ଭାସ୍କର ପରିଛା

୧୮୧୭ ପାଇକ ବିଦ୍ରୋହ ଏବେ ଘୋର ଚର୍ଚ୍ଚାରେ। ଓଡ଼ିଶାରେ ଅନ୍ୟ କୌଣସି ବିଦ୍ରୋହକୁ ନେଇ ଅତୀତରେ କିମ୍ବା ସାମ୍ପ୍ରତିକ ସମୟରେ ଏତେ ପରିମାଣରେ ଉତ୍ସାହ ସୃଷ୍ଟି ହୋଇଛି ସେ କଥା କହିବା କଷ୍ଟ। ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉ କି କିଛି କରିବାର ଅସଲ ଉଦ୍ଦେଶ୍ୟ ଥାଉ, ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହାକୁ ନେଇ ବେଶ୍ କିଛି କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ଓ ସେହି ଅନୁପାତରେ ଗୁରୁତ୍ୱ ମଧ୍ୟ ପ୍ରଦାନ କରାଯାଉଛି।

କେନ୍ଦ୍ର ସରକାର ବର୍ଷବ୍ୟାପୀ ଏହି କାର୍ଯ୍ୟକ୍ରମ ପାଇଁ ୨୦୦ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ ୨୦୦ କୋଟିର ବ୍ୟୟ ବରାଦ – କିଛି ଖରାପ ନୁହେଁ। ତାଳମେଳ ବିଲକୁଲ ଠିକ୍। ଏଣେ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ଆନ୍ଦୋଳନର ମର୍ଯ୍ୟାଦା ଦିଆଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି।

ପାଇକ ବିଦ୍ରୋହର ୧୦୦ ବର୍ଷ ପାଳନ ହୋଇପାରିନଥିଲା କାରଣ ସେତେବେଳେ ଦେଶ ପରାଧୀନତରୁ ମୁକୁଳି ପାରିନଥିଲା। ସୌଭାଗ୍ୟର ବିଷୟ ଯେ ଏବେ ଦୁଇ ଶହ ବର୍ଷ ପାଳନ କରାଯାଉଛି, ତାହା ପୁଣି ଧୁମ୍ ଧାମରେ। ତେବେ, ଅସଲ ସମସ୍ୟା ହେଉଛି ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ଆନ୍ଦୋଳନର ମାନ୍ୟତା ପ୍ରଦାନ କରାଯାଇପାରିବ କି ନାହିଁ। ବିଭିନ୍ନ ମହଲରେ ଏ ନେଇ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି। ଅନ୍ୟ ଅର୍ଥରେ, ଇତିହାସ ଓ ଆବେଗ ଭିତରେ ଏକ ଦ୍ୱନ୍ଦ୍ୱ ଛିଡ଼ା ହୋଇଛି।

ଯଦି ଆମେ ଟିକେ ଇତିହାସ ଆଡ଼କୁ ଯିବା ହୁଏତ ଦ୍ୱନ୍ଦ୍ୱର ସମାଧାନ ପାଇଁ କିଛି ଖୋରାକ ମିଳିବ।

ବ୍ରିଟିଶ ସାମ୍ରାଜ୍ୟର ଗଠନ ଭାରତରେ ଦୀର୍ଘ ସମୟ ଧରି ଚାଲିଥିଲା। ବିଭିନ୍ନ ଇଲାକାକୁ ଅକ୍ତିଆର କରି ଇଂରେଜମାନେ ନିଜର ବିଶାଳ ବୃକ୍ଷଟି ରୋପଣ କରିଥିଲେ। ଏଣୁ ଏକଥା ନିର୍ଦ୍ଦିଷ୍ଟ ଭାବେ କହିବା କଷ୍ଟ କେଉଁ ଉପନିବେଶ ବିରୋଧୀ ଆନ୍ଦୋଳନ ବ୍ରିଟିଶ ବିରୁଦ୍ଧରେ ପ୍ରଥମ ସ୍ଫୁଲିଙ୍ଗ ଥିଲା।

ପାଇକ ବିଦ୍ରୋହ ପୂର୍ବରୁ ବ୍ରିଟିଶ ଶାସକମାନେ ନବାବ ସିରାଜ ଉଦୌଲା, ହାଇଦର ଅଲ୍ଲୀ, ଟିପୁ ସୁଲତାନ ଓ ମିର୍ କାସିମଙ୍କ ସହ ଛୋଟବଡ଼ ଯୁଦ୍ଧରେ ମୁହାଁମୁହିଁ ହୋଇଥିଲେ। ଓଡ଼ିଶାର ପାଇକଙ୍କ ଭଳି ମହିଶୂର, ବଙ୍ଗଳା ଓ ମହାରାଷ୍ଟ୍ରର ରାଜା ମହାରାଜାମାନେ ଇଂରେଜ ସରକାରଙ୍କୁ କଡ଼ା ମୁକାବିଲା କରିଥିଲେ।

ପ୍ରଶ୍ନ ଉଠେ ଇତିହାସର ସ୍ଵୀକୃତି ଅନୁସାରେ ୧୮୫୭ ସିପାହୀ ବିଦ୍ରୋହ ପ୍ରଥମ ବ୍ରିଟିଶ ବିରୋଧୀ ଆନ୍ଦୋଳନ ହେବ ନା ତା’ର ୪୦ ବର୍ଷ ପୂର୍ବରୁ ହୋଇଥିବା ପାଇକ ବିଦ୍ରୋହ ସେଇ ମର୍ଯ୍ୟାଦା ପାଇବ? ଖୋଲାଖୋଲି କହିଲେ, ଏହି ଜଟିଳ ପ୍ରଶ୍ନର ଉତ୍ତର ଓ ସମାଧାନ ଏତେ ସହଜ ନୁହେଁ। କିନ୍ତୁ ଏହା ନିଶ୍ଚିତ ଯେ କେଉଁଟି ‘ପ୍ରଥମ’ ତାହାର ନିଷ୍ପତ୍ତି କରିବେ ଇତିହାସବିତ୍, ନେତା ନୁହଁ।

ଏଠି ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ଉଠୁଛି। ସରକାରୀ ସ୍ତରରେ ପାଇକ ବିଦ୍ରୋହର ୨୦୦ ବର୍ଷ ପାଳନ କରିବା ଗୋଟିଏ କଥା ଓ ଏହାକୁ ପ୍ରଥମ ଆନ୍ଦୋଳନର ମାନ୍ୟତା ପ୍ରଦାନ କରାଇବା ଅନ୍ୟ ଏକ କଥା। ଯଦି ଆମେ ନିଜେ ଏଠି ମନକୁ ମନ ମାନ୍ୟତା ଦେଇଦେବା ଅନ୍ୟମାନେ ତାହାକୁ ଗ୍ରହଣ କରିବେ କି? ଆହୁରି ମଧ୍ୟ, ସର୍ବଭାରତୀୟ ସ୍ତରରେ ପାଇକ ବିଦ୍ରୋହ ଏକ ଅପରିଚିତ ଘଟଣା।

ସମସ୍ୟା ସେତିକିରେ ସରିନାହିଁ। ପାଇକ ବିଦ୍ରୋହ କେବଳ ଖୋର୍ଦ୍ଧାରେ ସୀମିତ ନଥିଲା। ଗୋଟିଏ ସମୟରେ ଏହା ପୁରୀ, ପିପିଲି, ବାଣପୁର, କୁଜଙ୍ଗ, କନିକା ଓ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ବ୍ୟାପିଥିଲା। ଏଣୁ ସବୁ କଥା ଖୋର୍ଦ୍ଧାରେ ହିଁ କାହିଁକି ସୀମିତ ରହିବ?

ସେହିଭଳି ଆଉ ଏକ ବିବାଦୀୟ କଥା ହେଉଛି ଜୟୀ ରାଜଗୁରୁଙ୍କ ଇଙ୍ଗିତରେ ୧୮୦୪ରେ ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବ-୨ ଯେଉଁ ପ୍ରତିବାଦର ସ୍ୱର ଉତ୍‌ଥାପନ କରିଥିଲେ, ସେହି ବିଦ୍ରୋହକୁ ପ୍ରଥମ ପାଇକ ବିଦ୍ରୋହ କୁହାଯିବ କି?

ଇତିହାସବିତ୍ ଅତୁଳ ଚନ୍ଦ୍ର ପ୍ରଧାନଙ୍କ ମତରେ ୧୮୦୪ ଓ ୧୮୧୭ ବିଦ୍ରୋହ ଭିତରେ ଅବଶ୍ୟ ବହୁ ତଫାତ ରହିଛି। ପ୍ରଥମଟି ଥିଲା ଭୋଂସ୍ଲାମାନଙ୍କ ଦ୍ୱାରା ଅକ୍ତିଆର କରାଯାଇଥିବା ୪ଟି ପ୍ରଗଣାକୁ ମୁକୁଳାଇବାର ପ୍ରୟାସ। ଦ୍ଵିତୀୟଟି ଥିଲା ଇଂରେଜ ସରକାରଙ୍କ ଶୋଷଣ ବିରୁଦ୍ଧରେ ସମୂହ ଲଢେଇ।

୧୮୧୭ ପାଇକ ବିଦ୍ରୋହରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇଥିଲେ। ଏଥିରେ ଥିଲେ ମଲାଙ୍ଗି (ଲୁଣମରା ଶ୍ରମିକ), ସାଧାରଣ ଲୋକ, ଶ୍ରୀ ଜଗନ୍ନାଥଙ୍କ ସେବାୟତ ଓ କନ୍ଧ। ମାତ୍ର କିଛି ମାସ ମଧ୍ୟରେ ଏହି ଆନ୍ଦୋଳନ ଏଭଳି ରୂପ ଧାରଣ କଲା ଯେ ବ୍ରିଟିଶ ଶାସକମାନଙ୍କ ନିଦ ହଜି ଯାଇଥିଲା। ବିଦ୍ରୋହ ଶେଷ ହେବା ବେଳକୁ ଘୁମୁସର ଓ ନୟାଗଡ଼ ରାଜା ଏଥିରେ ସାମିଲ ହୋଇଥିଲେ। ବକ୍ସି ଜଗବନ୍ଧୁ ଗୋପନରେ ଏହି ବିଦ୍ରୋହର ନେତୃତ୍ୱ ନେଇଥିଲେ।

ପାଇକ ବିଦ୍ରୋହର ଗୁରୁତ୍ୱ ଓ ଏହାର ତୀବ୍ରତା ଏଥିରୁ ସ୍ପଷ୍ଟ ପ୍ରମାଣିତ। ଅନେକ ଲୋକ ଏଥିରେ ଫାଶୀ ପାଇଥିଲେ, ୧୦୩ ଜଣଙ୍କୁ କଳାପାଣି ପଠାଯାଇଥିଲା ଓ ୫୫ ଜଣ ବନ୍ଦୀ ହୋଇଥିଲେ।

ଏଣୁ ପାଇକ ବିଦ୍ରୋହର ଗହନତାକୁ ଅସ୍ୱୀକାର କରିହେବନାହିଁ। ମାତ୍ର ପ୍ରଥମ ବିଦ୍ରୋହର ମାନ୍ୟତା ପାଇବ କି ନାହିଁ, ତାହା ହିଁ ହେଉଛି ବର୍ତ୍ତମାନର ବିଚାର।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

3 COMMENTS

LEAVE A REPLY

Please enter your comment!
Please enter your name here