ଓଡ଼ିଶାଲାଇଭ୍‍ ବ୍ୟୁରୋ

ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକାର୍ପଣ କରିଛନ୍ତି। ଏହାସହ ରାଜ୍ୟରେ ପଞ୍ଚମ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ୪ ତାରିଖରେ ମୁଖ୍ୟମନ୍ତ୍ରୀ କୋରାପୁଟରେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଲୋକାର୍ପଣ କରିଥିଲେ।
”ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରୁଛି। ଏହି ମେଡିକାଲ କଲେଜ ପ୍ରତିଷ୍ଠା ଦ୍ୱାରା କେବଳ ମୟୂରଭଞ୍ଜ ନୁହେଁ, ବାଲେଶ୍ୱର ସମେତ ପଡୋଶୀ ରାଜ୍ୟର ଲୋକେ ଉପକୃତ ହୋଇପାରିବେ। ସ୍ୱାସ୍ଥ୍ୟସେବାରେ ବହୁ ଉନ୍ନତି ଆସିପାରିବ। ଏହାଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହୋଇପାରିଛି”, ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ।
ଶ୍ରୀଯୁକ୍ତ ପଟ୍ଟନାୟକ ଏହି ମେଡିକାଲ କଲେଜକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ପରେ ପାଠପଢ଼ା ଆରମ୍ଭ ହୋଇଛି।  ମୋଟ ୧୦୦ ଏମବିବିଏସ୍ ସିଟରେ ୬୭ ଜଣ ଛାତ୍ର ଏବଂ ୩୩ ଜଣ ଛାତ୍ରୀ ନାମ ଲେଖାଇଛନ୍ତି।
ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ବହୁ ଗରିବ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ପାରିବ।
ସମ୍ମାନିତ ଅତିଥି ଭାବେ ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ।
ଶ୍ରୀ ଜେନା କହିଛନ୍ତି ଯେ ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ବିକାଶ କରିବା ଲାଗି ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି। ଏହାର ପ୍ରମାଣ ହେଉଛି ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ। ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଓ ଅନ୍ତରିକତା ପାଇଁ ରାଜ୍ୟରେ ଏହି ଦୁଇଟି ମେଡିକାଲ କଲେଜ ପ୍ରତିଷ୍ଠା ସମ୍ଭବ ହୋଇ ପାରିଛି। ଏହି ଦୁଇ ମେଡିକାଲ ପ୍ରତିଷ୍ଠା ହେବା ପରେ ଆଗାମୀ ଦିନରେ ରାଜ୍ୟରେ ଡାକ୍ତର ଅଭାବ ଦୂର ହୋଇ ପାରିବ।
୫୦ କୋଟି ଟଙ୍କା ବ୍ୟୟ କରାଯାଇ ମେଡିକାଲରେ ଅତ୍ୟାଧୁନିକ ଯନ୍ତ୍ରପାତି ରଖାଯାଇଛି। ସିଟି ସ୍କାନଠାରୁ ଆରମ୍ଭ କରି ଏମଆରଆଇ, ଏକ୍ସରେ ମେସିନ ଭଳି ଅତ୍ୟାଧୁନିକ ଯନ୍ତ୍ରାଂଶ ରୋଗୀଙ୍କ ପାଇଁ ରଖାଯାଇଛି।
ପୂର୍ବରୁ ଓଡ଼ିଶାରେ ୩ଟି ମେଡିକାଲ କଲେଜ ରହିଥିଲା। କଟକରେ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ବ୍ରହ୍ମପୁରରେ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଆସୁଥିଲା।
କୋରାପୁଟ ଏବଂ ବାରିପଦାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ପରେ ଏହି ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଫଳରେ ରାଜ୍ୟରେ ଏମବିବିଏସ୍ ସିଟ୍ ସଂଖ୍ୟା ୮୦୦କୁ ବୃଦ୍ଧି ପାଇଛି।
ବାରିପଦା ମେଡିକାଲ କଲେଜକୁ ନେଇ ବିଗତ ଦିନରେ ବିବାଦ ଦେଖାଦେଇଥିଲା। ନାମ ଲେଖା ପାଇଁ ଏମସିଆଇ ଅନୁମତି ନ ଦେବାରୁ ରାଜ୍ୟ ସରକାର ସୁପ୍ରିମକୋର୍ଟ ମାଣ୍ଡେଟେଡ୍ ଓଭରସାରଇଟ କମିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ମେ’ ୧୪ରେ କମିଟି ନାମ ଲେଖାଇବା ପାଇଁ ଅନୁମତି ଦେଇଥିଲେ।

Tags: Chief Minister, Naveen Patnaik, Pratap Jena, Raghunath Murmu Medical College & Hospital, Raghunath Murmu Medical College, MBBS, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment