ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ବୁଦ୍ଧେଶ୍ୱରୀ କଲୋନୀରେ ଆଜି ଭୋରୁ ସର୍ଟସର୍କିଟ୍ ଯୋଗୁଁ ନିଆଁ  ଲାଗିଯାଇ ପାଲ୍‌ ହାଇଟସ୍‌ ହୋଟେଲ୍ ମାଲିକ ସତ୍‌ପାଲ୍‌ ସିଂଙ୍କ ପରିବାରର ପାଞ୍ଚ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ସତପାଲ୍‌ ସିଂଙ୍କ ସମେତ ପରିବାରର ଅନ୍ୟ କେତେକ ସଦସ୍ୟ  ଚିକିତ୍ସିତ ହେଉଛନ୍ତି। ଘରର ଦ୍ୱିତୀୟ ମହଲାରେ ଏଇ ଆକସ୍ମିକ ଦୁର୍ଘଟଣାଟି ଘଟିଛି। ଯାହାକି ଅତ୍ୟନ୍ତ ହୃଦୟ ବିଦାରକ। ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଏହି ଦୁର୍ଘଟଣାରେ ସତପାଲ୍‌ ସିଂଙ୍କ ସାନପୁଅ ଗଗନପାଲ ସିଂ(୩୯), ବୋହୁ ଭାବନା ସିଂ (୩୮), ନାତି ରୁବିର ସିଂ (୪), ନାତୁଣୀ ସୋହାବି ସିଂ(୧୨) ଏବଂ ଘରର ଅନ୍ୟ ଜଣେ ସହାୟିକା ତନୁ ଦାସ (୧୨) ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସିଡି ରେଲିଂ ଏବଂ ଘରର ଅଧିକାଂଶ ଇଣ୍ଟେରିଅର ଡିଜାଇନ୍‌ କାଠରେ ତିଆରି ହୋ‍ଇଥିବାରୁ ନିଆଁ ଲାଗିଲା ପରେ ତାହା ବ୍ୟାପକ ରୂପ ନେଇଛି ବୋଲି ଅନୁମାନ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ପ୍ରତ୍ୟେକଟି ଜିନିଷକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରିଛନ୍ତି।

ପୋଲିସ୍ କମିଶନର ୱାଇ.ବି ଖୁରାନିଆ କହିଛନ୍ତି ଯେ,‘‘ସାଇଣ୍ଟିଫିକ୍ ଟିମ୍ ପୁଙ୍ଖାନୁପୁଙ୍ଖ ଭାବେ ଘଟଣା ବିଷୟରେ ଅନୁଧ୍ୟାନ କରୁଛନ୍ତି ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଆମେ ଏହା ଉପରେ ତଦନ୍ତ କରିବୁ।’’

ସହରୀ ସଭ୍ୟତା ଭିତରେ ରାଜଧାନୀ ଆଗକୁ ବଢ଼ୁଥିବା ବେଳେ ବିଦ୍ୟୁତଜନିତ ଦୁର୍ଘଟଣା ବାରମ୍ବାର ରାଜଧାନୀବାସୀଙ୍କ ଭିତରେ ଆଲୋଡ଼ନ ସୃଷ୍ଟି କରୁଛି। ପୂର୍ବରୁ ସମ୍‌ ହସ୍ପିଟାଲ ଟ୍ରାଜେଡ଼ି, ସ୍ପୋର୍ଟସ ଏମ୍ପୋରିୟମରେ ଦୁର୍ଘଟଣା, ବର୍ତ୍ତମାନ ପାଲ୍‌ ହାଇଟସ୍ ହୋଟେଲ ମାଲିକଙ୍କ ପରିବାରର ଦୁର୍ଘଟଣା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

Comment