ପ୍ରଶାନ୍ତ କୁମାର ମଙ୍ଗରାଜ

ପ୍ରଶାନ୍ତ କୁମାର ମଙ୍ଗରାଜ ଜଣେ ପରିଚିତ ଶିଶୁ ସାହିତ୍ୟିକ। ସେ ପିଲାଙ୍କ ପାଇଁ କବିତା, ଗଳ୍ପ, ଉପନ୍ୟାସ ସହିତ ପ୍ରବନ୍ଧ ଓ ଫିଚର୍‌ ରଚନା କରନ୍ତି। ‘ଓଡ଼ିଶାଲାଇଭ୍’ ପାଇଁ ଶ୍ରୀଯୁକ୍ତ ମଙ୍ଗରାଜ ଚିଲିକାର ପକ୍ଷୀମଣ୍ଡଳ ନାଁରେ ଏହି ସିରିଜ୍ ଲେଖା ପ୍ରସ୍ତୁତ କରିଛନ୍ତି। ଆଶା କରୁଛୁ ଏହା ଚିଲିକା ଓ ପରିବେଶପ୍ରେମୀ, ବିଶେଷ କରି ପକ୍ଷୀପ୍ରେମୀଙ୍କ ପାଇଁ ଉପଯୋଗୀ ହେବ।

ଓଡ଼ିଆ ଭାଷାରେ ଡିଜିଟାଲ ମାଧ୍ୟମରେ ହୋଇଥିବା ଏହି ନୂତନ ପରିବେଷଣକୁ ନୂଆ ପିଢ଼ିର ପାଠକ ପସନ୍ଦ କରିବେ ବୋଲି ଆମେ ଆଶା କରୁଛୁ।

ସମ୍ପାଦକ, ଓଡ଼ିଶାଲାଇଭ୍

ଏଥିରେ ଅଛନ୍ତି:

୧. କଜଳ ପାତି

୨. କୁଣ୍ଡାଖାଇ

୩. କୁମ୍ଭାଟୁଆ

୪. ବେଣା ଡାହୁକ

୫. ଡାହୁକ

୬. ଭଦଭଦଳିଆ

୭. ଚନ୍ଦନା ହଂସ

୮. ଘରଚଟିଆ

୯. ଗେଣ୍ଡାଳିଆ

୧୦. ଗରୁଡପକ୍ଷୀ

୧୧. ଦଦରା ହଣା

୧୨. କଳାଥଣ୍ଟିଆ ଦଦରାହଣା

୧୩. ଚିତ୍ରାଖଡ଼ିହଂସ

 

କଜଳପାତି

ଦେଖିବାକୁ ପତଳା ସିନା ଭାରି ସାହସୀ। ଯେତେ ବଡ଼ ଓ ବଳୁଆ ପକ୍ଷୀ ହେଉ; ତା’ର ତାଙ୍କ ପ୍ରତି ଭୟ ନାହିଁ। କାଉଠାରୁ ଛୋଟ ହେଲେ ବି କାଉମାନଙ୍କୁ ଦେଖିଲେ ଯୁଦ୍ଧ କରେ। କୌଣସି ପକ୍ଷୀକୁ ତା’ର ବସା ପାଖକୁ ଯିବାକୁ ଦିଏ ନାହିଁ। ହଳଦିବସନ୍ତ ପରି ନିରୀହ ପକ୍ଷୀ ଏଇଥି ପାଇଁ ସେ ରହୁଥିବା ଗଛରେ ବସା ବାନ୍ଧେ। ଏମିତି ଏକ ପକ୍ଷୀ ହେଲା- କଜଳପାତି।

ଏହାର ଲମ୍ବ ପ୍ରାୟ ୩୧ ସେ.ମି. । ଲାଞ୍ଜ ଦି ଫାଳିଆ, ସରୁ ଓ ଲମ୍ବା। ଲମ୍ବା ପୁଚ୍ଛରେ ଥାଏ ଦଶଟି ପର। ବେଳେ ବେଳେ ପୁଚ୍ଛର ଶେଷ ଭାଗରେ ଶ୍ୱେତ ବର୍ଣ୍ଣର ଛାପ ଦେଖିବାକୁ ମିଳେ। ମାଈ ଓ ଅଣ୍ଡିରା କଜଳପାତି ଦେଖିବାକୁ ଏକା ପରି।

ଏମାନେ ଖୋଲାସ୍ଥାନରେ ରହିବାକୁ ଭଲ ପାଆନ୍ତି। ଏକୁଟିଆ ଟେଲିଫୋନ ତାର, ଚାରଣ ଭୂଇଁ, ଶସ୍ୟ କ୍ଷେତ୍ରରେ ବୁଲି ବୁଲି ଖାଦ୍ୟ ସଂଗ୍ରହ କରନ୍ତି। କୀଟପତଙ୍ଗ, ଗଛପୋକ, ଫୁଲ, ମହୁ ଓ ଛୋଟ ଛୋଟ ପକ୍ଷୀ ଏମାନଙ୍କର ପ୍ରିୟ  ଖାଦ୍ୟ।

କଜଳପାତି ୪-୧୦ ମିଟର ଉଚ୍ଚ ଗଛରେ ବସା ବାନ୍ଧେ। ବସା ଖାଲୁଆ ଗିନା ପରି। ଏମାନେ ଏପ୍ରିଲ୍‌ରୁ ଅଗଷ୍ଟ ମାସ ମଧ୍ୟରେ ଅଣ୍ଡା ଦିଅନ୍ତି। ଅଣ୍ଡାଗୁଡ଼ିକ ଧଳା। ତା’ ଉପରେ ମାଟିଆ ମିଶା ଲାଲ ରଙ୍ଗର ଦାଗ ପଡ଼ିଥାଏ।

ସାଧାରଣତଃ କଜଳପାତି ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା ଓ ମିଆଁମାରରେ ଦେଖାଯାଇଥାନ୍ତି।

କୁଣ୍ଡାଖାଇ

ଗୋଟିଏ ପକ୍ଷୀ ଶାବକକୁ ଜଣକ ପରେ ଜଣେ  ପାଳି କରି ଖୁଆନ୍ତି। ଚଞ୍ଚୁ ସଫା କରନ୍ତି। ଯୁଆଡେ ଯାଆନ୍ତି ଦଳ ବାନ୍ଧି ଯାଆନ୍ତି। ବୁଦାଳିଆ ଗଛ ହେଉ ଅବା ଅଗଣାରେ ଥିବା ଗଛ ଚାରିପଟରେ ଡେଇଁ ଡେଇ ବୁଲନ୍ତି। ଖାଦ୍ୟ ଖୋଜନ୍ତି। ଗଛ ଡାଳରେ ସାତୋଟି ପକ୍ଷୀ ଦେହକୁ ଦେହ ଲଗାଇ ବସନ୍ତି। କୋଳାହଳ କରନ୍ତି। ଏହି ପକ୍ଷୀଗୁଡ଼ିକ ହେଲେ- କୁଣ୍ଡାଖାଇ। କେହି କେହି ‘ସାତ ଭାଇଆ’ ବୋଲି ଡାକିଥାନ୍ତି।

କୁଣ୍ଡାଖାଇ ଦେଖିବାକୁ ବଣି ପରି। ଲମ୍ବ ପ୍ରାୟ ପଚିଶି ସେଣ୍ଟିମିଟର ହୋଇଥିବା ବେଳେ ଓଜନ ପ୍ରାୟ ୧୨୦ରୁ ୧୫୦ ଗ୍ରାମ। ଦେହଟି ଧୂସରିଆ। ଥଣ୍ଟ ଓ ପାଦ ଦ୍ୱୟ ପିଆଜ ରଙ୍ଗର। ଆଖିପତା ହଳଦିଆ। ଲାଞ୍ଜ ଲମ୍ବା ଓ କଳା। ଲାଞ୍ଜ ତଳ ଫିକା ଲାଲ। ମାଈ ଓ ଅଣ୍ଡିରା ଏକାପରି ଦେଖାଯାଆନ୍ତି।

ଏମାନେ ଛୋଟ ଗଛ ଓ ବୁଦାଳିଆ ଗଛରେ ଦଳ ବାନ୍ଧି ରହନ୍ତି। ଦଳର କାହାକୁ କେହି ଆଘାତ କଲେ ମିଳିମିଶି ଲଢ଼େଇ କରନ୍ତି। କାଉ ଓ ବାଜପକ୍ଷୀଙ୍କୁ ମଧ୍ୟ ହରାଇ ଦେଇଥାନ୍ତି। ଉତ୍ତେଜିତ ହେଲା ବେଳେ ପରଗୁଡ଼ିକ ଠିଆ ଠିଆ ହୋଇଥାଏ। ଏମାନେ ମଧ୍ୟ ହୁଂକାର କରିଥାନ୍ତି।

କୁଣ୍ଡାଖାଇର ଅଣ୍ଡାଦେବା ସମୟ ହେଉଛି ମାର୍ଚ୍ଚରୁ ଅକ୍ଟୋବର। ଏହି ସମୟରେ ବସା ତିଆରି କରିବା, ଅଣ୍ଡା ଉଷୁମାଇବା, ଛୁଆ ପାଳିବା କାମ ମାଈ ଓ ଅଣ୍ଡିରା କୁଣ୍ଡାଖାଇ ମିଶି କରିଥାନ୍ତି। ମାଈ ପକ୍ଷୀ ଥରକେ ୫ରୁ ୬ଟି ଅଣ୍ଡା ଦେଇଥାନ୍ତି। ଅଣ୍ଡାଗୁଡ଼ିକ ଦେଖିବାକୁ ନୀଳ ବର୍ଣ୍ଣର।

ଭାରତରେ ଅନେକ ପ୍ରକାର କୁଣ୍ଡାଖାଇ ଦେଖାଯାଇଥାଆନ୍ତି। ଦକ୍ଷିଣ ଭାରତ ଅପେକ୍ଷା ଉତ୍ତର ଭାରତର କୁଣ୍ଡାଖାଇ ଆକାରରେ ସାନ ହୋଇଥାଏ।

କୁମ୍ଭାଟୁଆ

ପାହାନ୍ତା ପହରୁ ଏମାନେ ଉଠନ୍ତି। ଜଣେ କୁପ୍-କୁପ୍- କୁପ୍ ସ୍ୱର କରେ।  ଅନ୍ୟମାନେ ସ୍ୱରକୁ ମିଳାଇଥାନ୍ତି। ଅଳ୍ପ ସମୟ ମଧ୍ୟରେ ଏମାନେ ରହୁଥିବା ଅଞ୍ଚଳଟି ପ୍ରକମ୍ପିତ ହୋଇଉଠେ- କୁପ୍- କୁପ୍- କୁପ୍ ସ୍ୱରରେ। ଏମାନେ ହେଲେ କୁମ୍ଭାଟୁଆ।

ଏମାନେ ଦେଖିବାକୁ ଜଙ୍ଗଲ କୁଆ ପରି। ଲମ୍ବ ପ୍ରାୟ ୪୮ ସେ.ମି.। ଡେଣା ଲାଲ ମିଶା ବାଦାମୀ। ଲାଞ୍ଜ କଳା, ଲମ୍ବା ଓ ଚଉଡ଼ା। ମାଈ ଓ ଅଣ୍ଡିରା କୁମ୍ଭାଟୁଆ ଦେଖିବାକୁ ଏକାପରି।

କୁମ୍ଭାଟୁଆଗୁଡ଼ିକ ମାଟି ଓ ଗଛ ଡାଳକୁ ଖୋଳି ଖାଦ୍ୟ ସଂଗ୍ରହ କରନ୍ତି। ଏହା ଛଡ଼ା ଝିଟିପିଟି, ପ୍ରଜାପତି ଅଣ୍ଡା, ମୂଷାଛୁଆ, ଚଢ଼େଇ ଅଣ୍ଡା ଏମାନଙ୍କର ପ୍ରିୟ ଖାଦ୍ୟ।

କୁମ୍ଭାଟୁଆଗୁଡ଼ିକ ଏକୁଟିଆ ବା ଦଳ ହୋଇ ଖୋଲା ଜଙ୍ଗଲ, ବୁଦାଳିଆ ଅଞ୍ଚଳ, ଘାସ ପଡ଼ିଆ, ଗହଳିଆ ଛୋଟ ଗଛ ଓ ଗାଆଁଗଣ୍ଡାରେ ଝଙ୍କାଳିଆ ଗଛରେ ରହନ୍ତି। କାଠି, କୁଟା ଓ ପତରକୁ ନେଇ ମାଈ ଓ ଅଣ୍ଡିରା ଉଭୟେ ମିଶି ବସା ତିଆରି କରନ୍ତି। ଫେବୃଆରୀରୁ ସେପ୍ଟେମ୍ବର ମାସ ମଧ୍ୟରେ ମାଈ ପକ୍ଷୀ ୩ରୁ ୪ଟି ଅଣ୍ଡା ଦିଏ। ଅଣ୍ଡାଗୁଡ଼ିକ ଧଳା ଓ ଚିକ୍‌ଣିଆ। ଅଣ୍ଡା ଫୁଟିବା ପରେ ଶାବକଗୁଡ଼ିକର ଦାୟିତ୍ୱ ଉଭୟେ ନେଇଥାନ୍ତି।

ଏହି ପକ୍ଷୀଗୁଡ଼ିକ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ମିଆଁମାର ଓ ବାଂଲାଦେଶରେ ଦେଖିବାକୁ ମିଳନ୍ତି। ଚିଲିକା ଏମାନଙ୍କର ଅତି ପ୍ରିୟ ବାସସ୍ଥାନ।

ବେଣା ଡାହୁକ

ପାହାନ୍ତା ପହରେ ଓ ସଞ୍ଜରେ ମୁହଁ ଅନ୍ଧାରରେ ଏମାନେ ଶିକାର କରିବାକୁ ଭଲ ପାଆନ୍ତି।  ଖାଇବା ସମୟ ଚୁପ୍‌ଚାପ୍ ଖାଆନ୍ତି। ଅନ୍ଧାରରେ ଲାଜୁଆ ସ୍ୱଭାବର। ମୋଟା ଲାଞ୍ଜକୁ ହଲେଇ ହଲେଇ ଧାଡ଼ିବାନ୍ଧି ବାଟ ଚାଲନ୍ତି। ବିପଦ ଆସିଲେ ପଥର ତଳେ, ଗାତରେ, ଜଳଜ ଉଦ୍ଭିଦ ଉପରେ ନିଜକୁ ଲୁଚାଇ ରଖନ୍ତି। ଏମିତି ପକ୍ଷୀଗୁଡ଼ିକ ହେଲେ ବେଣା ଡାହୁକ।

ବେଣା ଡାହୁକ ଏକ ଜଳ ପକ୍ଷୀ। ଏହାର ଲାଞ୍ଜ ମୋଟା ଓ ସରୁ। ଉପର ଭାଗଟି ନୀଳମିଶା କଳା ମାଟିଆ। ଥଣ୍ଟ ତଳ ଓ ବେକ ମଝି ଧଳା। ତଳ ଭାଗଟି ପାଉଁଶିଆ। ଲମ୍ବ ପ୍ରାୟ ଅଠେଇଶି ସେଣ୍ଟିମିଟର। ମାଈ ଓ ଅଣ୍ଡିରା ବେଣା ଡାହୁକ ଦେଖିବାକୁ ଏକାପରି।

ଚିଲିକାର ଉପକୂଳରେ ଥିବା ବୁଦୁବୁଦିକିଆ ଘାସ, ବୁଦାଳିଆ ଗଛ ହେଉଛି ଏମାନଙ୍କର ବାସସ୍ଥାନ। ଏମାନଙ୍କର ପ୍ରଜନନ ସମୟ ହେଉଛି – ମେ ରୁ ଅଗଷ୍ଟ। ମାଈପକ୍ଷୀ ୫ରୁ ୬ଟି ଅଣ୍ଡା ଦିଏ। ଅଣ୍ଡାଗୁଡ଼ିକ ଧଳା। ଉପରେ ହଳଦିଆ ଲାଲ ମିଶା ମାଟିଆ ରଙ୍ଗର ଦାଗ ଥାଏ।

ଏମାନେ ଚିଲିକା ବ୍ୟତୀତ ପୂର୍ବ କାଶ୍ମୀର, ଦକ୍ଷିଣ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ବାଂଲାଦେଶରେ ଦେଖାଯାଆନ୍ତି।

ଡାହୁକ

ମେଘ ଦେଖିଲେ ମୟୂର ନାଚେ। ହେଲେ ଡାହୁକଗୁଡ଼ିକ ମେଘ ଦେଖି ସମସ୍ତ ଶକ୍ତିଠୁଳ କରି ‘କ୍ରକ୍-କ୍ରକ୍-କୁ’ ଶଦ୍ଦ କରିଥାଆନ୍ତି। କୋଇଲି ବସନ୍ତରୁ ବର୍ଷାଯାଏ ରାବେ ହେଲେ ଡାହୁକର ଶଦ୍ଦ ବର୍ଷାରୁ ଶରତ ଯାଏଁ ଶୁଭେ। ଶୀତରେ ଡାହୁକ ନୀରବ ରହେ।

ଆଉ ଏକ କଥା। କାଉ ବସାରେ କୋଇଲି ଅଣ୍ଡା ଦିଏ। ଠିକ୍ ସେମିତି ଡାହୁକ କୁଣ୍ଡାଖାଇ ଚଢ଼େଇ ବସାରେ ଅଣ୍ଡା ଦିଏ। ଅଣ୍ଡା ରଖିବାକୁ ସ୍ଥାନ ନ ହେଲେ କୁଣ୍ଡାଖାଇ ଅଣ୍ଡାକୁ ଖାଇଦିଏ। ଦୁହିଁଙ୍କ ଅଣ୍ଡା ଏକା ନୀଳ ବର୍ଣ୍ଣର ହୋଇଥିବାରୁ ଡାହୁକକୁ ଅସୁବିଧା ହୁଏ ନାହିଁ।

ଡାହୁକ ଜୁନ୍‌ରୁ ଅକ୍ଟୋବର ମଧ୍ୟରେ ୬ରୁ ୭ଟି ଅଣ୍ଡାଦିଏ, କୁଣ୍ଡାଖାଇ ବସାରେ ଅଣ୍ଡା ଫୁଟିବା ପରେ ଶାବକଗୁଡ଼ିକ ତା’ ସହ ଘୂରି ବୁଲନ୍ତି। ପରିବାର ଦେଲେ ଡାହୁକଠାରୁ ଅଲଗା ହୁଅନ୍ତି।

ଡାହୁକର ମୁଣ୍ଡ ଓ ଛାତି ପାଉଁଶିଆ ରଙ୍ଗର। ଲାଞ୍ଜତଳ ଭାଗଟି ଗାଢ଼ ଲାଲ। ମୁଣ୍ଡ, ବେକ, ପିଠି, ଡେଣା ଓ ଲାଞ୍ଜର ଉପର ଅଂଶ ଧୂସରିଆ କଳା। ଲମ୍ବ ପ୍ରାୟ ବତିଶି ସେଣ୍ଟିମିଟର।

ଏମାନଙ୍କର ରହଣି ହେଲା- ସନ୍ତସନ୍ତିଆ ଅଞ୍ଚଳରେ ଥିବା କିଆବୁଦା ଓ ପାଣି ଭିତରେ ଥିବା ବଣୁଆ ଘାସ। ଚିଲିକା ଖାଲୁଆ ପାଣି ସ୍ଥାନରେ, ପୋଖରୀ କୂଳରେ ବୁଲଥିବାର ଦେଖାଯାଏ। ଅନ୍ୟ ପକ୍ଷୀଙ୍କ କୋଳାହଳରେ ଲୁଚି ଯାଆନ୍ତି।

ଜିଆ, ଗେଣ୍ଡା, ପୋକଯୋକ, ମଞ୍ଜି, ଶସ୍ୟ ଓ ଜଳଜ ଉଦ୍ଭିଦ ଏମାନଙ୍କର ପ୍ରିୟ ଖାଦ୍ୟ। ଚିଲିକା ବ୍ୟତୀତ ଏମାନେ ଭାରତର ଅନ୍ୟ ଅଞ୍ଚଳ ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ମାଳଦୀପ, ମିଆଁମାର ଓ ନିକୋବର ଦ୍ୱୀପପୁଞ୍ଜରେ ଦେଖାଯାଆନ୍ତି।

ଭଦଭଦଳିଆ

ଶୀତ ସକାଳ। ପାଚିଲା ଧାନ କିଆରି। ତା’ ଭିତରେ ଲାଗିଛି ଘମାଘୋଟ ଲଢ଼େଇ। କେହି କାହାରିକୁ ଛାଡ଼ିବାକୁ ନାରଜ୍। କର୍କଶ ସ୍ୱରରେ ଚିତ୍କାର ବି କରୁଛନ୍ତି। ଛୋଟିଆ ଛୋଟିଆ କଥାରେ ନିତି ଝଗଡ଼ା। ତେବେ କିଏ ଏ ଦି’ ଜଣ!

ନିରିଖେଇ ଦେଖିଲା ବେଳକୁ ଏ ଦି’ ଜଣ ଆଉ କେହି ନୁହଁନ୍ତି। ଏମାନେ ହେଲେ- ଦୁଇଟି ଭଦଭଦଳିଆ ପକ୍ଷୀ। ଜଣେ ମାଈ ଭଦଭଦଳିଆ ଓ ଆଉ ଜଣେ ଅଣ୍ଡିରା ଭଦଭଦଳିଆ। ଏମିତି ମଜାଳିଆ କଥା ଅଛି ଏମାନଙ୍କ ଉପରେ।

ଭଦଭଦଳିଆର ସଂସ୍କୃତ ନାମ- ନୀଳକଣ୍ଠ। ଏହାର ମୁଣ୍ଡ ଓ ଡେଣାରେ ନୀଳ ରଙ୍ଗର ଛାପ ଅଛି। ଛାତି, ବେକଷଣ୍ଢା, ତଳିପେଟ, ପିଠି ଧୂସର ରଙ୍ଗ। ଥଣ୍ଟ କଳା, ପଞ୍ଝାବି କଳା। ପାଟି ହଳଦିଆ, ଆଖିର ଡୋଳା ଖଇରିଆ, ମାଈ ଓ ଅଣ୍ଡିରା ପକ୍ଷୀ ଉଭୟେ ଦେଖିବାକୁ ଏକାପରି। ଏମାନଙ୍କ ଉଡ଼ିବା ଶୈଳୀ ଖୁବ୍ ଧୀର। ଉଡ଼ି ବୁଲିଲା ବେଳେ ଦେହର ରଙ୍ଗ ସୁନ୍ଦର ଦିଶେ। ଆକର୍ଷଣ ବି ଲାଗେ।

ଏମାନେ ଚାଷଜମି, ବେଣାବୁଦା, ଜଙ୍ଗଲିଆ ଅଞ୍ଚଳରେ ବାସ କରନ୍ତି। ଦିନ ବେଳେ ଥୁଣ୍ଟାଗଛ, ଖୁଣ୍ଟର ଉପର ଭାଗ ଉପରେ ବସିଥିବାର ଦେଖିବାକୁ ମିଳେ। ଏମାନେ ଉଚ୍ଚରେ ବସି ନିରୀକ୍ଷଣ କରନ୍ତି। ଖାଦ୍ୟ ପାଇଲେ ତଳକୁ ଆସି ଖାଦ୍ୟ ନେଇ ପୁନଶ୍ଚ ସେଇ ସ୍ଥାନକୁ ଫେରି ଯାଆନ୍ତି। ଝିଣ୍ଟିକା, ପୋକ,  ଝିଙ୍କାରୀ ଏମାନଙ୍କର ମୁଖ୍ୟ ଖାଦ୍ୟ। ଏମାନେ ଦିନ ସାରା ଖାଦ୍ୟ ସଂଗ୍ରହରେ ବିତାଇଥା’ନ୍ତି।

ଭଦଭଦଳିଆର ବସାଟି ମୂଷା ଗାତ ପରି। ମାଟି ଉପରେ ଉଚ୍ଚ ସ୍ଥାନରେ ବସା ତିଆରି କରେ। ମାର୍ଚ୍ଚରୁ ଜୁଲାଇ ମାସ ମଧ୍ୟରେ ୪-୫ଟି ଅଣ୍ଡା ଦିଏ। ଅଣ୍ଡାଗୁଡ଼ିକ ଧଳା ଓ ଗୋଲାକାର ହୋଇଥାଏ। ଅଣ୍ଡା ଉଷୁମାଇବାରେ ମାଈ ପକ୍ଷୀକୁ ଅଣ୍ଡିରା ପକ୍ଷୀ ସାହାଯ୍ୟ କରେ; କେବଳ ସେତିକି ନୁହେଁ, ମାଈ ଭଦଭଦଳିଆକୁ ଖୁସି କରିବା ପାଇଁ ଅଣ୍ଡିରା ଭଦଭଦଳିଆ ଚମତ୍କାର ଖେଳ ଦେଖାଇଥାଏ। ଯେମିତି ରକେଟ୍ ପରି ଉଡ଼ିବା, ଉଡୁ ଉଡୁ ଓଲଟି ଯିବା, ଆକାଶରେ ରହି କଡ଼ ଲେଉଟାଇବା, ମଲା ପରି ଅଭିନୟ କରି ତଳକୁ ଖସିବା ଓ ମୁହଁ ତଳକୁ କରି ମାଡ଼ି ଆସିବା ଇତ୍ୟାଦି।

କଥାରେ ଅଛି- ସୁନ୍ଦରତା ହିଁ ବିପଦ କାରଣ। ଭଦଭଦଳିଆର ସୁନ୍ଦର ପର ଅନେକଙ୍କୁ ଆକର୍ଷଣ କରିଥାଏ। ପର ପାଇବା ଆଶାରେ ଅନେକଙ୍କୁ ପର ସଂଗ୍ରହକାରୀଙ୍କ ପାଖରେ ପ୍ରାଣ ଦେବାକୁ ପଡ଼ିଥାଏ। ଭାବିଲ ଦେଖି ଏହା କେତେ ଦୂର ଠିକ୍।

ଏବେ ଓଡ଼ିଶା ରାଜ୍ୟ ପକ୍ଷୀର ମାନ୍ୟତା ଭଦଭଦଳିଆ ପାଇଛି। ଏହା ଆମ ପାଇଁ ଗର୍ବର ବିଷୟ।

ଚନ୍ଦନା ହଂସ

ଶୀତଦିନେ ଚିଲିକାକୁ ଅନେକ ପକ୍ଷୀ ଆସନ୍ତି ଅଣ୍ଡା ଦେବା ପାଇଁ। ହେଲେ ଏମିତି ପକ୍ଷୀ ଅଛନ୍ତି ଯିଏ ଧାଇଁ ଆସନ୍ତି। କେବଳ ସାମୁଦ୍ରିକ ଜଳବାୟୁ ପାଇବା ଆଶାରେ। ସେମାନେ ହେଲେ ଚନ୍ଦନା ହଂସ।

ଉତ୍ତରମେରୁ ବୃତ୍ତ, ଆଇସ୍‌ଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ ହେଉଛି ଏମାନଙ୍କର ବାସସ୍ଥାନ। ତୁଷାରପାତ ବେଳେ ଏମାନେ ଇଂଲଣ୍ଡ, ନୀଳନଦୀ ଉପତ୍ୟକା, ଭାରତ, ଚୀନ ଓ ଜାପାନକୁ ପଳାଇ ଆସନ୍ତି। ବିଶେଷ କରି ଭାରତରେ ଅନେକ ସଂଖ୍ୟାରେ ଦେଖାଦେଉଥିବା ବେଳେ ଚିଲିକାରେ ଏମାନଙ୍କର ସଂଖ୍ୟା ପ୍ରାୟ ୫୫ ହଜାର। ବରକୁଳ ଓ କାଳୁପଡ଼ା ଘାଟ ଅଞ୍ଚଳରେ ବେଶୀ ପରିମାଣରେ ଦେଖାଯାଆନ୍ତି ଏମାନେ। ଅକ୍ଟୋବରରୁ ମାର୍ଚ୍ଚ ମାସ ଯାଏଁ ଏମାନେ ରୁହନ୍ତି ଚିଲିକାରେ ଓ ମାର୍ଚ୍ଚ-ଏପ୍ରିଲ ମାସରେ ଅଣ୍ଡା ଦେବା ପାଇଁ ଫେରି ଯାଆନ୍ତି ନିଜ ବାସସ୍ଥାନକୁ।

ଚନ୍ଦନା ହଂସ ଆକାରରେ ମଧ୍ୟମ ଧରଣର ପକ୍ଷୀ। ପୁରୁଷ ଚନ୍ଦନା ହଂସ ମାଈ ଚନ୍ଦନା ହଂସଠାରୁ ଆକାରରେ ବଡ଼। ଏମାନଙ୍କର ଲମ୍ବ ପ୍ରାୟ ୪୫ ସେ.ମି.- ୫୦ ସେ.ମି.।

ଏମାନଙ୍କର ରଙ୍ଗ ଧୂସର। ଥଣ୍ଟର ଶେଷ ଭାଗ କଳା, ଅନ୍ୟ ଅଂଶ ଧଳା। ମୁଣ୍ଡ ନାଲିଆ ଧୂସର। କପାଳରେ ଫିକା ହଳଦିଆ ଦାଗ। ଛାତି ତଳ ବି ଫିକା ହଳଦିଆ। ଲାଞ୍ଜତଳ ଅଂଶ କଳା ଓ ତା’ ପାଖକୁ କିଛି ଅଂଶ ଧଳା। ନୀଳ ଆକାଶରେ ଉଡ଼ି ବୁଲୁଥିବା ଡେଣାରେ ଥିବା ଧଳା ଦାଗ ବାହାରକୁ ବାରି ହୋଇପଡ଼େ।

ଚନ୍ଦନା ହଂସଗୁଡ଼ିକ ଚିଲିକାର ସନ୍ତସନ୍ତିଆ ଅଞ୍ଚଳ, କାଦୁଅ ଜାଗାରେ ଚାଲି ଚାଲି ଅବା ପାଣିରେ ପହଁରି ପହଁରି ଖାଦ୍ୟ ସଂଗ୍ରହ କରିଥାଆନ୍ତି। ଏମାନେ ସାଧାରଣତଃ ନିରାମିଷାସୀ। ଚିଲିକାର ବିଭିନ୍ନ ପ୍ରକାର ଜଳଜ ଉଦ୍ଭିଦ, ନରମ କାଣ୍ଡ, ଘାସ ମଞ୍ଜି ଆଦି ଏମାନଙ୍କର ମୁଖ୍ୟ ଖାଦ୍ୟ।

ଏମାନେ ଦିନସାରା ଚିଲିକାର ବିଭିନ୍ନ ଅଞ୍ଚଳରେ ଉଡ଼ି ବୁଲନ୍ତି। ଉଡ଼ିବା ବେଳେ ଆକାଶରେ ଥାଇ ଏକ ପ୍ରକାର ଶଦ୍ଦ କରିଥାଆନ୍ତି। ରାତିବେଳା ଦ୍ୱୀପଖଣ୍ଡରେ ବିଶ୍ରାମ ନିଅନ୍ତି। ଏଇ ଚନ୍ଦନା ହଂସ ପାଇଁ ଚିଲିକା ହୋଇପାରିଛି ଖୁବ୍ ଆକର୍ଷଣ ଓ ମନଲୋଭା।

ଘରଚଟିଆ

ଧୂଳି ମାଟିର ଗାଆଁ ଦାଣ୍ଡ। ଧାନ ଶୁଖା ହୋଇଥିବ। ଦେଖିବେ ଘରଚଟିଆଙ୍କୁ। ଚାଳ ଘରର ତଳେ ଘର କରିଥିବ। ଯାଉଥିବେ, ଆସୁଥିବେ- ଧାନ ଟୁଙ୍କୁଥିବେ। ସତେ ଯେମିତି ଚାଳ ଘରଟି ତାଙ୍କର। ଆଉ ମଣିଷ ତାଙ୍କ ଘରେ ରହିଛନ୍ତି। ପିଲାଙ୍କ ପାଖାପାଖି ଖେଳୁଥିବେ, ବୁଲୁଥିବେ। ଏବେ ଯଦିଓ ଏ ଦୃଶ୍ୟ ଦେଖିବାକୁ ମିଳୁନାହିଁ; ତେବେ ୩୦- ୪୦ ବର୍ଷ ପୂର୍ବେ ଏସବୁ ଥିଲା ନିତିଦିନିଆ କଥା।

ଘରଚଟିଆ ଭାରତର ସ୍ଥାନୀୟ ପକ୍ଷୀ। ଚିଲିକାର ପାଖାପାଖି ଅଞ୍ଚଳରେ ଦେଖିବାକୁ ମିଳନ୍ତି। ଏହାର ଲମ୍ବ ୧୨- ୧୫ ସେ.ମି.। ଅଣ୍ଡିରା ଘରଚଟିଆର ପିଠିପଟ ଧୂସରିଆ ମାଟିଆ। ଲାଞ୍ଜ ବାଦାମୀ ହୋଇଥିବା ବେଳେ ଆଖି ଚାରିପଟ କଳା ଦାଗ ଥାଏ। ବେକର ମଝି ଅଂଶ, କଡ଼, ଛାତି କଳା ଓ ପେଟ ତଳ ଧୂସରିଆ ଧଳା, ମାଈ ଘରଚଟିଆର ଉପରି ପାଖ  ଫିକା ବାଦାମୀ ଓ ସେଥିରେ କଳା ଚିହ୍ନଥାଏ। ଆଖିଡୋଳା ବାଦାମୀ ରଙ୍ଗର ହୋଇଥାଏ। ପୁରୁଷ ଓ ମାଈ ଘରଚଟିଆ ଉଭୟଙ୍କର ଥଣ୍ଟ ଛୋଟ ଓ ଟାଣୁଆ।

ପ୍ରଜନନ ସମୟରେ ଉଭୟେ ଏକାଠି ବୁଲନ୍ତି। କାଠି, କୁଟା, ଓ ପତରରେ ବସା କରନ୍ତି। ମାଈ ଘରଚଟିଆ ପ୍ରତ୍ୟେକ ଥର ୪-୫ଟି ଅଣ୍ଡା ଦିଏ। ଅଣ୍ଡାଗୁଡ଼ିକ ଆକାଶୀ ରଙ୍ଗର।

ବଣୁଆ ଘାସ ମଞ୍ଜି, ଉଈ, ଫୁଲକଢ଼ି, ଫଳମଞ୍ଜି, ନରମକାଣ୍ଡ, ରୋଷେଇଜାତ ଆବର୍ଜନା, କୀଟପତଙ୍ଗ ଓ ଶସ୍ୟ ବୀଜ ଏମାନଙ୍କର ମୁଖ୍ୟ ଖାଦ୍ୟ।

ବନ୍ୟା, ବାତ୍ୟା, ରାସାୟନିକ ସାର ପ୍ରୟୋଗ ଯୋଗୁଁ ଘରଚଟିଆର ଖାଦ୍ୟ ଅଭାବ ଦେଖାଦେଇଛି। ସୀସା ବିହୀନ ପେଟ୍ରୋଲର ଦହନରୁ ସୃଷ୍ଟି ହୋଇଥିବା ମିଥାଇଲ ନାଇଟ୍ରେଟ୍ ତା’ର ଖାଦ୍ୟ- ଛୋଟ ଛୋଟ କୀଟପତଙ୍ଗ ପାଇଁ ବିଷାକ୍ତ ହୋଇଥାଏ। ସେହି କୀଟପତଙ୍ଗ ଖାଇ ଘରଚଟିଆ ମରି ଯାଉଛନ୍ତି। ମୋବାଇଲ ଟାୱାରର ମାଇକ୍ରୋ ତରଙ୍ଗ ଯୋଗୁଁ ଅଣ୍ଡା ମଧ୍ୟସ୍ଥ ଭ୍ରୂଣର ମୃତ୍ୟୁ ଘଟୁଛି।

ଘରଚଟିଆ ଏବେ ବିପଦରେ। ତାହାକୁ ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ।

ଗେଣ୍ଡାଳିଆ

ସକାଳ ହେଲେ ଶହ ଶହ ସଂଖ୍ୟାରେ ଇଂରାଜୀ ଅକ୍ଷର ‘ଭି’ ଆକାରରେ ଉଡ଼ିବୁଲନ୍ତି। ପୁନଶ୍ଚ ସନ୍ଧ୍ୟାରେ ଦଳ ଦଳ ହୋଇ ଫେରିଆସନ୍ତି। ଏମିତି ଦୃଶ୍ୟ ଚିଲିକା ଉପକୂଳ ଗାଆଁମାନଙ୍କରେ ଦେଖିବାକୁ ମିଳେ। ପ୍ରଶ୍ନ ଉଠେ- ଏମାନେ କେଉଁ ପକ୍ଷୀ।

ବାସ୍ତବରେ ଏମାନେ ହେଲେ ଗେଣ୍ଡାଳିଆ ପକ୍ଷୀ। ନିରାପଦ ସ୍ଥାନରେ ଦଳବାନ୍ଧି ରାତିରେ ରହନ୍ତି। ସକାଳ ହେଲେ ଖାଦ୍ୟ ଅନ୍ୱେଷଣରେ ବାହାରି ଯାଆନ୍ତି। ଏମାନେ ନାଳମାନଙ୍କରେ ଥିବା ବୁଦାଳିଆ ଗଛଲତା ମଧ୍ୟରେ ରହନ୍ତି। ଦଳବାନ୍ଧି ରହିବା, ଉଡ଼ିବା ଓ ଖାଦ୍ୟ ଅନ୍ୱେଷଣ କରିବା ଏମାନଙ୍କର ସହଜାତ ଗୁଣ।

ଗେଣ୍ଡାଳିଆଗୁଡ଼ିକର ଲମ୍ବ ୭୫- ୮୦ ସେ.ମି.। ଏମାନଙ୍କର ରଙ୍ଗ ଧଳା ଓ ଧୂସରିଆ ଧଳା ହୋଇଥିବା ବେଳେ ଡେଣାତଳ ରଙ୍ଗ କଳା ହୋଇଥାଏ। ପ୍ରଜନନ ଋତୁରେ ଡେଣା ପାଉଁଶିଆ ଦେଖାଯାଏ। ଲାଞ୍ଜ ଓ ଡେଣାର କଡ଼ ଅଂଶ ସବୁଜ ମିଶା କଳା। ଲାଲ- କଳା ରଙ୍ଗର ଥଣ୍ଟ ସେମାନଙ୍କୁ ଚିହ୍ନିବାରେ ସାହାଯ୍ୟ କରେ। ଏମାନଙ୍କର ଥଣ୍ଟ ବେଶ୍ ଆଖିଦୃଶିଆ। ମୋଟା, ବଙ୍କା ଓ ମଝିରେ ଫାଙ୍କ ଥାଏ। ମାଈ ଓ ଅଣ୍ଡିରା ଗେଣ୍ଡାଳିଆ ପକ୍ଷୀ ଦେଖିବାକୁ ଏକାପରି। ଛୁଆମାନଙ୍କର ରଙ୍ଗ ପାଉଁଶିଆ- ମାଟିଆ।

ଗେଣ୍ଡାଳିଆମାନଙ୍କର ମୁଖ୍ୟ ଖାଦ୍ୟ ହେଲା- ଗେଣ୍ଡା। ଏହାଛଡ଼ା ବଡ଼ ବଡ଼ କୀଟପତଙ୍ଗ, କଙ୍କଡ଼ା, ବେଙ୍ଗ ଆଦି ଏମାନେ ଖାଇଥା’ନ୍ତି। ଚାଷଜମି, ସନ୍ତସନ୍ତିଆ ଜାଗାରୁ ଗେଣ୍ଡା ଖୋଜୁଥାନ୍ତି ଏମାନେ। ଦଳବାନ୍ଧି ଖାଦ୍ୟ ଅନ୍ୱେଷଣ କରନ୍ତି। ମଧ୍ୟାହ୍ନ ସମୟରେ ଖୁବ୍ ଉଚ୍ଚରେ ଆକାଶରେ ଉଡ଼ନ୍ତି। ଏମାନଙ୍କର ଅଣ୍ଡା ଦେବାର ସମୟ ହେଉଛି ଜୁଲାଇରୁ ସେପ୍ଟେମ୍ବର ମାସ। ମାଈ ଗେଣ୍ଡାଳିଆ ଥରକୁ ୨-୪ଟି ଧଳା ରଙ୍ଗର ଅଣ୍ଡା ଦେଇଥାଏ।

ଏମାନେ ଖୁବ୍ ଶାନ୍ତିପ୍ରିୟ। ସାମାନ୍ୟ ଝଡ଼ର ସୂଚନା ମିଳିଲେ ଚିଲିକାରୁ ଉପକୂଳ ଅଞ୍ଚଳକୁ ପଳାଇଆସନ୍ତି। ଏମାନଙ୍କ ସହାୟତାରେ ଝଡ଼ର ସୂଚନା ଅନୁମାନ କରିହୁଏ।

ଗେଣ୍ଡାଳିଆ ଯେ କେବଳ ଚିଲିକାରେ ଦେଖାଯାନ୍ତି ତାହା ନୁହେଁ। ବରଂ ସାରା ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା ଓ ମିଆଁମାରରେ ମଧ୍ୟ ଦେଖାଯାଇଥା’ନ୍ତି।

ଦଦରା ହଣା

ଦଦରା ହଣା ପକ୍ଷୀର ଆକାର ବଡ଼। ଦେଖିବାକୁ ଶାଗୁଣା ପରି। ଲମ୍ବ ପ୍ରାୟ ୧୫୦ ସେଣ୍ଟିମିଟର। ଦେହର ରଙ୍ଗ ପାଉଁଶିଆ ଧଳା। ବେକ, ପେଟ, ଡେଣା ଓ ଥଣ୍ଟର ତଳ ଅଂଶ ଇଷତ୍‌ ନାରଙ୍ଗୀ। ଡେଣାର ଉପର ପର ଗାଢ଼ ମାଟିଆ ରଙ୍ଗ। ମାଈ ଓ ଅଣ୍ଡିରା ପକ୍ଷୀ ଦେଖିବାକୁ ପ୍ରାୟ ଏକା ପରି।

ଏମାନେ ମଧ୍ୟାହ୍ନ ସମୟରେ ଆକାଶର ଖୁବ୍ ଉପରେ ଗୋଲାକାରରେ ଘୁରି ବୁଲନ୍ତି। ବିଶେଷକରି କାଙ୍କ ଓ ଗେଣ୍ଡାଳିଆ ଜାତୀୟ ପକ୍ଷୀଙ୍କ ସହ ଆକାଶରେ ଘୂରନ୍ତି। ଆକାରରେ ବଡ଼ ହେଲେ ବି ପାଣିରୁ ଖୁବ୍ ସହଜରେ ଉଠିପାରନ୍ତି। ଡେଣା ହଲାଇ ଆକାଶରେ ଉଡିଯାଆନ୍ତି।

ଦଦରା ହଣା ପକ୍ଷୀ ବଡ଼ ବଡ଼ ଗଛମାନଙ୍କରେ ବସା ବାନ୍ଧନ୍ତି। ଏମାନଙ୍କ ବସାଗୁଡ଼ିକ ଆକାରରେ ବଡ଼। ଗୋଟିଏ ବସାକୁ ଦଦରା ହଣା ବର୍ଷ ବର୍ଷ ଧରି ବ୍ୟବହାର କରିଥାଏ। ସାଧାରଣତଃ ରାତିରେ ବିଶ୍ରାମ ନେବା ପାଇଁ ହିଁ ବସାକୁ ବ୍ୟବହାର କରିଥାନ୍ତି।

ପାଣିରୁ ଖାଦ୍ୟ ସଂଗ୍ରହ କରିବାର ଶୈଳୀ ଏମାନଙ୍କର ନିଆରା। ଏମାନେ ଅର୍ଦ୍ଧ-ବୃତ୍ତାକାରରେ ପାଣିରେ ପହଁରନ୍ତି। ଡେଣା ପହଁରିବା ବେଳେ ମାଛମାନେ ଦଦରା ହଣା ପକ୍ଷୀର ଥଣ୍ଟ ଭିତରେ ପଶିଯାଆନ୍ତି। ଥଣ୍ଟ ତଳେ ଥିବା ମୁଣିରେ ଭର୍ତ୍ତି ହୋଇ ରହିଯାନ୍ତି। ଚିଲିକା ପାଣିରେ ଥିବା ମାଛଗୁଡ଼ିକ ହିଁ ଏମାନଙ୍କର ପ୍ରଧାନ ଖାଦ୍ୟ।

ଏହି ପକ୍ଷୀଗୁଡ଼ିକ ଚିଲିକା କୂଳରେ ସନ୍ତସନ୍ତିଆ ଅଞ୍ଚଳରେ ବିଶେଷକରି ମଙ୍ଗଳାଯୋଡ଼ି, ନଳବଣ, ସାତପଡ଼ା, ବ୍ରହ୍ମଗିରି, କଣାସର ଦୟା ନଦୀର ଉଭୟ ପାର୍ଶ୍ୱରେ ଦେଖିବାକୁ ମିଳନ୍ତି। ଜୁନରୁ ଅଗଷ୍ଟ ମାସ ମଧ୍ୟରେ ଏମାନେ ୩ରୁ ୪ଟି ଅଣ୍ଡା ଦିଅନ୍ତି। ଏମାନଙ୍କ ଅଣ୍ଡାଗୁଡ଼ିକ ଦେଖିବାକୁ ଚକ୍‌ ଖଡ଼ି ପରି ଧଳା। ଦଦରା ହଣା ପକ୍ଷୀ ଅଣ୍ଡା ଦେଇ ବଂଶବଢ଼ାଏ ସତ। ହେଲେ ଏମାନଙ୍କ ପାଇଁ ଚିଲିକା ହୋଇପଡେ ଖୁବ୍ ମନଲୋଭା ଓ ଅପାଶୋରା।

କଳା ଥଣ୍ଟିଆ ଦଦରା ହଣା

କଳା ଥଣ୍ଟିଆ ଦଦରା ହଣା ପକ୍ଷୀମାନେ ଦେଖିବାକୁ ଧଳା ଦଦରାହଣା ପରି। ଆକାରରେ ଅନ୍ୟ ଦଦରା ହଣାଠାରୁ ଯଥେଷ୍ଟ ବଡ଼। ଏମାନଙ୍କର ଲମ୍ବ ପ୍ରାୟ ୧୬ ସେମିରୁ ୧୮୩ ସେମି ଓଜନ ୭.୨୫ରୁ ୧୫ କେଜି। ପୁରୁଷ କଳା ଥଣ୍ଟିଆ ଦଦରା ହଣାଠାରୁ ମାଇ କଳା ଥଣ୍ଟିଆ ଦଦରାହଣା ଆକାର ଯଥେଷ୍ଟ କମ୍ ଦେଖାଯାଏ।

ଏମାନଙ୍କର ଗୋଡ ଓ ପାଦ ଗୋଲାପୀ ରଙ୍ଗ ନ ହୋଇ ଧୂସର ହୋଇଥାଏ। ମୁଣ୍ଡ ଉପରର ପର ଅର୍ଦ୍ଧବୃତ୍ତାକାର ହୋଇ ଦେଖାଯାଏ। ଥଣ୍ଟର ତଳ ଭାଗ ଧୂସରିଆ ଦିଶେ।  ଉଡ଼ିଲା ବେଳେ ଡେଣାର ତଳପଟ ପାଉଁଶିଆ ଧଳା ଦେଖାଯାଏ।

ଏମାନେ ଦଳ ଦଳ ହୋଇ ଚିଲିକା ନୀଳ ଜଳରାଶିରେ ପହଁରୁଥିବାର ଦେଖାଯାଏ। ପହଁରିବା ସମୟରେ ଏମାନେ ଖାଦ୍ୟ ସଂଗ୍ରହ କରିଥାନ୍ତି। ମାଛ ଏମାନଙ୍କର ମୁଖ୍ୟ ଖାଦ୍ୟ।

ଏମାନେ ଭ୍ରମଣକାରୀ ପକ୍ଷୀ। ଶୀତ ଋତୁରେ ଅଣ୍ଡାଦେବା ପାଇଁ ଚିଲିକା ହ୍ରଦକୁ ଆସିଥାଆନ୍ତି। ଚିଲିକାରେ ଏମାନେ ବସା ବାନ୍ଧି ଅଣ୍ଡା ଦେଇଥାଆନ୍ତି। ଏମାନେ ମୁଖ୍ୟତଃ ଉତ୍ତର ୟୁରୋପ, ମଧ୍ୟ ଓ ଉତ୍ତର ଏସିଆ ଅଞ୍ଚଳରେ ଅଧିକ ପରିମାଣରେ ଦେଖାଯାଇଥାନ୍ତି।

ଗରୁଡ଼ ପକ୍ଷୀ

ଗରୁଡ଼ ପକ୍ଷୀକୁ କେହି କେହି ଧଳା ଦଦରା ହଣା ପକ୍ଷୀ ବୋଲି କହିଥାନ୍ତି। ଏମାନେ ଦଳ ଦଳ ହୋଇ ଚିଲିକା ହ୍ରଦରେ ଭାସୁଥିବାର ଦେଖାଯାଏ। ଏମାନେ ଆକାରରେ ବଡ଼ ହେଲେ ମଧ୍ୟ ଅତି ସହଜରେ ପାଣିରୁ ଆକାଶକୁ ଉଡିଯାଆନ୍ତି। ଥରେ ପାଣିରୁ ବାହାରି ପଡ଼ିଲେ ଆକାଶରେ ଡେଣା ଝାଡ଼ି ଖୁବ୍ ଜୋର୍‌ରେ ଉଡ଼ି ବୁଲନ୍ତି।

ଗରୁଡ଼ ପକ୍ଷୀ ଆକାରରେ ଶାଗୁଣା ପରି। ଦେହଟି ମାଟିଆ ଧଳା। ଲମ୍ବ ପ୍ରାୟ ୧୮୩ ସେଣ୍ଟିମିଟର। ଡେଣାର ଅଗ୍ରଭାଗ କଳା। ଛାତି ଫିକା ଗୋଲାପୀ ରଙ୍ଗ। ତା ଉପରେ ହଳଦିଆ ରଙ୍ଗର ଛିଟା ଦେଖାଯାଏ। ମାଈ ପକ୍ଷୀ ଅଣ୍ଡିରା ପକ୍ଷୀଠାରୁ ଆକାରରେ ସାମାନ୍ୟ ବଡ଼। ଶାବକ ଗରୁଡ଼ ପକ୍ଷୀର ରଙ୍ଗ ମାଟିଆ ବା ଧୂସର।

ମାଛ ଏମାନଙ୍କର ମୁଖ୍ୟ ଖାଦ୍ୟ। ଏମାନେ ବୁଲି ବୁଲି ଚିଲିକା ହ୍ରଦରୁ ନିଜର ଖାଦ୍ୟ ସଂଗ୍ରହ କରିଥାନ୍ତି।

ଚିଲିକାର ସନ୍ତସନ୍ତିଆ  ଅଞ୍ଚଳରେ ଏମାନେ ଅଣ୍ଡା ଦିଅନ୍ତି। ମାଟି ଉପରେ ଝରି ପଡ଼ିଥିବା ପକ୍ଷୀମାନଙ୍କ ପରକୁ ନେଇ ବସା ତିଆରି କରନ୍ତି।

ଏମାନଙ୍କର ଅଣ୍ଡା ଦେବାର ସମୟ ଫେବୃଆରୀରୁ ଏପ୍ରିଲ୍ ମାସ। ଏମାନେ ଥରକେ ୨ଟି ଅଣ୍ଡା ଦେଇ ଥାଆନ୍ତି। ଅଣ୍ଡାଗୁଡ଼ିକ ଚକ୍‌ଚକିଆ ଧଳା ରଙ୍ଗ ଦେଖାଯାଏ।

ଚିଲିକାରେ ଜଳରାଶିରେ ଏମାନେ ଭାସୁଥିବା ବେଳେ ଖୁବ୍ ମନ ଲୋଭା ଲାଗନ୍ତି। ଲମ୍ବା ଥଣ୍ଟା ହେତୁ ଗରୁଡ଼ ପକ୍ଷୀ ଦୂରକୁ ଜଣା ପଡ଼ିଥାଏ।

ଚିତ୍ରା ଖଡ଼ିହଂସ

ଶୀତଋତୁରେ ଚିଲିକାର ବିଭିନ୍ନ ଅଞ୍ଚଳରେ ଦଳ ଦଳ ହୋଇ ଚିତ୍ରା ଖଡ଼ିହଂସ ଦେଖିବାକୁ ମିଳିଥାନ୍ତି। ଏମାନେ ଭାରତ, ପାକିସ୍ତାନ, ବାଲାଂଦେଶ ଓ ମିଆଁମାରରେ ବିଶେଷ ଭାବରେ ଦେଖାଯାଇଥାନ୍ତି।

ଏମାନଙ୍କର ଲମ୍ବ ପ୍ରାୟ ୩୮ ସେମି। ଅଣ୍ଡିରା ଚିତ୍ରା ଖଡିହଂସର ମୁଣ୍ଡ ଉପରଟି ଲାଲ୍ ମିଶା ବାଦାମୀ। ଆଖି ପାଖରୁ ବେକ ସନ୍ଧା ପର୍ଯ୍ୟନ୍ତ ଗାଢ଼ ନୀଳ-ସବୁଜ ମିଶା ରଙ୍ଗର ପଟିଟିଏ ଥାଏ। ଏହାର ଉପରେ ଓ ତଳେ ଥିବା ଧଳା ଗାର ଏହାର ରୂପକୁ ଦ୍ୱିଗୁଣିତ କରିଥାଏ। କଳା, ନେଳିଆ ଓ ଫିକା ହଳଦିଆ ରଙ୍ଗର ପଟି ଡେଣା କଡ଼ରେ ଥାଏ। ଉଡ଼ିଲା ବେଳେ ତାହା ଜଣାପଡ଼େ।

ମାଈ ପକ୍ଷୀର ରଙ୍ଗ ଗାଢ଼ ଓ ହାଲୁକା ମାଟିଆ। ଏହାର ଡେଣାରେ କଳା ଓ ସବୁଜ ରଙ୍ଗ ଥାଏ। ପେଟ ତଳର ରଙ୍ଗ ଇଷତ୍ ଧଳା ଦେଖାଯାଏ।

ଏମାନେ ଦଳ ଦଳ ହୋଇ ସନ୍ତସନ୍ତିଆ ଜାଗା, ଶସ୍ୟ କ୍ଷେତ୍ରରେ ବୁଲି ବୁଲି ଖାଦ୍ୟ ଖୋଜନ୍ତି। ଏମାନେ ନିରାମିଶାଷୀ, ଚିଲିକା କୂଳରେ ଥିବା ଧାନକିଆରିରେ ଦଳ ଦଳ ହୋଇ ପଡ଼ିଥାନ୍ତି। ଧାନକୁ ଖାଇଥାନ୍ତି। ପାଣି ଭିତରେ ନୀଡ଼ ବାନ୍ଧି ରହିଥାନ୍ତି।

ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ଅଣ୍ଡା ଦେଇଥାନ୍ତି। ମାଈ ପକ୍ଷୀ ଥରକେ ୭ରୁ ୧୦ଟି ଅଣ୍ଡା ଦେଇଥାଏ।

Tags: Black Drongo, Jungle Babbler, Greater Coucal, Brown Crake, White Breasted Waterhen, Indian Roller, Eurasian Wigeon, Indian House Sparrow, Asia Open Bill Stock, Birds in Chilika, Chilika Birds, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories,Migratory Birds,Native Birds,Common Birds,Largest Brakish Water Lake,Chilika Lagoon,Chilka Lake

1 COMMENT

Comment