ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦ୍ୟାଦାତା ଗଜାନନଙ୍କ ପୂଜାକୁ ନେଇ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଉତ୍ସବମୁଖର ହୋଇଯାଇଛି। ହେଲେ ପରିତାପର ବିଷୟ ୪୦୦୦ ହାଇସ୍କୁଲ ଏବଂ ୧୫୦୦ ବ୍ଲକଗ୍ରାଣ୍ଟ କଲେଜରେ ଶିକ୍ଷକ ନ ଥିବାରୁ ପୂଜା ମାହୋଲ ଫିକା ପଡ଼ିଯାଇଛି। ବ୍ଳକଗ୍ରାଣ୍ଟ ଉଚ୍ଛେଦ ଏବଂ ଶତ ପ୍ରତିଶତ ଅନୁଦାନ ଦାବିରେ ଶିକ୍ଷକ ଓ ଅଧ୍ୟାପକମାନେ ଗତ ୯ ଦିନ ହେଲା ଭୁବନେଶ୍ୱରର ପିଏମଜିଠାରେ ଧାରଣାରେ ବସିଛନ୍ତି। ହେଲେ ତାଙ୍କ ଗୁହାରି ସରକାର ଶୁଣୁ ନ ଥିବାରୁ ପିଲାଙ୍କ ଭବିଷ୍ୟତ ତିଆରି କରୁଥିବା ଶିକ୍ଷକମାନେ ବାଧ୍ୟ ହୋଇ ରାଜଧାନୀ ରାଜରାସ୍ତାରେ ପ୍ରଭୁ ଗଜାନନଙ୍କ ପୂଜା କରିଛନ୍ତି।

ଅତୀତରେ ଲୋୟର ପିଏମ୍‍ଜି ରାସ୍ତାରେ ଆନ୍ଦୋଳନକାରୀମାନଙ୍କର ବହୁ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳୁଥିଲା। ବିଶେଷକରି ସରକାରଙ୍କ ଦୃଷ୍ଟିରେ ପଡିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିବାର ନଜିର ରହିଛି। କେତେବେଳେ ଶିକ୍ଷକମାନେ ମାଓବାଦୀ ପୋଷାକ ପରିଧାନ କରି ସରକାରଙ୍କ ହୋସ ଉଡ଼ାଇଛନ୍ତି ତ ପୁଣି କେତେବେଳେ ଚପଲ ପଲିସି କରି ଚର୍ଚ୍ଚାରେ ରହିଛନ୍ତି।

ପୁଣି ଶିକ୍ଷୟିତ୍ରୀମାନଙ୍କ ରାଜରାସ୍ତାରେ ମହାଲକ୍ଷ୍ମୀ ପୂଜା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ୨୫ ତାରିଖରେ ଶିକ୍ଷକମାନେ ପ୍ରଭୁ ଗଜାନନଙ୍କ ପୂଜା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଶିକ୍ଷକ ସଂଘର ଆନ୍ଦୋଳନ ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି। ଯଦି ଶିକ୍ଷକ ସଂଘର ଦାବି ପ୍ରତି ସରକାର ଦୃଷ୍ଟି ନ ଦିଅନ୍ତି ତାହାଲେ ସେପ୍ଟେମ୍ବର ୫ରେ ଗୁରୁଦିବସ ଅବସରରେ ଶିକ୍ଷକମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରୁ ଆସିଥିବା ଜନୈକ ଶିକ୍ଷକ ଦୁର୍ଯ୍ୟୋଧନ ସାମନ୍ତ କୁହନ୍ତି ଯେ, ତାଙ୍କ ଚାକିରି କାଳକୁ ୨୫ ବର୍ଷ ହୋଇଗଲାଣି। ହେଲେ ତାଙ୍କ ଦରମା ଏପର୍ଯ୍ୟନ୍ତ ୧୦ ହଜାର ଛୁଇଁନି। ତାଙ୍କ ସାଙ୍ଗସାଥୀମାନେ ବ୍ଲକଗ୍ରାଣ୍ଟ ଚାକିରି ଛାଡି ଅନ୍ୟ ରୋଜଗାର ପନ୍ଥା ଆପଣାଇ ଆରାମରେ ରହିଥିବା ବେଳେ ୨୫ ବର୍ଷ କାଳ ପିଲାଙ୍କୁ ମଣିଷ କରି ମୁଁ କ’ଣ ପାଇଲି ବୋଲି କ୍ଷୋଭ ଭରା କଣ୍ଠରେ କହିଛନ୍ତି।

ଖାଲି ଦୁର୍ଯ୍ୟୋଧନ ନୁହନ୍ତି, କଟକ ଜିଲ୍ଲା ବାଙ୍କୀରୁ ଆସିଥିବା ଶିକ୍ଷକ ବିଦ୍ୟାଧର ପରିଡ଼ା, ବରଗଡ ଜିଲ୍ଲା ପାଇକମାଳ ବ୍ଲକରୁ ଆସିଥିବା ଅଭିମନୁ୍ୟ ପାଣିଙ୍କର ମଧ୍ୟ ସମାନ ଅବସ୍ଥା। ସେମାନଙ୍କଠାରୁ ଶିକ୍ଷାଦାନ ଗ୍ରହଣ କରିଥିବା ଛାତ୍ରୀଛାତ୍ରମାନେ ଆଜି ସମାଜରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା ବେଳେ ସେମାନଙ୍କ ପ୍ରତି ସରକାର କାହିଁକି କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ଶତ ପ୍ରତିଶତ ଅନୁଦାନ ମିଳିବା ଆଶାରେ ଏମାନେ ଦୀର୍ଘ ଦିନ ହେଲା ସରକାରୀ ହାତଟେକାକୁ ଭରସା କରି ପଡି ରହିଥିଲେ ହେଁ ସରକାର ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଦୁର୍ଦ୍ଦଶାକୁ ବଢ଼ାଇ ଚାଲିଛନ୍ତି। ଆଉ କେତ ଦିନ ଗଲେ ସରକାର ଆମ ଅସୁବିଧା ବୁଝିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ବ୍ଲକଗ୍ରାଣ୍ଟ ଉଚ୍ଛେଦ ଏବଂ ଗ୍ରାଣ୍ଟ-ଇନ୍‍-ଏଡ୍‍ ବ୍ୟବସ୍ଥା ଗୁରୁବାରଠାରୁ ଲାଗୁ କରାଯିବ ବୋଲି ସରକାର ଶିକ୍ଷକ ସଂଘଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏହାକୁ ସଂଘ ମାନିବାକୁ ନାରାଜ। ଗ୍ରାଣ୍ଟ-ଇନ୍‍-ଏଡ୍‍ ପାଇବାକୁ ଶିକ୍ଷକମାନେ ଯେବେଠୁ ଯୋଗ୍ୟ ହେଲେଣି ସେବେଠୁ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ୪୮୮ ବର୍ଗ ଶିକ୍ଷକ ସଂଘ ସଭାପତି ପବିତ୍ର ମହଲା ଦାବି କରିଛନ୍ତି। ଏଥିରେ ସରକାର ରାଜି ନ ହେଲେ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସେ କହିଛନ୍ତି।

(ପ୍ରସ୍ତୁତି: ସରୋଜ)

Tags: Ganesh Puja, Teachers, Grant-in-Aid, Block Grant, Bhubaneswar News, Block Grant Colleges, Saroj, Block Grant High schools, Block Grant Teachers, Breaking News, Dharmendra Pradhan, Latest News, Naveen Patnaik, Odisha Breaking News, Odisha CM, Odisha Education, Odisha News, Odisha Stories, Odisha Top Stories, Sikhya Sahayaka Rally, Teachers Strikes, Top Stories

Comment