ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲ (ଅନ୍ତର୍ଜାତୀୟ ଦୁର୍ନୀତି ବିରୋଧୀ ସିଭିଲ ସେସାଇଟି ସଂସ୍ଥା) ପୁଣି ଥରେ ଏକ ଚମକାଇଦେବା ଭଳି ତଥ୍ୟ ଉପସ୍ଥାପନ କରିଛି। ଏହି ତଥ୍ୟ କହୁଛି, ଏସିଆରେ ସବୁଠୁ ବଡ଼ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ହେଉଛି ଭାରତ। ଏପରିକି ପାକିସ୍ତାନଠାରୁ ମଧ୍ୟ ଏହି କୁଖ୍ୟାତିରେ ଭାରତ ବହୁ ଆଗରେ ରହିଛି। ଯାହାକି ତିନି ବର୍ଷ ଧରି ମୋଦି ସରକାର ଚଳାଇଥିବା ଦୁର୍ନୀତି ବିରୋଧୀ ଅଭିଯାନ ପ୍ରତି ବଡ଼ ଧକ୍କା ସଦୃଶ୍ୟ ହୋଇଛି।
ନିକଟରେ ‘ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲ’ର ଏକ ସର୍ଭେ କହୁଛି, ଏସିଆର ଦେଶମାନଙ୍କ ଭିତରେ ଭାରତର ବ୍ୟବସ୍ଥା ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ। ଅଧିକାଂଶ କାର୍ଯ୍ୟ ପାଇଁ ଏଠାରେ ସାଧାରଣ ଲୋକଙ୍କୁ ଲାଞ୍ଚ ଦେବାକୁ ପଡିଥାଏ। ‘ଫୋର୍ବସ’ ପତ୍ରିକାରେ ପ୍ରକାଶିତ ଏହି ସର୍ଭେ ରିପୋର୍ଟରେ ଆହୁରି ଚକିତ କଲା ଭଳି ତଥ୍ୟ ହେଉଛି, ୪ଟି ଦୁର୍ନୀତିଗ୍ରସ୍ତ ଦେଶ – ଭିଏତନାମ, ଥାଇଲାଣ୍ଡ, ପାକିସ୍ତାନ ଏବଂ ମ୍ୟାନମାରକୁ ଟପି ଭାରତ ଏକ ନମ୍ବର ସ୍ଥାନରେ ରହିଛି। ଏହି ୫ଟି ଦେଶରେ ବିନା ଲାଞ୍ଚରେ କିଛି କାର୍ଯ୍ୟ କରିବା ମୁସ୍କିଲ୍।
ଭାରତରେ ଲାଞ୍ଚ ହାର ହେଉଛି ୬୯ ପ୍ରତିଶତ। ଅର୍ଥାତ ଦୁଇ ତୃତୀୟାଂଶ ​‌କ୍ଷେତ୍ରରେ ବିନା ଲାଞ୍ଚରେ ପତ୍ରଟିଏ ବି ହଲେନାହିଁ।
ବିଶେଷ କରି ସରକାରୀ ସ୍ତରରେ ଏହି ବେଆଇନ କାରବାର ବେଶ ଅଧିକ। ସ୍କୁଲ, ହସପିଟାଲ, ପରିଚୟ ସଂକ୍ରାନ୍ତ କାଗଜପତ୍ର, ପୋଲିସ, ଅତ୍ୟାବଶ୍ୟକ ବା ଜନହିତକାର ସେବା କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ନାଗରିକଙ୍କୁ ଲାଞ୍ଚ ଦେବାକୁ ପଡିଥାଏ। ପରିତାପର ବିଷୟ ଏହି ଯେ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଆମକୁ ଅଧିକ ମାତ୍ରାରେ ହାତଗୁଞ୍ଜା ଦେବାକୁ ପଡେ।

ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲର ରିର୍ପୋଟ, ମୋଦି ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ପାଇଁ ଚ୍ୟାଲେଞ୍ଜ ବଢାଇଥିଲେ ବି ‘ଫୋର୍ବସ’ ପତ୍ରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ପାଇଁ ପ୍ରଶଂସା କରାଯାଇଛି। ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଭାରତର ୫୩ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ମୋଦିଙ୍କ ଉଦ୍ୟମ ସଫଳ ହେବ ଏବଂ ଦେଶରୁ ଦୁର୍ନୀତି ହଟିବ। ହେଲେ ୬୩ ପ୍ରତିଶତଙ୍କ ଧାରଣା, ସାଧାରଣ ଲୋକ ସଚେତନ ହେଲେ ହିଁ ଦୁର୍ନୀତି ହଟିପାରିବ।
ଦୁର୍ନୀତିଗ୍ରସ୍ତ ତାଲିକାରେ ଭାରତର ତଳେ ରହିଛି ଭିଏତନାମ। ସେଠାରେ ଲାଞ୍ଚ ହାର ରହିଛି ୬୫ ପ୍ରତିଶତ।
ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନର ସ୍ଥାନ ରହିଛି ଚତୁର୍ଥରେ। ୪୦ ପ୍ରତିଶତ ହେଉଛି ପାକିସ୍ତାନର ଲାଞ୍ଚ ହାର। ହେଲେ ପୁଲିସ ଓ କୋର୍ଟରେ ପାକିସ୍ତାନୀ ହାତଗୁଞ୍ଜା ଦେଇ ତଳିତଳାନ୍ତ ହୋଇଥାଏ। ପ୍ରତି ୧୦ ଜଣରୁ ୭ ଜଣ ଲୋକ ପୁଲିସ କିମ୍ବା କୋର୍ଟ କର୍ମଚାରୀଙ୍କୁ ଲାଞ୍ଚ ଦେଇଥା’ନ୍ତି। ପାକିସ୍ତାନର ସବୁଠୁ ଦୁଃଖ ହେଲା, ଏଠାରେ ସାଧାରଣ ଲୋକ ଏହି ବ୍ୟବସ୍ଥାର ପରିବର୍ତ୍ତନ ହେବା ସମ୍ଭବ ବୋଲି ଭାବିପାରନ୍ତି ନାହିଁ।
ଏସିଆର ୧୬ଟି ରାଷ୍ଟ୍ରର ୨୦ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରିଥିଲା ଟ୍ରାନ୍ସପରେନ୍‌‍ସି ଇଣ୍ଟରନ୍ୟାସନାଲ। ସର୍ଭେ କାମ ୧୮ ମାସ ଧରି ଚାଲିଥିଲା।
ବର୍ଲିନରେ ଥିବା ଏହି ସିଭିଲ ସୋସାଇଟି ସଂସ୍ଥା ଗତବର୍ଷ ବିଶ୍ୱର ୧୬୮ଟି ଦେଶକୁ ନେଇ ସର୍ଭେ କରିଥିଲା। ବିଶ୍ୱ ତାଲିକାରେ ଭାରତର ସ୍ଥାନ ଥିଲା ୭୬ ନମ୍ବର।

Tags: Bribe, Bribe in India, Corruption, Corruption in India, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here