ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆଉ ପାଦେ ଆଗେଇ ଯାଇଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ।
ପ୍ରଶାସନିକ ଦକ୍ଷତା ହାସଲ ଏବଂ ସରକାରଙ୍କୁ ଅଧିକ ଲୋକାଭିମୁଖି କରିବା ପାଇଁ ନବୀନ ତାଙ୍କ ମନ୍ତ୍ରୀ ଓ ଅଫିସରଙ୍କୁ ଟିମ୍, ଟେକ୍ନୋଲୋଜି ଏବଂ ଟ୍ରାନ୍ସପାରେନ୍ସି ଏହି ୩-ଟି ମନ୍ତ୍ର ଦେଇଛନ୍ତି। ତେବେ ନିରଞ୍ଜନ ତା ସହିତ ଟ୍ରାନ୍ସଫରମେଶନକୁ ମିଶାଇ ୪-ଟି ଫର୍ମୁଲା ସୃଷ୍ଟି କରିଛନ୍ତି।
ଶନିବାର ବିଡିଏର ୩୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଭାଗୀୟ ଅଫିସରମାନଙ୍କୁ ଏହି ୪-ଟି ପ୍ରୟୋଗ କରି ଭୁବନେଶ୍ୱରକୁ ଏକ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଛନ୍ତି।
ସେ କହିଥିଲେ ଯେ ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ବର ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିପାରିଛି। ଏହି ୪-ଟି ସୂତ୍ର ଅପାଣାଇଲେ ଏହି ସହର ସ୍ମାର୍ଟ ସିଟିର ସ୍ୱପ୍ନକୁ ସାକାର କରିପାରିବ। ଲୋକଙ୍କ ପକେଟ ଅନୁଯାୟୀ ସୁବିଧାରେ ଗୃହ ଯୋଗାଣ, ସହରର ବିଭିନ୍ନ ଅଞ୍ଚଳର ବିକାଶ ତଥ ନଦୀ ସଂଲଗ୍ନ ଅଞ୍ଚଳର ବିକାଶ କରାଯାଇପାରିବ। ଏହାସହ ଅତ୍ୟାବଶ୍ୟକୀୟ ଭିତ୍ତିଭୂମିର ବିକାଶ କରାଯାଇ ପାରିଲେ ଏହି ସହର ଆଗାମୀ ଦିନରେ ୨୦ରୁ ୨୫ ଲକ୍ଷ ବାସିନ୍ଦାଙ୍କ ଆବଶ୍ୟକତାକୁ ମେଣ୍ଟାଇ ପାରିବ।
ଏହି ଅବସରରେ ଯୋଗଦେଇ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ସହଭାଗିତା ଭିତ୍ତିରେ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମଧ୍ୟ ବିଧାୟକ ବିଜୟ ମହାନ୍ତି, ବିଡିଏ ସଚିବ ରମେଶ ଚନ୍ଦ୍ର ରାଉତ, ଅତିରିକ୍ତ କମିଶନର ଭବାନୀ ଶଙ୍କର ଚଇନି, ପ୍ଲାନିଂ ମେମ୍ବର ସୁଧି ରଞ୍ଜନ ମହାନ୍ତି ତଥା ବିଡିଏ କର୍ମଚାରୀ ସଂଘ ସମ୍ପାଦକ ସବିତାରାଣୀ ମହାନ୍ତି ପ୍ରମୁଖ ଉଦବୋଧନ ଦେଇଥିଲେ।

Tags: Ananta Narayan Jena, Smart City, Chief Minister, Naveen Patnaik, Priyadarshi Mishra, Bijay Mohanty, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment