ଓଡ଼ିଶାଲାଇଭ୍‌ ବ୍ୟୁରୋ

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନା ଶେଷ ହୋଇଛି। ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସ(ଏମ୍‌ସ)ରେ ୨୦ ଘଣ୍ଟାର ଅପରେସନ୍ ପରେ ଉଭୟଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ଅପରେସନ୍ ପାଇଁ ଉଭୟଙ୍କୁ ସୋମବାର ସକାଳ ୫ଟାରେ ନିଶ୍ଚେତକ ଦିଆଯାଇଥିଲା। ୧୦ଟା ୩୦ରେ ଅପରେସନ୍ ଆରମ୍ଭ ହୋଇଥିଲା। ମଙ୍ଗଳବାର ସକାଳ ୬ଟାରେ ଶେଷ ହୋଇଥିଲା। ୮ଟାରେ ସେମାନଙ୍କୁ ଅସ୍ତ୍ରୋପଚାର ଗୃହରୁ ଭେଣ୍ଟିଲେଟରକୁ ଅଣା ଯାଇଥିଲା ବୋଲି ଏମ୍‌ସ ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି।

ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟ ଅପରେସନ୍ ଶେଷ ହୋଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମହାପାତ୍ର କହିଛନ୍ତି। ଜଗା-ବଳିଆଙ୍କ ଯୋଡ଼ା ମୁଣ୍ଡର ଅସ୍ତ୍ରୋପଚାର ପାଇଁ ୪୦ ଜଣ ସର୍ଜନ ଏବଂ ଜାପାନର ବିଶେଷଜ୍ଞ ଦଳ ଉଦ୍ୟମ କରିଥିଲେ।

କନ୍ଧମାଳ ଜିଲ୍ଲା ମିଳିପଡା ଗ୍ରାମର ଭୂୟାଁ କହଁର ଏବଂ ପୁଷ୍ପାଞ୍ଜଳି କହଁରଙ୍କଠାରୁ ଜଗା-ବଳିଆ ଜନ୍ମଗ୍ରହଣ କରିଥିଲେ। ଜନ୍ମରୁ ଉଭୟଙ୍କ ମୁଣ୍ଡ ଯୋଡି ହୋଇ ରହିଥିବାରୁ ପରିବାର ଲୋକ ଚିନ୍ତିତ ହୋଇଯାଇଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେମାନେ ଅସ୍ତ୍ରୋପଚାର କରିବାକୁ ସାହସ କରିପାରୁ ନଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ନିଜ ରିଲିଫ୍ ପାଣ୍ଠିରୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି ଜଗା-ବଳିଆଙ୍କ ଅସ୍ତ୍ରୋପଚାର ପାଇଁ ଅନ୍ୟ କର୍ମଚାରୀଙ୍କୁ କିଛି କିଛି ଅର୍ଥ ଦାନ ନିମନ୍ତେ ନିବେଦନ କରିଥିଲେ।
Tags: Brunda D, AIIMS, Chief Minister, Naveen Patnaik, Jaga-Balia, Odisha News, Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories, Dr Ashok Mohapatra

Comment