ଓଡ଼ିଶାଲାଇଭ୍‌ ବ୍ୟୁରୋ

କେବଳ ଶୀତ କି ଗ୍ରୀଷ୍ମ ନୁହେଁ, ବର୍ଷାଦିନରେ ବି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀରେ ବୁଲିବାର ମଜା କିଛି ଅଲଗା ଥାଏ। ଖୋଲା ଆକାଶରେ ଭାସୁଥିବା ମେଘଖଣ୍ଡ ପୁଣି କେତେବେଳେ ପବନ ସହ କୁଣ୍ଡାଝରା ବର୍ଷାରେ ପ୍ରାକୃତିକ ସ୍ଥାନର ଦୃଶ୍ୟ ବେଶୀ ମନଲୋଭା । ଯେଉଁମାନେ ପ୍ରକୃତି ଓ ଋତୁପ୍ରେମୀ ସେମାନେ ଏ ସମୟରେ ସତୀଗୁଡ଼ା ଡ୍ୟାମ୍‌‌‍ରେ ବର୍ଷାବେଳର ଦୃଶ୍ୟ ଉପଭୋଗ କରିପାରିବେ। ମାଲକାନଗିରି ଜିଲାରେ ରହିଥିବା ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଟିରେ ନଦୀବନ୍ଧର ବିସ୍ତୃତ ଜଳରାଶି, ବୋଟିଂ ସୁବିଧା ସହ ନିକଟରେ ପ୍ରାକୃତିକ ଉଦ୍ୟାନ ରହିଛି।

ଜଳଭଣ୍ଡାର :

୧୯୬୫ ମସିହାରେ ମାଲକାନଗିରି ଜିଲାରେ ଶରଣାର୍ଥୀମାନଙ୍କୁ ଥଇଥାନ କରାଯିବା ଲାଗି କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଦଣ୍ଡକାରଣ୍ୟ ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ସତୀଗୁଡ଼ା ନଦୀରେ ମଧ୍ୟମ ଜଳସେଚନ ଯୋଜନା କାର୍ଯ୍ୟକାରୀ ହୋଇଥିଲା।

ଏମ୍‌‌ଭି-୧୧୧ ଓ ତାଳଗୁଡ଼ା ଗ୍ରାମ ନିକଟରେ ସତୀନଦୀ ଉପରେ ତିଆରି କରାଯାଇଥିଲା ଡ୍ୟାମ୍। ୧୭୦୬ ମିଟର ଲମ୍ବ ଓ ୪୦ ମିଟର ଉଚ୍ଚତାର ଏହି ମାଟିବନ୍ଧ କାମ ୧୯୭୨ରେ ଶେଷ ହୋଇଥିଲା। ୧୨୯.୦୫ ବର୍ଗକିମି ପରିମିତ ଅଞ୍ଚଳରେ ସତୀଗୁଡ଼ା ଜଳକୁ ଅଟକାଯାଇ ସଂରକ୍ଷିତ କରି ରଖାଯାଇଥିଲା। ଡ୍ୟାମ୍‌ର ବାମ ପାର୍ଶ୍ୱରେ ୨୭.୧୦ କିମି ଓ ଦକ୍ଷିଣ ପାର୍ଶ୍ୱରେ ୩୧.୬୮୮ କିମିର କେନାଲ ନିର୍ମାଣ କରାଯାଇ ମାଲକାନଗିରି ଓ କୋରୁକୋଣ୍ଡା ବ୍ଲକର ୬୯୧୮ ଜଣ ଚାଷୀଙ୍କ ଜମିକୁ ଜଳସେଚିତ କରାଯାଉଛି।

ସେହିପରି ମାଲକାନଗିରି ସହରରେ ବସବାସ କରୁଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ବାସିନ୍ଦାଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ସତୀଗୁଡ଼ା ଜଳଭଣ୍ଡାରରୁ ପାନୀୟ ଜଳ ଯୋଗାଇଦେଉଛି। ଦଣ୍ଡକାରଣ୍ୟ ପ୍ରକଳ୍ପ ଶେଷ ହେବା ପରେ କେନ୍ଦ୍ର ସରକାର ୧୯୮୯ରେ ସତୀଗୁଡ଼ା ଜଳଭଣ୍ଡାରକୁ ରାଜ୍ୟ ଜଳସେଚନ ବିଭାଗକୁ ହସ୍ତାନ୍ତର କରିଥିଲେ। ଏବେ ସତୀଗୁଡ଼ା ଜଳଭଣ୍ଡାରର ଜଳ ଧାରଣ କରିବାର କ୍ଷମତା ହେଉଛି ୭୯,୭୭୦ ହେକ୍ଟୋମିଟର।

ସତୀଗୁଡ଼ାର କାହାଣୀ/ଲୋକକଥା :

ବହୁବର୍ଷ ତଳେ ମାଲକାନଗିରି ଜିଲାର ସିନ୍ଧ୍ରିମାଲ ଓ ମନଜକୁଣ୍ଡ ପର୍ବତମାଳାରୁ ୩ଟି ଚିରସ୍ରୋତା ଝରଣାର ପାଣି ମଞ୍ଜୁସା ଗ୍ରାମ ନିକଟରେ ମିଳିତ ହୋଇ ଏକ ବୃହତ୍ ଗାଡ଼ ବା ପୋଖରୀ ସୃଷ୍ଟି କରିଥିଲା। ସେଠାରେ ବର୍ଷ ସାରା ସ୍ୱଚ୍ଛ ପାଣି ରହୁଥିଲା। ପ୍ରଚଣ୍ଡ ଗ୍ରୀଷ୍ମରେ ଆଦିବାସୀମାନେ ଜଙ୍ଗଲକୁ ଶିକାର ଓ ଫଳମୂଳ ସଂଗ୍ରହ ପାଇଁ ଯିବାବେଳେ ସତୀଗାଡ଼ରେ ତୃଷ୍ଣା ମେଣ୍ଟାଉଥିଲେ।

ଲୋକକଥା ଅଛି, “ମଞ୍ଜୁସା ନାମକ ଜଣେ ଆଦିବାସୀ ରମଣୀ ସେହି ଗାଡ଼ରେ ସ୍ନାନ କରିବା ବେଳେ କେତେକ ମଦ୍ୟପ ଯୁବକ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ନିଜର ସତୀତ୍ୱ ରକ୍ଷା କରିବାକୁ ଯାଇ ସେହି ଗାଡ଼ରେ ଜୀବନ ହାରିଥିଲେ ତରୁଣୀ ମଞ୍ଜୁସା। ମୃତ୍ୟୁ ପୂର୍ବରୁ ସେ ଦେଇଥିବା ଅଭିଶାପ ଯୋଗୁ ମଞ୍ଜୁସାଙ୍କ ପରେ ସେହି ମଦ୍ୟପ ଯୁବକମାନଙ୍କର ମୃତ୍ୟୁ ହୋଇଥିଲା ବୋଲି ସ୍ଥାନୀୟ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କହନ୍ତି।

ସେହି ଗାଡ଼ରେ ଜୀବନ ଉତ୍ସର୍ଗ କରି ମଞ୍ଜୁସା ନିଜ ସତୀତ୍ୱ ରକ୍ଷା କରିଥିବାରୁ ସେହି ସ୍ଥାନ ଓ ନଦୀର ନାମ ‘ସତୀଗାଡ଼’ ଓ ପରେ ତାହା ଅପଭ୍ରଂଶ ହୋଇ ‘ସତୀଗୁଡ଼ା’ରେ ପରିଣତ ହୋଇଥିଲା। ମଞ୍ଜୁସାଙ୍କ ନାମ ଅନୁସାରେ ସ୍ଥାନୀୟ ଗ୍ରାମର ନାମକରଣ ହୋଇଥିଲା। ସେହିଦିନଠାରୁ ସେଠାରେ ‘ମଞ୍ଜୁସା’ଙ୍କୁ ଦେବୀ ମାନି ତାଙ୍କର ପୂଜା କରାଯାଇଆସୁଛି।

ଉଦ୍ୟାନ ଅନ୍ୟତମ ଆକର୍ଷଣ :

୨୦୦୭ରେ ସତୀଗୁଡ଼ା ଜଳଭଣ୍ଡାରକୁ ଲାଗି ବନ ବିଭାଗ ପକ୍ଷରୁ ଏହି ସ୍ଥାନକୁ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ନୌକା ବିହାର, ବଣଭୋଜି, ଶିଶୁ ଉଦ୍ୟାନ, ବିଭିନ୍ନ ଔଷଧୀୟ ବୃକ୍ଷର ବଗିଚା, ବିଭିନ୍ନ ପ୍ରଜାତିର ଫୁଲଗଛ, ବନ୍ୟଜନ୍ତୁଙ୍କ ପ୍ରତିମୂର୍ତ୍ତି, କୃତ୍ରିମ ୱାଟରଫଲ ସୁବିଧା କରାଯାଇଛି। ପ୍ରତିବର୍ଷ ଆନ୍ଧ୍ର, ଓଡ଼ିଶା, ଛତିଶଗଡ଼ରୁ ଲକ୍ଷାଧିକ ପର୍ଯ୍ୟଟକ ସତୀଗୁଡ଼ାକୁ ପରିଭ୍ରମଣରେ ଆସୁଛନ୍ତି।

ଡ୍ୟାମ୍ ଉପକୂଳର ପୁନରୁଦ୍ଧାର ଜରୁରୀ :

ଏବେ ସତୀଗୁଡ଼ା ଜଳଭଣ୍ଡାରର ମୋଟ ଆୟତନରୁ ପ୍ରାୟ ୩ ଭାଗ ମାଟି ପୋତି ହୋଇଗଲାଣି। କୂଳବର୍ତ୍ତୀ ଅଞ୍ଚଳ ଅମରୀ ଓ ଅନାବନା ଗଛ ଜଙ୍ଗଲରେ ଭରପୁର ହୋଇପଡ଼ିଛି। ଆଗାମୀ ଦିନରେ ଡ୍ୟାମ୍‌ର ଜଳଧାରଣ କ୍ଷମତାକୁ ଏହା ପ୍ରଭାବିତ କରିବା ଆଶଙ୍କା ରହିଛି। ସତୀଗୁଡ଼ା ଜଳଭଣ୍ଡାରରୁ ୯୦୬୫ ଚାଷୀଙ୍କୁ ଜମିରେ ପାଣି ଯୋଗାଇଦେବା ପାଇଁ ୩୬ଟି ପାଣି ପଞ୍ଚାୟତ ସମିତି ରହିଛି। ସତୀଗୁଡ଼ା ଜଳଭଣ୍ଡାର ଚତୁଃପାର୍ଶ୍ୱରେ ଥିବା ଆଦିବାସୀ ଓ ବେଙ୍ଗଲି ସମ୍ପ୍ରଦାୟର ଲୋକେ ମତ୍ସ୍ୟବିଭାଗ ଦ୍ୱାରା ସୋସାଇଟି ମାଧ୍ୟମରେ ମାଛଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି। ଡ୍ୟାମ୍ ପୁନରୁଦ୍ଧାର ନହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏହା ପାନୀୟ ଜଳ ଓ ଚାଷ ପାଇଁ ଚିନ୍ତା ଆଣିଦେବା ସହ ଅନେକ ଲୋକଙ୍କ ଜୀବିକା ପ୍ରଭାବିତ ହେବ ।

ଯାତାୟାତ ବ୍ୟବସ୍ଥା :

ମାଲକାନଗିରି ସହରଠାରୁ ଜୟପୁର ଆଡ଼କୁ ୨ କିମି ରାସ୍ତା ଅତିକ୍ରମ କରିବା ପରେ ଡାହାଣ ପାଖରେ ରହିଛି ସତୀଗୁଡ଼ା ଜଳଭଣ୍ଡାର। ଭୁବନେଶ୍ୱରରୁ ସିଧାସଳଖ ବସ୍ ଯୋଗେ ମାଲକାନଗିରି ଯାଇହେବ। ରେଳପଥରେ ଭୁବନେଶ୍ୱରରୁ କୋରାପୁଟ ଜିଲା ଜୟପୁର ପହଞ୍ଚିହେବ, ସେଠାରୁ ମାଲକାନଗିରିକୁ ବସ୍ ଯୋଗେ ଯିବାକୁ ପଡ଼ିବ ।

(ପ୍ରସ୍ତୁତି : ସନ୍ତୋଷ)

1 COMMENT

Comment