ତି ? ଏହାର ପ୍ରମୁଖ କାରଣ ହେଉଛି ମଙ୍ଗଳାଯୋଡ଼ି ଆର୍ଦ୍ରଭୂମି ଅଞ୍ଚଳ। ଏଠାରେ ପକ୍ଷୀମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ମିଳେ। ସେଥିପାଇଁ ଅଧିକାଂଶ ପକ୍ଷୀ ଚିଲିକା ଛାଡ଼ି ଏଠାରେ ରହନ୍ତି।

ଚିଲିକାରେ ୨୫୦ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳୁଥିବା ବେଳେ ମଙ୍ଗଳାଯୋଡ଼ିରେ ୨୦୦ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ସାଇବେରିଆ, ମଙ୍ଗୋଲିଆ, ଲଦାଖ, ପାକିସ୍ତାନ ଏବଂ ଆଫଗାନିସ୍ତାନ ଆଦି ଅଞ୍ଚଳର ପକ୍ଷୀମାନେ ମଙ୍ଗଳାଯୋଡ଼ି ଆର୍ଦ୍ରଭୂମିରେ ଦେଖିବାକୁ ମିଳିଥାନ୍ତି।

ବିଶେଷକରି ସେପ୍ଟେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଏବେ ମଙ୍ଗଳାଯୋଡ଼ିର ବିକାଶ ହେଉଥିବାରୁ ପ୍ରତିବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡ଼ିଛି। ପ୍ରତିବର୍ଷ ୫ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆସୁଥିବାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ରୋଜଗାର ଗ୍ରାମବାସୀଙ୍କ ହାତକୁ ଆସୁଛି।

କେମିତି ଯିବେ ?

ମଙ୍ଗଳାଯୋଡ଼ିକୁ ଯିବା ପାଇଁ ଉଭୟ ସଡ଼କ ଏବଂ ରେଳପଥର ସୁବିଧା ରହିଛି। ରାଜଧାନୀ ଭୁବନେଶ୍ୱରରୁ ଟାଙ୍ଗୀ ଏବଂ ଟାଙ୍ଗୀରୁ ଭୂଷଣ୍ଡପୁର ରାସ୍ତାରେ ୫ କି.ମି ଆଗକୁ ଗଲେ ମଙ୍ଗଳାଯୋଡ଼ି ପଡ଼ିବ। ସେହିପରି ମଙ୍ଗଳାଯୋଡ଼ିର ନିକଟସ୍ଥ ଷ୍ଟେସନ ହେଉଛି କାଳୁପଡ଼ା। ଏହା ମଙ୍ଗଳାଯୋଡ଼ିରୁ ମାତ୍ର ୮ କିଲୋମିଟର ଦୂର  ।

ମଙ୍ଗଳାଯୋଡ଼ିକୁ ପୁରସ୍କାର

୨୦୧୦ରେ ଟିଓଏଫ୍‌‌ଟି ୱାଇଲ୍‌ଡ ଲାଇଫ୍ କଞ୍ଜର୍‌‍ଭେସନ ରନର୍ସଅପ୍ ଆୱାର୍ଡ ପାଇଥିବା ବେଳେ ୨୦୧୨ରେ ଆରବିଏସ୍ ଆର୍ଥ ହିରୋ ଆୱାର୍ଡ, ୨୦୧୪ରେ ୟୁଏନ୍‌‍ଡିଡି ଇଣ୍ଡିଆ ବାୟୋ ଡାଇଭରସିଟି ରନର୍ସଅପ୍ ଆୱାର୍ଡ, ୨୦୧୫ରେ ବିଜୁ ପଟ୍ଟନାୟକ ୱାଇଲ୍‌ଡ ଲାଇଫ୍ କଞ୍ଜରଭେସନ ଆୱାର୍ଡ (ବ୍ୟକ୍ତିଗତ), ୨୦୧୫ରେ ଏମ୍ଏସ୍ ସ୍ୱାମୀନାଥନ୍ ଫାଉଣ୍ଡେସନ ଫେଲୋସିପ୍ ଆୱାର୍ଡ (ବ୍ୟକ୍ତିଗତ), ୨୦୧୬ରେ ରାଜ୍ୟସ୍ତରୀୟ ୱେଟ୍ ଲ୍ୟାଣ୍ଡ ଡେ ଆୱାର୍ଡ ହାସଲ କରିଛି।

ମଙ୍ଗଳାଯୋଡ଼ିକୁ କେଉଁ ବର୍ଷ କେତେ ପକ୍ଷୀ ଆସନ୍ତି

୨୦୧୧ରେ ମଙ୍ଗଳାଯୋଡ଼ିକୁ ୨୦,୩୮୦୫ ପକ୍ଷୀ ଆସିଥିବା ବେଳେ ୨୦୧୨ରେ ୨୯୧୬୯୦, ୨୦୧୩ରେ ୨୧୦୪୮୨, ୨୦୧୪ରେ ୧୧୦୫୪୪, ୨୦୧୫ରେ ୧୬୨୭୫୬, ୨୦୧୬ରେ ୨୪୮୩୦୭, ୨୦୧୭ରେ ୨୯୪୪୧୫ ପକ୍ଷୀ ଆସିଥିବା ଜଣାପଡ଼ିଛି।

“ମଙ୍ଗଳାଯୋଡ଼ି ପ୍ରକୃତିର ଏକ ବରଦାନ। ଏଠିକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁସବୁ ପଦକ୍ଷେପ ନିଆଯାଉଛି ତାହା ପ୍ରଶଂସାଜନକ। ତେବେ ସେଠାକାର ଶାନ୍ତ ପରିବେଶ ଓ ଚଢେଇମାନଙ୍କ ପ୍ରତି ପର୍ଯ୍ୟଟକମାନେ ଯେପରି ବିପଦ ସୃଷ୍ଟି ନ କରନ୍ତି, ସେଥିପ୍ରତି ସତର୍କ ରହିବା ଦରକାର” କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ କପିଳାସ ଭୂୟାଁ। ମଙ୍ଗଳାଯୋଡ଼ି ଉପରେ ଶ୍ରୀ ଭୂୟାଁ ବର୍ତ୍ତମାନ ଏକ ଡକ୍ୟୁମେଣ୍ଟ୍ରି ଫିଲ୍ମ ନିର୍ମାଣ କରୁଛନ୍ତି।

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଚିଲିକା ବିଶେଷ ସ୍ଥାନ ନେଇଛି। ମଙ୍ଗଳାଯୋଡ଼ି ଏବେ ହୋ‌ଇଛି ଚିଲିକାର ମୁଖ୍ୟ ଆକର୍ଷଣ।

(ପ୍ରସ୍ତୁତି : ସରୋଜ)

5 COMMENTS

  1. I will visit Mangalajodi this winter. Positively. Thank you Saroj for the detail on this tourism hotspot of Odisha. The story will inform many others who are not aware about this brilliant spot near Chilika.

Comment