ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୈଠକ ପରେ ପରେ ବୈଠକ ହେଉଛି। ହେଲେ ଦାବି ସମାଧାନ ହୋଇପାରୁନି। ଫଳରେ ୧୫ ଦିନ ହେଲା ଶିକ୍ଷକ, ଅଧ୍ୟାପକ ଖରା, ବର୍ଷା ମାଡ଼ ଖାଇ ରାଜଧାନୀର ଲୋୟର ପିଏମ୍‌ଜିରେ ବସି ରହିଛନ୍ତି। ମଙ୍ଗଳବାର ସଚିବାଳୟରେ ସରକାରଙ୍କ ସହ ଚତୁର୍ଥ ଥର ପାଇଁ ଶିକ୍ଷକ ସଂଘର ଆଲୋଚନା ହୋଇଥିଲେ ହେଁ ଏହି ଆଲୋଚନା ବିଫଳ ହୋଇଛି।
ବୁଧବାର ଧାରଣାସ୍ଥଳକୁ ଶାସକ ଦଳ ପ୍ରତିନିଧି ଆସି ଆନ୍ଦୋଳନରତ ଶିକ୍ଷକଙ୍କୁ ବୁଝାଇବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଶିକ୍ଷକ ସଂଘ ନିଜ ଜିଦରେ ଅଟଳ ରହିଥିବାରୁ କୌଣସି ପ୍ରତିନିଧି ଆସିଲେ ନାହିଁ। ଫଳରେ ଆନ୍ଦୋଳନ ଅବ୍ୟାହତ ରହିଛି ବୋଲି ଏସଟିଏଫଓ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।
ଶିକ୍ଷକ, ଅଧ୍ୟାପକମାନେ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ଦାବି ସହ ଶତ ପ୍ରତିଶତ ଅନୁଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ୧୧ ତାରିଖରୁ ପ୍ରାୟ ୪ ହଜାର ହାଇସ୍କୁଲ ଏବଂ ୧୫ ହଜାର କଲେଜ ପ୍ରଭାବିତ ହୋଇଛି। ଆନେ୍ଦାଳନର ଦୁଇ ଦିନ ପରେ ଶାସକ ଦଳର ଦୁଇ ବିଧାୟକ ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ଆସି ଆଲୋଚନା କରିଥିଲେ। ହେଲେ ଆଲୋଚନା ବିଫଳ ହୋଇଥିଲା।
ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ ବିଜେପି ନେତା ବିଜୟ ମହାପାତ୍ର ଧାରଣାସ୍ଥଳକୁ ଆସି ଆନେ୍ଦାଳନକୁ ସମର୍ଥନ କରିଛନ୍ତି। ତଥାପି ସରକାର ଶିକ୍ଷକଙ୍କ ଦାବିକୁ ଗ୍ରହଣ କରୁନାହାନ୍ତି। ୧୪ ଦିନ ମଧ୍ୟରେ ସଂଘ ସହ ସରକାର ୪ ଥର ଆଲୋଚନା କରି ସାରିଲେଣି। କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରୁନାହିଁ। ବର୍ଷା, ଖରାରେ ୫ ହଜାର ଶିକ୍ଷକ, ଅଧ୍ୟାପକ ରାଜରାସ୍ତାରେ ବସି ହକ୍ ପାଇଁ ଲଢେ଼ଇ କରୁଛନ୍ତି।
ଏ ସମ୍ପର୍କରେ ଏସଟିଏଫ୍ଓ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କୁହନ୍ତି, “୧୫ ଦିନ ମଧ୍ୟରେ ଚାରି ଚାରି ଥର ସରକାର ସଂଘ ସହ ଆଲୋଚନା କଲେଣି। ଆଲୋଚନାରେ ସରକାର କେବଳ ତାଙ୍କ ନିଷ୍ପତ୍ତି ଶୁଣାଉଛନ୍ତି। ସଂଘ ଯେଉଁ ଦାବି କରୁଛି ତାହା ଗ୍ରହଣ କରୁ ନ ଥିବାରୁ ଆଲୋଚନା ବିଫଳ ହୋଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ‘
ଗତ ଦୁଇ ବର୍ଷ ତଳେ ଶିକ୍ଷକମାନେ ଅନୁରୂପ ଦାବିରେ ଆନ୍ଦୋଳନ କରିଥିଲେ। ଫଳରେ ୪୦ ଦିନ ହେଲା ୨,୨୦୯ ବ୍ଲକଗ୍ରାଣ୍ଟ ହାଇସ୍କୁଲରେ ତାଲା ଝୁଲୁଥିଲା। ପାଠପଢ଼ା ବ୍ୟାହତ ହୋଇଥିଲା। ବର୍ତ୍ତମାନର ଆନ୍ଦୋଳନ ୧୫ ଦିନରେ ପହଞ୍ଚିଥିବାରୁ ଏହାକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି।

Tags: Bhubaneswar News, Block Grant, Block Grant Colleges, Block Grant High schools, Block Grant Teachers, Breaking News, Dharmendra Pradhan, Ganesh Puja, Grant-in-Aid, Latest News, Naveen Patnaik, Odisha Breaking News, Odisha CM, Odisha Education, Odisha News, Odisha Stories, Odisha Top Stories, Sikhya Sahayaka Rally, Teachers, Teachers Strikes, Top Stories

Comment